ଶିକ୍ଷାବର୍ଷ ବାତିଲ ପାଇଁ ଭାଷା ଆନ୍ଦୋଳନର ପରାମର୍ଶ ଯଥାର୍ଥ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା ମହାମାରୀରେ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକରେ “ଅନ୍ଲାଇନ” ଶିକ୍ଷା ଯେଉଁ ପ୍ରହସନ ସୃଷ୍ଟି କରୁଛି ତାହା ଲୋପ ହେବା ଉଚିତ ଓ ସେଥିପାଇଁ ଚଳିତ ଶିକ୍ଷାବର୍ଷକୁ ବାତିଲ କରିବା ଆବଶ୍ୟକ ବୋଲି ଭାଷା ଆନ୍ଦୋଳନର ଭିଡ଼ିଓ ସମାବେଶ ଯେଉଁ ପରାମର୍ଶ ଦେଇଛି ତାହାକୁ ରାଜ୍ୟ ସରକାର ଗମ୍ଭୀର ଭାବେ ବିଚାରକୁ ନେବା ଆବଶ୍ୟକ ।

ବାସ୍ତବ କ୍ଷେତ୍ରରେ ପ୍ରାୟ ୯୦ % ଛାତ୍ରଛାତ୍ରୀ ଏହି “ଅନ୍ଲାଇନ” ଶିକ୍ଷାର ଉପଯୋଗ କରିପାରୁନାହାନ୍ତି । ଉପଯୋଗ କରିବାକୁ ସକ୍ଷମ କେବଳ ପ୍ରାୟ ୧୦ % ଛାତ୍ରଛାତ୍ରୀ ଯେଉଁମାନେ ଅତ୍ୟନ୍ତ ସ୍ବଚ୍ଛଳବର୍ଗ ଅନ୍ତର୍ଗତ, ଯେଉଁ ମାନଙ୍କ ଘରେ ସର୍ବୋଚ୍ଚ ବେଗବାନ ଇଣ୍ଟର୍ନେଟ ସଂଯୋଗ ଅଛି । ଯଦି ଏ ଶିକ୍ଷାବର୍ଷ ବାତିଲ ନହୁଏ, କେବଳ ସେହି ବର୍ଗର ପିଲେ ଏହି ଶିକ୍ଷାବର୍ଷର ଉପକାର ପାଇବେ ଯାହା ଅବଶିଷ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।

The Unified District Information System for School Education ୨୦୧୬-୧୭ ପାଇଁ ଦେଇଥିବା ତଡ଼ିତ୍ ପରିସଂଖ୍ୟାନ ଅନୁଯାୟୀ ସରକାରୀ ସ୍କୁଲମାନଙ୍କ ମଧ୍ୟରୁ କେବଳ ୪% ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ଅଛି । ଅତଏବ ଧନପତି ହୋଇପାରିନଥିବା ସାଧାରଣ ବର୍ଗର ବା ନିର୍ଧନ ବର୍ଗର ସନ୍ତାନମାନେ ଯେଉଁ ସରକାରୀ ସ୍କୁଲମାନଙ୍କରେ ପଢନ୍ତି ସେହି ସ୍କୁଲଗୁଡ଼ିକର ଶତକଡ଼ା ୯୬ ଭାଗ ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ନାହିଁ । ସେହି ସ୍କୁଲଗୁଡ଼ିକର ଶିକ୍ଷକ ଶିକ୍ଷୟତ୍ରୀମାନେ କେଉଁଠୁ କିପରିଭାବେ ଇଣ୍ଟର୍ନେଟ ମାଧ୍ୟମରେ ଶିକ୍ଷାଦାନ ଦେବେ ?

Naational Sample Survey Report on Education ୨୦୧୭ ଜୁଲାଇରୁ ୨୦୧୮ ଜୁନ କାଳଖଣ୍ଡ ଉପରେ ଯେଉଁ ଆଲୋକପାତ କରିଛି ତାହା ସ୍ପଷ୍ଟ କରେ ଯେ, ଗ୍ରାମାଞ୍ଚଳ ଘରମାନଙ୍କରୁ ୪.୪ ଶତାଂଶ ଘରେ କମ୍ପୁଟର ଥିବା ବେଳେ ମାତ୍ର ୧୪.୯ ଶତାଂଶ ପରିବାରରେ ଇଣ୍ଟର୍ନେଟ ସଂଯୋଗ ଅଛି । ସର୍ବ ଭାରତୀୟ ସ୍ତରରେ ଏହାର ପରିମାଣ ଯଥାକ୍ରମେ ୧୦.୭ ଓ ୨୩.୮ ଶତାଂଶ ।

ଏହି ସମ୍ପୂର୍ଣ ଅସମତଳ ଭିତ୍ତିଭୂମି ଉପରେ ଯଦି ଚଳିତ ଶିକ୍ଷାବର୍ଷକୁ ବାତିଲ କରାନଯାଇ ଆଗକୁ ମଡ଼େଇ ନିଆଯାଏ, ତେବେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ପ୍ରାୟ ୯୦ ଶତାଂଶ ଛାତ୍ରଛାତ୍ରୀ ଯେଉଁମାନେ ଚଳିତ ବର୍ଷସ ଶିକ୍ଷା ଆଦୌ ପାଇନଥିବେ ।

ସରକାରୀ ଇଚ୍ଛାକୃତ ଅବହେଳାରୁ ଉଜୁଡ଼ା ଅବସ୍ଥାରେ ଥିବା ସ୍କୁଲସମୂହ ହେଉ କି ଚାକଚକ୍ୟମୟ ଘରୋଇ ସ୍କୁଲ ହେଉ, କୌଣସିଥିର ଶିକ୍ଷକ ଶିକ୍ଷୟତ୍ରୀ ତଥାକଥିତ “ଅନ୍ଲାଇନ” ଶିକ୍ଷାଦାନରେ ଦକ୍ଷ ନୁହନ୍ତି ; କାରଣ ସେପରି କୌଣସି ପାଠ୍ୟକ୍ରମରେ ସେମାନେ ତାଲିମ ପାଇନାହାନ୍ତି । “ଅନ୍ଲାଇନ” ଶିକ୍ଷାଦାନକୁ ଆଖିରେ ରଖି ପାଠ୍ୟକ୍ରମ ପ୍ରସ୍ତୁତ ବି ହୋଇନାହିଁ । ସୁତରାଂ “ଅନ୍ଲାଇନ ଶିକ୍ଷା” ଏକ ପ୍ରହସନ ଭିନ୍ନ କିଛି ବି ନୁହେଁ ।

ଅତି ଉଚ୍ଚ ବର୍ଗର ସ୍କୁଲରେ ପଢୁଥିବା ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ “ଅନ୍ଲାଇନ” ପରୀକ୍ଷାରେ କିପରି ହତାଶ ହେଉଛନ୍ତି ତାହାର ଏକ ପ୍ରମାଣ ଏଠାରେ ଉପସ୍ଥାପିତ ହେଲା । “ଅନ୍ଲାଇନ” ଶିକ୍ଷାଦାନ ଓ “ଅନ୍ଲାଇନ” ପରୀକ୍ଷଣରେ ଉଚ୍ଚବର୍ଗ ଅନ୍ତର୍ଗତ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କର କୌଣସି ବାସ୍ତବ ଜ୍ଞାନ ଓ ଅଭିଜ୍ଞତା ନଥିବା ହେତୁ ସେମାନେ ଏହି ଦାୟିତ୍ଵ ତୃତୀୟ ପକ୍ଷକୁ ପ୍ରଦାନ  କରିଛନ୍ତି । ଗତକାଲି ଏକ ନାମଜାଦା ସ୍କୁଲର ଅନ୍ଲାଇନ ପରୀକ୍ଷା ଚାଲିଥିବା ବେଳେ ହଠାତ ସଂଯୋଗ ଛିନ୍ନ ହେଲା । ଆଊ ଇଣ୍ଟର୍ନେଟରେ ପରୀକ୍ଷକ ମିଳିଲେନି । ଏହି ବ୍ୟବସ୍ଥାରେ ପରୀକ୍ଷା ଶେଷରେ ସଙ୍ଗେ ସଙ୍ଗେ ପରୀକ୍ଷିତ ବିଷୟର ଫଳ ପ୍ରକାଶ ହୁଏ । ତାହା ହେଲା ନାହିଁ   । ପରୀକ୍ଷାର୍ଥୀମାନେ ଇଣ୍ଟର୍ନେଟରେ ଯେତେବେଳେ ଫଳ ଖୋଜିଲେ ତାହା ମିଳିଲାନି । ଉତ୍ତର ମିଳିଲା “No result found” !

ସୁତରାଂ, ଜାଜୁଲ୍ୟମାନ ବେସରକାରୀ ସ୍କୁଲ ହେଉ ବା ଓଡ଼ିଶା ସରକାରଙ୍କ ଅଧା ଝଲସା ଇଂରାଜୀ ମାଧ୍ୟମ ଆଦର୍ଶ ବିଦ୍ୟାଳୟ ହେଉ, “ଅନ୍ଲାଇନ” ଶିକ୍ଷାଦାନ  ଉଚ୍ଚବର୍ଗୀୟ ବିଦ୍ୟାଳୟମାନଙ୍କରେ ମଧ୍ୟ ଏକ ପରିହାର୍ଯ୍ୟ ପ୍ରହସନ ଭାବେ ଅନୁଭୂତ ହେଉଛି । ଝାଉଁଳା ବ୍ୟାଧିଗ୍ରସ୍ତ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକର କଥା ସହଜେ ଅନୁମେୟ ।

ଏହି ପ୍ରହସନ ବନ୍ଦ କରି ସରକାର ଚଳିତ ଶିକ୍ଷାବର୍ଷକୁ ବାତିଲ କରିଦିଅନ୍ତୁ ଓ ଭରତ ସରକାରଙ୍କ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ଚଳାଇରଖନ୍ତୁ ଯାହା ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଅଭ୍ୟାସକୁ ବଞ୍ଚାଇରଖିବ ଓ ନୂଆ ଶିକ୍ଷାବର୍ଷରେ ଅଧ୍ୟୟନର ମୂଳଦୁଆ ଭାବେ କାମରେ ଲାଗିବ । ଓଡ଼ିଶା ସରକାରଙ୍କୁ ଭାଷା ଆନ୍ଦୋଳନ ଏ ସମ୍ପର୍କରେ ଯେଉଁ ପରାମର୍ଶ ଦେଇଛି ତାହା ହିଁ ଯଥାର୍ଥ ।

ଚଳିତ ଶିକ୍ଷାବର୍ଷ ବାତିଲ ହେଉ : ଭାଷା ଆନ୍ଦୋଳନ

(ସୂତ୍ର: ଆମ ଭାଷା ଆମ ଅଧିକାର)

ଗତକାଲି ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରରେ ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ ହୋଇଛି ଯେ ଶିକ୍ଷାବର୍ଷ ୨୦୨୦-୨୧ ବାତିଲ ହେଉ ଓ ଛାତ୍ରଛାତ୍ରୀ ପାଠ୍ୟଖସଡ଼ାରୁ ତଥା ଅଧ୍ୟୟନ ଅଭ୍ୟାସରୁ ବିଚ୍ୟୁତ ନହେବା ପାଇଁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସରକାରଙ୍କ ଅପାରଗତା ଉପରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଅନଲାଇନ ଶିକ୍ଷା ଆଳରେ ପିଲାଙ୍କୁ କେବଳ ଶ୍ରେଣୀ ଉଠେଇବା ଛଡ଼ା ଆଉ କୌଣସି ଲକ୍ଷ୍ୟ ସାଧିତ ହେବନାହିଁ । ଅତି ସ୍ଵଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଯଦି ଇଣ୍ଟର୍ନେଟ ସଂଯୋଗ ସୁଦୃଢ଼ ଥିବା ସ୍ଥାନରେ ଖୁବ ବେଗଶୀଳ ଇଣ୍ଟରନେଟ ପାଆନ୍ତି , ତେବେ ହୁଏତ ସେମାନେ କିଛି ଶିକ୍ଷାର୍ଜନ କରିପାରନ୍ତି ; କିନ୍ତୁ ଏପରି ସୁବିଧା ଆଦୌ ନଥିବା ୯୦% ପରିବାରର ପିଲାମାନେ “ଅନଲାଇନ” ଶିକ୍ଷାର୍ଜନ ପାଇଁ କେବେ ବି ସକ୍ଷମ ହେବେ ନାହିଁ ।  ଏତେ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ଏପରି ସଙ୍କଟ କବଳକୁ ଠେଲିଦେଇ ଓଡ଼ିଶାର ଏହି ଶିକ୍ଷାବର୍ଷ ଆଗକୁ ଯିବା ରାଜ୍ୟପାଇଁ ଆତ୍ମଘାତୀ ହେବ । ସୁତରାଂ, ଶିକ୍ଷାବର୍ଷ ବାତିଲ କରି ପରୀକ୍ଷାହୀନ ଜ୍ଞାନ ବିତରଣରେ ସରକାର ଧ୍ୟାନ ଦିଅନ୍ତୁ ଓ ଏହି ଜ୍ଞାନ ଆସନ୍ତା ଶିକ୍ଷାବର୍ଷରେ ବିଦ୍ୟାର ପୁଞ୍ଜି ଭାବେ କାମ କରୁ ।

ଆଲୋଚନାରେ ଭାଗନେଇ ସୁଧାଂଶୁ ଚୌଧୁରୀ ଇଣ୍ଟରନେଟର ସମସ୍ୟା ଉପରେ ଆଲୋକପାତ କରିଥିଲେ । ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଥିବା ମହାମାରୀକୁ କରୋନା ମହାମାରୀ ଲୋକଲୋଚନକୁ ଆଣିଛି ବୋଲି ମତବ୍ୟକ୍ତ କରିଥିଲେ । ପୁରୀରୁ ମହେନ୍ଦ୍ର ତ୍ରିପାଠୀ ଓ ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି ଅନଲାଇନ ଶିକ୍ଷା କିଭଳି ପିଲାମାନଙ୍କୁ ଅନିଶ୍ଚିତତା କବଳକୁ  ନେଇଯାଉଛି ତାହା ଆଲୋଚନା କରି, ସତର୍କ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଗୁଳରୁ ସରୋଜ ମହାନ୍ତି ପୂର୍ବେ କିଭଳି ଦୂରଦର୍ଶନ ଶିକ୍ଷା କ୍ଷେତ୍ରରେ ଏକ ମହାନ ଭୂମିକା ଗ୍ରହଣ କରିଥିଲା ତାହା ସୂଚାଇଥିଲେ । ଆଠଗଡ଼ରୁ ନିର୍ମଳ କୁମାର ପତ୍ରୀ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଅପାରଗତାକୁ ଘୋର ନିନ୍ଦା କରିଥିଲେ ।

ଅନ୍ୟମାନଙ୍କ ଭିତରେ ଦିପ୍ତୀମୟୀ ସାହୁ, କୁନାଲ ପାତ୍ର ଉପସ୍ଥିତ ଥିଲେ । ଏହି ପାଠଚକ୍ରକୁ ରଂଜନ କୁମାର ସାହୁ ପରିଚାଳନା କରିଥିଲେ ।

ଆଗ୍ନେୟଗିରିର ଧୂଆଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମଦମୁକ୍ତିଯୁବବାହିନୀ ,ଓଡ଼ିଶା ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ପ୍ରାମାଣିକ ଭିଡିଓ ଆମ ଚେତନାକୁ କାରାମୁକ୍ତ କରୁ ।

ଏହାର ସଂଳାପ ଲେଖିଛନ୍ତି ମଦମୁକ୍ତିଯୁବବାହିନୀ , ଓଡ଼ିଶାର ଆବାହକ ଭାଇ ତାରାକାନ୍ତ ନାୟକ, ସଂଳାପ ପରିବେଷଣ କରିଛନ୍ତି ଯୁବ ବିଳ୍ପବୀ ସମାସ ଷଡ଼ଙ୍ଗୀ । ଭାଷାପ୍ରାଣ ଭାଇ ନିରଞ୍ଜନ ଖିଲାରଙ୍କ ସୌଜନ୍ୟରୁ ଆମ୍ଭେ ଏହାକୁ ପାଇଛୁଁ ।

 

ମୁଁ ଏହି ତିନି ବନ୍ଧୁଙ୍କର ତଥା ମଦମୁକ୍ତିଯୁବବାହିନୀ, ଓଡ଼ିଶାର ଜୟଜୟକାର କରୁଛି ।

ଏହି ଭିଡିଓ ସାବ୍ୟସ୍ତ କରେ ଯେ, କ୍ରମାଗତ କୁଶାସନ କବଳରେ ଆମେ ସଢ଼ୁଥିବା ସତ୍ତ୍ବେ ଆମ ଚେତନାର ବହ୍ନି ନିର୍ବାପିତ ହୋଇନାହିଁ ଓ ପ୍ରଜ୍ଜ୍ବଳିତ ହେବାର ପ୍ରଚେଷ୍ଟାରେ ଅଛି ।

ଯେଉଁଦିନ ଏ ଆଗ୍ନେୟଗିରିର ଧୂଆଁ ଟାଣି ଆଣିବ ଲାଭା, ହେ କୁଶାସକବର୍ଗ, ମନେରଖ, ସେ ଲାଭାର ପ୍ରଖରସ୍ରୋତ ଭିତରକୁ ଆମେ ତମକୁ ଟାଣି ଟାଣି ଫୋପାଡ଼ିବୁ ।

ଏବଂ ଦିଗ୍ ବିଦିଗ ପ୍ରକମ୍ପିତ କରି ଗାଇବୁ –
ମା ଓଡ଼ିଶାର ଜୟ । ମା ଓଡ଼ିଶାର ଜୟ ।

ଗୋଟିଏ ଜାତିର ମୃତଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି

ତୁଷାରକାନ୍ତ ଶତପଥୀ


ସାଧାରଣ ଓଡ଼ିଆ ଇଂରାଜୀରେ ପାରଙ୍ଗମ ନୁହନ୍ତି । ସେମାନଙ୍କ ଭାଷା ଅଧିକାର ପାଇଁ ଆମ୍ଭେ ସଂଗ୍ରାମ କରୁଛୁ । ସରକାର ଶୁଣୁନାହାନ୍ତି । ସାଧାରଣ ଲୋକଙ୍କୁ ସେମାନଙ୍କ ମାତୃଭାଷାରୁ ବଞ୍ଚିତ କରି ଯେଉଁ ଅପଶାସନ ଚାଲିଛି, ତହିଁର ଏହି ତଥ୍ୟାଭିତ୍ତିକ ମର୍ମସ୍ପର୍ଶୀ ଉପସ୍ଥାପନ କରିଛନ୍ତି ବରେଣ୍ୟ ତୁଷାର କାନ୍ତ ଶତପଥୀ  ତାଙ୍କ ନିଜ ଶୈଳୀରେ । ଆମ ଭାଷାର ଭାଇଭଉଣୀଏ ତାହା ଜାଣିବା ପାଇଁ ଭାଷା ଆନ୍ଦୋଳନର ଏକ ପରିପୂରକ ଉପସ୍ଥାପନା ଭାବେ ଆମ୍ଭେ ତାହାକୁ ଏଠାରେ ଉପସ୍ଥାପିତ କରୁଛୁ । (ସମ୍ପାଦକ)

—————————————————————————————————————————————————–

ଗତ ୨୫.୧୦.୨୦୧୩ରେ ଉତ୍ତରପ୍ରଦେଶ ଅନ୍ତର୍ଗତ ଝାନସୀଠାରେ ଏକ ନିର୍ବାଚନୀ ସଭାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମୋଦିଜୀ କହିଥିଲେ ” କଂଗ୍ରେସକୁ ଷାଠିଏ ବର୍ଷ ଦେଇଛନ୍ତି, ବିଜେପିକୁ ଷାଠିଏ ମାସ ଦିଅନ୍ତୁ , ସମସ୍ତଙ୍କ ଲୁହ ପୋଛିଦେବୁ”।

ତା ୩୦.୫.୨୦୧୯ରିଖରେ ମୋଦିଜୀଙ କ୍ରମାଗତ ଭାବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ। ଇତି ମଧ୍ୟରେ ବିଜେପି ତଥା ତାଙ୍କ ଶାସନର ଷାଠିଏ ମାସ ସରି ଆହୁରି ବାର ମାସ, ଏହିପରି ସମୁଦାୟ ବାସ୍ତରି ମାସ ( ୭୨) ସରିଛି ଯେଉଁଥି ପାଇଁ ତା30.05.2020ରିଖରେ ଭବ୍ୟ ଭରଚୁଆଲ ଉତ୍ସବ ପାଳିତ ହୋଇଛି ଓ ମୋଦିଜୀଙ୍କ ଉପରେ ପୁଷ୍ପବୃଷ୍ଟି ବି ହୋଇଛି। ଉତ୍ସବ ପାଳନ ବାବଦରେ ତୁହାକୁ ତୁହା ପ୍ରଚାର ଚାଲିଥିବା ବେଳେ ଗତ ମଇମାସ 27 ତାରିଖରେ ସାମାଜିକ ଗଣମାଧ୍ୟମରେ ଭିଡିଓଟିଏ ଭାଇରାଲ ହୋଇଥିଲା , ଯାହାର ବର୍ଣନା ନିମ୍ମରେ;-

ତା24.05.2020ରିଖରେ ଗୁଜୁରାଟରୁ ବିହାର ଅଭିମୁଖେ ବାହାରିଥିବା ଶ୍ରମିକରେଳରେ ଶ୍ରୀମତୀ ଅବ୍ରିନା ଖାତୁନ ତାଙ୍କର ଦୁଇ ଛୋଟପୁଅଙ୍କୁ ଧରି ଆସିଥିଲେ। ୨୫ ତାରିଖରେ ରେଳଟି ବିହାରର ମୁଜାଫରପୁର ରେଳଷ୍ଟେସନ ପ୍ଲାଟଫର୍ମରେ ପହଂଚିବାର ଠିକ ପୂର୍ବରୁ ସେ ଖାଦ୍ୟ, ପାଣି ଅଭାବରୁ ତଥା ପ୍ରଚଣ୍ଡ ଗରମରୁ ଟଳି ପଡିଥିଲେ। ତାଙ୍କ ମୃତ ଶରୀରକୁ ପ୍ଲାଟଫର୍ମରେ ଖଣ୍ଡେ କମ୍ବଳ ଘୋଡାଇ ଦିଆଯାଇ ଶୁଏଇ ଦିଆଯାଇଥିଲା। ମା’ ଶୋଇଛି ଭାବି ତାଙ୍କର ପ୍ରାୟ ଦୁଇ ବର୍ଷର ସାନପୁଅଟି କମ୍ବଳକୁ ଟାଣି ତାଙ୍କୁ ଉଠେଇବାକୁ ଚେଷ୍ଟା କରି ଘୁଂଚିଗଲାବେଳକୁ ତାଙ୍କର ବଡପୁଅ ସାନଭାଇକୁ ଟେକି ନେବାର ଦୃଶ୍ୟ ସେହି ଭିଡିଓରେ ବର୍ଣିତ ଅଛି।

ଏହା ଛଡା ସେଇଠି ଗୋଟିଏ ଦୁଇ ବର୍ଷର ଶିଶୁ ବି ପ୍ରାଣ ହରାଇଥିବାର ଖବର ମିଳିଛି।ଶ୍ରମିକରେଳରେ ଯାତ୍ରା ବେଳେ ଆହୁରି ଅନେକ ପ୍ରାଣ ହରାଇଛନ୍ତି। ଅନେକ ରେଳରେ ଶ୍ରମିକମାନଙ୍କୁ ବୁଲେଇ ବୁଲେଇ ଅସହ୍ୟ ଗରମ , ଖାଦ୍ୟ ଓ ପାଣି ଅଭାବରେ ଭାରତ ଦର୍ଶନ କରାଯାଉଛି।

ମନେ ପଡୁଛି 1956 ମସିହା ସେପ୍ଟେମ୍ବର ମାସରେ ମେହେବୁବନଗରରେ ଏକ ରେଳ ଦୁର୍ଘଟଣାରେ ୧୧୨ ଜଣଙ୍କ ମୃତ୍ୟୁ ପାଇଁ ନିଜକୁ ନୈତିକ ଭାବେ ଦାୟୀ କରି ତତ୍କାଳୀନ ରେଳମନ୍ତ୍ରୀ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଇସ୍ତଫା ପ୍ରଦାନ କଥା, ଯାହାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ଗ୍ରହଣ କରିନଥିଲେ। ତାର ଦୁଇ ମାସ ପରେ ଅର୍ଥାତ ୧୯୫୬ ମସିହା ନଭେମ୍ବର ମାସରେ ଆରିୟାଲୁରରେ( ମାଡ୍ରାସ ପାଖ) ପୁଣି ଏକ ରେଳ ଦୁର୍ଘଟଣାରେ ୧୪୨ଜଣଙ୍କ ମୃତ୍ୟୁ ଯୋଗୁ ସେ ପୁଣି ଥରେ ଇସ୍ତଫା ଦେଇ ପ୍ରତ୍ୟାହାର କରିବାକୁ ମନା କରନ୍ତେ, ନେହେରୁ
” ଏପରି ନିତୀବାନଙ୍କ ଆଗରେ ମୁଁ ନାଚାର” କହି ଇସ୍ତଫା ଗ୍ରହଣ କରିଥିଲେ।

ଏବେ ବିହାରର ମୂଖ୍ୟମନ୍ତ୍ରୀ ଥିବା ନିତୀଶକୁମାରଜୀ ୧୯୯୯ରେ କେନ୍ଦ୍ର ରେଳମନ୍ତ୍ରୀ ଥିଲେ। ଆସାମର ଗାଇସୁଲରେ ଏକ ରେଳ ଦୁର୍ଘଟଣାରେ ୨୯୦ ଜଣଙ୍କ ମୃତ୍ୟୁର ନୈତିକ ଦାୟିତ୍ୱ ନେଇ ସେ ଇସ୍ତଫା ଦେଇଥିଲେ। ଅଥଚ,ଉପର ବର୍ଣିତ ଘଟଣା ତାଙ୍କ ଶାସିତ ରାଜ୍ୟ ବିହାରରେ ଘଟିଥିଲେ ବି ସେ ଚୁପ୍ ଓ ତାଙ୍କ ଦଳର ଜାତୀୟ ପ୍ରବକ୍ତା ଡଃ ଅଜୟ ଆଲୋକ ଗୋଟିଏ ଟିଭି କାର୍ଯ୍ୟକ୍ରମରେ କହିଛନ୍ତି ” ଏତେ ଲୋକ ଯିବା ଆସିବା କରିବାରେ କିଛି ଅଘଟଣ ଘଟିବା ଅସ୍ୱଭାବିକ ନୁହେଁ “।

ତା ୦୯.୧୧.୨୦୧୭ରିଖରେ ହିମାଚଳପ୍ରଦେଶର ବିଧାନସଭା ନିର୍ବାଚନ ହୋଇଥିଲା। ତା ପୂର୍ବରୁ ତା୨୭.୦୪.୨୦୧୭ରିଖରେ, ସେହି ରାଜ୍ୟର ରାଜଧାନୀ ସିମଲାର ଏକ ନିର୍ବାଚନୀ ସଭାରେ ସେ କହିଥିଲେ ” ମୋର ସ୍ୱପ୍ନ ଉଡାଜାହାଜରେ କିଏ ବସିବା ଉଚିତ। ବଡ ଲୋକ ଓ ଧନୀ ଲୋକଙ୍କ ପାଇଁ ଦୁନିଆ ବୋଲି କୁହାଯାଏ। ଏ ଦେଶରେ ଯେଉଁ ସୁବିଧା ଅମୀରଙ୍କୁ ମିଳେ, ତାହା ଗରିବଙ୍କୁ ମିଳିବା ଉଚିତ”।( ଏତିକି କହି ସେ ନିଜେ ବାଉଁଆ ତାଳି ମାରିଥିଲେ ଓ ତା ପରେ ଅତି ଉଚ୍ଚ ସ୍ୱରରେ କହିଥିଲେ) ” ଯିଏ ହାୱାଇଚପଲ ପିନ୍ଧି ବୁଲେ, ମୋର ଇଛା ସେ ଉଡାଜାହାଜରେ ଉଡିବା ଦେଖିବା”।( ଲୋକେ ‘ ଗୋଟାଏ କୁସି ତ ଆଉ ‘ ମାହୋଲରେ ଆକାଶକୁ ଚାହିଁଥିଲେ ” ବିମାନ ଆସି ତଳକୁ ଦଉଡିସିଡି ପକେଇ ଦେଲା କି ଆଉ” ଲୋଭରେ)

” ବିଧିର ବିଧାନ , କେ କରିବ ଆନ” ( Man proposes but God disposes) ଅନୁଯାୟୀ ଚାଇନା ଏଠାକୁ କରୋନା ଭାଇରସ ପଠାଇବାକୁ ଉଦ୍ୟମ କରୁ କରୁ ଆମର ବିମାନରେ ଜୋତାପିନ୍ଧାମାନେ ତାକୁ ନେଇ ଆସିଲେ ।

” ଇଛାଗୁଡିକ ଘୋଡା ହୋଇଥିଲେ ଭିକାରିମାନେ ବି ଘୋଡା ଚଢୁଥାନ୍ତେ” କଥନୀଟି ଅନୁଯାୟୀ ” ହାୱାଇଚପଲପିନ୍ଧାଙ୍କ ଉଡାଜାହାଜରେ ଉଡିବା ସ୍ୱପ୍ନ ଔରଙ୍ଗାବାଦର ରେଳଧାରଣା ତଳେ ଚାପି ହୋଇଗଲା ଓ ଛିଣ୍ଡା ହାୱାଇଚପଲ ସେଠି ବିକ୍ଷିପ୍ତ ଭାବେ ପଡି ରହିଲା” ଯାହା ଟିଭିରେ ଦିଶିଲା।ସେ ତ ବିମାନରେ ଶ୍ରମିକମାନଙ୍କ ଘରବାହୁଡା କରେଇଲେ ନାହିଁ ବରଂ ଝାଡଖଣ୍ଡର କିଛି କାରଗିଲରେ ରାସ୍ତ ତିଆରି କାମରେ ନିୟୋଜିତ ଶ୍ରମିକମାନଙ୍କୁ ଝାଡଖଣ୍ଡ ସରକାରଙ୍କ ଖର୍ଚ୍ଚରେ ବିମାନରେ ଅଣାଯିବା ବାବଦ ସେଠା ସରକାରଙ୍କର କେନ୍ଦ୍ର ଗୃହବିଭାଗର ଅନୁମତି ପ୍ରଦାନ ପାଇଁ ଅନୁରୋଧ ଚିଠିର ଉତ୍ତର ମିଳିନଥିଲା। ଏବେ କିଛି ଜଣାଶୁଣା ଲୋକେ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ସେମାନଙ୍କ ବାସସ୍ଥାନକୁ ବିମାନରେ ପଠେଇ ସୁନାମ ଅର୍ଜନ କରୁଛନ୍ତି। କିନ୍ତୁ ଏହା ଯେ ସେମାନେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରୁ ଯଥେଷ୍ଟ ଅର୍ଥ ପାଇ ଓ ସେଥିରୁ କିଛି ଖର୍ଚ୍ଚ କରି ଏପରି କରୁଛନ୍ତି ଓ ଭୋଟବେଳେ ସେହି ଦଳ ପାଇଁ ପ୍ରଚାର କରିବେ, ତାହା ଗୋଟିଏ ସଂସ୍ଥାର Sting Operation ରୁ ଜଣାପଡିଛି ଯାହା YOUTUBEରେ ଘୁରିବୁଲୁଛି । ସେମାନେ ପ୍ରାପ୍ତ ରାଶିର ପ୍ରମୂଖ ଭାଗ ନଗଦ ଟଙ୍କା ଆକାରରେ ନେଇଥାନ୍ତି ଯାହାର ହିସାବ ନଥିବାରୁ ଏଭଳି ରୋଜଗାର ଉପରେ ଆୟକର ଦେବାକୁ ପଡିନଥାଏ।ରାଜ୍ୟସଭାରେ ପଶିଯିବାକୁ ବି ସେମାନେ ଆଗ୍ରହୀ।

ଏହି ଅର୍ଥ ଯେଉଁମାନଙ୍କ ଠାରୁ ଆସି ଖର୍ଚ୍ଚ ହୋଇଥାଏ, ସେମାନଙ୍କର ସମୁଳସୁଧ ପରିଶୋଧ ପରେ ଆଉ ଅର୍ଥ ଥିଲେ ତ ଅବ୍ରିନା ଖାତୁନଙ୍କ ଭଳି ଗରିବଙ୍କ ପାଇଁ ଖର୍ଚ୍ଚ ହେବ?ତେଣୁ ଗରିବେ ସେଇମାନଙ୍କୁ ହିଁ ଭୋଟ ଦେଇ ସେମିତିରହିଥିବେ, ଯେହେତୁ ଏତେ ଉନ୍ନତ ମାନର ଯୋଜନା ବିଶ୍ଳେଷଣ କରିବାକୁ ସେମାନଙ୍କ କଥା ଛାଡନ୍ତୁ, ବଡ ବଡ ବିଦ୍ୱାନ ଓ ରାଜନେତାମାନେ ବି ଅକ୍ଷମ।

ଅତଏବ , ଅବ୍ରିନା ଖାତୁନ ଓ ଅନ୍ୟମାନଙ୍କ ମୃତ୍ୟୁ ବାବଦର ସାମାଜିକ ଗଣମାଧ୍ୟମ ଓ ଟିଭି ପରଦାରେ ଭିଡିଓ/ ସମ୍ବାଦପତ୍ରରେ ଫଟୋରେ ଥିବା ଦୃଶ୍ୟକୁ ଦେଖି ବିଚଳିତ ହେବାର ନାହିଁ, ବିଶେଷକରି ସମସ୍ତଙ୍କ “ଲୁହପୋଛା”ସରିଯାଇଥିବା ପରିପ୍ରେକ୍ଷୀରେ ।

ଏପରି କାହିଁକି?

ତା୨୫.୧୧.୧୯୪୯ରିଖରେ ” ସମ୍ବିଧାନ ପ୍ରଣୟନ ସଭା – Constitutent Assembly ” ରେ ସମ୍ବିଧାନ ପ୍ରଣୟନକାରୀ ସଂସ୍ଥାର ଅଧ୍ୟକ୍ଷ ଡଃ ଆମ୍ବେଦକର ଏକ ଦୀର୍ଘ ଭାଷଣ ଦେଇଥିଲେ। ସେଥିରେ ବି ଥିଲା” How can people divided into several thousands of castes be a nation ?” ଭଳି ପ୍ରଶ୍ନଟିଏ। ସେ ମଧ୍ୟ ଆଶଙ୍କା ପ୍ରକାଶ କରିଥିଲେ ଯେ” ସମ୍ବିଧାନ ପ୍ରଦତ୍ତ ସମସ୍ତଙ୍କ ପାଇଁ ସମାନ ଅଧିକାରଗୁଡିକ ଭିତରୁ ନିହାତି ସାଧାରଣ ଲୋକଙ୍କ ପାଇଁ କେବଳ ଖଣ୍ଡିଏ ଭୋଟ ଦେବାର ଅଧିକାର ଛଡା ଆଇ କିଛି ଉପଲବ୍ଧ ହେବ ନାହିଁ “। ଭୋଟ ପ୍ରକ୍ରିୟା ଅର୍ଥ, ଗୁଣ୍ଡା,
ଖଣ୍ଡା ତଥା ନିଶାଦ୍ରବ୍ଯ ଦ୍ୱାରା କବଳିତ ହେବା ପରେ ତଥା ନିହାତି ସାଧାରଣ ଭୋଟର, ଭୋଟ ସମୟରେ ଯଥେଷ୍ଟ ଲୁଚକାଳି ଖେଳୁଥିବାରୁ ଓ ଭୋଟଦାନର ମହତ୍ତ୍ୱ/ ଗୁରୁତ୍ୱ ବୁଝିବାକୁ ଅସମର୍ଥ ଥିବାରୁ (ବା ସେମାନଙ୍କୁ ଅସମର୍ଥ କରି ରଖାଯାଇଥିବାରୁ ?) ସେଇ ‘ ବୁଝିବିଚାରି ସଠିକ ବ୍ୟକ୍ତିଙ୍କୁ ଭୋଟ ଦେବା ଅଧିକାର” ବି ଅପହୃତ ହୋଇ ସାରିଛି।

ସମ୍ବିଧାନରେ ” ବ୍ୟବସ୍ଥାପକ ସଭା- Legislative Wing” ର ବ୍ୟବସ୍ଥା ରହିଛି ଓ ସେଠାରେ ପ୍ରସ୍ତୁତ ନିୟମକାନୁନର ସଠିକ ଋପାୟନ ପାଇଁ ” ବାବୁତନ୍ତ୍ର- BUREAUCRACY – EXECUTIVE ” ସ୍ତମ୍ଭ ରହିଛି। ସେଗୁଡିକ କର୍ତୁକ କିଛି ଭୁଲ କରାଗଲେ ତଥା ସମ୍ବିଧାନର ଧାରା ଅନୁସାରେ କାମ ନହେଲେ, ତାହାର ନିରାକରଣ ପାଇଁ ” ନ୍ୟାୟପାଳିକା” ସ୍ତମ୍ଭ ରହିଛି। ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଏ କିନ୍ତୁ ସମ୍ବିଧାନରେ ଏପରି ସ୍ତମ୍ଭର ମାନ୍ୟତା ପାଇ ନାହିଁ।

ତା୨୪.୦୩.୨୦୨୦ରିଖ ରାତି ଆଠଟାରେ, ଆମ ପ୍ରଧାନମନ୍ତ୍ରୀ ରାତି ବାରଟାରୁ ସାରାଦେଶ ପାଇଁ ଲକଡାଉନ ବାବଦରେ ଘୋଷଣା କଲେ।କୋଟି କୋଟି ( ସଠିକ ଆକଳନ ନାହିଁ) କଳକାରଖାନା ଓ ଅନ୍ୟାନ୍ୟ ସଂସ୍ଥା ବନ୍ଦ ହୋଇଯିବାରୁ ସେଠାରେ କାମ କରି ରୋଜଗାର କରୁଥିବା କୋଟି କୋଟି ଶ୍ରମିକ ବେକାର ହେଲେ। ସେମାନେ ଯେଉଁ ଛୋଟ ଛୋଟ ଟୁଙ୍ଗି ବା ଖୋଲିରେ ରହୁଥିଲେ, ସେଗୁଡିକର ମାଲିକମାନେ ଏମାନଙ୍କୁ ତଡିଦେଲେ। ଏମାନେ ଖାଉଥିବା ଝୁମ୍ପୁଡି ହୋଟେଲସମୂହ ବନ୍ଦ ହୋଇଯିବାରୁ ” ରହିବାକୁ ବା ଖାଇବାକୁ ନ ପାଇ” ସେମାନେ ନିଜ ନିଜ ଗାଁକୁ ପଳେଇ ଆସିବାକୁ ବିକଳ ହେଲେ କିନ୍ତୁ ଯାନବାହାନ ଚଳାଚଳ ବନ୍ଦ ଥିଲା। ତେଣୁ, ଗାନ୍ଧୀଙ୍କ” ଦାଣ୍ଡିଯାତ୍ରା” ବା ମାଓ-ସେ-ତୁଙ୍ଗଙ୍କ ” ଲମ୍ବାଯାତ୍ରା” ବାବଦରେ ସେମାନେ ଆପାତତଃ ଅଜ୍ଞ ଥିଲେ ବି ଆରମ୍ଭ ହେଲା “ଦୀର୍ଘପଥର ପାଦଚଲା ଯାତ୍ରା “।

ପ୍ରଥମ ଦୁଇଟି ସ୍ତମ୍ଭର ଭୂମିକା ସ୍ୱାଧୀନ ଭାରତରେ ଯାହା ହେବ ତାହା ବୋଧେ ସମ୍ବିଧାନପ୍ରଣେତାଗଣ ସଠିକ ଭାବେ ଆକଳନ କରି ତୃତୀୟ ସ୍ତମ୍ଭର ବ୍ୟବସ୍ଥା ରଖିଥିଲେ। କିନ୍ତୁ,ଏହି ସ୍ତମ୍ଭଗୁଡିକର ମହାମହିମଗଣ ବେଳକୁ ବେଳ ନିଜ ସ୍ୱାର୍ଥ ବାବଦରେ ଅଧିକ ମନ ଦେବାରୁ, ଶ୍ରମିକମାନଙ୍କ ଚାଲିବା ଜନିତ ସମସ୍ୟା ଉପରେ କେହି ଧ୍ୟାନ ଦେଲେ ନାହିଁ।

ସବୁ ଯୁଗରେ କିଛି ଅବାଗିଆ ଲୋକ ଥାଆନ୍ତି, ଯେଉଁମାନେ” ଆପେ ବଂଚିଥିଲେ ବାପର ନାଆଁ ” ଭଳି ଆମର ମହାନ ଐତିହ୍ୟକୁ ଏଡେଇ ଦେଇ ଅନ୍ୟମାନଙ୍କ ପାଇଁ ଲାଗନ୍ତି , ଯେଉଁମାନଙ୍କୁ ” ଅବାଟୁଆ, ଦେଖେଇ ହେଉଛି ” ଇତ୍ୟାଦି ଆକ୍ଷେପ କରାଯାଇଥାଏ। ସେଇମାନଙ୍କ ଭିତରୁ କେହି ଜଣେ “ଶ୍ରମିକମାନଙ୍କ ଦୁର୍ଦ୍ଦଶା ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କିଛି ପଦକ୍ଷେପ ଗ୍ରହଣ କରନ୍ତୁ ” ବୋଲି
ଅନୁରୋଧଟିଏ କରନ୍ତେ, ସେଠାରୁ କେନ୍ଦ୍ର ସରକାରଙ୍କ ପାଖକୁ ଏହା ଉପରେ ତା୩୦.୦୩.୨୦୨୦ରିଖରେ ମତ ରଖିବାକୁ ହୁଲିଆଜାରି କରାଗଲା।

କେନ୍ଦ୍ର ସରକାରଙ୍କର ଏକ ନମ୍ବର ଆଇନ ଅଧିକାରୀ ହେଉଛନ୍ତି ଆଟର୍ଣୀ ଜେନେରାଲ ଓ ତାଙ୍କୁ ସାହାଯ୍ୟ କରିବାକୁ ଅଛନ୍ତି ସଲିସିଟର ଜେନେରାଲ। କିନ୍ତୁ କରୋନା ଭୂତାଣୁ ଜନିତ ମହାମାରୀ ବେଳେ ଏକ ନମ୍ବରଙ୍କର ଖୋଜଖବର ନାହିଁ ଓ ସବୁ ବୁଝୁଛନ୍ତି ଦୁଇ ନମ୍ବର। ପ୍ରଥମ ଓ ଦ୍ବିତୀୟ ସ୍ତମ୍ଭର ମହାମହିମମାନଙ୍କ ଠାରୁ ପରାମର୍ଶ ନେଇ ତଥା ନିଜ ବୁଦ୍ଧି ଲଗେଇ ସେ ମହାଶୟ ନିର୍ଧାରିତ ମାର୍ଚ୍ଚ ତିରିଶି ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଆଗରେ କହିଦେଲେ” ଠିକ ଏହି ସମୟରେ ରାସ୍ତାରେ କୌଣସି ଶ୍ରମିକ ଚାଲୁ ନାହାନ୍ତି ଓ ସମସ୍ତଙ୍କ ପାଇଁ ଯଥାଯଥ ବ୍ୟବସ୍ଥା କରାଯାଇଛି “।ଏବଂ, ଏ ଅଧ୍ୟାୟଟି ଏଇଠି ସରିଗଲା ଯଦିଓ ବାସ୍ତବତା ଥିଲା ସଂପୂର୍ଣ୍ଣ ବିପରୀତ।

ତାପରେ ଆହୁରି ଅଧିକ ସଂଖ୍ୟାରେ ଶ୍ରମିକମାନଙ୍କର ପାଦ, ସାଇକେଲ, ଟ୍ରଲି, ରିକ୍ସା ଯୋଗେ ତଥା ନିବୁଜ ଗାଡିରେ ଚାଲିବା ଆରମ୍ଭ ହେଲା ଓ ପୋଲିସ ପିଟା, ସେମାନଙ୍କ ଉପରେ ରାସାୟନିକ ଦ୍ରବ୍ୟ ଛିଂଚା ଚାଲୁ ରହିଲା। ବାଟରେ କିଛି ବି ମଲେ।ଏସବୁ ସହି ନପାରି ଆଉ କିଛି ବଗୁଲିଆ ନିଜର ଦେଖେଇହେବାପଣିଆକୁ ଜାହିର କରିବାକୁ “” ଶ୍ରମିକମାନଙ୍କ ବଂଚିବାର ମୌଳିକ ଅଧିକାର ରକ୍ଷା ପାଇଁ ତଥା ସେମାନେ ଦରମା ପାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିବାକୁ ” ପୁଣି ସେଠାରେ ଆବେଦନ କରନ୍ତେ, ସେଠାର ପ୍ରଧାନ ବିଚାରପତି ଏସ.ଏ.ବୋବଡେ, ବିଚାରପତି ସଂଜୟ କିସନ କାଉଲ ଓ ବିଚାରପତି ଦୀପକ ଗୁପ୍ତା ଭିଡିଓ କନଫରେନ୍ସ ଜରିଆରେ ସେହି ଆବେଦନକୁ ତା୦୭.୦୪.୨୦୨୦ରିଖରେ ଶୁଣାଣି କରି କହିଥିଲେ ” ଆମେ ସରକାରଙ୍କ ନିତୀ ନିର୍ଧାରଣ ଉପରେ ହସ୍ତକ୍ଷେପ କରି ପାରିବୁ ନାହିଁ। ଆମକୁ ଆଉ କିଛି ଦିନ ସମୟ ଦିଆଯାଉ”।ପ୍ରଧାନ ବିଚାରପତି ବୋବଡେ କହିଥିଲେ ” ଯଦି ସରକାରଙ୍କ ତରଫରୁ ଖାଦ୍ୟ ଦିଆଯାଉଛି , ତେବେ ସେଥିପାଇଁ ଅର୍ଥ ଦିଆଯିବ କାହିଁକି?”, ସତେକି ଯେମିତି ଆମର ସମସ୍ତ ସରକାରୀ ବାବୁମାନେ ସରକାରଙ୍କ ଠାରୁ କେବଳ ଖାଦ୍ୟ ବାବଦରେ ହିଁ ଦରମା ନେଉଛନ୍ତି।

ଆଉ ଜଣେ ଅବାଗିଆ ତଥା ଓକିଲ ଶ୍ରୀ ଆଲୋକ ଶ୍ରୀବାସ୍ତବ ପୁଣି ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଲେ ଓ ପ୍ରାର୍ଥନା କଲେ ଯେ” ରେଳ ଲାଇନରେ ଶୋଇ ମରିଥିବା ଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ଜିଲ୍ଲାପିଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଉ” ଯାହାର ଶୁଣାଣି କରି ତା୧୫.୦୫.୨୦୨୦ରିଖରେ ବିଚାରପତି ଶ୍ରୀ ସଂଜୟ କିସନ କାଉଲ କହିଥିଲେ ” ସମ୍ବାଦପତ୍ରରେ ପରିବେଷିତ ସମ୍ବାଦ ଆଧାରରେ ମୋକଦ୍ଦମା ହେବା ଉଚିତ ନୁହେଁ। ଏହା ରାଜ୍ୟମାନଙ୍କର କାମ ଓ ବିଚାରାଳୟ ଏହା ଉପରେ ମୁଣ୍ଡ ପୁରାଇବ ନାହିଁ। ରେଳଲାଇନରେ ଶୋଇବାକୁ ବିଚାରାଳୟ ବନ୍ଦ କରିବ କିପରି?”। ବିଚାରପତି ଏଲ.ନାଗେଶ୍ୱର ରାଓ କହିଥିଲେ ” ଲୋକେ ଚାଲିବା ବନ୍ଦ କରୁ ନାହାନ୍ତି। ବିଚାରାଳୟ ବନ୍ଦ କରିବ କିପରି?” ତାହାପରେ ଅବାଗିଆ ଓକିଲଙ୍କୁ ତାତ୍ସଲ୍ୟ କରି କୁହା ଯାଇଥିଲା ” ଆମେ ଆପଣଙ୍କ ଯିବାର ସ୍ୱତନ୍ତ୍ର ବ୍ୟବସ୍ଥା କରିବୁ।ଆପଣ ଯାଇ ବନ୍ଦ କରନ୍ତୁ “।

ଏଇଠି, ପୂର୍ବତନ ମନ୍ତ୍ରୀ, ବିଚକ୍ଷଣ ଓକିଲ ତଥା ଏବକୁ ଦିବଙ୍ଗତ ଶ୍ରୀ ଅଋଣ ଜେଟଲି ରାଜ୍ୟସଭାରେ ବିଜେପି ତରଫରୁ ବିରୋଧୀଦଳ ନେତା ଥାଇ, ତା 30.09.2012 ରିଖରେ ବିଜେପିର ସମର୍ଥକ ଓକିଲମାନଙ୍କ ଏକ ସମ୍ମିଳନୀରେ ” ବିଚାରପତିମାନେ ଅବସର ପରେ ପୁଣି ଭଲ ଭଲ ପଦ ପାଇବା ପାଇଁ ଅବସର ପୂର୍ବରୁ ସରକାରଙ୍କ ସପକ୍ଷରେ ବିଚାର କରିଥାନ୍ତି – Pre-retirement judgements are influenced by a desire for a post retirement job. Post retirement jobs are being created through judicial verdicts” କହିଥିବା କଥାଟି ମନେ ପଡିଯାଉଛି ।1984 ମସିହାରେ ଦିଲ୍ଲୀରେ ହୋଇଥିବା ଦଙ୍ଗା ଉପରେ ବିଚାରପତି ରଙ୍ଗନାଥ ମିଶ୍ରଙ୍କ ନେତୃତ୍ବରେ ଗଠିତ ତଦନ୍ତ କମିଶନଙ୍କ ତରଫରୁ ଦଙ୍ଗା ସମୟର କେନ୍ଦ୍ରରେ ଥିବା କଂଗ୍ରେସ ସରକାରଙ୍କୁ ଦୋଷମୁକ୍ତ କରାଯାଇଥିଲା। ଶ୍ରୀଯୁକ୍ତ ମିଶ୍ର ଅବସର ନେବା ପରେ କଂଗ୍ରେସ ତରଫରୁ ରାଜ୍ୟସଭାକୁ ଯାଇଥିବାରୁ ଶ୍ରୀ ଜେଟଲି ଏପରି କହିଥିଲେ। ଅଥଚ, 2014ରେ ଶ୍ରୀ ଜେଟଲି ମନ୍ତ୍ରୀଥିବା ମୋଦିଜୀଙ୍କ ମନ୍ତ୍ରୀମଣ୍ଡଳ ତରଫରୁ ତାହାର ଅଳ୍ପ ଦିନ ପୂର୍ବରୁ ସୁପ୍ରିମକୋର୍ଟର ସେବାନିବୃତ୍ତ ପ୍ରଧାନ ବିଚାରପତି ଶ୍ରୀ ପି.ସଥାଶିବମଙ୍କୁ କେରଳର ରାଜ୍ୟପାଳ କରାଯାଇଥିଲା। ମୋଦିଜୀଙ୍କ ଦ୍ୱିତୀୟ ପାଳିରେ ସଦ୍ୟ ସେବାନିବୃତ୍ତ ପ୍ରଧାନ ବିଚାରପତି ଶ୍ରୀ ରଞନ ଗୋଗୋଇଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ କରାଗଲାବେଳକୁ ଶ୍ରୀ ଜେଟଲି ନାହାନ୍ତି। ଶ୍ରୀ ଜେଟଲି କହିଥିବା ମୁତାବକ “ଏମାନଙ୍କର କେଉଁ ନିଷ୍ପତ୍ତି ପାଇଁ ଏମାନେ ଅବସର ପରେ ଏପରି ପଦବୀ ପାଇଲେ” ବାବଦରେ ପ୍ରଶ୍ନ ଉଠାଇଲେ “ଦେଶଦ୍ରୋହୀ ପ୍ରମାଣପତ୍ର ” ମିଳିବା ଥୟ ହୋଇଥିବାରୁ ସେ ବିଷୟରେ ଆଲୋଚନା ସ୍ପୃହଣୀୟ ନୁହେଁ।

ଅବାଗିଆ ଗୋଷ୍ଠୀର ସଦସ୍ୟଗଣ ତ ଅବାଗିଆ। ତେଣୁ, ସୁପ୍ରିମକୋର୍ଟ ତରଫରୁ ତପରେ ବର୍ଣିତ ” ଆମ ଦ୍ୱାରା କିଛି ହୋଇପାରିବ ନାହିଁ” ବୋଲି କୁହାଗଲେ ମଧ୍ୟ ପୁଣି କୋଡିଏ ଜଣ ବରିଷ୍ଠ ଅବାଗିଆ ପୁଣି ସୁପ୍ରିମକୋର୍ଟଙ୍କୁ ” ଚାଲୁଥିବା ଓ ଏବେ ରେଳରେ ଯାଉଥିବା ଶ୍ରମିକମାନଙ୍କ ଅବସ୍ଥା ଅବର୍ଣନୀୟ, କିଛି କରନ୍ତୁ ” ବୋଲି ଅନୁରୋଧ କରି ଚିଠିଟିଏ ଲେଖିଲେ।”ଭଗବାନଙ୍କ ଘରେ ଡେରି ଥାଏ, ଅନ୍ଧାର ନଥାଏ” କଥନୀଟି ଅନୁଯାୟୀ ( ଯଦିଓ ତିନୋଟି ସ୍ତମ୍ଭର ମହାମହିମମାନଙ୍କ କ୍ଷେତ୍ରରେ ଅନ୍ଧାର ମୋଟେ ନଥାଏ) ସୁପ୍ରିମକୋର୍ଟର ତରଫରୁ ଏହା ଉପରେ ଶୁଣାଣି ହୋଇ ତା୨୮.୦୫.୨୦୨୦ରିଖରେ ରାଜ୍ୟ ସରକାରମାନଙ୍କ ଉପରେ ସବୁ ଦାୟିତ୍ବ ଅଜାଡି ଦିଆଯାଇଛି। ହୁଏତ ଉପରେ ବର୍ଣିତତା୨୭.୦୫.୨୦୨୦ରିଖର ଭିଡିଓ ସେମାନେ ଦେଖିଥିବେ ଯାହା ସେମାନଙ୍କ ମନରେ ” ପ୍ରକୃତରେ ଅବସ୍ଥା ଅସମ୍ଭାଳ ” ଭାବନାଟିଏ ସୃଷ୍ଟି କରିଥାଇପାରେ। ପୁଣି ତା 05.06.2020ରିଖରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତରଫରୁ କୁହାଯାଇଛି ଯେ ” ପନ୍ଦର ଦିନ ଭିତରେ ଶ୍ରମିକମାନଙ୍କୁ ନିଜ ସ୍ଥାନକୁ ନିଆ ଯିବାର ପ୍ରକ୍ରିୟା ଶେଷ କରାଯାଉ ” ଯାହାତା୩୦.୦୩.୨୦୨୦ରିଖରେ ହୋଇଥିଲେ କେତେ ଭଲ ହୋଇନଥାନ୍ତା ସତରେ? କିନ୍ତୁ ଶ୍ରମିକଗଣ ତ ମହାମହିମ ନୁହନ୍ତି ଯେ ସେମାନଙ୍କ ପାଇଁ ରାତି ପାହାନ୍ତିରେ ଦେବାଳୟ ଓ ନ୍ୟାୟାଳୟ ଖୋଲନ୍ତା! ଅବଶ୍ୟ ଆମେ ଜାଣନ୍ତି ଯେ ବଡ ବଡ ପଦବୀରେ ଅଧିଷ୍ଠିତ କରାଇବାର କ୍ଷମତା ମୂଖ୍ୟତଃ କେନ୍ଦ୍ର ସରକାରଙ୍କ ପାଖରେ ଥାଏ।

ଚାଲିଲା ବେଳେ ତଥା ରେଳରେ ଫେରୁଥିବା ଶ୍ରମିକମାନଙ୍କ ଭିତରୁ ଦୁଇଶହରୁ ଅଧିକ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କ ଅକଥନୀୟ କଷ୍ଟ ବାବଦରେ କ’ଣ ବା ବର୍ଣନା କରିବା। ସୁପ୍ରିମକୋର୍ଟଙ୍କ ତରଫରୁ ଆଗରୁ ଏପରି ବିଚାର କରାଯାଇଥିଲେ ହୁଏତ ସେମାନେ ମରିନଥାନ୍ତେ ଓ ବଂଚିଥିବାମାନେ ଏତେ କଷ୍ଟ ପାଇନଥାନ୍ତେ।

ସାମାଜିକ ଗଣମାଧ୍ୟମ ଫେସବୁକରେ ଅଂଗ୍ରେଜୀରେ ଲିଖିତ ” FEEL A LITTLE SHAME FOR THE LOST SOUL OF A NATION ” ଶୀର୍ଷକ ଲିଖିତ ପ୍ରବନ୍ଧଟିଏ ପଢିଥିଲି। ସେଥିରେ ଥିବା ଗୋଟିଏ ଅଂଶ ହେଉଛି ” ମୁଁ ଲଜ୍ଜିତ ମୋର ସାମାଜିକ ପରିବେଶ ପାଇଁ ଯାହା ନେତାଙ୍କୁ ସାବାସୀ ଦିଏ ଯେତେବେଳେକି ସେମାନେ ଲୋକସଂଖ୍ଯାର ଗୋଟିଏ ବଡ ତଥା ନିରାଶ୍ରୟ ଭାଗର ଲୋକଙ୍କ ଚରମ ଦୁର୍ଦ୍ଦଶାକୁ ସେମାନଙ୍କ ‘ତପସ୍ୟା ‘ ଋପେ ଆଖ୍ୟାୟିତ କରନ୍ତି , ସତେ ଯେମିତି ସେହି ଦୁଃସ୍ଥମାନଙ୍କ ସାମ୍ନାରେ ଆଉ କୌଣସି ବିକଳ୍ପ ଥିଲା। ଅସହାୟ, ଦୁଃସ୍ଥ ଓ ଗରିବଙ୍କ ପାଇଁ ତାତ୍ସଲ୍ୟ ଓ କଟାକ୍ଷ ( ସେମାନେ କାହିଁକି ରେଳ ଲାଇନରେ ଶୋଇଥିଲେ, ସେମାନଙ୍କୁ ଅନ୍ୟ ରାଜ୍ୟକୁ ସରକାର ପଠେଇଥିଲେ କି, ଆସିବାକୁ ବିକଳ ହେଉଥିଲ, ଭାତଡାଲ୍ମା ଋଚୁନି, ସହର/ମଲ୍/ଘର ମାଗଣାରେ ତିଆରିଛ କି ଓ ଗାଁ ମୁଣ୍ଡରେ ଠେଙ୍ଗାଧରି ଜଗାଯିବା/ ଟିଭି ଚ୍ୟାନେଲରେ ସେମାନଙ୍କ ଉପରେ ତାତ୍ସଲ୍ୟଭରା ବ୍ୟଙ୍ଗ କାର୍ଯ୍ୟକ୍ରମ ପ୍ରସାରିତ ହେବା ଇତ୍ୟାଦି ଶହ ଶହ ଉଦାହରଣ ଉପଲବ୍ଧ)ସତେ ଯେମିତି ଗୋଟିଏ ଜାତିର ଆତ୍ମାକୂ ମୃତବତ କରିଦେଇଛି।”

ଅତଏବ, ସେହି “ମୃତସମାଜର ଗଣତନ୍ତ୍ରର ରକ୍ଷାକାରୀ ତଥା ଅକଥନୀୟ ଦୁର୍ଦ୍ଦଶା ଭୋଗୁନଥିବାମାନଙ୍କ ତରଫରୁ ମୃତକ ତଥା ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବାମାନଙ୍କ ପାଇଁ ସମବେଦନା “ଅର୍ପଣ କରାନଯିବା”ରେ ବିଚଳିତ ହେବା ବା କାହିଁକି?

କରୋନା କାଳ// ସରକାର ଓଡ଼ିଆରେ କହନ୍ତୁ : ପ୍ରଫେସର କମଳାପ୍ରସାଦ ମହାପାତ୍ର

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା କାଳରେ ଭାଷା ଆଂଦୋଳନର ନୂଆ ଡିଜିଟାଲ ମଞ୍ଚ – ଭାଷା ମା ପାଇଁ ପଦେ – ଆନୁକୁଲ୍ୟରେ ମହାନ ଭାଷାପ୍ରାଣ ପ୍ରଫେସର କମଳାପ୍ରସାଦ ମହାପାତ୍ର ସରକାରଙ୍କୁ ଆହ୍ଵାନ ଦେଇଛନ୍ତି କି, ଏହି ମହାମାରୀ ଭୂତାଣୁ ସହ ଲଢେଇ କରୁଥିବା ଜାତିକୁ ସରକାର ଇଂରାଜୀ ବଦଳରେ ଓଡ଼ିଆରେ କହନ୍ତୁ ; କାରଣ ସବୁ ଲୋକଙ୍କର ବଞ୍ଚିବାର ଅଧିକାର ଥିବା ବେଳେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ଛାଡି ଓଡ଼ିଶାର ଲୋକେ ଇଂରାଜୀ ଭାଷାରେ ପାରଙ୍ଗମ ନୁହନ୍ତି ।

ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ଯୋଗେ ସିଧାପ୍ରସାରିତ ପ୍ରଫେସର ମହାପାତ୍ରଙ୍କ ଅଭିମତ ସରକାରଙ୍କ ପାଇଁ ବିଶେଷ ପ୍ରଣିଧାନଯୋଗ୍ୟ ।

କରୋନା ନିୟନ୍ତ୍ରଣରେ ମାତୃଭାଷାର ଗୁରୁତ୍ୱ: ପ୍ରଫେସର କମଳା ପ୍ରସାଦ ମହାପାତ୍ର

Posted by ଭାଷା ମାଆ ପାଇଁ ପଦେ on Sunday, June 7, 2020