ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆଜି ଏପ୍ରିଲ ପହିଲା , ମା ଓଡ଼ିଶାର ଜନ୍ମଦିନ । ଆଜି ମଧ୍ୟ ଭାଷା ଆନ୍ଦୋଳନ, ଓଡ଼ିଶାର ଜନ୍ମଦିନ । ଆଇନ ଅଦାଲତରେ ଓଡ଼ିଆ ଭାଷାରେ କାର୍ଯ୍ୟ ସମ୍ପାଦନ ପାଇଁ ଓଡ଼ିଶା ରାଜ୍ୟଭାଷା ଆଇନ, ୧୯୫୪ର କାର୍ଯ୍ୟକାରିତା ଦାବିରେ ବଲାଙ୍ଗିର ଟିଟିଲାଗଡ଼ ନିବାସୀ ଅଧିବକ୍ତା ଗଜାନନ ମିଶ୍ର ୨୦୧୫ ଜୁଲାଇରେ ଯେଉଁ ଆମରଣ ଅନଶନ କରିଥିଲେ, ତାହା ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୋହଲାଇ ଦେଇଥିଲା ।
ଅଗତ୍ୟା ଏକ ମନ୍ତ୍ରୀସ୍ତରୀୟ କମିଟି ଗଢି ଆଇନଟି କିପରି କାର୍ଯ୍ୟକାରୀ ହେବ ତା ପାଇଁ ସେ କମିଟିର ପରାମର୍ଶ ମାଗିଲେ ଓ ସେହି ଭିତ୍ତିରେ ଗଜାନନ ବାବୁ ତାଙ୍କ ଅନଶନ ଧର୍ମଘଟ ବି ଭାଙ୍ଗିଲେ ।
ସେହି କମିଟିରେ ମୁଁ ଜଣେ ସଦସ୍ୟ ଥିଲି ।
ଆଇନର ଉଦ୍ଦେଶ୍ୟ ଥିଲା ସମଗ୍ର ଓଡ଼ିଶାରେ ସମସ୍ତ ଓ ଯେ କୌଣସି ଦାପ୍ତରିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର । ଅଥଚ, ଯିଏ ତହିଁର ଉଲ୍ଲଙ୍ଘନ କଲା , ତା ବିରୁଦ୍ଧରେ କୌଣସି ଦଣ୍ଡ ଦେବାପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଆଇନଟିରେ ନଥିଲା। ତେଣୁ କେହି ତାକୁ ମାନୁନଥିଲେ । ଦଣ୍ଡବିଧାନ ପାଇଁ ବ୍ୟବସ୍ଥା ଖଞ୍ଜିବାକୁ ଆଇନଟିର ସଂଶୋଧନ ସକାଶେ ମୁଁ ପ୍ରସ୍ତାବ ଦେଇଥିଲି ।
ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ ନକରିବା ପାଇଁ ନବୀନବାବୁ ଆଶ୍ଚର୍ଯ୍ୟଜନକ ପଦକ୍ଷେପମାନ ନେଲେ । କମିଟିର ଅଧିକାଂଶ ସଦସ୍ୟ ଯେହେତୁ ନବୀନଙ୍କ କରୁଣା କାମନା କରୁଥିଲେ, ମୋର ହୃଦ୍ବୋଧ ହେଲା, ମୋ ପ୍ରଦତ୍ତ ପରାମର୍ଶ ସପକ୍ଷରେ ଏକ ନୂଆ ଆନ୍ଦୋଳନ ନ କଲେ, ଓଡ଼ିଆରେ ଓଡ଼ିଶା ଚାଲିବା ସମ୍ଭବ ହେବ ନାହିଁ । ସୁତରାଂ ୨୦୧୬ ଏପ୍ରିଲ ପହିଲା ସକାଳେ ମୁଁ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲି ଓ ଓଡ଼ିଶାର ଜନସାଧାରଣଙ୍କ ପରାମର୍ଶ ଲୋଡ଼ି ଫେସବୁକ ପୃଷ୍ଠାରେ ଏକ ନିବେଦନ ରଖିଲି । ଦୁଇବର୍ଷ ତଳେ ନିଆଯାଇଥିବା ତହିଁର ସ୍କ୍ରିନସଟ୍ ନିମ୍ନରେ :

