‘ମିଛ କେବେ ସତ ହୁଏନା’ ମିଛ ଓଗାଳୁଛି : ସତ ଜାଣିବା ପାଇଁ ସିବିଆଇ ତଦନ୍ତ ଦରକାର

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରସ୍ତୁତ ସରକାରୀ ସନ୍ଦର୍ଭ କିପରି ସେହି ପ୍ରକଳ୍ପରେ କାମ କରୁଥିବା ଲୋକେ ଚୋରୀ କରିନେଇ ତତ୍କାଳୀନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ମାଧ୍ୟମରେ ସରକାରୀ ସତ୍ତ୍ଵାଧିକାର ଉପରେ ଏକ ଦଣ୍ଡନୀୟ ସତ୍ତ୍ଵାଧିକାର ସୃଷ୍ଟି କରିଛନ୍ତି ଓ ସରକାରୀ ସନ୍ଦର୍ଭଟିକୁ ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଅପ୍ରାପ୍ୟ କରାଯାଇଛି ତହିଁର ପ୍ରାମାଣିକ ତଥ୍ୟ ‘ମିଛ କେବେ ସତ ହୁଏନା’ ପୁସ୍ତକରେ ପ୍ରଘଟ ହେବା ପରେ ଏହି ଦଣ୍ଡନୀୟ ଆଚରଣରେ ଜଡ଼ିତ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟି ନିଜ ନିଜ ସ୍ତରରେ ଭିଡିଓ ଜାରିକରି ସର୍ବ ସାଧାରଣଙ୍କୁ ନିଜ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି । କୌତୁହଳର କଥା, ସତ୍ୟ ସ୍ଵୀକାର କରିବା ପରିବର୍ତ୍ତେ, ଏ ଉଭୟେ ଯାହା କହିଛନ୍ତି ତାହା ଅଧିକ ମିଥ୍ୟା ଓଗାଳିଲା ପରି ପ୍ରତୀତ ହେଉଛି । ମନେ ହେଉଛି , ଏହି ଅପରାଧ ଉପରେ ସରକାର ଗତ ୪ ବର୍ଷ ଧରି ତଦନ୍ତର ଯେଉଁ ନାଟକ ଚଳାଇଛନ୍ତି ତାହା ବନ୍ଦ କରି ସତ୍ୟ ଜାଣିବା ପାଇଁ ସିବିଆଇର ଆଶ୍ରୟ ନେବାକୁ ହେବ ।

ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଥିବା ବହିରେ ଡ. ପଟ୍ଟନାୟକଙ୍କୁ ତହିଁର ଲେଖକ ଭାବେ ସ୍ଥାନିତ କରିଛନ୍ତି । ଶ୍ରୀ ପୃଷ୍ଟି ତାଙ୍କ ଭିଡ଼ିଓରେ ନିଜକୁ ସେହି ସନ୍ଦର୍ଭର ଲେଖକ ବୋଲି ଜାରି କଲେଣି । କୌଣସି ଗ୍ରହଣଯୋଗ୍ୟତା ନଥିବା ପୃଷ୍ଟିଙ୍କ କେଇପୃଷ୍ଠାର ଚିଠାକୁ ୮୦ ପ୍ରୁଷ୍ଠା ପର୍ଯ୍ୟନ୍ତ ବଢାଇ ଏହାର ଭିତ୍ତିପତ୍ର ତିଆରି କରିଥିବାର ଦାବି ରଖିଥିବା ନଟବର ଶତପଥୀ ପୃଷ୍ଟିଙ୍କ ଭିଡ଼ିଓରେ ଆଦୌ ଉଚ୍ଚାରିତ ବି ହୋଇନାହାନ୍ତି । ତେଣୁ ତାଙ୍କରି ନିର୍ମିତ ଭିତ୍ତିପତ୍ରକୁ ନିଜ କୃତ ବୋଲି ଡ. ପଟ୍ଟନାୟକ ଦେଖେଇଥିବାର ଯେଉଁ ଦାବି ଶ୍ରୀ ଶତପଥୀ “ସାହିତ୍ୟ ମନ୍ଥନ”ରେ କରିଥିଲେ ତାହା ଏବେ ସନ୍ଦେହର ଆବର୍ତ୍ତରେ ।

ଅସଲ ପ୍ରସଙ୍ଗ ହେଉଛି, ସରକାରୀ ସନ୍ଦର୍ଭ ପ୍ରକଳ୍ପରେ ଏମାନେ ନିଯୁକ୍ତ ରହି ସରକାରଙ୍କଠାରୁ ଟଙ୍କା ନେଇଛନ୍ତି । ଯୌଥ ବିଜ୍ଞତା ବଳରେ ପ୍ରସ୍ତୁତ ହୋଇଥିବା ସେହି ସରକାରୀ ସନ୍ଦର୍ଭକୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତିଆରି କରିଥିବା ସନ୍ଦର୍ଭ ବୋଲି ଅନୁମୋଦନ ଦେଇ ଏମାନେ ତହିଁରେ ସ୍ଵାକ୍ଷର କରିଛନ୍ତି ଓ ତାହାର କୌଣସି ଅଂଶ କେହି ଅନ୍ୟଥା କୌଣସି ପ୍ରକାରେ ହଡଫ କରିପାରିବେ ନାହିଁ ବୋଲି ଜାଣି ମଧ୍ୟ ଶ୍ରୀ ଖୁଣ୍ଟିଆଙ୍କୁ ତାର ଚୋରା ନକଲ ଦେଇ ତହିଁ ଉପରେ ସମାନ୍ତରାଳ ସତ୍ତ୍ଵାଧିକାର ତିଆରି କରିଛନ୍ତି ଓ ଗତ ୪ ବର୍ଷ ଧରି ତହିଁ ଉପରେ ଚାଲିଥିବା ସରକାରୀ ତଦନ୍ତ ଆଗେଇ ପାରୁନଥିବା ବେଳେ ମିଛ କେବେ ସତ ହୁଏନା ପୁସ୍ତକରେ ବର୍ଣ୍ଣିତ ରାଜକୋଷ ଲୁଣ୍ଠନ ଏମାନେ ବାରମ୍ବାର କରିଛନ୍ତି । ଓଡ଼ିଆ ଭାଷା କ୍ଷେତ୍ରରେ ମାଫିଆ ମତାଣ ଅବାରିତ ହୋଇଉଠିଛି ।

ଓଡିଶା ସରକାର ଏମାନଙ୍କ ସହ ହାତ ମିଳାଇଛନ୍ତି । କାରଣ, ଏମାନେ ଭାଷା ଆନ୍ଦୋଳନକୁ ବିରୋଧ କରି ଲୋକଙ୍କୁ ବିଭ୍ରାନ୍ତ କରିବାରେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଏଣୁ ସିବିଆଇ ଦ୍ଵାରା ତଦନ୍ତର ଆବଶ୍ୟକତା ଅଛି ।