ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା : ମୁଖ୍ୟମନ୍ତ୍ରୀଙ୍କ ପ୍ରମାଦର ବାନା ଉଡ଼ାଇଲା କନକ ନିଉଜ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ ପ୍ରୀତିଭାଜନ ହେବା ପାଇଁ ନାନା କସରତ କରିଥିବା ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କନକ ନିଉଜ ଶେଷରେ ଆମେ କହିଥିବା କଥାର ଖିଅ ଧରି ନବୀନ ପଟ୍ଟନାୟକଙ୍କ କରୋନା-ପରିଚାଳନା ପ୍ରମାଦକୁ ଯେପରି ସ୍ତର ସ୍ତର ବିବସ୍ତ୍ର କରିଛି , ତହିଁର ଆମେ ପ୍ରଶଂସା କରୁଛୁ ।

କରୋନା ପରିଚାଳନାରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆକସ୍ମିକ ଘୋଷଣା ବିଶୃଙ୍ଖଳାକାରକ ହେବ ବୋଲି କହି ତହିଁର ଗୁପ୍ତ ଅଭିସନ୍ଧି ଉପରେ ଆମ୍ଭେ ଆଲୋକପାତ କରିଥିଲୁ ଗତ ୨୦ ତାରିଖରେ । ପରବର୍ତ୍ତୀ କେତେକ ପ୍ରକାଶିତ ଘଟଣା ଆମ୍ଭ ଆଶଙ୍କାର ଯଥାର୍ଥତା ସାବ୍ୟସ୍ତ କରିଥିବା ବେଳେ କନକ ଟିଭିର ପରିବେଷଣ ସମ୍ପ୍ରତି ସୃଷ୍ଟି ହୋଇଥିବା ଅରଜକତାର ଚମତ୍କାର ଉପସ୍ଥାପନା କରିଛି । ଦୃଷ୍ଟି ପଡୁ  ।

ଗାଲୁଆ ସରକାର : ଲୋକେ ମଲେ ମରନ୍ତୁ; ଓଡ଼ିଆ ଚଳିବନି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଗତକାଲି ଏକ ଅଭୂତପୂର୍ବ ଆଦେଶ ଦେଇଛନ୍ତି । ଗ୍ରାମ ପଞ୍ଚାୟତଗୁଡ଼ିକର ସରପଞ୍ଚମାନେ ଏହି ଆଦେଶ ବଳରେ ଜିଲ୍ଲାପାଳ ବନିଗଲେ, କାରୋନା ବ୍ୟାପାରରେ । ଏହି ରିପୋର୍ଟ ଲେଖାହେଲାପର୍ଯ୍ୟନ୍ତ ସେ ସୁଚାଇଥିବା ଆଇନ ପ୍ରଣୟନ ହୋଇନାହିଁ । କାର୍ଯ୍ୟ ନିୟମାବଳୀର ବ୍ୟବସ୍ଥା ନଥାଇ ସୁବ୍ରତୋ ବାଗ୍ଚିଙ୍କୁ ସରକାରଙ୍କ ପ୍ରମୁଖ ମୁଖପାତ୍ର କରାଯାଇଥିବା ଓ ପଣ୍ଡିଆନଙ୍କୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟ ନିର୍ବାହ ଯାଞ୍ଚ କଲାପରି ‘୫ଟି’ ନାମକ ଏକ ବିଭାଗ ଖୋଲି ତାର ସଚିବ କରାଯାଇଥିବା ପରି ମନୋମୁଖୀ ବିଭାବନା ଉପରେ ମୁଁ ସାମାଜିକ ଗଣମାଧ୍ୟମ ଓ ମୋର ଅନ୍ୟ ନଭମଞ୍ଚ ORISSAMATTERSରେ ଗଭୀର ଆଲୋକପାତ କରିଛି । ତାହା ଯଦି ସରକାରଙ୍କ ମନରେ କିଛି ସଚେତନତା ଆଣିଥିବ, ତେବେ ସମ୍ଭବତଃ ଏହି ନୂଆ ପ୍ରଶାସନିକ ଯଥୈଚ୍ଛାଚାରକୁ ମାନ୍ୟ ରୂପ ଦେବାପାଇଁ କାର୍ଯ୍ୟ ନିୟମାବଳୀ ସଂଶୋଧନ ପାଇଁ ବ୍ୟବସ୍ଥା ହେଉଥିବ ବା ସ୍ଵତନ୍ତ୍ରଅଧିକାର ବଳରେ କିଛି ଗୋଟେ ଫନ୍ଦି ତିଆରି ଚାଲିଥିବ ।

କିନ୍ତୁ ଏହା ଯେ ଓଡ଼ିଶାର ସାଧାରଣ ଲୋକଙ୍କୁ ଅଧିକ ବିପଦରେ ପକାଇବ – ଏପରି ଆଶଙ୍କା ଅମୂଳକ ନୁହେଁ ।

ନିଜ ପକ୍ଷରୁ ତଥା ଭାଷା ଆନ୍ଦୋଳନ ପକ୍ଷରୁ ମୁଁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଆସିଛି କି କରୋନା (KOVID-19) ସମ୍ପର୍କୀୟ ସମସ୍ତ ସରକାରୀ ନିଷ୍ପତ୍ତି / ନିର୍ଦ୍ଦେଶିକା/ ବିଧି ବ୍ୟବସ୍ଥା ଇଂରାଜୀ ଭାଷା ପରିବର୍ତ୍ତେ ଓଡ଼ିଆ ଭାଷାରେ ସରକାରୀ ୱେବ୍ସାଇଟରେ ରଖାଯାଉ, ଯଦ୍ଦ୍ବାରା ଆମ ଭାଇଭଉଣୀମାନେ ଏହି ଭୂତାଣୁ ସମ୍ପର୍କରେ ସବୁକଥା ବୁଝିପାରିବେ ଓ ତହିଁର ସାମ୍ନା କରିବା ପାଇଁ ସରକାର (ଉଭୟ କେନ୍ଦ୍ର ଓ ରାଜ୍ୟ) ଯେଉଁ ନିର୍ଦ୍ଦେଶ ଓ ନିୟମ ପ୍ରବର୍ତ୍ତିତ କରିଛନ୍ତି, ତାକୁ ହୃଦୟଙ୍ଗମ କରି ତଦନୁସାରେ ସରକାରଙ୍କ ସହ ସହଯୋଗ କରିପାଇବେ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ପରାମର୍ଶ ଦେଇଛି, ତଦନୁଯାୟୀ ସରକାରୀ ସ୍ତରରେ ଯେଉଁ ସବୁ ନିଷ୍ପତ୍ତି ନିଆ ହୋଇଛି, ସେଗୁଡ଼ିକ  କ’ଣ ଓ ସେଗୁଡ଼ିକୁ କର୍ମଚାରୀମାନେ କାର୍ଯ୍ୟକାରୀ କରୁଛନ୍ତି କି କେବଳ ପୋଲିସ ଲଗାଇ ଲୋକଙ୍କୁ ନିର୍ଦ୍ଧୂମ ଲାଠି ପିଟି, ଟିଭି ପର୍ଦ୍ଦାରେ ଚେହେରା ଦେଖାଇ ଓ “ନ ଦେଖିଲା ଓଉ ଛଅ ଫେଡ଼ା” ବାତିନିରେ କର୍ତ୍ତବ୍ୟ ସାରୁଛନ୍ତି – ତାହା ଜାଣିବାର ଅଧିକାର ସମଗ୍ର ସାଧାରଣ ଜନତାଙ୍କର ସମ୍ପୂର୍ଣତଃ ଅଛି । ଏ ସବୁ ଓଡ଼ିଆରେ ପ୍ରକାଶ ନ କରି ଇଂରାଜୀରେ ରଖିଛନ୍ତି ସରକାର । ଲୋକେ ମଲେ ମରନ୍ତୁ, କିନ୍ତୁ ନିଜକୁ ଇଂରାଜୀ ସେବକ ପଦରୁ ନବୀନ ପଟ୍ଟନାୟକ ଧାପେ କମାଇବେ ନାହିଁ ।

ଭୋଟଭିକାରୀମାନେ ଲୋକଙ୍କର ସେବା କରିବାକୁ ରାଷ୍ଟ୍ରପତି ବା ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତ ହୋଇଗଲା ପରେ ଭୋଟ ଭିକ୍ଷା କାଳର ମାନସିକ ଗ୍ଲାନୀର ଅବସାନ ଘଟାଇବା ଆବେଗରେ ଯେତେବେଳେ ନିଜ ନିଜକୁ ସମ୍ରାଟ ମନେ କରନ୍ତି ସେତେବେଳେ ସେମାନେ ଏହିପରି କରନ୍ତି ଯେପରି ମୋଦୀ ଓ ନବୀନ କରୋନା କ୍ଷେତ୍ରରେ କରିଛନ୍ତି । ନିଯୁକ୍ତି ପରିସର ନଥିବା ନିଜ ଜନ୍ମମାଟିରୁ ଦୂରଦୂରାନ୍ତକୁ ଯାଇ, ଶ୍ରମ ବିକି , ମୁଣ୍ଡ ଝାଳ ତୁଣ୍ଡେ ମାରି ବଞ୍ଚିବାକୁ  ଚେଷ୍ଟାକରୁଥିବା ମଣିଷମାନଙ୍କୁ ନିଜ ନିଜ ଘରକୁ ଫେରିଆସିବାକୁ ସୁଯୋଗ ନଦେଇ ହଠାତ୍ ଲଗଡ଼ାଉନ ଜାରିକରିବା, ସେମାନେ ଯାହା ଅବଗତ ହେବା ଦରକାର ତାହା ସେମାନଙ୍କୁ ନଜଣାଇବା ପାଇଁ ଇଂରାଜୀ ଭାଷାରେ ପ୍ରକାଶ କରିବା , ଲୋକେ ନକାଣିଥିବା ଭାଷାରେ ନିୟମ କରି ନିୟମଭଗ୍ନ ଅଭିଯୋଗରେ ସେମାନଙ୍କୁ ପୋଲିସ ଲଗାଇ ମରଣାତ୍ମକ ନିର୍ଯ୍ୟାତନା ଦେବା – ଏ ସବୁ ଏହି ବ୍ୟକ୍ତିମାନଙ୍କ ବିଭତ୍ସଆନନ୍ଦଲିପ୍ସା ଚରିତାର୍ଥ କରେ ସିନା, ଆମ ଲୋକଙ୍କ ରୋଗ ପ୍ରତିଷେଧକ ଶକ୍ତିକୁ ନଷ୍ଟ କରେ ।  ଏହି ବିଭତ୍ସଆନନ୍ଦଲିପ୍ସା ଓଡ଼ିଶାରେ ଏତେ ତୀବ୍ର ଯେ, ବିଲାତ ସରକାର ତିଆରି କରିଥିବା ମହାମାରୀ ରୋଗ ଆଇନ ୧୮୯୭ରେ ତହିଁର ଉଲ୍ଲଂଘନ ପାଇଁ ଥିବା ସର୍ବୋଚ୍ଚ ୨ ମାସ ଜେଲ ଓ /ବା ହଜାରେ ଟଙ୍କା ଜୋରିମନା ବ୍ୟବସ୍ଥାକୁ ନବୀନ ପଟ୍ଟନାୟକ ଏହି ମାସରେ ସଂଶୋଧନ କରି ୨ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନାରେ ପରିଣତ କରିଛନ୍ତି । ଅଥଚ , ଯେଉଁମାନେ ଏହି ଦଣ୍ଡ ଭୋଗିବେ ସେମାନଙ୍କ ନିଜ ଭାଷାରେ ଏ ଆଇନ ନାହିଁ, ଅଛି ଇଂରାଜୀରେ ।

ବର୍ତ୍ତମାନ ସରପଞ୍ଚମାନେ ହୋଇଯାଇଛନ୍ତି ଜିଲ୍ଲାପାଳ ! କେଉଁ ସରପଞ୍ଚଟି ଜିଲ୍ଲାପାଳମାନଙ୍କ ପରି ବା ନିଜକୁ ସମ୍ରାଟ ମନେକରୁଥିବା ସରକାରୀ ବଡ଼ପଣ୍ଡାଙ୍କ ପରି ଇଂରାଜୀ ଜାଣେ ଯେ, ସେ କରୋନା ମୁକାବିଲାରେ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରାଇବ? ଅତି ଆକସ୍ମିକ ଭାବେ ଏପରି ଲୋକଙ୍କୁ ଏପରି ପଦମର୍ଯ୍ୟାଦା ଦିଆଯିବାର କାରଣ କ’ଣ? କାରଣ ଅତି ସ୍ପଷ୍ଟ । ରାଜ୍ୟସରକାରଙ୍କ ବ୍ୟବସ୍ଥା ଅନୁସାରେ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ପଞ୍ଚାୟତରେ ଖୋଲା ଯାଉଥିବା କରୋନା କ୍ୟାମ୍ପ ଦାୟିତ୍ଵରେ ଜଣେ ଜଣେ ବରିଷ୍ଠ ଅଫିସର ରହିବା ଅପରିହାର୍ଯ୍ୟ । ଓଡ଼ିଶାରେ ବରିଷ୍ଠ ଅଫିସରମାନେ ଏପରି ସୁଖଭୋଗୀ ହୋଇସାରିଛନ୍ତି ଯେ, କୌଣସି ପଞ୍ଚାୟତକୁ ଯାଇ ସେଠାରେ କରୋନା କ୍ୟାମ୍ପର ଦାୟିତ୍ଵ ତୁଲାଇବା ପାଇଁ ସେମାନେ ପରାଙ୍ଗ୍ମୁଖ । ସେଠି ପୁଣି ଭାଇରସଆକ୍ରାନ୍ତମାନଙ୍କ ହେପାଜତ କରିବାକୁ ହେବ । ମୁଖ୍ୟମନ୍ତ୍ରୀଙ୍କର ସାହସ ନାହିଁ ଅଫିସରମାନଙ୍କୁ ସେଥିପାଇଁ ବାଧ୍ୟ କରିବାକୁ ; କାରଣ ଓଡ଼ିଶାରେ ଅଫିସରରାଜ୍ ହିଁ ଚାଲିଛି । ତେଣୁ ସରପଞ୍ଚଙ୍କୁ ଜିଲ୍ଲାପାଳ ସଜାଇଦେଲେ ବିଚରା ଗାଉଁଲି ଲୋକଟି ଏପରି ପଦବୀରେ ଖୁସ୍ ଓ ଅଡୁଆ ତୁଟିଲା ବୋଲି ଅଫିସରମାନେ ଖୁସ୍; ମୁଖ୍ୟମନ୍ତ୍ରୀ ବି ତତୋଧିକ ଖୁସ୍ ।

କରୋନା କ୍ୟାମ୍ପ ପରିଚାଳନା ସହଜ ନୁହେଁ । ସରକାରଙ୍କ ସମସ୍ତ ନିଷ୍ପତ୍ତି ଓ ନିୟମ ଉପରେ ପରିଚାଳକଙ୍କ ଗଭୀର ଜ୍ଞାନ ଥିବାର ଅଛି । କ୍ୟାମ୍ପରେ ମହିଳାମାନେ , ଝିଅମାନେ ବି ସଙ୍ଗରହିତ ହୋଇରହିବେ । ଅକଳ୍ପନୀୟ ପରିସ୍ଥିତିରେ କେଉଁ ଆଇନର ଉପଯୋଗ ଦରକାର, କଣ କରିବାକୁ କାରୋନା ବିଧି (COVID-19 Regulation, 2020) ତାହା ଇଂରାଜୀ ନଜାଣିଥିବା ସରପଞ୍ଚ କିପରି ଜାଣିବେ? ଇଂରାଜୀ ଅପାଠୁଆ ଲୋକ ଜିଲ୍ଲାପାଳ ବନିଗଲେ କେଉଁ ବତ୍ରିଂଶ ସିଂହାସନରେ ବସିଯିବା ଯେ, ଇଂରାଜୀରେ ଥିବା ଆଇନସମୂହକୁ ତତ୍କାଳ ବୁଝିଯିବ?

ଲୋକଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବାକୁ କରୋନା ସଙ୍କ୍ରାନ୍ତୀୟ ସମସ୍ତ ନିଷ୍ପତ୍ତି, ନିର୍ଦ୍ଦେଶ, ମାର୍ଗଦର୍ଶିକା ଓ ବିଧିବିଧାନ ଇତ୍ୟାଦି ଓଡ଼ିଆରେ ପ୍ରକାଶ କରିବାକୁ ଆମେ ଯେତେ କହିଲୁ, ମୁଖ୍ୟମନ୍ତ୍ରୀ କର୍ଣପାତ କଲେନାହିଁ ; କରୁ ବି ନାହାନ୍ତି । ଲୋକେ ମଲେ ମରନ୍ତୁ, ଇଂରାଜୀ ଭାଷାର ସେବକ ପଦରୁ ଆମ ସମ୍ରାଟ ଅଣୁପ୍ରମାଣେ ବି ନଘୁଞ୍ଚନ୍ତି ! ଗାଲୁଆ ସରକାର ।