ଭାଷା ମାଆ ପାଇଁ କବିତାଟିଏ //କରୁଣାକର ମଲିକ

[ଆମ ଭାଷାକୁ ମାରିଦେବା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତା କବଳରେ ପଡ଼ି ଆମ ଜାତିର ପରିଚୟ ଏବେ ବିପଦାପନ୍ନ । ତାକୁ ବିପଦମୁକ୍ତ କରିବା ପାଇଁ ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ, ତାହା ପ୍ରତ୍ୟାହୃତ ହୋଇସାରିଛି ବୋଲି ଏକଦା ଆନ୍ଦୋଳନ ପ୍ରତିଷ୍ଠତାଙ୍କ ଦୁଇ ସହଯୋଗୀଙ୍କଠାରୁ କଳା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଲେଖେଇନେଇଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷାକୁ ମାରିଦେବା ପାଇଁ ଏପରି କୁତ୍ସିତ ଚକ୍ରାନ୍ତ କରିବା ସାରା ବିଶ୍ଵରେ ବିରଳ । ବିଶ୍ଵରେ ବିରଳ ମଧ୍ୟ ଆମ ଆନ୍ଦୋଳନ ପରି ଏକ ଆନ୍ଦୋଳନ, ଯାହା ନିଜର ମାତୃଭାଷାକୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ନୀରବରେ ନିଜର ଦାବି ନିବେଦନ କରିପାରେ । ଏହି ଆନ୍ଦୋଳନ ଏତେ ନୀତିନିଷ୍ଠ ଯେ, କରୋନା ପରିଚାଳନାରେ ସରକାରଙ୍କୁ ଚାପମୁକ୍ତ  ରଖିବା ପାଇଁ ଏହା ପ୍ରତ୍ୟହ ଚଳାଇଥିବା କଳାପତାକା ଅଭିଯାନକୁ କାୟିକତଃ ସ୍ଥଗିତ ରଖିଛି ; କିନ୍ତୁ ଅବ୍ୟାହତ ରଖିଛି ବୌଦ୍ଧିକ ସ୍ତରରେ । ପ୍ରତିଦିନ ଆନ୍ଦୋଳନର ଦାବି ଅଦ୍ୟତନ କରାଯିବା ସଙ୍ଗେ ସଙ୍ଗେ ପ୍ରତି ରବିବାର ସନ୍ଧ୍ୟା ୭ରୁ ଚାଳୁଛି ନଭମଞ୍ଚ ମାଧ୍ୟମରେ ଏହାର  ସାରସ୍ଵତ ସାଙ୍ଗଠନିକ ଅଧିବେଶନ ; ଏବଂ ପ୍ରତି ସୋମବାର ପୂର୍ବାହ୍ନ ୧୦ରେ ଫେସବୁକରେ ଥିବା  ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଜଣେ ବିଜ୍ଞ ଓଡ଼ିଆ ଆନ୍ଦୋଳନର ଦାବି ଯଥାର୍ଥ ଓ ତାହାକୁ ସରକାର ମାନିନିଅନ୍ତୁ ବୋଲି ସାରଗର୍ଭକ ପରାମର୍ଶ ଦେଉଛନ୍ତି ସରକାରଙ୍କୁ । ବିଶ୍ଵର ଆନ୍ଦୋଳନ ଇତିହାସରେ ଏହା ଯେତିକି ବିରଳ, ସେତିକି ଅଭିନବ । ଏହି କ୍ରମରେ ଅନୁଷ୍ଠିତ ରବିବାସରୀୟ ଅଧିବେଶନରେ ଯେଉଁ ସମସ୍ତ ଭାଷାମନସ୍କ  କବିତା ଉପସ୍ଥାପିତ ହେବ, ସେଗୁଡ଼ିକୁ ଏହି ମଞ୍ଚରେ ଆମେ ‘ଭାଷା ମାଆ ପାଇଁ କବିତାଟିଏ ‘ ପୃଷ୍ଠାରେ ସ୍ଥାନିତ କରିବୁ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ )]

                                                                                                  ମାତୃଭାଷା 

ଏଥୁ ଅନନ୍ତରେ ଶୁଣ ମୋର ସୁଧୀ ଜନ
ମାତୃଭାଷା କଥା ଏବେ କରୁଛି ବଖାଣ ।
                               ଯା ମାଟି,ପାଣି,ପବନେ ଏ ଶରୀର ଗଢା
                              ସେହି ଏକା ମାଟି ମାଆ ବୁଝିଥା ବାପୁଡା।
ତାହାରି ସେବା କରିବୁ ଗାଇବୁ ତା ଗୁଣ
ସେହି ଭାଷା ତୋ ପାଇଁ ଅଟଇ ମହାନ।
                              ମାଆ ଶିଖାଇବା ଭାଷା ତୋର ମାତୃଭାଷା
                             ସେ ଭାଷା ବିଦ୍ରୁପ କଲେ ହେବୁ ଲୋକହସା।
ଓଡିଶା ମାଟିରେ ଜନ୍ମ ଓଡିଆ ତୋ ଭାଷା
ଭାଷା ର ବିକାଶ ହେଲେ ହେବୁ ତୁ ରେ ଯଶା।
                            ନିଜ ଭାଷା ଛାଡି ତୁ ଯେ ହେଉ ବାଟ ବଣା
                            ଜ୍ଞାନ ଗାରିମା ଦେଖାଉ ଏ କି ବିଚାରଣା ।
ମାଉସୀ ଗୁଣ ଗାଉଛୁ ମାଆ ହୁଏ ପର
କିବା ଜ୍ଞାନ ଅଛି ତୋର ହେଉ ହରବର।
                            ମାଆ, ବାବା ଡାକରେ ଯେ କେତେ ଆତ୍ମୀୟତା
                            ଡାଡି,ମମି ଡାକି ଖାଲି କରୁଛୁ ଦୂରତା ।
ପ୍ରତ୍ୟେକ କଥାରେ କହୁ ବିଦେଶୀ ଭାଷାକୁ
ମାଆର ଭାଷା କି ଭଲ ନ ଲାଗେ ମନକୁ ।
                           ନମସ୍କାର ଭୁଲି ଏବେ ହାଏ,ବାଏ,ହ୍ଯାଣ୍ଡସେକ୍
                          ନମ୍ରତା ଭକ୍ତି ଭାବନା ଯାଏ କରି ହତବାକ୍ ।
କୁନା,କୁନି, ମୁନା,ମୁନି ଡାକ କେଣେ ଗଲା
କି ନାମ ରଖିଲେ ବାପା ଆଈ ନ ବୁଝିଲା ।
                           ଆରେ ବାବୁ ବାପଧନ କେତେ ସୁମଧୁର
                           ଆଜ୍ଞା, ସାର୍ ,ଅମୁକ ବାବୁ ଲାଗେ କି ନିଜର ?
ବିଦେଶୀ ଭାଷା କହି ତୁ ଭାବୁଅଛୁ ଜ୍ଞାନୀ
କହିଲେ କହୁଛୁ ପୁଣି ଭୁଲି ତୁ ଗଲୁଣି ।
                           ଇଂରାଜୀ ପଢୁଆ ବାବୁ ଓଡିଶାରେ ଘର
                           ଓଡିଆ ଭାଷାରେ କହି ନ ପାରନ୍ତି ସତ୍ବର ।
ଖଣ୍ଡି ଇଂରାଜୀ କହନ୍ତି ପ୍ରତି ପଦେ ପଦେ
ଜ୍ଞାନୀ ପାଠୁଆ ବୋଲାନ୍ତି ସାହିତ୍ୟ ଜଗତେ ।
                           ପ୍ରବାସୀ ଓଡିଆ ଭାଇ ବିଦେଶରେ ଛନ୍ତି
                           ଓଡିଆ ଭାଷା ଶୁଣି ମୁହଁ ବୁଲାଅନ୍ତି ।
ପରିଚୟ ଦେବାପାଇଁ ମନେ ନ କରନ୍ତି
ଯଦି ଚିହ୍ନା ହୋଇଗଲ ,ଇଂରାଜୀ କହନ୍ତି ।
                            ପାଟିରେ ପଶୁନି ଆଉ ସେ ଓଡିଆ ଶବ୍ଦ
                            ବେଶୀ ଦିନ ଛାଡିଲିଣି ଓଡିଶା ଭୁବନ।
ତଥାପି କେତେକ ଭାଇ ଛନ୍ତି ବିଦେଶରେ
ଭାଷା ପାଇଁ ହୃଦ କାନ୍ଦେ କହନ୍ତି ବ୍ଯାକୁଳେ ।
                           ଏବେ କହୁଅଛି ବାବୁ ଶୁଣ ମୋର କଥା
                            ଭୁଲ ନାହିଁ କେବେ ଆମ ଭାଷାର ମମତା ।
କରୁଅଛି ନିବେଦନ ଓଡିଶା ବାସୀଙ୍କୁ
ଭାଷାର ଟେକ ରଖିବା ଜିତିବା ଜଗତକୁ ।
                            ଧନ୍ୟ ମୋ ଓଡିଶା ମାଟି ଧନ୍ଯ ମୋର ମାଆ
                            ତାର ଭାଷା ସୁରକ୍ଷା ହେବ ଦେଖିବ ଦୁନିଆ ।

ତାର୍ଲାକୋଟା, ମାଲକାନଗିରି

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.