କରୋନା ମୁକାବିଲା ପାଇଁ ସର୍ବଦଳୀୟ ମିଳିତ ମନ୍ତ୍ରୀମଣ୍ଡଳ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିସଭାର ନେତୃତ୍ବରେ ଥିଲେ ମଧ୍ୟ ସେମାନଙ୍କ ଏକନାୟକୀୟ ଆଧିପତ୍ୟ ଏତେ ପ୍ରଚଣ୍ଡ ଯେ, ଯୌଥ ବିଜ୍ଞତା ଅଭାବରୁ ଓଡ଼ିଶା ସମେତ ସମଗ୍ର ଭରତ ବିନାଶକ କରୋନା ମହାମାରୀର କବଳରେ । ଏହି ମହାମାରୀର ମୁକାବିଲା ପାଇଁ ଯେଉଁ ନେତୃତ୍ଵ ଦେଶ ଆବଶ୍ୟକ କରୁଛି ସେ ନେତୃତ୍ଵ ଉପଲବ୍ଧ ହେଉନାହିଁ ।

ଏହି ଉଭୟ ନେତା ନିଜ ନିଜର ରାଜନୈତିକ ସ୍ଵାର୍ଥ ପାଇଁ ଏପରି ଆଚରଣ ପ୍ରଦର୍ଶନ କରିଆସିଛନ୍ତି ଯାହା ଭୂତାଣୁ ନିୟନ୍ତ୍ରଣ ଆଳରେ ପୋଲିସ୍ ରାଜ୍ ବଳବତ୍ତର କରିଛି । ସତେ ଯେମିତି କରୋନା ଆକ୍ରାନ୍ତମାନେ ଅପରାଧୀ ସେହି ପରି ଭାବନା ଉଦ୍ରେକ କରାହୋଇଛି ସାଧାରଣ ମଣିଷର ମନରେ । ଅଥଚ କରୋନା ଠାବ କରିବା, ଚିକିତ୍ସା କରିବା, ଆରୋଗ୍ୟ ଘିସନା କରିବା – ସବୁ ପ୍ରଶାସନିକ ଇନ୍ଦ୍ରଜାଲରେ ଛନ୍ଦିହୋଇରହିଛି । ପ୍ରକୃତ ଚିତ୍ର ଠାରୁ ଲୋକଙ୍କୁ ଦୂରେଇ ରଖାଯାଇଛି ଓ ସରକାର ଯାହା ଜଣାଇବାକୁ ଚାହୁଞ୍ଛନ୍ତି ଲୋକେ ସେତିକି ହିଁ ଜାଣୁଛନ୍ତି ।

ଭୂତାଣୁ ପାଇଁ ଚାଈନାକୁ ଶୋଧିବାରେ ଯେତେ ଶକ୍ତି ଅପଚୟ ହେଲାଣି ତହିଁର କାଣିଚାଏ ମଧ୍ୟ ଲୋକଙ୍କ ପାଇଁ ଲାଗିନାହିଁ । ଯେତେବେଳେ ସବୁ ଡାକ୍ତରଖାନା ଦିନରାତି ଖୋଲା ରହି ରୋଗୀଙ୍କୁ ସାହାଜ୍ଯ କରିବା କଥା ସେତେବେଳେ ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଓ ରାଜ୍ୟ ସରକାରଙ୍କ ମେଡିକାଲ କଲେଜଗୁଡ଼ିକ ସେମାନଙ୍କ ବହିର୍ଚ୍ଚିକିତ୍ସା ବିଭାଗ ବନ୍ଦ ରଖିଛନ୍ତି ଓ କୌଣସି ଚିକିତ୍ସାଳୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଉପଲବ୍ଧ ନାହିଁ । ସବୁଠୁ ମାରାତ୍ମକ କଥା ହେଲା, ଏହି ମଉକାରେ ରୋଗୀ ଶୋଷଣ ପାଇଁ ଡାକ୍ତର ଓ ଡାକ୍ତରଖାନାମାନଙ୍କୁ ଏପରି ଅଧିକାର ଦିଆଯାଇଛି ଯେ, ଯଦି କୌଣସି ରୋଗୀ ଅପଚିକିତ୍ସା ବା ଅଚିକିତ୍ସା ବିରୁଦ୍ଧରେ ପଟି ଫିଟାଏ ତାକୁ ୧୦ ଲକ୍ଷ ଟଙ୍କା ଜୋରିମାନା ଓ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବ ( The Health Services Personal and Clinical Establishments (Prohibition of violence and damage to property) Bill, 2019) । “ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବା ପ୍ରାଣ?” ବୋଲି ମଧୁବାବୁ ଲେଖିଥିଲେ । ଅବସ୍ଥା ଏଇନେ ଏହା ହିଁ ହୋଇଛି । ଓଡ଼ିଶା ରାଜ୍ୟରେ ପୋଲିସ ମାଡ଼କୁ ନୀରବରେ ବରଦାସ୍ତ ନକଲେ, ୧୦ ହଜାର ଟଙ୍କା ଜୋରିମାନା ସାଙ୍ଗକୁ ୨ ବର୍ଷ ଜେଲ ଦଣ୍ଡ ପାଇବାକୁ ଆଇନ ପ୍ରବର୍ତ୍ତନ କରାଯାଇଛି (Epidemic Diseases (Amendment) Ordinance, 2020) ଓ ଲୋକେ କାକୁସ୍ଥ ହୋଇ ରହିଛନ୍ତି । କରୋନା ସମ୍ପର୍କୀୟ ଆଇନ ଓ ନିର୍ଦ୍ଦେଶନାମାଗୁଡ଼ିକ ଘନଘନ ସଂଶୋଧନ ହେଉଛି । ସବୁ ଇଂରାଜୀରେ ଓ ଏପରି ଭାଷାରେ , ଯାହା ସାଧାରଣ ଲୋକେ ଜାଣନ୍ତି ନାହିଁ । ଲୋକଙ୍କ ମାତୃଭାଷାରେ ଆଇନକାନୁନ ନ କରି, ଲୋକଙ୍କୁ ଅନ୍ଧକାରରେ ରଖି ପୋଲିସ ଲାଠି, ଜେଲ କୋଠି, ଜୋରିମାନା ଓ ଡାକ୍ତରୀ ନାଲିଆଖିରେ ଲୋକେ ସିନା ଦାବିଯାଉଛନ୍ତି, କରୋନା ଭୂତାଣୁ ମାଡ଼ି ଚାଲିଛନ୍ତି ।

ଅରାଜକତା ଚରମ ସୀମାରେ ପହଞ୍ଚିଛି ।

ଆମ ବିଚାରରେ ଏଥିପାଇଁ ଦାୟୀ, ପ୍ରଧାନମନ୍ତ୍ରୀ (ଓ ଓଡ଼ିଶା ପରି ରାଜ୍ୟର ମୁଖ୍ୟମନ୍ତ୍ରୀ)ଙ୍କ ଏକନାୟକୀୟ ଆଧିପତ୍ୟ । ଏହାର ପ୍ରତିବିଧାନ ଦରକାର ।

ଏଥିପାଇଁ ଏକାଧିପତ୍ୟ ଜରିକରିଚାଲିଥିବା ଦଳୀୟ ସରକାର ନିଜର ଅପରାଗପଣିଆ ଅନୁଭବ କରି ସର୍ବାଦଳୀୟ କରୋନା କ୍ୟାବିନେଟ୍ ଗଠନ କରୁ । ପ୍ରତିଷ୍ଠିତ ସରକାର ଯେଉଁ ମର୍ଯ୍ୟାଦାରେ ଅଛନ୍ତି ସେହି ମର୍ଯ୍ୟାଦାରେହ ଥାନ୍ତୁ । କିନ୍ତୁ ସବୁ ଦଳର ପ୍ରତିନିଧିମାନଙ୍କୁ ନେଇ କେବଳ କରୋନା ମହାମାରୀର ମୁକାବିଲା ପାଇଁ ଏକ ସ୍ଵତନ୍ତ୍ର ମନ୍ତ୍ରୀମଣ୍ଡଳ ଗଠିତ ହେଉ ଯାହାର ନିର୍ଦ୍ଧାରଣ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କାର୍ଯ୍ୟକାରୀ କରନ୍ତୁ । ଏହି କାରୋନା କ୍ୟାବିନେଟ କେବଳ ମାତୃଭାଷାରେ ତାର ସମସ୍ତ ନିର୍ଦ୍ଧାରଣ ପ୍ରଦାନ କରୁ ।

ଦେଶବାସୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଯୌଥନେତୃତ୍ଵ ଏକାନ୍ତ ଆବଶ୍ୟକ ।

orissamatters॰comରେ ଏହା ପୂର୍ବରୁ ଆଲୋଚିତ ହୋଇଛି । ସଂଯୋଗ ସରଣୀ : https://orissamatters.com/2020/07/05/572020/

କେନ୍ଦ୍ର ସରକାରଙ୍କ ଯଥୈଛାଚାର ବିରୁଦ୍ଧରେ ଭାଷାପ୍ରାଣ ଜନବିବେକ ପ୍ରଫୁଲ୍ଲ ସମନ୍ତରାଙ୍କ ଅନଶନ ସତ୍ୟାଗ୍ରହ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଆଂଦୋଳନର ଦୃଢ ସମର୍ଥକ, ଜନବିବେକ ପ୍ରଫୁଲ୍ଲ ସମନ୍ତରା ଜୁନ ୨୫ରେ ଅନଶନ ସତ୍ୟାଗ୍ରହ କରି ରାଜନୈତିକ ସରକାରଙ୍କ ଯଥୈଛାଚାର ବିରୁଦ୍ଧରେ ଓଡ଼ିଶା ମାଟିରେ ପ୍ରଥମ ଅଣରାଜନୈତିକ ପ୍ରତିବାଦର ଅୟମାରମ୍ଭ କରିଛନ୍ତି ।

ଲୋହିଆ ଏକାଡ଼େମୀରେ ସେ ଚଳାଇଥିବା ୧୨ ଘଣ୍ଟିଆ “ଉପବାସ-ସତ୍ୟାଗ୍ରହ” ପ୍ରତି ସବୁ ବର୍ଗର ଓଡ଼ିଆମାନେ ସମର୍ଥନ ଜ୍ଞାପନ କରିଛନ୍ତି ।

ଏକ ବିବୃତ୍ତିରେ ସେ କହିଛନ୍ତି, ୪୩ ବର୍ଷ ପୂର୍ବେ ୧୯୭୫ ଜୁନ ୨୫ରେ ପ୍ରବର୍ତ୍ତିତ ଜରୁରୀ ପରିସ୍ଥିତି ଯେପରି ସାଧାରଣ ନାଗରିକର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଥିଲା, ଠିକ୍ ସେହିପରି ଆଜି ନରେନ୍ଦ୍ର ମୋଦୀଙ୍କ ୨ୟବାର କ୍ଷମତାରୋହଣ ପରେ ନାଗରିକ ଅଧିକାର ବିପଦାପନ୍ନ ହୋଇଛି ।

“ସାଂସାଦୀୟ ସଂଖ୍ୟା ବଳ ଦ୍ଵାରା ଅଗଣତାନ୍ତ୍ରିକ ଆଇନ ପ୍ରଣଯନ ହୋଇଚାଲିଛି । ନାଗରିକତା ସଂଶୋଧନ ଆଇନ ଜରିଆରେ ୧୯ କୋଟି ମୁସଲମାନଙ୍କୁ ୩ୟ ଶ୍ରେଣୀ ନାଗରିକ କରିବା ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଏହାର ଗଣତାନ୍ତ୍ରିକ ପ୍ରତିବାଦକୁ ଶାସକ ଦଳ ଓ ଶାସକ ସହ୍ୟ କରିବାକୁ ପ୍ରସ୍ତୁତ ନୁହେଁ । ସେଥିପାଇଁ ୪ ମାସର ଗର୍ଭବତୀ ଛାତ୍ରନେତ୍ରୀ ସଫୁରା ଜରଗରଙ୍କ ସମ୍ରଟ ବହୁ ଜମିଆମିଳିଆ ଜେ ଏନ୍ ୟୁ ଛତ୍ର ନେତା-ନେତ୍ରୀଙ୍କୁ ଜେଲରେ ରଖାଯାଇଛି କେନ୍ଦ୍ରୀୟ ପୋଲିସ ଦ୍ଵାରା । ସେହିପରି, ମିଥ୍ୟା ମାମଲାରେ ଦଳିତ-ଆଦିବାସୀମାନଙ୍କ ଅଧିକାର ତଥା ମାନବିକ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମରତ ପ୍ରଫେସର, ଓକିଲ, ଲେଖକ, ସାମ୍ବାଦିକ ଓ ଗଣଆନ୍ଦୋଳନ କର୍ମକର୍ତ୍ତାଙ୍କୁ ଜେଲରେ ରଖାଯାଇଛି । ଭିନ୍ନ ମତ ଦେଉଥିବା, ସମ୍ପ୍ରଦାୟିକ ଘୃଣା ରାଜନୀତିକୁ ବିରୋଧ କରୁଥିବା ବ୍ୟକ୍ତି ଓ ସଙ୍ଗଠନମାନଙ୍କ କଣ୍ଠରୋଧ କରିବାକୁ ଏପରି ଦମନ ଚଳାଇଛି କେନ୍ଦ୍ର ସରକାର ।”

କରୋନାମହାମାରୀ ଆଳରେ ଯେଉଁ ଲକ୍ଦଉନ ଜାରି କରାଯାଇଛି ତାକୁ କେନ୍ଦ୍ର ସରକାର ଜରୁରୀ ପରିସ୍ଥିତି ପରି ଉପଯୋଗ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

“ସାଧାରଣ ଜନତାଙ୍କ ପାଇଁ ତାହା ବନ୍ଦୀ ଘୋଷଣା ହୋଇଥିବା ବେଳେ ବଡ଼ ବଡ଼ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ହାତରେ ଆମ ଦେଶର ଜମି, ଜଙ୍ଗଲ ଓ ଖଣି ଲୁଟ ପାଇଁ ଦୁଆର ଖୋଲି ଦିଆଯାଇଛି । ଅଗଣତାନ୍ତ୍ରିକ ବାଟରେ ଅଧ୍ୟଦେଶ ଜାରି ହୋଇଛି ଆମ ରାଷ୍ଟ୍ରୀୟ ପ୍ରକଳ୍ପ ଓ ସମ୍ପଦ ହସ୍ତାନ୍ତର ପାଇଁ । ଶ୍ରମିକମାନଙ୍କ ଅଧିକାର ଛଡ଼ାଇନିଆଯାଇଛି । ପରିବେଶ ସୁରକ୍ଷା ଆଇନକୁ ଅକାମି କରିବାକୁ ଚିଠା ବିଲ୍ ପ୍ରସ୍ତୁତ କରାଯାଇଛି ।”

ଆଗାମୀ ଦିନରେ ରାଷ୍ଟ୍ରାବ୍ୟାପୀ ଗଣତନ୍ତ୍ର-ସମ୍ବିଧାନ ସୁରକ୍ଷା ଆନ୍ଦୋଳନ ଅପରିହାର୍ଯ୍ୟ  ବୋଲି  ସୁଚାଇ ଦେଇ , ଶ୍ରୀ ସମାନ୍ତରା ଲୋକଶକ୍ତି ଅଭିଯାନ ଓ ଜଣାନ୍ଦୋଳନାମାନଙ୍କ ରାଷ୍ଟ୍ରୀୟ ସମନ୍ଵୟ ତରଫରୁ ନିମ୍ନ ଦାବି ଉପସ୍ଥାପନ କରିଛନ୍ତି –

୧ – ସଫୁର ଜାରଗର ସମେତ ମିଥ୍ୟା ମାମଲାରେ ଜେଲରେ ଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ମାନବିକ ଅଧିକାର କର୍ମକର୍ତ୍ତାବୃନ୍ଦ, ଶ୍ରମିକନେତ୍ରୀ ତଥା ବରିଷ୍ଠ ଆଡଭୋକେଟ ସୁଧା ଭାରଦ୍ଵାଜ, ପ୍ରଫେସର ଆନନ୍ଦ ତୁଟୁଲମ୍ବରରେ, ପ୍ରଫେସର ସୋମ ସେନ, ପେୟାଫେସର ରୋନା ୱିଲସନ, ମାନବିକ ଅଧିକାର କର୍ମକର୍ତ୍ତା ଗୌତମ ନଭଲଖ, କବି ବରବରା ରାଓ, ଆଡଭୋକେଟସୁରେନ୍ଦ୍ର ଗଡ଼ଳିଙ୍ଗ, ଆଦିବାସୀ ସୁରକ୍ଷା କର୍ମକର୍ତ୍ତା ମହେଶ ରାଉତ, ଭେର୍ନନ ଗଂସ୍ଲେଭ, ଆଡଭୋକେଟ ଅରୁଣ ଫେରାଇରା ଓ ସାମ୍ବାଦିକ ସୁଧୀର ଧାଓଲେଙ୍କୁ କାରାଗାରରୁ ମୁକ୍ତ କରାଯାଉ ;

୨- ଭିନ୍ନ ମତବାଦୀ ଓ ସଙ୍ଖ୍ୟାଲଘୁଙ୍କ ଉପରେ ଦମନ ବନ୍ଦ ହେଉ;

୩- ମାନବିକ ଅଧିକାର ଓ ପ୍ରକୃତିର ସୁରକ୍ଷା ପାଇଁ ନ୍ୟାୟୋଚିତ ଆର୍ଥିକସମତାଭିତ୍ତିକ ବିକାଶ ନୀତି ପ୍ରଚାଳନ କରାଯାଉ ଓ ସାମ୍ବିଧାନିକ ତଥା ମାନବିକ ଅଧିକାରକୁ ସୁରକ୍ଷା ଦିଆଯାଉ ।