ମୋ ଭାଷା ମହାନ, ଅଥଚ ……

କୃଷ୍ଣପ୍ରିୟା ମହାପାତ୍ର
(ଅନୁଭୁତିରୁ ଖିଏ)

[ଆମ ମାତୃଭାଷା ଆମ ନିଜ ସରକାରଙ୍କ ପରିସୃଷ୍ଟ ସଙ୍କଟରେ ପଡ଼ି ଏପରି ଭାବେ ପ୍ରାଣସତ୍ତା ହରାଇ ବସିଲାଣି ଯେ, ଆମ ଲୋକେ ନିଜ ପିଲାଙ୍କୁ ଅନ୍ୟ ଭାଷା – ଇଂରାଜୀ ବା ହିନ୍ଦୀ – ପଢିବାକୁ  ବାଧ୍ୟ କରୁଛନ୍ତି, ଯଦିଓ ତାହା ହିଁ ସେମାନଙ୍କ ପ୍ରାକୃତିକ ବାକ୍-ପଟୁତାର ଅନ୍ତରାୟ ହେଉଛି, ସ୍ଵାଭାବିକ ବୌଦ୍ଧିକ ବିକାଶର ବାଧକ ହେଉଛି ଓ ସ୍ଵଚ୍ଛନ୍ଦ ବିଦ୍ୟାର୍ଜନର ପରିପନ୍ଥୀ ହେଉଛି । ଏହି ହୃଦୟବିଦାରକ ଲେଖାଟି ଲେଖିକାଙ୍କ  ଅନୁଭୂତିର ଏପରି ଏକ ବିବରଣୀ, ଯାହା ଓଡ଼ିଆ ଜାତି ଉପରେ ଓଡ଼ିଶା ସରକାର ଲଦିଚାଲିଥିବା ଅଣଓଡ଼ିଆ ଭାଷାପ୍ରୀତିର ପରିଣତି କେତେ ଭଯାବହ ତାହା ସ୍ପଷ୍ଟ କରେ । (ସମ୍ପାଦକ)]

ସକାଳୁ ସକାଳୁ କାହାର ପାଟିରେ ମୋ’ ନିଦଟା ଭାଙ୍ଗିଗଲା । ଯେଉଁପଟୁ ପାଟି ଶୁଭୁଥିଲା ,ସେଇ ପଟକୁ ଯାଇ ,ମୁଁ ଚାରିଆଡକୁ ଚାହୁଁ ଥାଏ, କିଏ ଏତେ ଜୋରରେ ପାଟିକରୁଚି ଦେଖିବା ପାଇଁ । ସେତେବେଳକୁ ଟିକେ ଟିକେ କାହାର କାନ୍ଦ ମଧ୍ୟ ଶୁଭିଲା। ପରେ ମୁଁ ଜାଣିଲି ଆମଘର ପାଖରେ ଯେଉଁ ଘରଟି ଖାଲି ଥିଲା, ସେଇ ଘରେ ଜଣେ ସ୍ତ୍ରୀଲୋକ ତାଙ୍କର ପରିବାର ସହିତ ଭଡ଼ା ରହୁଛନ୍ତି। ତାଙ୍କରି ଘରେ ଗୋଟିଏ ଛୋଟ ପିଲା କାନ୍ଦୁଛି । ଆମ ଛାତ ଉପରେ ଠିଆ ହେଲେ, ତାଙ୍କ ଅଗଣା ଦିଶେ । ମୁଁ ତାଙ୍କ ଅଗଣାକୁ ଚାହିଁଲି,ସେଇ ପିଲାଟିକୁ ଦେଖିପାରିବି ବୋଲି; ଆଉ ନିକଟକୁ ଯାଇ ଜାଣିଲି ସେ କଣପାଇଁ ପାଟି କରୁଥିଲେ ।ପିଲାଟି ମା’କୁ ଭୟରେ ଚାହିଁ ରହିଚି ଆଉ କୋହରି ହୋଇ କାନ୍ଦୁଛି ! କୌତୁହଳବଶତଃ ମୁଁ ତାଙ୍କ ଘରକୁ ନଜର କରୁଥିବାର ଜାଣିଗଲେ ସେଇ ମହିଳା ଜଣଙ୍କ, ମୋତେ ଉପରେ ଠିଆ ହୋଇଥିବାର ଦେଖି ଅତି ଆବେଗ ର ସହ ଝିଅଟିକୁ ଦେଖାଇ କହିଲେ, “ଦେଖୁନ ଭାଉଜ ! ଏ ପିଲାକୁ ମୁଁ ଯେତେ କହୁଛି ସକାଳୁ ଉଠି ଟିକେ ପଢିବା ପାଇଁ ସେ ମୋ କଥା ଶୁଣୁନି ।”

ତାଙ୍କ କଥା ଶୁଣିବା ଅବସ୍ଥାରେ ମୁଁ ସେଇ ଛୁଆକୁ ଚାହିଁଲି । ପିଲାଟିକୁ ଦୁଇରୁ ତିନି ବର୍ଷ ଭିତରେ ବୟସ,ଦୁର୍ବଳ ସ୍ୱାସ୍ଥ୍ୟ ,ଠିକ୍ ଭାବେ କଥା କହି ପାରୁନାହିଁ , ପାଟିଲାଗୁଛି ; ମା’ର ପାଟିରେ ଭୟ କରି ଗୋଟେ ପଟକୁ ସାଙ୍କୁଡ଼ି ହୋଇ ଠିଆ ହୋଇଛି ।ମୋତେ ଟିକେ ଚାହିଁ ଦେଉଛି, ତା ପରେ ତା ମାଙ୍କୁ ଚାହିଁ କୋହରି ହୋଇ କାନ୍ଦୁଛି ।

ଛୋଟ ପିଲାଙ୍କ ପ୍ରତି ମୋର ଢେର ଦୁର୍ବଳତା । ତାର ଏ ଅବସ୍ଥା ଦେଖି ମୁଁ ଟିକେ ଉଚ୍ଚ ସ୍ୱରରେ କହିଲି, କାହିଁକି ତାକୁ ବାଧ୍ୟ କରୁଚ !  ତାର ତ ଏବେ ଖେଳିବା ବୁଲିବା ସମୟ ,ଏବେ ତାକୁ ପଢିବା ପାଇଁ କହିଲେ ସେ କାନ୍ଦିବନି ? ଆଉ ଟିକେ ବଡ଼ ହେଲେ,ବଳେ ପଢିବ । ସେତେ ବେଳକୁ ତାକୁ ଆଉ ଖେଳିବାକୁ ସମୟ ମିଳିବନି ! ପଢିବାକୁ ତ ଜୀବନ ସାରା ପଡିଛି । ମୋ କଥା ଶୁଣି ମହିଳା ଜଣକ ବୋଧହୁଏ ଟିକେ ରାଗି ଗଲେ। ମତେ କିଛି କହି ନ ପାରି କଥା ବଦଳେଇବା ପାଇଁ ଅନ୍ୟ ଏକ ବିଷୟରେ ଧ୍ୟାନ ଦେଲେ ଓ ଘର ଭିତରକୁ ଚାଲିଗଲେ।

ମୁଁ ପିଲାଟିକୁ ଚାହିଁ ହସିଦେଲି ,ସତେ ଯେମିତି ସେ ମୋ’ ଠାରୁ ଗୁଡ଼ାଏ ସାହସ ପାଇଗଲା । ସେତେବେଳେ ତା’ ମୁହଁକୁ
ଦେଖି ମୋତେ ବହୁତ ଖୁସି ଲାଗିଲା।

ସେଇ ଦିନ ଠାରୁ ତାର ମୋର ବୋଧେ ବନ୍ଧୁ ହୋଇଗଲୁ ,କାରଣ ସେ ମୋତେ ଦେଖିଲେ ବହୁତ ଖୁସି ହୁଏ। ଝିଅଟିର ବାପା ଗୋଟିଏ ଟ୍ରାଭେଲ ଏଜେନ୍ସି କରିଛନ୍ତି । ଘରକଥା ବୁଝିବା ପାଇଁ ତାଙ୍କୁ ସମୟ ନଥାଏ। ଝିଅଟି କିନ୍ତୁ ଭାରି ଭଲ ପାଏ ତା ବାପାଙ୍କୁ , ରାତି ଅଧ ଯାଏ ଅପେକ୍ଷା କରି ଥାଏ କେତେବେଳେ ବାପା ଆସିବେ, ମାଙ୍କୁ ପଚାରି ପଚାରି ବ୍ୟସ୍ତ କରି ପକାଏ । ବେଳେ ବେଳେ ବାପାଙ୍କୁ ଅପେକ୍ଷା କରି ଶୋଇପଡେ । ତାପରଦିନ ସକାଳୁ ଉଠି ବାପାଙ୍କ ସଙ୍ଗେ ବହୁତ ଖେଳେ , ଆଉ ଖୁସି ହୁଏ ।ପିଲାଟି ସବୁବେଳେ ଚୁପ୍ ରହେ, ବେଶି କଥାବାର୍ତ୍ତା କରେ ନାହିଁ । ଯେତେବେଳେ ସେ କିଛି କହେ ତ ହିନ୍ଦୀରେ , ସେଇ କଥା ତକ ଭଲରେ ବୁଝି ହୁଏନି, କାରଣ ତାର ପାଟି ଲାଗେ ଓ ଉଚ୍ଚାରଣ ଠିକ୍ କରିପାରେନାହିଁ । ଝିଅଟିର ମା’ ଜଣେ ସୁଗୃହିଣୀ, ଘରର ସବୁ ଦାୟିତ୍ୱ ତାଙ୍କୁ ନେବାକୁ ପଡେ। ପିଲାର ସବୁକଥା ସେହିଁ ବୁଝନ୍ତି; ବହୁତ ପରିଶ୍ରମୀ ଏବଂ ଯତ୍ନଶୀଳା । ପିଲାର ସମସ୍ତ ଅଭାବକୁ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି । ହେଲେ ଗୋଟିଏ ଭୁଲ ଧାରଣା ତାଙ୍କ ମନରେ ରହିଛି, ପିଲାବେଳୁ ହିନ୍ଦୀ ଆଉ ଇଂରାଜୀଭାଷାରେ କଥା କହିଲେ ଭଲ; ଆଉ ତାକୁ ବାଧ୍ୟ କରି ସେହି ଭାଷାରେ ପାଠ ପଢାନ୍ତି ।

ସବୁଦିନ ସକାଳୁ ସକାଳୁ ତାଙ୍କର ପାଟି ଶୁଭେ,ଘର କାମ କରି କରି ଝିଅକୁ ପାଠ ପଢିବା ପାଇଁ ବାଧ୍ୟ କରୁଥାଆନ୍ତି । ଇଂରାଜୀରେ କଥା ହୁଅନ୍ତି ଝିଅ ସହିତ , ଓଡ଼ିଆ ଭାଷା ଜମା କହନ୍ତି ନାହିଁ , ପିଲାଟି ତାଙ୍କ କଥାକୁ ଦୋହରାଉଥାଏ । ତାଙ୍କ ଘରକୁ ଯଦି କିଏ ବନ୍ଧୁବାନ୍ଧବ ଆସିଲେ ପିଲାଟି ଖୁସି ହୁଏ, କିନ୍ତୁ କଥା ହୁଏନାହିଁ ; କାରଣ ତାକୁ ଓଡ଼ିଆ ଆସେ ନାହିଁ ।
ଘରକୁ ଆସିଥିବା ଲୋକମାନଙ୍କୁ ହୁଏତ ହିନ୍ଦୀ ଇଂରାଜୀ ଜଣା ନଥାଏ କିମ୍ବା ଜାଣିଥିଲେ ମଧ୍ୟ କହିବାକୁ ସୁବିଧା ଲାଗେନାହିଁ ।ଓଡ଼ିଆ ଭାଷା ରେ ଅଭ୍ୟସ୍ତ ହେଇ ,ଅନ୍ୟ ଭାଷାରେ କଣ ପାଇଁ ଜଣେ କଥା ହେବାକୁ ଭଲପାଇବ, ପୁଣି ଜଣେ ଓଡ଼ିଆ ଲୋକ ସହିତ । ତେଣୁ ପିଲାଟି କାହା ସହ କଥା ହୁଏ ନାହିଁ । ବାପାଝିଅ ଯେତେବେଳେ କଥା ହେବେ, ମା ସେପଟୁ କହୁଥିବାର ଶୁଭିବ, “ହିନ୍ଦୀମେ ମେ ବାତ କରୋ! ହିନ୍ଦୀମେ !”

ଯେଉଁ ବୟସରେ ପିଲାଏ କଥା କହି କହି ଘରକମ୍ପାଇବା କଥା, ସେତେବେଳେ ପିଲାଟି ଚୁପ୍ ରହୁଛି, ନହେଲେ ଡରି ଡରି ହିନ୍ଦୀ ଇଂରାଜୀ କହୁଛି । ସାହିରେ ଥିବା ଅନ୍ୟ ପିଲାମାନେ ବାହାରେ ଖେଳୁଥାନ୍ତି , ପିଲାଟି ଆସି ଦେଖେ ; ସେମାନେ ନିଜ ନିଜ ଭିତରେ ଓଡ଼ିଆରେ କଥା ହେଉଥାନ୍ତି । ଏ ଝିଅଟି ଚୁପଚାପ ଠିଆ ହୋଇ ଦେଖେ, କାହା ସହିତ ମିଶି ପାରେନାହିଁ ।
ସେତେବେଳେ ତା ମାଆ ଆସି କହନ୍ତି, “ହିନ୍ଦୀ ମେ ବାତ୍ କରୋ ୟେ ସମଝିତି ନହିଁ ।” ସେ ପିଲାମାନେ ଶୁଣନ୍ତି ନାହିଁ। ଖେଳର ମଜା ଉଠଉଥିବା ବେଳେ କିଏ କାହିଁକି ଅନଭ୍ୟସ୍ତ ଭାଷା ବ୍ୟବହାର କରିବ ? ସେଠି ଝିଅଟି କେତେ ସମୟ ଠିଆ ହୁଏ, ତାପରେ ଘରକୁ ଚାଲି ଯାଏ ।

ମୋ ସହିତ ଦେଖାହେଲେ ମୁଁ ତାକୁ ମୋ ପାଖରେ ବସାଇ ଗେଲ କଲେ, ସିଏ ବହୁତ ଖୁସି ହୁଏ । ତୋ ନାଁ କଣ ? ପଚାରିଲେ ଖାଲି ଚାହେଁ ,କିଛି ଉତ୍ତର ଦିଏ ନାହିଁ । ମୁଁ ଜାଣେ ସିଏ ଓଡ଼ିଆ ବୁଝି ପାରୁନି ।

ଥରେ ମୁଁ ତା ମାଙ୍କୁ କହିଲି, ତମେ ତାକୁ ଓଡ଼ିଆରେ କଥା କହୁନ , ଘରେ ଓଡ଼ିଆ କହିଲେ ସିନା ସିଏ ଆମ ସହିତ କଥା ହେବ; ସେଥିପାଇଁ ସେ କାହା ସହିତ ମିଶି ପାରୁନି । .ଆଗ କାହିଁକି ତାକୁ ହିନ୍ଦୀ ଶିଖଉଛ ? ସ୍କୁଲରେ ପଢିଲେ ବଳେ ଶିଖିଯିବନି ? ମୋ କଥା ନସରୁଣୁ ବୁଝେଇବା ଢଙ୍ଗରେ କହିଲେ, ତମେ ଜାଣିନ ଭାଉଜ ଆଜିକାଲି ପିଲାମାନଙ୍କୁ ଘରୁ ହିନ୍ଦୀ ଇଂରାଜୀ ଶିଖେଇ ସ୍କୁଲରେ ଆଡ଼ମିସନ କରିବାକୁ ପଡେ । ସେଠି ସିଏ ଓଡ଼ିଆ କଥା କହିଲେ ଟିଚରମାନେ ଭାବିବେ ଆମେ ପାଠପଢିନୁ । ହିନ୍ଦୀ ଇଂରାଜୀ କହୁଥିବା ପିଲାମାନେ ସ୍ମାର୍ଟ ଆଉ ଈଣ୍ଟେଲିଜେନ୍ଟ । ଓଡ଼ିଆ ଭାଷା କହିଲେ କହିବେ ଆଉଟଡ଼େଟେଡ଼ , ମଫସଲିଆ ।  ଆଉ, ଯଦି ତୁମେ କେବେ ଓଡିଶା ବାହାରକୁ ଯାଅ, ସେଠି ଓଡ଼ିଆ କହିଲେ କେହି ତ ବୁଝି ପାରିବେନି, ଓଲଟା ତୁମକୁ ଓଡ଼ିଆ ବୋଲି ଜାଣିଲେ ଖରାପ ବ୍ୟବହାର କରିବେ । ଆଜିକାଲି ଇଂରାଜୀ ମାଧ୍ୟମ ସ୍କୁଲରେ ଓଡ଼ି଼ଆ ପଢା ହେଉନାହିଁ , ଯଦିବା ପଢା ହେଉଛି ତେବେ ଖୁବ୍ କମ ମାର୍କର । ତେଣୁ ପରୀକ୍ଷା ପାଇଁ ଯେମିତି ସେମିତି ପଢ଼ି ଦେଲେ ଗଲା । ତେଣୁ ଓଡ଼ିଆ ଶିଖି କଣ ଲାଭ ମିଳିବ ?

ମୁଁ ତାଙ୍କ କଥାଶୁଣି ରାଗିଗଲି । ତାଙ୍କ ମନରେ ଓଡ଼ିଆ ଭାଷାକୁ ନେଇ ଏତେ ହୀନମନ୍ୟତା ଅଛି ବୋଲି ଜାଣିଲା ପରେ, ସେଠି ଠିଆ ହୋଇ କଥାହେବାକୁ ମୋତେ ଘୃଣାଆସିଲା । ମୁଁ ମୋ ମାତୃଭାଷାକୁ ନେଇ ଗର୍ବ ଅନୁଭବ କରେ । ମୁଁ ଟିକେ ବିରକ୍ତ ହୋଇ ତାଙ୍କୁ କହିଲି, ତମେ ଓଡ଼ିଆ ହୋଇ ଓଡ଼ିଶାର ପାଣି ପବନରେ ବଢ଼ି, ନିଜ ଭାଷାକୁ ନିନ୍ଦା କରୁଛ ? ନିଜଭାଷାର ଉନ୍ନତି ନିମନ୍ତେ କେତେ ମହାପୁରୁଷ ନିଜକୁ,ନିଜ ସ୍ଵାର୍ଥକୁ ତ୍ୟାଗ କରି ଦେଇଛନ୍ତି । ଆମେ ଯଦି ନିଜକୁ ଓଡ଼ିଆ କହିବାକୁ ଲଜ୍ୟା ଅନୁଭବ କରିବା, ତେବେ ଏ ଭାଷା ଦିନେ ଲୋପ ପାଇଯିବ ; ଆଉ କେତେକ ରାଜ୍ୟର ଲୋକେ ମାତୃଭାଷା ଛଡ଼ା ଅନ୍ୟ ଭାଷାରେ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଅଥଚ ଆମେ ପିଲାଙ୍କୁ ଓଡ଼ିଆ ଶିଖିବାକୁ ଆଗ୍ରହୀ କରାଇବା ପରିବର୍ତ୍ତେ, ତାଙ୍କୁ
ଓଡ଼ିଆ ଭାଷାର ଅନାଦର କରିବାକୁ ପ୍ରଵର୍ତ୍ତାଉଛେ !

ମୋ କଥା ଶୁଣି ଭଦ୍ର ମହିଳା ଜଣକ ଚୁପ୍ ରହି ଥିଲେ ସିନା, କିନ୍ତୁ ତାଙ୍କ ମନରେ ନିଜ ଭାଷାପ୍ରତି ଥିବା ଅବଜ୍ଞା ଭାଵଟା ମୋର ଅସହଣୀୟ ଥିଲା । ତେଣୁ ମୁଁ ସେଠାରୁ ଚାଲି ଆସିବାକୁ ଶ୍ରେୟଃସ୍କର ମନେକଲି ।
                                                                       (ପଞ୍ଚମୁଖି ଚଉରା, ଜେନାମଠ ଲେନ, ପୁରୀ ,ପିନ୍ -୭୫୨୦୦୧)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.