ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସରକାରୀ ଆଚରଣରେ ଆଘାତଗ୍ରସ୍ତ ହୋଇ ହୋଇ ଓଡ଼ିଆ ଭାଷା ଜନନୀ ଯେଉଁପରି ମୁମୂର୍ଷୁ ହୋଇପଡିଛି ତାର ଉପଚାର ପାଇଁ ମୁଁ ଏଥର ଜାଣିଶୁଣି ‘ନୌକର’ ବା ‘ଚାକର’ ଶବ୍ଦ ବ୍ୟବହାର କରିବି ଆମ ଜନସାଧାରଣ ଓ କର୍ମଚାରୀମାନଙ୍କ କ୍ଷେତ୍ରରେ ଥିବା ମୌଳିକ ତଫାତ ସ୍ପଷ୍ଟ କରିବାପାଇଁ ।

ଦରମାଖିଆଙ୍କଠାରୁ ଜନସାଧାରଣଙ୍କ ଭିନ୍ନତା ସ୍ପଷ୍ଟ ହେବା ଓ କର୍ମଚାରୀମାନେ ନିଜକୁ ଶାସକ ବୋଲି ଭାବିବା ବନ୍ଦ କରିବା ଆବଶ୍ୟକ ।

ଦରମାଖିଆ ଲୋକେ ଯାହାର ରାଜକୋଷରୁ ଦରମା ନେଉଛନ୍ତି, ତା ଭାଷାରେ ସେବା ଦେବେ କି ଦରମାଖିଆଙ୍କ ଭାଷାରେ ଦରମା ଦେଉଥିବା ଲୋକେ ନିଜକୁ ଚଳାଇବେ – ଏହି ପ୍ରଶ୍ନ ଏଣିକି ତୋଳାଯିବ ସମସ୍ତ ସମ୍ଭବ ଦୃଢତାର ସହ । ମନ୍ତ୍ରୀ ହୁଅନ୍ତୁ ବା ସଚିବ ହୁଅନ୍ତୁ ବା ଯେ କୌଣସି ଅମଲା,ଦରମାଖିଆ ନୌକର ଭାଷାରେ ଦରମାଦାତା ମାଲିକ ଚାଲିବ କି ମାଲିକ ଭାଷାରେ ନୌକର – ଏହି ପ୍ରଶ୍ନ ପଚାରିବ ଭାଷା ଆନ୍ଦୋଳନ ।

ଆମ ଭାଷା ଜନନୀ ଦରମାଖିଆଙ୍କ ଗୋଇଠା ମାଡ଼ ବହୁତ ସହିଲାଣି ; ଆଉ ନୁହେଁ ।

ଚାକର ଭାବେ ବିବେଚିତ ହେବାକୁ ଯେଉଁମାନେ ନ ଚାହିଁବେ , ସେମାନେ ଆମ ଭାଷା କହନ୍ତୁ , ଆମ ଭାଷାରେ କାମ କରନ୍ତୁ , ଆମ ଭାଇ ହୋଇ ରହନ୍ତୁ । ନିଷ୍ପତ୍ତି ସେମାନଙ୍କର ।

ଗତ ପ୍ରାୟ ଦୁଇ ବର୍ଷର କଳାପତାକା ଅଭିଯାନରେ ଆମେ ଗୋଟିଏ ବ୍ୟଥାଦାୟକ ଅଭିଜ୍ଞତା ଅର୍ଜନ କରିଛୁ । ତାହା ହେଲା , ଆମ ଓଡ଼ିଶାର ସାହିତ୍ୟିକମାନେ ଭାଷା ଆନ୍ଦୋଳନ ସହ ଜଡ଼ିତହେବାକୁ ଆଗେଇ ଆସୁନାହାନ୍ତି । ଏକାଡେମୀ ପୁରସ୍କାର ହେଉ ବା ଜ୍ଞାନପୀଠ ପୁରସ୍କାର ହେଉ ବା ସରସ୍ବତୀ ପୁରସ୍କାର ହେଉ ବା ପଦ୍ମ ପୁରସ୍କାର ହେଉ – ଏପରି ପୁରସ୍କାରରେ ଝଲସୁଥିବା ଓଡ଼ିଆ ସାହିତ୍ୟିକମାନେ ଭାଷା ଆନ୍ଦୋଳନ ସହ ନିଜ ନିଜକୁ ଯୋଡୁନାହାନ୍ତି ।

ଏହା ଭାଷା ଆନ୍ଦୋଳନର ଗୁରୁତ୍ବ ଓ ଗାରିମା ପ୍ରତି ଏକ ଆହ୍ବାନ କି ? ନାଁ , ଆଦୌ ନୁହେଁ ।

ପ୍ରଥମ କଥା ହେଉଛି, ସେମାନେ ଯଦି ମଣିଷ ହୋଇଥାନ୍ତେ , ଆମକୁ କିଆଁ କଳାପତାକା ଧରିବାକୁ ପଡ଼ନ୍ତା ?

କହିବାକୁ କଷ୍ଟ , କିନ୍ତୁ ସତ ତ ହେଲା: ଭାଷା ମୌଳିକ , ସାହିତ୍ୟ ମୌଳିକ ନୁହେଁ । ଭାଷା ଆମ ଜନନୀ , ସାହିତ୍ୟ ନୁହେଁ ।

ଭାଷାରେ ‘ଭାବ’ ମିଶାଇ ସାହିତ୍ୟ କରାଯାଏ । ଭାବ ଶୁଭଙ୍କର ହୋଇପାରେ ,ଭୟଙ୍କର ହୋଇପାରେ ; ସାମାଜିକ ହୋଇପାରେ , ଅସାମାଜିକ ହୋଇପାରେ ; ରକ୍ଷଣଶୀଳ ହୋଇପାରେ , ପ୍ରଗତିଶୀଳ ହୋଇପାରେ । ସୁତରାଂ ସାହିତ୍ୟ ଏହି ସବୁ ରୂପ ନେଇପାରେ ।

ଏହି ରୂପେ ସମୁଦାୟ ଦୁଇ ପ୍ରକାରର ସାହିତ୍ୟିକ ଦୃଷ୍ଟିଗୋଚର ହୁଅନ୍ତି । ପ୍ରକାରଭେଦରେ ସେମାନଙ୍କୁ ଉଚ୍ଚମନା ସାହିତ୍ୟିକ ବା ନୀଚମନା ସାହିତ୍ୟିକ ଭାବେ ଚିହ୍ନଟ କରାଯାଇପାରେ ।

ପୁଞ୍ଜିବାଦ ପ୍ରଭାବରେ ଓଡ଼ିଶାରେ ନୀଚମନା ସାହିତ୍ୟିକ ଏବେ ହାଉଯାଉ । ସେମାନେ ଭାଷା ଆନ୍ଦୋଳନକୁ ଅସହଯୋଗ କରିବା ସ୍ବଭାବିକ ।

ସାହିତ୍ୟ ନଥାଇ ସମାଜ ଚାଲିବ । ଚାଲିଛି ।

ଓଡ଼ିଶାରେ କୌଣସି ସାହିତ୍ୟକୃତି ହଜାରରୁ ଅଧିକ ଛପାଯାଏ ନାହିଁ କି ଦି ବର୍ଷ ପୂର୍ବରୁ ଦ୍ବିତୀୟ ସଂସ୍କରଣ ଆବଶ୍ୟକ ପଡେନାହିଁ । ତେଣୁ ହାରାହାରି ପାଆଂଶ ଲୋକଙ୍କୁ ଛାଡି ଯେ କୌଣସି ବର୍ଷ ଯେକୌଣସି ସାହିତ୍ୟିକ ଅବଶିଷ୍ଟ ପ୍ରାୟ ସାଢେ ଚାରିକୋଟି ଓଡ଼ିଆଙ୍କ ଭିତରୁ କାହାରି ଦୃଷ୍ଟି ବି ଆକର୍ଷଣ କରନ୍ତି ନାହିଁ । ଅବସ୍ଥା ଏପରି ଯେ, ‘ସରସ୍ବତୀ’ସମ୍ମାନ ପ୍ରାପ୍ତ କବି ରମାକାନ୍ତ ରଥଙ୍କ ଏକ କାବ୍ୟକୃତି ଦି ବର୍ଷରେ ସମୁଦାୟ ପଚାଶ ଖଣ୍ଡ ବି ବିକ୍ରୀ ହୋଇପାରିନଥିଲା ବୋଲି ସେ ମହାପାତ୍ର ନୀଳମଣି ସାହୁଙ୍କୁ ଏକ ଚିଠିରେ ଲେଖିଥିଲେ , ଯାହା ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ସମ୍ପାଦିତ ‘ଚିଠି’ରେ ପ୍ରକାଶ ପାଇଛି । ଏହା ପ୍ରମାଣ କରୁଛି କି ‘ସରସ୍ବତୀ’ ସମ୍ମାନ ପାଇଥିବା ଆମ ଶ୍ରେଷ୍ଠ ସାହିତ୍ୟିକ ଆମ ଲୋକଙ୍କ ମନରେ ନାହାନ୍ତି ।

ଜ୍ଞାନପୀଠ ସମ୍ମାନ ପାଇଥିବା ସୀତାକାନ୍ତ ମହାପାତ୍ରଙ୍କ କବିତା ବହିରୁ କିଏ କେତେଖଣ୍ଡ ରଖିଛି ବୋଲି ଜାଣିବାକୁ ମୁଁ ମୋ ବନ୍ଧୁମାନଙ୍କ ଭିତରୁ ଦଶଜଣଙ୍କୁ ପଚାରିଥିଲି ବର୍ଷକ ତଳେ ; ଜଣକ ପାଖରେ ଦିଖଣ୍ଡ ଥିଲା , ନଅ ଜଣଙ୍କ ପାଖରେ ଖଣ୍ଡେ ବି ନଥିଲା । ଯେଉଁମାନଙ୍କୁ ପଚାରିଥିଲି ସେମାନେ ସମସ୍ତେ ଥିଲେ ସାହିତ୍ୟିକ । ଅତଏବ ଏହି ବିଶିଷ୍ଟ ସାହିତ୍ୟିକ ଆମ ସାହିତ୍ୟିକମାନଙ୍କ ଭିତରେ ବି ନିଜ ଆସ୍ଥାନ ଜମେଇ ପାରିନାହାନ୍ତି , ସାଧାରଣ ଲୋକଙ୍କ ପାଖରେ ଏଙ୍କ ସ୍ଥାନ ବା ଖୋଜିବା କାହିଁକି ?

ଏହା ସ୍ପଷ୍ଟ କରେ ଯେ, ସାହିତ୍ୟ ବିନା ସମାଜ ଚାଲିପାରେ । କିନ୍ତୁ ଭାଷା ବିନା କେହି ଚାଲିପାରିବେ ନାହିଁ । ଏଣୁ ଭାଷା ଆନ୍ଦୋଳନ କେଉଁ ସାହିତ୍ୟିକଙ୍କୁ ଅପେକ୍ଷା ରଖେନାହିଁ ।

ଓଡ଼ିଶାରେ ସାହିତ୍ୟ ପାଇଁ ପୁରସ୍କାର ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସାମାନ୍ୟ କେତେକଙ୍କୁ ଛାଡ଼ି ବାକି ସମସ୍ତେ ସରକାରୀ କର୍ମଚାରୀ ଥିଲେ ଓ ଅଛନ୍ତି । ସେମାନେ ନିଜ ନିଜ ଅଫିସ କାମ ଯଦି ଓଡ଼ିଆରେ କରିଥାନ୍ତେ ତେବେ ଓଡ଼ିଆ ଭାଷା ଜନନୀ ଆଜି ମୁମୂର୍ଷୁ ଅବସ୍ଥା ଭୋଗୁନଥାନ୍ତା କି ନିଷ୍ଠୁର ନୌକରସାହି କବଳରେ ଓଡ଼ିଆ ଜାତି ତାର ଅସ୍ମିତା ହରାଇ ବସିନଥାନ୍ତା ।

ମାଆକୁ ନିଜ ଆୟର ମାଧ୍ୟମ କରି ଚାଲୁଥିବା ଲୋକେ ମାଆର ମର୍ଯ୍ୟାଦା ପାଇଁ ଲଢେଇ କରିବେ – ଏକଥା କାହିଁକି ଆମେ ଭାବିବା ?

ତେଣୁ କୌଣସି ସାହିତ୍ୟିକଙ୍କୁ ଅପେକ୍ଷା ନ କରି ଭାଷା ଆନ୍ଦୋଳନକୁ ଆଗେଇନେବାକୁ ହେବ ଏବଂ ସାହିତ୍ୟିକ ଅଧ୍ୟୁଷିତ ଦରମାଖିଆମଣ୍ଡଳୀକୁ ଏହା ବୁଝିବାକୁ ବାଧ୍ୟ କରାଯିବ ଯେ, ନୌକର ଭାଷାରେ ମାଲିକ ଚଳିବ ନାହିଁ , ମାଲିକ ଭାଷାରେ ନୌକର ଚଳିବ ।

Comments

One Comment

Post a comment
  1. Gajanan mishra #
    February 11, 2018

    ନୌକରସାହି କବିଙ୍କୁ ଥୁ । ଦମ୍ ନାଇଁ ସେଇ କବିଠି ସତ୍ୟ ଉଚ୍ଚାରିବ। ପୁରସ୍କାର ପାଉ କି ପଦ୍ମ ପାଉ। ମା କୁ ଭୁଲିବ! ମା ମାଟି ମାତୃଭାଷା ଭୁଲୁଥିବା କବି କୁକବି। ସେ ତୋଷାମଦିଆ। କୁକୁର ପ୍ରକୃତି ଧରି ସେ ଉଭା। ଆରେ, ଏ ଯାଏ ତୁମେ ଲେଖୁଥିବା ଭାଷାର ବ୍ୟବହାର ପାଇଁ , ଯାହା ପାଇଁ ଅଛି ବି ଆଇନ, କଳା ପତାକା ପଟୁଆର ଚାଲିଛି ପ୍ରତ୍ୟହ ରାଜଧାନୀ ଭୁବନେଶ୍ୱରର ସଚିବାଳୟ ବିଧାନସଭା ସାମ୍ନାରୁ ରାଜଭବନ ଯାଏ।ଆଉ ତୁମେ ଚୁପ୍ ବସି ରହିଛ ଘରେ! ପୁରସ୍କାର ଟଙ୍କା ମାଇକିନା ପଛରେ ମରୁଛ! ଧିକ୍ ତୁମର ଜୀବନ୍। ଶତଧିକ୍ ତୁମର କବିତା ଲେଖା! ଥୁ ଥୁ !! ନର୍କ ଗତି ହେବ ମନେରଖ, କୁକବି ଗୁଡାକ।ଯିଏ ହେବ ନି ସାମିଲ ଭାଷା ବଂଚେଇବାକୁ ହେଉଥିବା ଆନ୍ଦୋଳନରେ ଆଉ ଲେଖୁଛି କବିତାଗଳ୍ପାଦି ସେଇ ଭାଷାରେ। ବଂଚିକି କଣ ଲାଭ ଜୀଇଁ ଥାଉ ଥାଉ ଯିଏ ଦେଖୁ ନି ଆଡଆଖିରେ!ଦମ୍ ଦେଖାଅ,ମା ପୁଅ ଦଶମାସିଆ ଯଦି,ତୁମ ଇଲାକାରେ ତୁମ ଭାଷା ବ୍ୟବହାର କରିବାକୁ ବାଧ୍ୟ କର।

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS