“ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆମ ଦଳ ପ୍ରତିଶୃତି ପ୍ରଦାନ କରୁଛି । ”
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଆନ୍ଦୋଳନର ସଭାପତିମଣ୍ଡଳୀ ସର୍ବଶ୍ରୀ ଗଜାନନ ମିଶ୍ର,ସୁଭାଷ ଚନ୍ଦ୍ର ପ୍ରଧାନ, କମଳଲୋଚନ ନାୟକ,ଅର୍ଜୁନ ଚରଣ ସାମନ୍ତରାୟ,ଡ଼.ଅଶୋକ ମିଶରର, ଗିରିଜକାନ୍ତ ମିଶ୍ର ଓ ଧ୍ରୁବଚରଣ ମହାନ୍ତି ସମସ୍ତ ରାଜନୈତିକ ଦଳକୁ ପତ୍ର ଲେଖି ସେମାନଙ୍କ ନିଜ ନିଜ ନିର୍ବାଚନ ଇସ୍ତାହାରରେ ଉପରୋକ୍ତ ପ୍ରତିଶୃତି ଦେବାପାଇଁ ଅନୁରୋଧ କରିଛନ୍ତି ।
ପ୍ରଦତ୍ତ ପତ୍ରର ନକଲ ନିମ୍ନରେ ପ୍ରଦାନ କରାଗଲା :
ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନା ପାଇଁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଏକ ଶାସନାଧୀନ କରିବା ସକାଶେ ସନ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଘୁମୁସରରେ ଯେଉଁ ସ୍ୱର ଉଠିଥିଲା, ତାହା ସମ୍ବଲପୁରର ଭାଷାଜାତୀୟତାରେ ଶାଣିତ ହୋଇ କୁଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀର ଐତିହାସିକ ଆନ୍ଦୋଳନ ଶୀର୍ଷରେ ୧୯୩୬ ଏପ୍ରିଲ ପହିଲାରେ ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସୃଷ୍ଟି କଲା । ଅତଏବ ଓଡ଼ିଆ ଭାଷାରେ ଶାସନ ହିଁ ଥିଲା ଓଡ଼ିଶା ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ।
ଦେଶ ସ୍ୱାଧୀନ ହେବା ପରେ ପାଳିତ ହୋଇଥିବା ପ୍ରଥମ ଉତ୍କଳ ଦିବସ ଦିନ ଅର୍ଥାତ୍ ୧୯୪୮ ଏପ୍ରିଲ ପହିଲା ଦିନ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ପୂର୍ବ-ବରଗଡ଼ର ପ୍ରତିନିଧି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓଡ଼ିଆ ଭାଷାକୁ ରାଜ୍ୟର ସରକାରୀ ଭାଷା କରିବା ପାଇଁ ସରକାରଙ୍କୁ ବିଧାନସଭା ପକ୍ଷରୁ ନିର୍ଦ୍ଦେଶ ଦିଆଯାଉ ବୋଲି ଏକ ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ତଦାନୀନ୍ତନ ସରକାରଙ୍କ ଅସହଯୋଗ ହେତୁ ତାହା ପାରିତ ହୋଇନଥିଲା ।
ଏହି ପ୍ରମାଦର ଅପସାରଣ ପାଇଁ, ସମ୍ବିଧାନ ପ୍ରଣୟନ ପରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୪ ରେ ଓଡିଶା ସରକାରୀ ଭାଷା ଆଇନ ପ୍ରଣୟନ କଲେ ଓ ତାହା ତତ୍କାଳ ଲାଗୁ ହେଲା । ସମଗ୍ର ଓଡ଼ିଶା ତହିଁର ପରିସରଭୁକ୍ତ ଥିବାବେଳେ ଓଡ଼ିଶାର ସମସ୍ତ ଓ ଯେକୌଣସି ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ହେବାକୁ ତହିଁରେ ଉଲ୍ଲେଖ ଅଛି, କିନ୍ତୁ ତହିଁର ଉଲ୍ଲଙ୍ଘନ ଦଣ୍ଡନୀୟ ହୋଇନଥିବା ହେତୁ, କେହି ତାହାକୁ ମାନୁନାହାନ୍ତି । ଏହି ତ୍ରୁଟି ସଂଶୋଧନ ସକାଶେ ଭାଷା ଆଇନରେ ବ୍ୟବସ୍ଥା କରାଯିବା ପାଇଁ ଆମର କଳାପତାକା ଅଭିଯାନ ଚାଲିଥିବା ବେଳେ ରାଜ୍ୟମନ୍ତ୍ରୀମଣ୍ଡଳ ୨୬.୧୨.୨୦୧୭ ତାରିଖରେ ଭାଷା ସମ୍ପର୍କୀୟ ୨୦ ଟି ପ୍ରସ୍ତାବ ଗ୍ରହଣ କରିଥିଲେ । ତହିଁର ୩ ନମ୍ବର ପ୍ରସ୍ତାବଟି ନିମ୍ନପରି:
“ସରକାରୀ ଭାଷା ଆଇନ ୧୯୫୪ ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋସ୍ଛାହିତ କରାଯିବ । ଏଥିପାଇଁ ବିଭାଗଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରସାଶନିକ ବ୍ୟବସ୍ଥା ତା୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ । ”
ଏହି ପ୍ରସ୍ତାବଟି ମୂଳ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ପାଇଁ ଉଦ୍ଦିଷ୍ଟ ଥିଲା । କାରଣ, ମୂଳ ଆଇନଟି ସାରା ଓଡ଼ିଶାରେ ପ୍ରଯୁକ୍ତ ହେବ ଏବଂ ଓଡ଼ିଶାର ସମସ୍ତ ଓ ଯେକୌଣସି ସରକାରୀ କାର୍ଯ୍ୟ ପାଇଁ ଓଡ଼ିଆହିଁ ଭାଷା ହେବ ବୋଲି ବ୍ୟବସ୍ଥା ଥିଲାବେଳେ, ଉପୋରକ୍ତ ପ୍ରସ୍ତାବଟିରେ “ବହୁଳ ବ୍ୟବହାର” କଥା କହି ଆଇନଟିର ସାମଗ୍ରିକ ବ୍ୟବହାରକୁ ସଂକୁଚିତ କରାହୋଇଥିଲା ଓ କେଉଁ “କ୍ଷେତ୍ରରେ” ଓଡ଼ିଆ ଭାଷାରେ କାମହେବ ଏବଂ ତାର “ନିର୍ଦ୍ଦିଷ୍ଟ ମାନଦଣ୍ଡ” କଣ ହେବ ତାହା ସରକାରୀ ବିଭାଗ ଗୁଡିକ “ନିର୍ଦ୍ଧାରଣ କରିବେ” ବୋଲି କହି “ସମସ୍ତ ଓ ଯେକୌଣସି ସରକାରୀ କାମ ପାଇଁ ଭାଷା ହେବ ଓଡ଼ିଆ” ବୋଲି ମୂଳ ଆଇନରେ ଯେଉଁ ବ୍ୟବସ୍ଥା ଥିଲା ତାହାକୁ ଏହି ପ୍ରସ୍ତାବ ଉଡାଇ ଦେବାପାଇଁ ଚାହିଁଥିଲା । ତା ଭିନ୍ନ ମୂଳ ଭାଷା ଆଇନଟି ୧୯୫୪ରେ ତତ୍କାଳ ଲାଗୁହୋଇଥିଲେ ମଧ୍ୟ “ପ୍ରସାଶନିକ ବ୍ୟବସ୍ଥା ତା୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ” ବୋଲି କହି ଏହା ଆଇନଗତ ବିଭ୍ରାନ୍ତି ସୃଷ୍ଟି କରିବା ସମ୍ଭାବନରେ ଥିଲା ଜର୍ଜରିତ ।
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏହାର ବିଶ୍ଲେଷଣ କରି ସର୍ବସାଧାରଣରେ ରଖିବା ପରେ ଓ ଏହା ଅବଗତ ହୋଇ ଆମ୍ଭେମାନେ କଳାପତାକା ଅଭିଯାନକୁ ଜୋରଦାର କରିବାପରେ ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟହୋଇ ୧୪.୦୩.୨୦୧୮ ଏହି ପ୍ରସଙ୍ଗ ଉପରେ ଆଉଥରେ ବସି ଉପରୋକ୍ତ ପ୍ରସ୍ତାବଟିକୁ ଅଳିଆଗଦାକୁ ଫିଙ୍ଗି ଦେଇଥିଲେ ଓ ଏକ ନୂତନ ପ୍ରସ୍ତାବ ଦ୍ୱାରା ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରସ୍ତାବ କରିଥିଲେ ।
କିନ୍ତୁ, ଦୁଃଖ ଓ ବିସ୍ମୟର କଥା ୦୧.୦୫.୨୦୧୮ ତାରିଖରେ ଯେତେବେଳେ ପ୍ରଟୀକ୍ଷିତ ସଂଶୋଧନ ଆସିଲା ଏବଂ “୪-କ” ନାମକ ଏକ ନୂତନ ଧାରା ଭାଷା ଆଇନରେ ସଂଯୋଜିତ ହେଲା, ସେତେବେଳେ ତହିଁର “ଉଦ୍ଦେଶ୍ୟ ଓ କାରଣ କଥନ”ରେ ୧୪.୦୩.୨୦୧୮ ର ପ୍ରସ୍ତାବ ପରିବର୍ତେ ୨୬.୧୨.୨୦୧୭ ର ପ୍ରସ୍ତାବକୁ ସେହି ସଂଶୋଧନର ଆଧାରଶିଳା ଭାବେ ଚିହ୍ନିତ କରାଗଲା ଏବଂ କେଵଳ ସେତିକି ନୁହେଁ , ଉକ୍ତ ପ୍ରସ୍ତାବର ବିକୃତିକରଣ କରାଯାଇ ଭାଷା ଆଇନ ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହାହେଲା, ଯାହାର ଅର୍ଥ , କର୍ମଚାରୀଙ୍କ ଭୁଲ ପାଇଁ ତାଙ୍କୁ ବା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯିବ। ଆମ୍ଭେ ଏହାର ପ୍ରତିବାଦ କରିବାରୁ ୨୦୧୮ ର ସେପ୍ଟେମ୍ବର ୧୯ ରେ “ଧାରା ୪-କ” ର ସଂଶୋଧନ କରାଯାଇ ତହିଁର ଅଵୈଧତାକୁ ଵୈଧ କରାଯାଇଛି । ଅତଏବ ଓଡ଼ିଶା ସରକାରୀ ଭାଷା ଆଇନର ମୂଳ ଉଦ୍ଦେଶ୍ୟକୁ ଓଡ଼ିଶା ସରକାର ବିଧାନସଭାକୁ ବ୍ୟବହାର କରି ମାରିଦେଇଛନ୍ତି ।
ଏହାର ପ୍ରତିକାର ପାଇଁ ଓଡ଼ିଆଜାତିକୁ ସାହାଯ୍ୟ କରିବା ସକାଶେ ଆପଣଙ୍କ ଦଳର ନିର୍ବାଚନ ଇସ୍ତାହାରରେ ନିମ୍ନ ପ୍ରତିଶୃତି ପ୍ରଦାନ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଅଛୁ:
“ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆମ ଦଳ ପ୍ରତିଶୃତି ପ୍ରଦାନ କରୁଛି । ”
ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପୂରଣ ପାଇଁ ଆମ ଏହି ଅନୁରୋଧ ରକ୍ଷା କରିବାକୁ ଅନୁରୋଧ ।