ଭାଷା କ୍ଷେତ୍ରରେ ମାଫିଆମତାଣ // ପ୍ରତିକାର ପାଇଁ ପ୍ରୟାସ ଆରମ୍ଭ

ସୂତ୍ର: ମାତୃଭାଷା ବାହିନୀ

କେନ୍ଦ୍ର ସରକାରଙ୍କ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଭାଷା କ୍ଷେତ୍ରରେ ମାଫିଆ-ମତାଣକୁ ପ୍ରୋତ୍ସାହିତ କରୁଥିବା ଜଣା ପଡ଼ିଲା ପରେ ତାର ପ୍ରତିକାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ପରିଷଦ ଅଧ୍ୟକ୍ଷଙ୍କୁ ଆଜି ଏକ ପତ୍ର ଲେଖି ଓଡ଼ିଆ ଭାଷାରେ ଯାନ୍ତ୍ରିକ ଶିକ୍ଷା ପ୍ରଦାନ ପାଇଁ ଯଦି ପୁସ୍ତକ ପ୍ରଣୟନ ଦରକାର, ତେବେ ଓଡ଼ିଶା ସରକାରଙ୍କ ‘ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା’ ତଥା ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’କୁ ଦାୟିତ୍ଵ ଦେବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ରର ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାବିତ କରି ‘ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ନାମକ ମଫିଆ ଗୋଷ୍ଠୀ ଏହି ଆଳରେ ୫ କୋଟି ଟଙ୍କାର ଲାଭକରୀ ବେପାର ହାତେଇବା ପାଇଁ ଉପରୋକ୍ତ ପରିଷଦକୁ ବାଧ୍ୟ କରିଥିବା ଖବର ଘୁରିବୁଲୁଛି ଓଡ଼ିଶା ରାଜଧାନୀରେ ।

ଏହି ସଂସ୍ଥା ତାର ବେପାର ପାଇଁ କିପରି ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଶାସ୍ତ୍ରୀୟମାନ୍ୟତା ଯୁକ୍ତି ସନ୍ଦର୍ଭକୁ ଚୋରୀ କରିନେଇଛି ତାର ସବିଶେଷ ତଥ୍ୟ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରାମାଣିକ ଗ୍ରନ୍ଥ ‘ମିଛ କେବେ ସତ ହୁଏନା’ରେ ଖୋଦିତ ହୋଇଛି । ଶ୍ରୀ ପଟ୍ଟନାୟକ ପରିଷଦ ଅଧ୍ୟକ୍ଷଙ୍କୁ ତାହା ସୁଚାଇ, କେନ୍ଦ୍ରୀୟ ପାଣ୍ଠିକୁ ସନ୍ଦର୍ଭ ଚୋରଙ୍କ ଲାଭରେ ଲଗାଇବାରୁ ନିବୃତ୍ତ ହେବାକୁ ଅନୁରୋଧ କରିଛନ୍ତି ।

ଭାଷା କ୍ଷେତ୍ରରେ ମାଫିଆ-ମତାଣକୁ ପ୍ରତିହତ କରିବା ପାଇଁ ଆସନ୍ତା ବୁଧବାର ଭୁବନେଶ୍ଵରରେ ମାତୃଭାଷାପ୍ରେମୀମାନଙ୍କର ଏକ ଜରୁରୀ ବୈଠକ ଆହୁତ ହୋଇଛି ।