ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବ୍ୟବହାର କରି ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଓଡ଼ିଆବିଦ୍ଵେଷୀ ଅମଲାମାନେ ଏତେ ବ୍ୟଗ୍ର ଥିଲେ ଯେ, ତାଙ୍କ ସ୍ତ୍ରୀଙ୍କ ଚାକିରି ପକ୍କା କରିବା ସକାଶେ ଯେକୌଣସି ବେଆଇନ କାମ କରିବାକୁ ସରକାର ପ୍ରସ୍ତୁତ ଥିଲା । ଏହା ହିଁ କାରଣ, ଯେଉଁଥିପାଇଁ ୨୨.୬.୨୦୧୫ ତାରିଖର ସରକାରୀ ଆଦେଶକୁ ରଦ୍ଦ କରିବାକୁ ପ୍ରଦ୍ୟୁମ୍ନବାବୁଙ୍କ ସ୍ତ୍ରୀ ହାଇକୋର୍ଟରେ ମକଦ୍ଦମା କରିଥିଲେ ମଧ୍ୟ ସରକାର ତହିଁର ବିରୋଧ କରିନଥିଲେ । ସରକାରଙ୍କ ମତଲବ ଥିଲା, ଓଡ଼ିଶାର ଜନସାଧାରଣ ପଛେ ହାରନ୍ତୁ, ମାନସୀ ଷଡଙ୍ଗୀ ନିର୍ବିବାଦରେ ଜିତନ୍ତୁ । ତେଣୁ ତ କୋର୍ଟ ଲେଖିଲେ “ମକଦ୍ଦମାଟି ନିର୍ବିରୋଧ ଶେଷ ହେଲା” (“uncontested disposed off”) !

ଆଇନ ଅନୁଯାୟୀ ଆଦେଶ ଦିଅ

ମାନ୍ୟବର ହାଇକୋର୍ଟଙ୍କୁ ଧନ୍ୟବାଦ ଯେ, ଶ୍ରୀମତୀ ଷଡଙ୍ଗୀଙ୍କ ସପକ୍ଷରେ ସରକାରଙ୍କ ଏହି କାରସାଦି ସତ୍ତ୍ୱେ ରାୟ ତାଙ୍କ ସପକ୍ଷରେ ଗଲା ନାହିଁ । ସେ ୨୨.୬.୨୦୧୫ର ସରକାରୀ ଆଦେଶ ରଦ୍ଦ କରାଯିବାକୁ ମକଦ୍ଦମା କରିଥିଲେ । ସରକାର ତାହାକୁ ବିରୋଧ ନ କରିବାରୁ, ତହିଁର ଗୁଣବତ୍ତା ଉପରେ କୌଣସି ମତ ନ ଦେଇ (without expressing any opinion on the merits of the case) ମାନ୍ୟବର ହାଇକୋର୍ଟ ରାୟ ଦେଲେ କି, ତହିଁ ଉପରେ ରାଜ୍ୟ ସରକାର ଉପଯୁକ୍ତ ଆଇନ ଅନୁଯାୟୀ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବେ (pass appropriate order in accordance with law, within a period of three months) । ମାତ୍ର ସରକାର ଏହି ଆଦେଶକୁ ବି ମାନିଲେ ନାହିଁ । କାରଣ, ତାହା ହୋଇଥିଲେ, ଭାଷା ଆନ୍ଦୋଳନକୁ ଭାଙ୍ଗିବା ସକାଶେ ପ୍ରଦ୍ୟୁମ୍ନ ଶତପଥିଙ୍କ ସହ ହୋଇଥିବା ସଉଦା ଦୃଷ୍ଟିରୁ ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଇବାରେ ଯେତେ ବେଆଇନ କାମ କରାହୋଇଥିଲା ସେ ସବୁ ପୁଣି ଥରେ ନଥି ପୃଷ୍ଠାରେ ଜୀବନ୍ତ ହୋଇଯାଇଥାନ୍ତା ଓ ତହିଁରେ ନିର୍ଦ୍ଦିଷ୍ଟ ହୋଇଥିବା ଆଇନର ବିକଳ୍ପ ଖୋଜିବାକୁ ପଡ଼ିଥାନ୍ତା, ଯେତେବେଳେ ତହିଁର ବିକଳ୍ପ ହିଁ ନାହିଁ ।

ଚୋର ମନ ଗଣ୍ଠିଲିରେ

ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଦିଆଯାଇଥିବା ବିଶ୍ଵାସଘାତକ-ଜାଗିରି (ପତ୍ନୀଙ୍କ ମାଧ୍ୟମରେ ସ୍ଥାୟୀ ଘରୋଇ ଆୟ) ଯେପରି ଅତୁଟ ରହେ ତା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଯେଉଁ ବ୍ୟାୟାମ କରିଛି ତାହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ।

ଓଡ଼ିଆରେ ଗୋଟିଏ ଢଗ ଅଛି: “ଚୋର ମନ ଗଣ୍ଠିଲିରେ” । ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗ ଜାଣିଥିଲେ ଯେ, ମାନସୀ ଷଡଙ୍ଗୀଙ୍କୁ ଚାକିରିରେ ଯୋଗ ଦେବାକୁ ଯେଉଁ ଆଦେଶ ଦିଆ ହୋଇଥିଲା ତାହା ଆଇନ ସମ୍ମତ ନଥିଲା, କାରଣ ୨୨.୬.୨୦୧୫ ତାରିଖର ସରକାରୀ ଆଦେଶ ଏକ ନିର୍ଦ୍ଧାରକ ଆଦେଶ ହୋଇଥିବା ହେତୁ , ତାହାକୁ ବାତିଲ କରାହୋଇନଥିଲା । ତାହାକୁ ବାତିଲ କରିବା ପାଇଁ ପ୍ରଥମେ ଆବଶ୍ୟକ ପଡ଼ିଥାନ୍ତା ସେହି ଆଦେଶଟି ଆଇନସମ୍ମତ ନ ଥିଲା ବୋଲି ସାବ୍ୟସ୍ତ କରିବା । ଏପରି କରିବାକୁ ହେଲେ, Orissa Education (Recruitment and Condition of Services of Teachers and Members of the Staff of Aided Educational Institutions) Rules, 1974ର ନିୟମ -୨୨ର ପ୍ରଯୁଜ୍ୟତାକୁ ନଷ୍ଟ କରିବାକୁ ହୋଇଥାନ୍ତା । ସେଥିପାଇଁ ଆଇନ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାନ୍ତା ଓ ଖୁବ ସମ୍ଭବତଃ ଆଇନ ବିଭାଗ ରାଜି ହୋଇନଥାନ୍ତା । ଯଦି ରାଜି ହୋଇଥାନ୍ତା, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସର୍ତ୍ତରେ ରାଜି ହୋଇଥାନ୍ତା । ତା ହୋଇଥିଲେ, ତହିଁ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ଓ ସ୍ଵାକ୍ଷର ଆଣିବାକୁ ପଡ଼ିଥାନ୍ତା ଏବଂ ତଦ୍ଦ୍ଵାରା ମୁଖ୍ୟମନ୍ତ୍ରୀ ନିଜେ ଏହି ବେଆଇନ କାମ ସହ ଜଡ଼ିତ ବୋଲି ରେକର୍ଡ ରହିଥାନ୍ତା ।

ଅପରପକ୍ଷେ, ଚାପ ପ୍ରୟୋଗ କରି ପତ୍ନୀଙ୍କ ଯୋଗଦାନ ଆଦେଶ ହାସଲ କରିଥିଲେ ମଧ୍ୟ “ଚୋର ମନ ଗଣ୍ଠିଲିରେ” ନ୍ୟାୟରେ ପ୍ରଦ୍ୟୁମ୍ନ ଶତପଥୀ ବି ଜାଣିଥିଲେ ଯେ, ଯେଉଁ ଯାଏଁ ୨୨.୬.୨୦୧୫ର ସରକାରୀ ଆଦେଶଟି ବାତିଲ ନ ହୋଇଛି, ସେପର୍ଯ୍ୟନ୍ତ ପାଇଥିବା ଚାକିରି ବି ନିରାପଦ ନୁହେଁ । ଉପରୋକ୍ତ ନିୟମରେ କାର୍ଯ୍ୟାନୁଷ୍ଠାନ ହେଲେ, ଚାକିରି ତ ଯିବ, ଭବିଷ୍ୟତରେ ଅନ୍ୟ କେଉଁଠି ଅନ୍ୟ କୌଣସି ଚାକିରି ବି କରି ହେବ ନାହିଁ ବୋଲି ହୁଏତ ଆଦେଶ ବି ହେବ ।

ତେଣୁ, ୨୩.୭.୨୦୧୮ରେ ଚାକିରିରେ ଯୋଗ ଦେଇ ସାରିଥିଲେ ମଧ୍ୟ ଶ୍ରୀମତୀ ଷଡଙ୍ଗୀ ଚାକିରିରେ ଯୋଗ ଦେବାର ଦୀର୍ଘ ୫ ମାସ ପରେ ୪.୧୨.୨୦୧୮ ତାରିଖରେ ୨୨.୬.୨୦୧୫ର ଚିଠିରେ ଖୋଦିତ ସରକାରୀ ଆଦେଶଟିକୁ ରଦ୍ଦ କରିବାକୁ ମକଦ୍ଦମା ଦାଏର କରିଥିଲେ (W.P. ( C ) 19892/2018) ଏବଂ ସେହି ମକଦ୍ଦମାରେ ସେ ଯେମିତି ନିଶ୍ଚୟ ଜିତନ୍ତି ତାକୁ ମନରେ ରଖି ସରକାର ପ୍ରତିବାଦୀ ଭୂମିକା ନିର୍ବାହ କରିନଥିଲେ । ମାତ୍ର ମାନ୍ୟବର ହାଇକୋର୍ଟ ଏମାନଙ୍କ ଏହି ଷଡଯନ୍ତ୍ରକୁ ବ୍ୟର୍ଥ କରିଦେଲେ ।

ଚୋର ମନ ଯେହେତୁ ଗଣ୍ଠିଲିରେ

ଚୋର ମନ ଯେହେତୁ ଗଣ୍ଠିଲିରେ ଥାଏ, ସେହେତୁ ଶ୍ରୀମତୀ ଷଡଙ୍ଗୀଙ୍କ ପାଇଁ କଲେଜ ଖୋଜିବାକୁ ଯେଉଁ ଚିଠିରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା (ଚିଠି ସଂଖ୍ୟା ୨୦୪୪୫ ତା ୧୮.୭.୨୦୧୮) ସେହି ଚିଠିରେ ତାଙ୍କୁ ପୂର୍ବଧାରଣାଛନ୍ନ କରାଇବାର ଉଦ୍ୟମ ମଧ୍ୟ ହୋଇଥିଲା ; ଯଥା :- (୧) ତାଙ୍କ ବିରୁଦ୍ଧରେ Orissa Education (Recruitment and Condition of Services of Teachers and Members of the Staff of Aided Educational Institutions) Rules, 1974ର ନିୟମ -୨୨ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୨.୬.୨୦୧୫ରେ ଦିଆଯାଇଥିବା ଚିଠିକୁ ନିରସ୍ତ କରାଯାଇଛି ଓ (୨) ସେ ନିଜ ଆଡୁ ଅନୁପସ୍ଥିତ ନଥିଲେ; ତାଙ୍କୁ ଅନୁପସ୍ଥିତ ରଖା ଯାଇଥିଲା ବୋଲି ତାଙ୍କୁ କୁହାହୋଇଥିଲା । ଏହା ସତ୍ତ୍ୱେ, ସମ୍ପୃକ୍ତ ନିର୍ଦ୍ଦେଶକ ବିଚଳିତ ନ ହୋଇ ଶ୍ରୀମତୀ ଷଡଙ୍ଗୀ କିପରି ଅନଧିକୃତ ଭାବେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ଵ କାଳ କର୍ମକ୍ଷେତ୍ରରୁ ଅନୁପସ୍ଥିତ ଥିଲେ ଓ ସେଥିପାଇଁ ନିୟମାନୁଯାୟୀ ଦଣ୍ଡନୀୟା ବୋଲି ସରକାରଙ୍କୁ ଜଣାଇଥିଲେ, ତାହା ପୂର୍ବରୁ କୁହାହୋଇଛି । ଏକଥା ବି କୁହା ହୋଇଛି ଯେ, ନିର୍ଦ୍ଦେଶକଙ୍କ ଏହି ତଦନ୍ତ ରିପୋର୍ଟ ବଦଳାଇବା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ଲିଖିତ ଚାପ (ପତ୍ରାଙ୍କ ୫୪୭୦/୧.୩.୧୯) ବି ପଡ଼ିଥିଲା । ଏହାର ଅର୍ଥ ହେଲା, ଶ୍ରୀମତୀ ଷଡଙ୍ଗୀଙ୍କୁ ହାଇକୋର୍ଟରେ ନିରଙ୍କୁଶ ଭାବେ ଜୟଲାଭ କରିବାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଜାଣିଶୁଣି କୋର୍ଟରେ ନିଜ ପକ୍ଷ ରଖିନଥିଲେ ଓ ଶ୍ରୀମତୀ ଷଡଙ୍ଗୀଙ୍କୁ ସୁହାଉନଥିବା ତଦନ୍ତ ରିପୋର୍ଟ ସାନି ତଦନ୍ତ ଦ୍ଵାରା ବଦଳାଇବାକୁ ଆଦେଶ ଦେଇଥିଲେ ନିର୍ଦ୍ଦେଶକଙ୍କୁ । ଏପରି ପ୍ରଚଣ୍ଡ ପ୍ରଶାସନିକ ଦୁରାଚାରର କୌଣସି ପଟାନ୍ତର ନହିଁ। ଏହା ହୋଇଥିଲା କେବଳ ଗୋଟିଏ ଉଦ୍ଦେଶ୍ୟରେ। ତାହା ହେଲା, ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଦିଆଯାଇଥିବା ବିଶ୍ଵାସଘାତକ-ଜାଗିରି (ପତ୍ନୀଙ୍କ ମାଧ୍ୟମରେ ସ୍ଥାୟୀ ଘରୋଇ ଆୟ) ଯେପରି ଅତୁଟ ରହେ, ତାହା ସୁନିଶ୍ଚିତ କରିବା । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.