Posts tagged Pramod Chandra Patnaik

ଜଗନ୍ନାଥ ପ୍ରସାଦ ଦାସ

ପାଞ୍ଚ ଛ ବର୍ଷ ତଳେ ମଧୁବାବୁଙ୍କ ବର୍ଣ୍ଣବୋଧକୁ ନେଇ ତୁମୁଳ ବାଦବିସମ୍ବାଦ ହେଉଥିବାବେଳେ ନଭେମ୍ବର ୨୦୧୪ରେ ମୁଁ ଏହି ଲେଖାଟି ଲେଖିଥିଲି। ବର୍ତ୍ତମାନ କୁଆଡ଼େ କୋର୍ଟ କଚେରୀ, ବିଧାନସଭା ଆଲୋଚନା ପରେ ସରକାର ନିଷ୍ପତ୍ତି କରିଛନ୍ତି ଯେ ବହିଟିକୁ ମୂଳରୂପରେ ଛପାଇ ପିଲାମାନଙ୍କୁ ଯୋଗାଇ ଦିଆଯିବ। ଆଜିର ପିଲାମାନଙ୍କ ପାଇଁ ଯେ ଗୋଟିଏ ନୂଆବହି ଦରକାର ସେଥିପାଇଁ ବୋଧହୁଏ ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି l

(ଆଉ କିଛି ଦିନପରେ ଜାନୁଆରୀ ୨୯ ତାରିଖରେ ୧୮୫୩ ମସିହାରେ ଜନ୍ମିତ ମଧୁସୂଦନ ରାଓଙ୍କର ଜନ୍ମଦିନ।)

ଓଡ଼ିଶାରେ ବର୍ତ୍ତମାନ ଚିଟ୍‌ଫଣ୍ଡ ଘୋଟାଲା ଓ ଖଣି ଦୁର୍ନୀତିର ଖବର ଭଳି ଆଉ ଯେଉଁ ଖବରଟି ସମ୍ବାଦପତ୍ର ପୃଷ୍ଠା ଛାଡ଼ିବାକୁ ନାରାଜ, ସେଇଟି ହେଲା ଭକ୍ତିକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଜନିତ ବିବାଦ। ଏ ବିବାଦରେ ଓଡ଼ିଶା ସରକାର, ବିଭିନ୍ନ ସାହିତ୍ୟ ଓ ଭାଷା ଅନୁଷ୍ଠାନ ଏବଂ ହାଇକୋର୍ଟ ବାହାରେ ସାହିତ୍ୟିକ ଓ ଭାଷାବିତ୍‌ମାନେ ଅଳ୍ପ ବହୁତ ଜଡ଼ିତ। ତା’ ବ୍ୟତୀତ, ପାଠ ପଢୁଆ ସର୍ବସାଧାରଣ ମଧ୍ୟ ଏ ବିଷୟରେ ପ୍ରତିକ୍ରିୟା ଦେବା ପାଇଁ ଆଗଭର। ବିଷୟଟି ତେଣୁଏକ ଜନ ଆନ୍ଦୋଳନର ରୂପ ନେଇଛି ଏବଂ ଖବରକାଗଜ ପୃଷ୍ଠାରେ ଉଗ୍ର ଲେଖାମାନ ପ୍ରକାଶ ପାଉଛି ଏବଂ ମାମଲା କୋର୍ଟ କଚେରୀକୁ ଯାଉଛି । ନିକଟରେ ପ୍ରକାଶିତ ଏକ ଇଂରେଜୀ କାଗଜର ହେଡଲାଇନର ଓଡ଼ିଆ ଅନୁବାଦ ହେବ: ଭକ୍ତକବିଙ୍କ ପରିବାର ରକ୍ତଚାଉଳ ଚୋବାଇଲେ! ସେହି ଭକ୍ତକବି ଲେଖୁଥବା ଭଣ୍ଡ ରସାୟନ କାବ୍ୟ ଭାଷାରେ କହିଲେ ପରିସ୍ଥିତି ବର୍ତ୍ତମାନ

ଉତ୍କଳ ସାହିତ୍ୟ କ୍ଷେତ୍ରେ ଲାଗିଛି ସମର
ଅବ୍ଦ ବ୍ୟାପୀ ଶବ୍ଦମୟ ମହା ଭୟଙ୍କର ।

ସଂପ୍ରତି ପ୍ରକାଶିତ ବିବରଣୀ ଅନୁଯାୟୀ ବହିଟି ପ୍ରଥମେ ପ୍ରକାଶ ପାଇଥିଲା ୧୮୯୫ରେ ଏବଂ ଏହାର ନବମ ସଂସ୍କରଣ ପ୍ରକାଶ ପାଇଲା ୧୯୦୧ରେ । ସେହି ଦିନଠାରୁ ଏ ବହିଟି ସବୁ ସମୟରେ ଉପଲବ୍ଧ ରହି ଆସିଛି। ମଧୁସୂଦନ ଗ୍ରନ୍ଥାବଳୀରେ ସଂଯୋଜିତ ହୋଇଥିବାରୁ ଏହାକୁ ଏକ ସାହିତ୍ୟିକ ମାନ୍ୟତା ମଧ୍ୟ ମିଳିଛି। (ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଧାନାଥ ଓ ଫକୀରମୋହନ, ଅଥବା ନିକଟ ଅତୀତରେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଲେଖିଥିବା ପାଠ୍ୟପୁସ୍ତକ ସେମାନଙ୍କ ଗ୍ରନ୍ଥାବଳୀରେ ସ୍ଥାନ ପାଇନାହିଁ ।) ଅନେକ ଦିନରୁ ବର୍ଣ୍ଣବୋଧର କପି ରାଇଟ୍ ସରି ଯାଇଥିବାରୁ ଯେ କେହି ବହିଟିକୁ ପ୍ରକାଶ କରିବାରେ କୌଣସି ବାଧା ନାହିଁ । ତେଣୁ ବିଭିନ୍ନ ପ୍ରକାଶକ ବିଭିନ୍ନ ନାଁରେ – ଯଥା, ମଧୁ ବର୍ଣ୍ଣବୋଧ, ସହଜ ବର୍ଣ୍ଣବୋଧ, ଛବିଳ ମଧୁ ବର୍ଣ୍ଣବୋଧ – ବହିଟିକୁ ପ୍ରକାଶ କରୁଛନ୍ତି । ବହିର ଅକ୍ଷର ବିନ୍ୟାସ, ସାଜସଜ୍ଜା ଓ ଅଳଙ୍କରଣ ପ୍ରକାଶକଙ୍କ ମର୍ଜି ନିର୍ଭର । କେତେକ ମଲାଟରେ ଏକ ବୃହତକାୟ ବିରାଡ଼ିର ଛବି କାହିଁକି ଦିଆଯାଇଛି ସେ କଥା ଗବେଷଣା ସାପେକ୍ଷ । କେବଳ ବାଲୁବଜାରର ବହି ଦୋକାନରେ ନୁହେଁ, ହାଟବଜାର ଓ ରାସ୍ତାକଡ଼ର ଦୋକାନରେ ମଧ୍ୟ ବହିଟି ଉପଲବ୍ଧ।

ଗୋଟିଏ ଶତାବ୍ଦୀ ପରେ ବର୍ଣ୍ଣବୋଧକୁ ନୂଆ ରୂପ ଦେଇ ତା’ର ବ୍ୟାପ୍ତିକୁ ଆହୁରି ପ୍ରସାରିତ କରାଯାଇଛି ବିଭିନ୍ନ ମାଧ୍ୟମରେ । ସୃଜନିକା ସଂସ୍ଥା ଏହାର ଏକ ଡିଜିଟାଲ ସଂସ୍କରଣ ପ୍ରକାଶ କରିଛନ୍ତି। ଶାନ୍ତନୁ ମହାପାତ୍ରଙ୍କ ସଂଗୀତ ସହିତ ବର୍ଣ୍ଣବୋଧର ସିଡି ବଜାରରେ, ଏବଂ ଇଣ୍ଟରନେଟ୍‌ରେ ମିଳୁଛି । ପ୍ରକାଶିତ ଖବର ଅନୁସାରେ ଦୃଷ୍ଟିଶକ୍ତି ଆକ୍ରାନ୍ତ ପାଠକମାନଙ୍କ ପାଇଁ ସରକାର ଏକ ବ୍ରେଲ ସଂସ୍କରଣ ତିଆରି କରୁଥିଲେ ଏବଂ ଏହା ମଧୁବାବୁଙ୍କ ଜନ୍ମଦିନ ୨୮ ଏପ୍ରିଲ ଉନ୍ମୋଚିତ ହେବାର ଥିଲା ।(ଏଥିରେ ସାମାନ୍ୟ ବିଡ଼ମ୍ବନା ଥିଲା ଯେ ଏ ତାରିଖଟି ଉତ୍କଳଗୌରବ ମଧୁସୂଦନଙ୍କ ଜନ୍ମଦିନ, ଭକ୍ତକବି ମଧୁସୂଦନଙ୍କର ନୁହେଁ!)

ନିକଟରେ ଓଡ଼ିଶା ସରକାରଙ୍କ ଦ୍ଵାରା ବର୍ଣ୍ଣବୋଧର ପରିବର୍ତ୍ତିତ (ବିଭିନ୍ନ ମତ ଅନୁସାରେ ପରିମାର୍ଜିତ, ଧର୍ଷିତ, ସମୟୋପଯୋଗୀ କୃତ, ବିକର୍ତ୍ତିତ) ସଂସ୍କରଣ ବାହାରିବାରେ ଏହି ବିବାଦର ସୃଷ୍ଟି । ବିବାଦଟି ହଠାତ୍ ଉତ୍କଟ ହେବାର ମୂଳ କାରଣ ହେଲା, ଯେଉଁ ଲକ୍ଷାଧିକ ‘ନୂଆ’ ବର୍ଣ୍ଣବୋଧ ଛପା ହୋଇ ବଣ୍ଟା ହେବା ପାଇଁ ରହିଛି, ତାର କଣ କରାଯିବ।

କୌଣସି ବହିର ପାଠକୁ ବଦଳାଇବା ଏକ ନୀତିଗତ ପ୍ରଶ୍ନ । ମଧୁବାବୁଙ୍କ ବର୍ଣ୍ଣବୋଧକୁ ପରିବର୍ତ୍ତନ କରିବା ଯଥାର୍ଥ କି, ଏ ପ୍ରଶ୍ନର ସିଧାସଳଖ ଉତ୍ତର ହେବ, ନା। ଜଣେ ଲେଖକର ମୂଳ ଲେଖାକୁ ପରିବର୍ତ୍ତନ କରିବାର ଅଧିକାର କାହାରି ନାହିଁ । ଏ ବିଷୟରେ କୌଣସି ମତାମତ, ଯୁକ୍ତିତର୍କର ଅବକାଶ ନାହିଁ । ମୋହିନୀମୋହନ ସେନାପତି ଫକୀରମୋହନଙ୍କ ଲେଖା କାଟଛୋଟ କରିଥିବାରୁ ୧୯୩୨ ରେ ମାୟାଧର ମାନସିଂହ ଯାହା ଲେଖିଥିଲେ ତା ସବୁବେଳେ ପ୍ରଯୁଜ୍ୟ: ପରଲୋକଗତ ଗ୍ରନ୍ଥକର୍ତ୍ତାଙ୍କ ରଚିତ ଗ୍ରନ୍ଥର ଗୋଟିଏ ପଂକ୍ତିକି ମଧ୍ୟ ଅନ୍ୟଥା କରିବା ବର୍ବରତା ଛଡ଼ା ଅନ୍ୟ କିଛି ନୁହେଁ ।

ଏ ସବୁ ବାଦବିସମ୍ବାଦ ମଝିରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଓଡ଼ିଶାରେ ସମସ୍ତେ ମଧୁସୂଦନଙ୍କର ବର୍ଣ୍ଣବୋଧ ବହିରୁ ହିଁ ଅକ୍ଷର ଶିକ୍ଷା କରିଥିଲେ ଏବଂ ଶହେ ବର୍ଷ ଧରି ଏହା ପିଲାମାନଙ୍କର ପାଠ୍ୟପୁସ୍ତକ ଥିଲା । ଓଡ଼ିଶାର ବିଭିନ୍ନ ଲେଖକ ବର୍ଣ୍ଣବୋଧରୁ ଅକ୍ଷର ଶିଖୁଥିଲେ ବୋଲି କହୁଛନ୍ତି । ଆଧୁନିକ କବିତାର କେତୋଟି ଧାଡ଼ିରୁ ନିଷ୍କର୍ଷ ବାହାର କରାଯାଉଛି ଯେ ସଂପୃକ୍ତ କବି ତାଙ୍କର ପ୍ରାଥମିକ ଶିକ୍ଷା ପାଇଁ ବର୍ଣ୍ଣବୋଧଠାରେ ଋଣୀ ।

ଏହି ଶତାବ୍ଦୀରୁ ଅଧିକ ସମୟ ଭିତରେ ବର୍ଣ୍ଣବୋଧ ଅକ୍ଷର ଶିକ୍ଷାର ଏକମାତ୍ର ବହି ନଥିଲା । ବର୍ଣ୍ଣବୋଧ ପୂର୍ବରୁ ଯେଉଁ ବହି ସବୁ ଥିଲା ସେଥିରୁ କେତୋଟି ହେଲା: ବର୍ଣ୍ଣବୋଧକ (ଓଡ଼ିଶା ମିଶନ ପ୍ରେସ, ୧୮୬୭), ବର୍ଣ୍ଣପରିଚୟ (ଘନଶ୍ୟାମ ମିଶ୍ର, ୧୮୬୯), ବର୍ଣ୍ଣଶିକ୍ଷା (କପିଳେଶ୍ୱର ବିଦ୍ୟାଭୂଷଣ, ୧୮୭୩), ବର୍ଣ୍ଣବୋଧକ (ଗୋବିନ୍ଦ ରଥ, ୧୮୮୭) ଇତ୍ୟାଦି । ଏଗୁଡ଼ିକ ସମ୍ଭବତଃ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ‘ବର୍ଣ୍ଣ ପରିଚୟ’ ଧାରାରେ ଲେଖା ହୋଇଥିଲେ।

ସେହି ଭଳି ପରବର୍ତ୍ତୀ ସମୟରେ ମଧ୍ୟ ଏ ପ୍ରକାରର ଅନେକ ବହି ପ୍ରକାଶ ପାଇଥିଲେ। ନିକଟ ଅତୀତରେ ପ୍ରକାଶିତ ଦୁଇଟି ବହି ହେଲା, ଫତୁରାନନ୍ଦଙ୍କ ‘ମୋ ପାଠ ବହି’ ଓ ୨୦୦୩ରେ ଦିଲ୍ଲୀରୁ ପ୍ରକାଶିତ ଆସୋଶିଏଶନ ଅଫ୍ ରାଇଟର୍ସ ଫର ଚିଲଡ୍ରେନଙ୍କର ‘ଅଆଇ ଏବଂ କଖଗ’। ଅବଶ୍ୟ ଅନ୍ୟ କୌଣସି ବହି କୌଣସି ସମୟରେ ମଧୁସୂଦନଙ୍କ ବର୍ଣ୍ଣବୋଧ ଭଳି ଲୋକପ୍ରିୟ ହୋଇ ପାରିନାହାନ୍ତି।

ଏ କଥା ମଧ୍ୟ ସତ ଯେ ବର୍ଣ୍ଣବୋଧ ଅନେକ ଦିନରୁ ସ୍କୁଲ ପାଠ୍ୟପୁସ୍ତକ ତାଲିକାରେ ନଥିଲା । ଗତ ଶତାବ୍ଦୀର ଚାଳିଶ ଦଶକରେ ଆମେମାନେ ପାଠ ପଢ଼ା ଆରମ୍ଭ କଲା ବେଳେ ଆମ ବହି ଅଆକଖରୁ ଆରମ୍ଭ ହେଉ ନଥିଲା । ଏ ବହିର (ଲେଖକ ବୋଧହୁଏ ଅଧିରାଜ ମୋହନ ସେନାପତି) ଆରମ୍ଭରେ ଥିଲା ମା, ରମା, ରବର, ରମାର କଳା ବାଳ ।

ତେବେ ମଧୁସୂଦନଙ୍କର ବର୍ଣ୍ଣବୋଧ ଯେ ଏକ ସମୟରେ ବହୁ ପଠିତ ପାଠ୍ୟପୁସ୍ତକ ଥିଲା ଏଥିରେ ସନ୍ଦେହ ନାହିଁ । ଏହାର ଏକ କାରଣ ହୋଇପାରେ ଯେ ମଧୁସୂଦନ ସେତେବେଳେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତା ଥିଲେ । ଏବଂ ସର୍ବୋଚ୍ଚ କର୍ତ୍ତା ରାଧାନାଥ ରାୟଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା । (ସେ ଦୁହିଁଙ୍କୁ ସେତେବେଳେ ଲୋକେ ଶିକ୍ଷା ବିଭାଗର ଛୋଟ ଲାଟ ଓ ବଡ଼ ଲାଟ କହୁଥିଲେ ।)

ପିଲାଦିନେ ବର୍ଣ୍ଣବୋଧ ପଢ଼ିଥାନ୍ତୁ କି ନଥାନ୍ତୁ, ଓଡ଼ିଶାର ଅଧକାଂଶ ଶିକ୍ଷିତ ଲୋକ ବର୍ଣ୍ଣବୋଧର ନିମ୍ନଲିଖୁତ ପାଠ ସହିତ ଊଣା ଅଧିକେ ପରିଚିତ:

ଛେଳି ଛୁଆଟିକି ଦେଖ । ମେଷ ଛୁଆଟିକି ରଖ ||
ଦୁଗ୍ଧ ପାନ କଲେ ବଢ଼ଇ ଶକ୍ତି । ସାଧୁର ଲକ୍ଷଣ ଈଶ୍ବର ଭକ୍ତି ||
ଅରଣା ମଇଁଷି ରହିଛି ଅନାଇ । ମଇଁଷିର ପାଖ ନ ଯାଅ ଦନାଇ ||
ହରିଣ ନ ଦିଏ ଧରା । ଦଉଡ଼ନା ବଡ଼ ଖରା || ଇତ୍ୟାଦି

ଲକ୍ଷ୍ୟ କରିବାର କଥା ଯେ ଏହି ଅସଂଲଗ୍ନ, ଅସଂଗତ ଓ ହାସ୍ୟ ଉଦ୍ରେକ କରୁଥିବା ଧାଡ଼ିଗୁଡ଼ିକ ମନେ ରଖୁଥିବା ବେଳେ ବର୍ଣ୍ଣବୋଧରେ ଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦଗୁଡ଼ିକ ଆମ ସ୍ମୃତିରେ ନାହିଁ । ଏ ଧାଡ଼ିଗୁଡ଼ିକ ମୁଁ ନିଜେ ପିଲାବେଳେ ବର୍ଣ୍ଣବୋଧ ବହିରୁ ପଡ଼ିଥିବା ମୋର ମନେ ନାହିଁ । ପରବର୍ତ୍ତୀ ସମୟରେ ବୋଧହୁଏ ସାଙ୍ଗସାଥଙ୍କ ମେଳରେ ମୁହଁରୁ ମୁହଁକୁ ଏ ଧାଡ଼ି ସବୁ ସ୍ମରଣରେ ରହିଥିଲା । ଏ ପଦମାନ ବ୍ୟବହାର କରାଯାଉଥିଲା ଥଟ୍ଟା ତାମସା ମଜା କରିବା ପାଇଁ । ମୁଁ ବିବଦ୍ଧ ଭାବରେ ବର୍ଣ୍ଣବୋଧ ପଢ଼ିଲି ଏଇମାତ୍ର, ୧୯୭୦ରେ କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟାର ପ୍ରକାଶିତ ଗ୍ରନ୍ଥାବଳୀର ଦ୍ବିତୀୟ ସଂସ୍କରଣରୁ। ସରକାରଙ୍କ ଦ୍ଵାରା ପ୍ରକାଶିତ (ଓ ବର୍ତ୍ତମାନ ବୋଧହୁଏ ତାଲା ବନ୍ଦ) ବର୍ଣ୍ଣବୋଧ ବା ବର୍ଣବୋଧ ଦେଖୁବାର ସୌଭାଗ୍ୟ ହୋଇନାହିଁ। ବର୍ତ୍ତମାନ ପ୍ରଶ୍ନ ହେଉଛି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଆଜିର ପିଲାଙ୍କ ପାଇଁ ଉପଯୁକ୍ତ କି ? ମୋ ମତରେ ଏହାର ଉତ୍ତର, ନା। ମଧୁସୂଦନ ଶହେ ବର୍ଷରୁ ବେଶି ସମୟ ଆଗରୁ ଯେତେବେଳେ ଏହି ବହିଟି ଲେଖିଥିଲେ ସେ ସମୟର ସମାଜ, ଭାଷା, ଶିକ୍ଷା ପଦ୍ଧତି, ଆଚାର ବ୍ୟବହାର, ନୀତି ନିୟମ ଅଲଗା ଥିଲା । ସେ ସବୁ ବର୍ତ୍ତମାନ ବଦଳି ଯାଇଛନ୍ତି ଏବଂ ଆମର ଜ୍ଞାନର ପରିସର ମଧ୍ୟ ଅନେକ ଗୁଣ ବଢ଼ି ଯାଇଛି। ମଧୁବାବୁଙ୍କ ବହିରେ ଅଛନ୍ତି ଗାଁର ରଜକ ରଇତ ଚାଷୀ ଧୀବର ପାଇକ ବୈଦ୍ୟ ଶ୍ରେଣୀ ପାଞ୍ଜି ରଥ ହଳ; ଏଥିରେ ସହର ସଂପୂର୍ଣ୍ଣ ଅନୁପସ୍ଥିତ । ଏଥିରେ ରେଳଗାଡ଼ି ଓ ଉଡ଼ାଜାହାଜ ତ ନାହିଁ, ସାଇକେଲ ବି ନାହିଁ, କଂପ୍ୟୁଟର ଓ ମଙ୍ଗଳ ଯାନ ତ ଦୂରର କଥା।

ସେତେବେଳେ ବର୍ଣ୍ଣବୋଧରେ ଦିଆଯାଇଥିବା ଅନେକ ଶବ୍ଦ ଆଉ ସାଧାରଣ ବ୍ୟବହାରରେ ନାହିଁ, ଯଥା: ଅବଜ ବ୍ରୀହି ଊନ ପୁଣ୍ଡ୍ର ବର୍ହ ଯାଚଞ୍ଜା ଶ୍ଳାଘା ଉଦବାହ ଉଚ୍ଚୈଃ । ଗୌଣୀ ଓ ବାମ୍ଫୀ ଏବେ ଦେଖୁବାକୁ ସ୍ୱପ୍ନ ।

ସେହି ଭଳି ବର୍ଣ୍ଣବୋଧରେ ଦିଆଯାଇଥିବା କେତୋଟି କଥା ଆଉ ପଲିଟିକାଲି କରେକ୍ଟ ବା ଭଦ୍ରୋଚିତ ବୋଲି ଗ୍ରହଣ କରା ହେଉନାହିଁ, ଯଥା:

ଦରିଦ୍ର ପିନ୍ଧେ ଛିଣ୍ଡା କନ୍ଥା। ଅନ୍ଧକୁ ନ ଦିଶଇ ପନ୍ଥା ।।
ପଂଝାଏ ଖଂଜ ବସି ବସି। କଥା କହନ୍ତି ହସି ହସି ।।
ଦ୍ଵାର ଦ୍ଵାର ବୁଲି ମାଗଇ ଦୁଃଖୀ। ଭିକ ପାଇଲେ ସେ ହୁଅଇ ସୁଖୀ।।

ବର୍ଣ୍ଣବୋଧର ଆଉ କେତୋଟି ଫକ୍ତି ଗୁରୁଚଣ୍ଡାଳ ଦୋଷ, ଅତି ଭାରି ସଂସ୍କୃତ ଶବ୍ଦର ବ୍ୟବହାର ଓ ଅସଂଗତ ଭାବ ଯୋଗୁ ହସର ଖୋରାକ ଯୋଗାଇଥାନ୍ତି:

ଗାଈକୁ ତୃଣ ଦିଅ । ଜଣେ ଲୋକ ଗୋଟିଏ ଅଶ୍ବକୁ ଧରିଅଛି। ଅର୍ଦ୍ଧରାତ୍ର ସମୟରେ ମୁଁ ଉର୍ଦ୍ଧ୍ଵକୁ ଅନାଇ ନକ୍ଷତ୍ରପୂର୍ଣ୍ଣ ଆକାଶକୁ ଦେଖିଲି। ଅବ୍ଜ ଫୁଟିଛି ସରୋବରେ, ବେଢ଼ି ଅଛନ୍ତି ମଧୁକରେ । ପଡ଼ନ୍ତେ କର୍ଣ୍ଣେ ସେହି ଶବ୍ଦ, ଆନନ୍ଦ ପ୍ରାଣେ ହେଲା ଲବ୍ଧ ।

ଏ ସବୁ ଦାନ୍ତ ଭଙ୍ଗା ଲେଖା ପଢ଼ଇବା ପରେ କୁହାଯାଇପାରିବ ନାହିଁ ଯେ: ବାଳକେ ଆସିଲେ ପାଠଶାଳାରୁ, ହସ ହସ ମୁହଁ ଦିଶେ ସୁଚାରୁ। ଅବଶ୍ୟ ସେମାନେ ଯେତେବେଳେ ପଢ଼ିବେ ଯେ କୁକୁରକୁ କୁହାଯାଉଛି, “ନାନା ଜାତି ଫୁଲ ଦେବି ତୋତେ ଆଣି, ଦେଖ୍ ତୁ ହସିବୁ ଆରେ ଧନମଣି’, ସେମାନଙ୍କ ଓଠକୁ ସାମାନ୍ୟ ହସ ଆସିପାରେ ।

ବର୍ତ୍ତମାନ ଏ କଥା ମଧ୍ୟ କେହି କେହି କହିଲେଣି ଯେ ବର୍ଣ୍ଣବୋଧରେ ପିଲାମାନଙ୍କୁ ଭୁଲ୍ ନୀତିଶିକ୍ଷା ଦିଆଯାଉଛି, ଯଥା, ମଇଁଷିର ପାଖେ ନ ଯାଅ ଦନାଇ । ଆମର ସାହସୀ ଦନାଇ କାହିଁକି ଗୋଟିଏ ଛାର ଅରଣା ମଇଁଷି ପାଖକୁ ଯିବାକୁ ଡରିବ?

ମୋର କିନ୍ତୁ ଏହି ବିହିଟି ବିଷୟରେ ଦୁଇଟି ଅଭିଯୋଗ ଅଛି । ପ୍ରଥମଟି ହେଲା ବର୍ଣ୍ଣବୋଧର ବିବିଧ ପାଠରେ କୁହାଯାଇଥିବା “ମା ଯାହା ଖାଇବାକୁ ଦେବେ ତାହା ଖାଇବା… ବାପା ଯାହା କହି ବେ ତାହା କରିବା”। ଏ ଉପଦେଶ ନିଶ୍ଚିତ ଭାବେ ବିଦ୍ୟାସାଗରଙ୍କ ବର୍ଣ୍ଣ ପରିଚୟର ଅନୁସରଣ : “ଗୋପାଲ ବଡ଼ ସୁବୋଧ । ତାର ବାବା ମା ଯଖନ ଯା ବଲେନ ତାଇ କରେ… ଗୋପାଲ ଯା ପାୟ ତା ଖାୟ”। ଏ ଭଳି ଉପଦେଶ ସମସ୍ୟାପୂର୍ଣ୍ଣ । ଭଜିଲାନ୍ସରେ ଧରାପଡ଼ି ନିଲମ୍ବିତ ହୋଇ ଘରେ ବସି ରହିଥିବା ଚୋର ବାପା କଥା ପିଲା ମାନିବ କାହିଁକି ? ପିଲାଟିକୁ କାହିଁକି କୁହାଯିବ ଯେ ତେଲ ଛଣା ଜିନିଷ ଖାଇ ମୋଟୀ ହୋଇଯାଉଥିବା ମା ଯାହା ଖାଇବାକୁ ଦେବେ ପିଲା ତାକୁ ଖାଇବ । ତା ବଦଳରେ କହିବା କଥା, ଆମେ ପୁଷ୍ଟିକର ଖାଦ୍ୟ ଖାଇବା, ଆମେ ଉଚିତ କାମ କରିବା । ରବୀନ୍ଦ୍ର ନାଥ ଠାକୁର ମଧ୍ୟ ବିଦ୍ୟାସାଗରଙ୍କର ବାପମାଙ୍କ କଥା ମାନୁଥିବା ସୁବୋଧ ପିଲାକୁ ଆଦର୍ଶ ଭାବେ ଗ୍ରହଣ କରିବାର ସପକ୍ଷରେ ନଥିଲେ।

ମୋର ଅନ୍ୟ ସମାଲୋଚନାଟି ଆହୁରି ଗୁରୁତର । ମଧୁସୂଦନ ରାଓ ଜଣେ ରଷିପ୍ରତିମ ଲୋକ ଥିଲେ ବୋଲି ବିଦିତ ଓ ଭକ୍ତକବି ନାଁରେ ଖ୍ୟାତ। ଫକୀରମୋହନ ତାଙ୍କ ବିଷୟରେ ଲେଖିଥିଲେ: ଆଦର୍ଶ ମନୁଷ୍ୟ ଯଦି ଦେବାରେ ଚାଓ, ଧାଇଁ ଯାଇ ଦେଖ୍ ଆସ ଘରେ ମଧୁ ରାଓ । ଅନେକ ବର୍ଷ ତଳେ ମୁଁ ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ କ୍ଲରିହିଉ ଲେଖିଥିଲି (ଆଳିମାଳିକା, ୧୯୯୩) : ମଧୁସୂଦନ ରାଓ, ପାଠକଙ୍କୁ କହିଲେ ଯାଅ, ଆଖୁବୁଜି ବସ ପଦ୍ମାସନ, ତା ହେଲେ ପାଇବ ମୋର କବିତାର ଜ୍ଞାନ । ଏ ଲେଖା ତାଙ୍କର ଧର୍ମପ୍ରାଣତାକୁ ସୂଚାଉଥିଲା । ସେ ଓଡ଼ିଶାର ଜଣେ ଆଦ୍ୟ ବ୍ରାହ୍ମ ଥିଲେ ଏବଂ ବ୍ରାହ୍ମଧର୍ମ ପ୍ରଚାର ଓ ପ୍ରସାର କରୁଥିଲେ । ସେଥିପାଇଁ ତାଙ୍କ ଲେଖାରେ ଧର୍ମର ପ୍ରଭାବ ଦେଖୁବାକୁ ମିଳେ । ଯଦିଓ ବର୍ଣ୍ଣବୋଧ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବହି ଓ ଧର୍ମଗ୍ରନ୍ଥ ନୁହେଁ, ସେଥିରେ ମଧ୍ୟ ସେ ତାଙ୍କର ଧାର୍ମିକତାର ବ୍ୟତିକ୍ରମ କରିନାହାନ୍ତି । ହିନ୍ଦୁ ହୋଇଥିଲେ ସେ ହୁଏତ ଦୁର୍ଗାସ୍ତୁତି ବା ଜଗନ୍ନାଥ ଜଣାଣ ଲେଖିଥାନ୍ତେ, କିନ୍ତୁ ବ୍ରାହ୍ମ ହୋଇଥିବାରୁ ତାଙ୍କ ଲେଖାରେ ଦେଖିବାକୁ ମିଳନ୍ତି ଜଗତପିତା, ପରମେଶ୍ଵର, ମହାପ୍ରଭୁ, ପରାତ୍ପର, ଅନାଦି ଇତ୍ୟାଦି । ବର୍ଣ୍ଣବୋଧର ବର୍ଣ୍ଣନା ଅନୁସାରେ :

ଆକାଶ ଦିଶେ କି ସୁନ୍ଦର । ତାହାକୁ ରଚିଲେ ଈଶ୍ଵର II
ମନୁଷ୍ୟ ପଶୁପକ୍ଷୀ ଆଦି । ସକଳ ସୃଜିଲେ ଅନାଦି II

ଏହାର ଭାବାର୍ଥ ହେଲା ଯେ ଈଶ୍ବର ହିଁ ଗ୍ରହ ନକ୍ଷତ୍ର ଆକାଶ ମଣିଷ ବୃକ୍ଷ ଲତା ଓ ପଶୁପକ୍ଷୀଙ୍କୁ ସୃଷ୍ଟି କରିଛନ୍ତି। ଏ କଥା ବିଜ୍ଞାନ ଅନୁମୋଦିତ ଡାରୱିନଙ୍କ ବିବର୍ତ୍ତନବାଦର ସଂପୂର୍ଣ୍ଣ ବିରୋଧ କରୁଛି । ବିଜ୍ଞାନରେ ଅସମ୍ଭବ ପ୍ରଗତି କରିଥିଲେ ମଧ୍ୟ ଆମେରିକାର ଅନେକ ଲୋକ ରକ୍ଷଣଶୀଳ ଓ କୁସଂସ୍କାରଗ୍ରସ୍ତ । ସେମାନେ ବାଇବର ଜେନେସିସରେ ଲେଖା ଥିବା କଥାରେ ବିଶ୍ଵାସ କରନ୍ତି ଯେ ପୃଥିବୀ ମଣିଷ ପଶୁପକ୍ଷୀ ସମସ୍ତଙ୍କୁ ଈଶ୍ଵର ଛ’ ଦିନରେ ସୃଷ୍ଟି କରିଥିଲେ । ଏ କଥା ବିଜ୍ଞାନ ବିରୋଧୀ ହୋଇଥିବାରୁ ବର୍ତ୍ତମାନ ବିବର୍ତ୍ତନବାଦ ଓ ସୃଷ୍ଟିବାଦ ଭିତରେ ଦ୍ବନ୍ଦ ଲାଗି ରହିଛି। ୧୯୮୨ ରେ ଲୁଜିଆନା ଷ୍ଟେଟ ଉଭୟ ମତକୁ ଏକା ଭଳି ଦେଖୁବା ପାଇଁ ଏକ ଆଇନ ପ୍ରଣୟନ କରିବାରେ ୭୨ ଜଣ ବୈଜ୍ଞାନିକ ଓ ୧୭ଟି ବିଜ୍ଞାନ ଏକାଡେମୀ ଏ ବିଷୟରେ କଚେରୀକୁ ଯାଇଥିଲେ । ୧୯୮୭ରେ ସୁପ୍ରିମ କୋର୍ଟ ରାୟ ଦେଲେ ଯେ ଆଇନଟି ଅସିଦ୍ଧ କାରଣ ଏକ ପରମପୁରୁଷ ମଣିଷ ଜାତି ସୃଷ୍ଟି କରିଛନ୍ତି କହିବା ଦ୍ଵାରା ଏହି ଆଇନ ଧର୍ମ ପ୍ରବର୍ତ୍ତନ କରୁଛି ଯାହା ସମ୍ବିଧାନ ବିରୁଦ୍ଧ ।

ବିବର୍ତ୍ତନବାଦରେ ଆଜି ଆଉ କାହାରି କୌଣସି ସଂଶୟ ନାହିଁ, କେବଳ କିଛି କୁସଂସ୍କାରବାଦୀ ଛଦିନିଆ ସୃଷ୍ଟିରେ ବିଶ୍ବାସ କରୁଥିବା ଲୋକଙ୍କ ବ୍ୟତୀତ । ଏହି ପରିପ୍ରେକ୍ଷୀରେ ପୃଥବୀ ମଣିଷ ପଶୁପକ୍ଷୀ ବିବର୍ତ୍ତନ ଦେଇ ନୁହେଁ ଜଣେ ଈଶ୍ବରଙ୍କ ଦ୍ଵାରା ସୃଷ୍ଟି ହୋଇଛନ୍ତି ଏପରି କହିବା ପିଲାମାନଙ୍କୁ ଭୁଲ୍ ଶିକ୍ଷା ଦେବା ହେବ ।

ଏହା ବ୍ୟତୀତ ଅନେକ ବିଦ୍ୱାନ (ଯଥା ରିଚାର୍ଡ ଡକିନ୍ସ, ଏ.ସି. ଗ୍ରେଲିଙ୍ଗ, କ୍ରିଷ୍ଟୋଫର ହିଚେନ୍ସ)ଙ୍କର ମତ ଯେ ପିଲାମାନଙ୍କୁ ଧର୍ମ ବା ଈଶ୍ୱରଙ୍କ ବିଷୟରେ କହି ସେମାନଙ୍କ କୋମଳ ମନକୁ ପ୍ରଭାବିତ କରିବା ଉଚିତ ନୁହେଁ । କୌଣସି ପୂର୍ବଗ୍ରହ ବିନା ବଡ଼ ହେଲେ ସେମାନେ ନିଜେ ନିଷ୍ପତ୍ତି ନେବେ ଈଶ୍ଵରରେ ବିଶ୍ୱାସ କରିବେ କି ନା ଏବଂ କୌଣସି ଧର୍ମକୁ ଗ୍ରହଣ କରିବେ କି ନା ।

ଏହି ଦୃଷ୍ଟିକୋଣରୁ ମଧ୍ୟ ମଧୁବାବୁଙ୍କ ବର୍ଣ୍ଣବୋଧ ଆଜିର ପିଲାମାନଙ୍କ ପାଇଁ ଆଦୌ ଉପଯୋଗୀ ନୁହେଁ ।ବର୍ଣ୍ଣବୋଧର ଭବିଷ୍ୟତ କଣ ହେବ ତା ବର୍ତ୍ତମାନ ଏକ କମିଟି ହାତରେ । ଗୋଦାମ ଘରେ ରହିଥିବା ଅସଂଖ୍ୟ ବର୍ଣ୍ଣସଂକର ବର୍ଣ୍ଣବୋଧ ବହିସବୁକୁ ଜାଳି ଦେବା ପାଇଁ ସୁପାରିଶ କରିବା ସହିତ ସେମାନେ ନିଶ୍ଚୟ ପିଲାମାନଙ୍କ ପାଇଁ କି ପ୍ରକାରର ବହି ଦରକାର ସେ ବିଷୟରେ ପରାମର୍ଶ ଦେବେ। ବର୍ତ୍ତମାନ ସମସ୍ତେ ସେଇ କମିଟିର ଅଭିମତ ଅପେକ୍ଷାରେ । ତେବେ ଏ କଥା ମଧ୍ୟ କୁହାଯାଇଛି ଯେ, ବର୍ଣ୍ଣବୋଧର ସାଧୁ ଭାଷାରେ ଲେଖୁଲେ, ଉଷ୍ଟ୍ର ହେଉଚି ଏକ କମିଟି ସୃଷ୍ଟ ଅଶ୍ୱ ।

ନଭେମ୍ବର, ୨୦୧୪

ସୁବିଦିତ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସ ଲେଖିଥିବା ଅର୍ଦ୍ଧଦଶନ୍ଧି ତଳର ଏହି ଲେଖା ଚଳିତ ଶାସନରେ ଆମ ଭାଷା ଭୋଗିଚାଲିଥିବା ଦୁର୍ଦ୍ଦଶାର ଏକ ବ୍ୟଥାଡାୟକ ଦୃଷ୍ଟାନ୍ତ ଉପରେ ଆଧାରିତ ।ଅବସରପ୍ରାପ୍ତ ସର୍ବ ଭାରତୀୟ ପ୍ରଶାସନିକ ସେବାଧିକାରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଏହାର ଗୁରୁତ୍ଵ ଅନୁଭବ କରି ପ୍ରସାରିତ କରିଥିଲେ ; ଆମ ବିଚାରରେ ସବୁ ଓଡ଼ିଆ ଏହା ଅବଗତ ହେବା ଉଚିତ । ସେଥିପାଇଁ ଏହା ଏଠି ଉପସ୍ଥାପିତ ହେଲା । ଏହାର ଲେଖକ ଓ ପ୍ରସାରକ ଉଭୟଙ୍କୁ ଅଶେଷ ଧନ୍ୟବାଦ । (ସମ୍ପାଦକ) ।