କରୋନା ମୁକାବିଲା ପାଇଁ ସର୍ବଦଳୀୟ ମିଳିତ ମନ୍ତ୍ରୀମଣ୍ଡଳ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିସଭାର ନେତୃତ୍ବରେ ଥିଲେ ମଧ୍ୟ ସେମାନଙ୍କ ଏକନାୟକୀୟ ଆଧିପତ୍ୟ ଏତେ ପ୍ରଚଣ୍ଡ ଯେ, ଯୌଥ ବିଜ୍ଞତା ଅଭାବରୁ ଓଡ଼ିଶା ସମେତ ସମଗ୍ର ଭରତ ବିନାଶକ କରୋନା ମହାମାରୀର କବଳରେ । ଏହି ମହାମାରୀର ମୁକାବିଲା ପାଇଁ ଯେଉଁ ନେତୃତ୍ଵ ଦେଶ ଆବଶ୍ୟକ କରୁଛି ସେ ନେତୃତ୍ଵ ଉପଲବ୍ଧ ହେଉନାହିଁ ।

ଏହି ଉଭୟ ନେତା ନିଜ ନିଜର ରାଜନୈତିକ ସ୍ଵାର୍ଥ ପାଇଁ ଏପରି ଆଚରଣ ପ୍ରଦର୍ଶନ କରିଆସିଛନ୍ତି ଯାହା ଭୂତାଣୁ ନିୟନ୍ତ୍ରଣ ଆଳରେ ପୋଲିସ୍ ରାଜ୍ ବଳବତ୍ତର କରିଛି । ସତେ ଯେମିତି କରୋନା ଆକ୍ରାନ୍ତମାନେ ଅପରାଧୀ ସେହି ପରି ଭାବନା ଉଦ୍ରେକ କରାହୋଇଛି ସାଧାରଣ ମଣିଷର ମନରେ । ଅଥଚ କରୋନା ଠାବ କରିବା, ଚିକିତ୍ସା କରିବା, ଆରୋଗ୍ୟ ଘିସନା କରିବା – ସବୁ ପ୍ରଶାସନିକ ଇନ୍ଦ୍ରଜାଲରେ ଛନ୍ଦିହୋଇରହିଛି । ପ୍ରକୃତ ଚିତ୍ର ଠାରୁ ଲୋକଙ୍କୁ ଦୂରେଇ ରଖାଯାଇଛି ଓ ସରକାର ଯାହା ଜଣାଇବାକୁ ଚାହୁଞ୍ଛନ୍ତି ଲୋକେ ସେତିକି ହିଁ ଜାଣୁଛନ୍ତି ।

ଭୂତାଣୁ ପାଇଁ ଚାଈନାକୁ ଶୋଧିବାରେ ଯେତେ ଶକ୍ତି ଅପଚୟ ହେଲାଣି ତହିଁର କାଣିଚାଏ ମଧ୍ୟ ଲୋକଙ୍କ ପାଇଁ ଲାଗିନାହିଁ । ଯେତେବେଳେ ସବୁ ଡାକ୍ତରଖାନା ଦିନରାତି ଖୋଲା ରହି ରୋଗୀଙ୍କୁ ସାହାଜ୍ଯ କରିବା କଥା ସେତେବେଳେ ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଓ ରାଜ୍ୟ ସରକାରଙ୍କ ମେଡିକାଲ କଲେଜଗୁଡ଼ିକ ସେମାନଙ୍କ ବହିର୍ଚ୍ଚିକିତ୍ସା ବିଭାଗ ବନ୍ଦ ରଖିଛନ୍ତି ଓ କୌଣସି ଚିକିତ୍ସାଳୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଉପଲବ୍ଧ ନାହିଁ । ସବୁଠୁ ମାରାତ୍ମକ କଥା ହେଲା, ଏହି ମଉକାରେ ରୋଗୀ ଶୋଷଣ ପାଇଁ ଡାକ୍ତର ଓ ଡାକ୍ତରଖାନାମାନଙ୍କୁ ଏପରି ଅଧିକାର ଦିଆଯାଇଛି ଯେ, ଯଦି କୌଣସି ରୋଗୀ ଅପଚିକିତ୍ସା ବା ଅଚିକିତ୍ସା ବିରୁଦ୍ଧରେ ପଟି ଫିଟାଏ ତାକୁ ୧୦ ଲକ୍ଷ ଟଙ୍କା ଜୋରିମାନା ଓ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବ ( The Health Services Personal and Clinical Establishments (Prohibition of violence and damage to property) Bill, 2019) । “ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବା ପ୍ରାଣ?” ବୋଲି ମଧୁବାବୁ ଲେଖିଥିଲେ । ଅବସ୍ଥା ଏଇନେ ଏହା ହିଁ ହୋଇଛି । ଓଡ଼ିଶା ରାଜ୍ୟରେ ପୋଲିସ ମାଡ଼କୁ ନୀରବରେ ବରଦାସ୍ତ ନକଲେ, ୧୦ ହଜାର ଟଙ୍କା ଜୋରିମାନା ସାଙ୍ଗକୁ ୨ ବର୍ଷ ଜେଲ ଦଣ୍ଡ ପାଇବାକୁ ଆଇନ ପ୍ରବର୍ତ୍ତନ କରାଯାଇଛି (Epidemic Diseases (Amendment) Ordinance, 2020) ଓ ଲୋକେ କାକୁସ୍ଥ ହୋଇ ରହିଛନ୍ତି । କରୋନା ସମ୍ପର୍କୀୟ ଆଇନ ଓ ନିର୍ଦ୍ଦେଶନାମାଗୁଡ଼ିକ ଘନଘନ ସଂଶୋଧନ ହେଉଛି । ସବୁ ଇଂରାଜୀରେ ଓ ଏପରି ଭାଷାରେ , ଯାହା ସାଧାରଣ ଲୋକେ ଜାଣନ୍ତି ନାହିଁ । ଲୋକଙ୍କ ମାତୃଭାଷାରେ ଆଇନକାନୁନ ନ କରି, ଲୋକଙ୍କୁ ଅନ୍ଧକାରରେ ରଖି ପୋଲିସ ଲାଠି, ଜେଲ କୋଠି, ଜୋରିମାନା ଓ ଡାକ୍ତରୀ ନାଲିଆଖିରେ ଲୋକେ ସିନା ଦାବିଯାଉଛନ୍ତି, କରୋନା ଭୂତାଣୁ ମାଡ଼ି ଚାଲିଛନ୍ତି ।

ଅରାଜକତା ଚରମ ସୀମାରେ ପହଞ୍ଚିଛି ।

ଆମ ବିଚାରରେ ଏଥିପାଇଁ ଦାୟୀ, ପ୍ରଧାନମନ୍ତ୍ରୀ (ଓ ଓଡ଼ିଶା ପରି ରାଜ୍ୟର ମୁଖ୍ୟମନ୍ତ୍ରୀ)ଙ୍କ ଏକନାୟକୀୟ ଆଧିପତ୍ୟ । ଏହାର ପ୍ରତିବିଧାନ ଦରକାର ।

ଏଥିପାଇଁ ଏକାଧିପତ୍ୟ ଜରିକରିଚାଲିଥିବା ଦଳୀୟ ସରକାର ନିଜର ଅପରାଗପଣିଆ ଅନୁଭବ କରି ସର୍ବାଦଳୀୟ କରୋନା କ୍ୟାବିନେଟ୍ ଗଠନ କରୁ । ପ୍ରତିଷ୍ଠିତ ସରକାର ଯେଉଁ ମର୍ଯ୍ୟାଦାରେ ଅଛନ୍ତି ସେହି ମର୍ଯ୍ୟାଦାରେହ ଥାନ୍ତୁ । କିନ୍ତୁ ସବୁ ଦଳର ପ୍ରତିନିଧିମାନଙ୍କୁ ନେଇ କେବଳ କରୋନା ମହାମାରୀର ମୁକାବିଲା ପାଇଁ ଏକ ସ୍ଵତନ୍ତ୍ର ମନ୍ତ୍ରୀମଣ୍ଡଳ ଗଠିତ ହେଉ ଯାହାର ନିର୍ଦ୍ଧାରଣ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କାର୍ଯ୍ୟକାରୀ କରନ୍ତୁ । ଏହି କାରୋନା କ୍ୟାବିନେଟ କେବଳ ମାତୃଭାଷାରେ ତାର ସମସ୍ତ ନିର୍ଦ୍ଧାରଣ ପ୍ରଦାନ କରୁ ।

ଦେଶବାସୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଯୌଥନେତୃତ୍ଵ ଏକାନ୍ତ ଆବଶ୍ୟକ ।

orissamatters॰comରେ ଏହା ପୂର୍ବରୁ ଆଲୋଚିତ ହୋଇଛି । ସଂଯୋଗ ସରଣୀ : https://orissamatters.com/2020/07/05/572020/