ଭାଷା ମା ପାଇଁ କବିତାଟିଏ // ଶଶୀକାନ୍ତ ପଣ୍ଡା

[ଆମ ଭାଷାକୁ ମାରିଦେବା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତା କବଳରେ ପଡ଼ି ଆମ ଜାତିର ପରିଚୟ ଏବେ ବିପଦାପନ୍ନ । ତାକୁ ବିପଦମୁକ୍ତ କରିବା ପାଇଁ ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ, ତାହା ପ୍ରତ୍ୟାହୃତ ହୋଇସାରିଛି ବୋଲି ଏକଦା ଆନ୍ଦୋଳନ ପ୍ରତିଷ୍ଠତାଙ୍କ ଦୁଇ ସହଯୋଗୀଙ୍କଠାରୁ କଳା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଲେଖେଇନେଇଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷାକୁ ମାରିଦେବା ପାଇଁ ଏପରି କୁତ୍ସିତ ଚକ୍ରାନ୍ତ କରିବା ସାରା ବିଶ୍ବରେ ବିରଳ । ବିଶ୍ବରେ ବିରଳ ମଧ୍ୟ ଆମ ଆନ୍ଦୋଳନ ପରି ଏକ ଆନ୍ଦୋଳନ ଯାହା ନିଜର ମାତୃଭାଷାକୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ନୀରବରେ ନିଜର ଦାବି ନିବେଦନ କରିପାରେ । ଏହି ଆନ୍ଦୋଳନ ଏତେ ନୀତିନିଷ୍ଠ ଯେ, କରୋନା ପରିଚାଳନାରେ ସରକାରଙ୍କୁ ଚାପମୁକ୍ତ  ରଖିବା ପାଇଁ ଏହା ପ୍ରତ୍ୟହ ଚଳାଇଥିବା କଳାପତାକା ଅଭିଯାନକୁ କାୟିକତଃ ସ୍ଥଗିତ ରଖିଛି ; କିନ୍ତୁ ଅବ୍ୟାହତ ରଖିଛି ବୌଦ୍ଧିକ ସ୍ତରରେ । ପ୍ରତିଦିନ ଆନ୍ଦୋଳନର ଦାବି ଅଦ୍ୟତନ କରାଯିବା ସଙ୍ଗେ ସଙ୍ଗେ ପ୍ରତି ରବିବାର ସନ୍ଧ୍ୟା ୭ରୁ ଚାଳୁଛି ନଭମଞ୍ଚ ମାଧ୍ୟମରେ ଏହାର  ସାରସ୍ଵତ ସାଙ୍ଗଠନିକ ଅଧିବେଶନ ; ଏବଂ ପ୍ରତି ସୋମବାର ପୂର୍ବାହ୍ନ ୧୦ରେ ଫେସବୁକରେ ଥିବା  ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଜଣେ ବିଜ୍ଞ ଓଡ଼ିଆ ଆନ୍ଦୋଳନର ଦାବି ଯଥାର୍ଥ ଓ ତାହାକୁ ସରକାର ମାନିନିଅନ୍ତୁ ବୋଲି ସାରଗର୍ଭକ ପରାମର୍ଶ ଦେଉଛନ୍ତି ସରକାରଙ୍କୁ । ବିଶ୍ଵର ଆନ୍ଦୋଳନ ଇତିହାସରେ ଏହା ଯେତିକି ବିରଳ, ସେତିକି ଅଭିନବ । ଏହି କ୍ରମରେ ଅନୁଷ୍ଠିତ ରବିବାସରୀୟ ଅଧିବେଶନରେ ଯେଉଁ ସମସ୍ତ ଭାଷାମନସ୍କ  କବିତା ଉପସ୍ଥାପିତ ହେବ, ସେଗୁଡ଼ିକୁ ଏହି ମଞ୍ଚରେ ଆମେ ‘ଭାଷା ମାଆ ପାଇଁ କବିତାଟିଏ ‘ ପୃଷ୍ଠାରେ ସ୍ଥାନିତ କରିବୁ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ )]

                                                                             ଶବ୍ଦ-ଭାଷା

                                                                                          ଶଶୀକାନ୍ତ ପଣ୍ଡା,ଅସୁରେଶ୍ୱର, କଟକ।

ଶବ୍ଦ ବ୍ରହ୍ମ, ଶବ୍ଦ ପୁଣ୍ୟ, ଶବ୍ଦ ସନାତନ,
ଵିଦ୍ୟାଦାତ୍ରୀ ସରସ୍ୱତୀ ଦେବୀ କଣ୍ଠସ୍ଵନ;
ଦିବ୍ୟ ଶବ୍ଦମୟ ଭାଷା ,ହୃଦୟ ସ୍ପନ୍ଦନ,
ଭାଷା ପୂଜନୀୟା ମାତା, ପ୍ରାପ୍ତ ଶୀର୍ଷସ୍ଥାନ;

ବ୍ରହ୍ମଶବ୍ଦ ଓଁ କାରୁ ,ବ୍ରହ୍ମାଣ୍ଡ ସୃଜନ,
ଅନନ୍ତ ଅକ୍ଷୟ ଶବ୍ଦ, ବ୍ୟାପ୍ତି ଅକଳନ;
ନିରପେକ୍ଷ ଲିପି, ମାତ୍ରା ସ୍ୱର ବା ଗାୟନ,
ଭାଷା କୋଣ ଅନୁକୋଣ, ଶବ୍ଦ ରସାୟନ;

ଭାଷା, ସାହିତ୍ୟ, ଶବ୍ଦ ବିଭୁ ବରଦାନ,
ସଂଭ୍ରମ ,ଦୟା, ଶ୍ରଦ୍ଧା ,ସ୍ନେହଁ ଆଭୂଷଣ;
ଅସ୍ୱୀୟା ବିରହିତ ଭାଷା ଅଭିଧାନ,
ଏକାତ୍ମ ଅତ୍ମୀୟତା ନିହିତ ଦର୍ଶନ;

ମାତୃଭୂମି ,ମାତୃଭାଷା ଗର୍ଜନ ତର୍ଜନ,
ସଭା ,ସମିତି ,ସଙ୍ଘ, ସତ ସଂଗଠନ;
ଅଦୃଶ୍ୟ ଅବୋଧ୍ୟ ନୁହେଁ କୁମ୍ଭୀର ରୋଦନ,
ଗୌରବ ଗାରୀମା କ୍ଷୟ ସ୍ଵକୀୟ ସ୍ଖଳନ;

ପ୍ରହସନ ପ୍ରବଞ୍ଚନା କ୍ଷଣ ପ୍ରତୀକ୍ଷଣ,
ଆତ୍ମବଡ଼ିମା ମୟ ଶୟନ ସପନ,
ଦୃଶ୍ୟମାନ ଆଭ୍ୟନ୍ତର ସ୍ବସ୍ୱାର୍ଥ ପ୍ରଚ୍ଛନ୍ନ,
ସାହିତ୍ୟ ଧରାଶାୟୀ, ଭାଷା ହୀନିମାନ;