ସୁଭାଷ ଚନ୍ଦ୍ର ପଟ୍ଟନାୟକ
[ଗତବର୍ଷ ଏଇ ଦିନେ, ୧୪.୧.୨୦୨୧ ତାରିଖରେ ଏହି ଲେଖାଟି ଫେସବୁକରେ ରଖିଥିଲି । ଆଜି ଏଠାରେ ତାହା ପ୍ରକାଶ କରୁଛି । ଇଂରେଜୀପଢୁଆମାନଙ୍କ ଦୌରାତ୍ମରୁ ଆମ ଜାତିକୁ ରକ୍ଷା କରିବା ପାଇଁ ଚାଲିଥିବା କଳାପତାକା ଅଭିଯାନ ଆଜି ୩୦୦୦ ଦିନରେ ପହଞ୍ଚିଲା ।]
ଆମ ଭାଷାର ଶାଶ୍ଵତ ପଥଦର୍ଶୀ ଫକୀରମୋହନ ଗପ ଲେଖିବା ପାଇଁ ‘ଡାକ ମୁନ୍ସୀ’ ଗପଟି ଲେଖିନଥିଲେ । ଲେଖିଥିଲେ ଇଂରେଜୀପଢୁଆଙ୍କ ଦୌରାତ୍ମରୁ କିପରି ଆମ ଜାତି ବର୍ତ୍ତିବା ଆବଶ୍ୟକ , ତା ପାଇଁ ଦେବାକୁ ଆମକୁ ଆବଶ୍ୟକୀୟ ଚେତନା ।
ନିଜର ଗୋଟିକମାତ୍ର ପୁଅକୁ ଇଂରାଜୀ ପଢାଇ ହାକିମ କରିବା ସ୍ଵପ୍ନ ଦେଖି ହରି ସିଂହ ନାମକ ଡାକ ପିଅନଟିଏ ଯେଉଁ କଷ୍ଟ ସହିଥିଲା ତାହାର ବର୍ଣ୍ଣନା କରି ଫକିର ମୋହନ ଲେଖିଥିଲେ, ପୁଅ ଗୋପାଳ ହାକିମ ହୋଇଗଲା ପରେ ତା ହାବଭାବ ବଦଳିଗଲା । ତାଙ୍କ ଭାଷାରେ –
“ଏଣିକି ଗୋପାଳବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି । ଏବେ ବାପକୁ ଦେଖିଲେ ମିଛଟାରେ ରଗ ରଗ ସିଁ ସିଁ ହୁଅନ୍ତି । ଏଟା ମୁର୍ଖ, ଇଂରେଜୀ ଜାଣେନାହିଁ – ମୂଲିଆ – ମଳିଆ ଲୁଗା ପିନ୍ଧିଥାଏ । ଏଟାକୁ ବାପ ବୋଲି ଡାକିବି, ଲୋକେ କଣ କହିବେ ! ସେଦିନ ଶିକ୍ଷିତା କେତେ ଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି , ପୋଷାକ ପିନ୍ଧି ଠିଆ ହୋଇଥିଲେ – ବୁଢାଟା ଦିହରେ କୁରୁତା ନାହିଁ , ସେମାନଙ୍କ ଆଗ ଦେଇ ଚାଲିଗଲା । କି ଲଜ୍ଜା ! କି ଲଜ୍ଜା ! ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ ।
ଦିନେ ଡାକ ମୁନ୍ସୀ ବାବୁ ବାପକୁ କହିଦେଲେ , “ଦେଖ, ତୁମେ ମୋର କିଛି ଉପକାର କରିନାହଁ , ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ, ତୁମେ ଘରୁ ବାହାରିବ ନାହିଁ ।” ଗୋପାଳ କଥା ଶୁଣି ବୁଢାର କାନମୁଣ୍ଡା ଭାଁ ଭାଁ କଲା , ଗୁମ୍ ହୋଇ ବସି ପଡ଼ିଲା । କାହାକୁ କହିବ? ପୁଅ କଥା; ଅଜାଗା ଘା ଦେଖି ହୁଏନାହିଁ , ଦେଖେଇ ହୁଏନାହିଁ ।”
କିନ୍ତୁ ଇଂରେଜୀ ପଢୁଆ ପୁଅ କଣ ଏତିକିରେ ଅଟକିଥିଲେ?
ଡାକ ମୁନ୍ସୀ ବାବୁ ବନିଗଲା ଉତ୍ତାରୁ ବାବୁ ଗୋପାଳଙ୍କର ଏକ ମଫସଲ ଡାକଘରର ମୁଖ୍ୟ ପଦକୁ ବଦଳି ହେଲା । ବାବୁ ଚହଟ ଚିକ୍କଣ ହୋଇ ବାହାରିପଡ଼ିଲେ ନୂଆ ଦାୟିତ୍ଵ ନେବାକୁ । ବାପକୁ ହୁକୁମ ଦେଇଗଲେ ପୁରୁଣା ବସାରେ ଥିବା ସମସ୍ତ ଜିନିଷପତ୍ର ନିଜେ ମୁଣ୍ଡାଇ ନୂଆ ଠିକଣାରେ ପହଞ୍ଚାଇବା ପାଇଁ । କହିଦେଲେ ଯଦି ତା ନ ହୁଏ, ଯଦି ମୂଲିଆ କରି ସେ ଜିନିଷ ବୁହାନ୍ତି, ତେବେ ହରି ସିଂହ ସେ ମଜୁରି ପାଇଁ ନିଜେ ଦାୟୀ ହେବେ ।
ପୁଅକୁ ଇଂରେଜୀ ପଢେଇ ହାକିମ କରାଇଥିବା ବୁଢା ବାପ ଦୁର୍ବଳ ଶରୀର ସତ୍ତ୍ୱେ ମୁଣ୍ଡରେ ମୁଣ୍ଡାଇ ସେ ସବୁ ଜିନିଷ ନେଇ ପୁଅଙ୍କ ନୂଆ ବସାରେ ସଜାଡ଼ି ରଖିଲେ । ତା ପରେ କଣ ହେଲା ତାହା ଫକୀରମୋହନଙ୍କ ଭାଷାରେ ଜାଣନ୍ତୁ –
“ବୁଢା ଦେହରେ ମଫସଲ ପାଣି ଚଳିଲା ନାହିଁ । ଜର ହେଲେ ଖୁଁ ଖୁଁ କରି କାଶେ, ସେ କାଶଟା ରାତିକି ବେଶୀ ହୁଏ , ବାବୁ ଶୋଇବାରେ ହରକତ ହେଲେ । ପିଆନକୁ ଡାକି ହୁକୁମ ଦେଲେ, “ବୁଢାଟାକୁ କିଆବୁଦାରେ ଫୋପାଡ଼ିଦେଇ ଆସ ।” ସେ ପିଅନଟା ମୁର୍ଖ ; ଇଂରେଜୀ ପଢି ନାହିଁ , ତାର ଗୋଟାଏ ଦେଶୀ ହୃଦୟ ଅଛି । ବିଚାର କଲା, “କଣ ଏ? ବୁଢା ରୋଗୀଟିକୁ କିଆବୁଦାରେ ଶୁଆଇଦେବି?” ଦିନେ ବୁଢାର ଭାରି ଜର , ତିନି ଦିନ ଖାଇନାହିଁ, ଅଧ ରାତି , ଅନ୍ଧାର, ଥଣ୍ଡା ପାଇ ବୁଢାର କାଶ ବଳି ପଡ଼ିଲା । ବାବୁ ତ ଭାରି ଖପା , ବୁଢା ଛାତିରେ ଦୁଇଟା ଇଂରାଜୀ ଘୁଷି ମାରିଲେ , ବିଛଣାପତ୍ର ବାହାରକୁ ଫୋପାଡ଼ିଦେଲେ । ବୁଢା ଗାଁକୁ ପଳାଇଲା ।”
ଆମ ଦେଶୀଇଂରାଜିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଗୋଲମପଲ ଆମ ଭବିଷ୍ୟ ପିଢିକୁ ଯୁଆଡିକୁ ଠେଲିନେବାରେ ଲାଗିଛନ୍ତି , ସିଆଡେ କେବଳ ଗୋପାଳିଆ ଘୁଷି ମିଳିବ, ମଣିଷ ମିଳିବେନି ।
ହୁସିଆର ହୁଅ ଓଡ଼ିଆ ଜାତି, ଫକୀର ମୋହନଙ୍କୁ ମୁଣ୍ଡିଆ ମାର ।