ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଏକବିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଭାଷା ଆନ୍ଦୋଳନକୁ ଛୁରୀ ମାରିଥିବା ହେତୁ ପ୍ରଦ୍ୟୁମ୍ନ ଶତପଥିଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ଉପରୋକ୍ତ ‘ବିଶ୍ଵାସଘାତକ ଜାଗିରି’ ପକ୍କା କରିବା ପାଇଁ ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗ ତ ନଥି ତିଆରି କରିଦେଲେ; କିନ୍ତୁ ମାନସୀ ଷଡଙ୍ଗୀଙ୍କ ଦୀର୍ଘ ୧୦ ବର୍ଷ ବ୍ୟାପୀ ଅନୁପସ୍ଥିତି କାଳ ଉପରେ ନିଷ୍ପତ୍ତି ନେବାର ଅଧିକାର ଏହି ଗ୍ୟାଙ୍ଗର କର୍ଣଧାରଙ୍କର ମଧ୍ୟ ନଥିଲା । କାରଣ,ଏ ଅଧିକାର ଓଡ଼ିଶା ଶିକ୍ଷା ଆଇନ କେବଳ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ହିଁ ଦେଇଛି । ସୁତରାଂ, ଏ ଗ୍ୟାଙ୍ଗ ଦ୍ଵାରା ଅଧ୍ୟୁଷିତ ଉଚ୍ଚ ଶିକ୍ଷା ବିଭାଗ ମାନସୀ ଷଡଙ୍ଗୀଙ୍କ ଯୋଗଦାନ ପତ୍ର ଗ୍ରହଣ କରି ତାଙ୍କୁ ଅନ୍ୟ କୌଣସି କଲେଜରେ ଅବସ୍ଥାପିତ କରିବାକୁ ତଥା ତାଙ୍କ ଅନୁପସ୍ଥିତି କାଳ ଉପରେ ତଦନ୍ତ କରି ମତ ପ୍ରଦାନ କରିବାକୁ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲା (ପତ୍ରାଙ୍କ୨୦୪୪୫/ଉ.ଶି. , ତା. ୧୮.୭.୨୦୧୮) ।

ସଚିବାଳୟରେ ଜାଲିଆତି 

ଦସ୍ତାବିଜୀୟ ଗୁରୁତ୍ଵ ଦୃଷ୍ଟିରୁ ଚିଠିଟିକୁ ପୂର୍ବେ ଉଦ୍ଧାର କରାଯାଇଥିଲେ ମଧ୍ୟ ତତ୍କାଳ ଅନୁଧ୍ୟାନ ପାଇଁ ଏଠାରେ ତାହାର ଓଡ଼ିଆ ଅନୁବାଦ ପ୍ରଦାନ କରାଯାଉଛି । ତାହା ୩ ଗୋଟି ନିର୍ଦ୍ଦେଶ ବହନ କରେ :-

୧. କ୍ଷମତାପନ୍ନ କର୍ତ୍ତୁପକ୍ଷଙ୍କଠାରୁ କାର୍ଯ୍ୟକ୍ଷମ ଥିବାର ଡାକ୍ତରୀ ପ୍ରମାଣପତ୍ର ସହ ଶ୍ରୀମତୀ ମାନସୀ ଷଡଙ୍ଗୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗ ଦେଇ ପାରନ୍ତି, ଯାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତହୋଇପାରେ ।
୨. ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କୌଣସି ସମବର୍ଗୀୟ କଲେଜରେ ସ୍ଥାନ ଠାବ କରି ତାଙ୍କୁ ସେଠାରେ ସ୍ଥାନିତ କରିପାରନ୍ତି ।
୩. ତାଙ୍କୁ ଯେଉଁ ଦିନ ଠାରୁ କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା ସେହିଦିନ ଠାରୁ ଅର୍ଥାତ୍ ୨.୭.୨୦୦୮ ତାରିଖଠାରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦେବା ପର୍ଯ୍ୟନ୍ତ ଅନ୍ତର୍ବର୍ତ୍ତୀ ସମୟ ପାଇଁ ନିର୍ଦ୍ଦେଶାଳୟର ଉପଯୁକ୍ତ ତଦନ୍ତ ଶେଷରେ ନିଷ୍ପତ୍ତି ନିଆଯିବ ।

ଉଲ୍ଲେଖନୀୟ ଯେ, ପ୍ରଦ୍ୟୁମ୍ନ ଶତପଥି ୧୬.୭.୨୦୧୮ରେ ଭାଷା ଆନ୍ଦୋଳନକୁ ଛୁରୀ ମାରିବାର ତିଆସି ଦିନ ହିଁ ଏହି ଚିଠି ଲେଖା ହୋଇଛି, ଯାହାର ପ୍ରାରମ୍ଭରେ ଘୋଷିତ ହୋଇଛି କି, ଶ୍ରୀମତୀ ଷଡଙ୍ଗୀଙ୍କ ଯୋଗଦାନ ସମ୍ପର୍କରେ ୨୨.୬.୨୦୧୫ ତାରିଖରେ ଦିଆଯାଇଥିବା ୧୩୨୯୦ ସଂଖ୍ୟକ ପତ୍ରକୁ ନିରସ୍ତ କରାଗଲା ।

ଧୂର୍ତ୍ତ ଅମଲାମାନେ ଜାଲିଆତିରେ କେତେ ଯେ ଦକ୍ଷ, ଏହି ଚିଠିଟି ତହିଁର ଏକ ନମୂନା । ଯେଉଁ ସରକାରୀ ନିଷ୍ପତ୍ତି ସମ୍ପର୍କରେ ଏ ଚିଠିରେ ଉଲ୍ଲେଖ ଥିଲା ସେ ନିଷ୍ପତ୍ତି ନିରସ୍ତ ହୋଇନଥିବା ବେଳେ ଚିଠିଟି ନିରସ୍ତ ହେଲା ବୋଲି କହି ଅତିରିକ୍ତ ଶାସନ ସଚିବ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ବିଭ୍ରାନ୍ତ କରିବାକୁ ଏଥିରେ ଯେଉଁ ଚେଷ୍ଟା କଲେ ତାହା କାହିଁକି କରିଥିଲେ ତହିଁ ଉପରେ ଆପରାଧିକ ତଦନ୍ତ ହେବା ଆବଶ୍ୟକ । ଚିଠି ସୂଚିତ ସରକାରୀ ନିଷ୍ପତ୍ତି ଯେ ନିରସ୍ତ ହୋଇନଥିଲା ତାହା ମାନସୀ ଷଡଙ୍ଗୀ ହାଇକୋର୍ଟରେ ଦାଏର କରିଥିବା ମକଦ୍ଦମାରୁ ତଥା ପରବର୍ତ୍ତୀ ସରକାରୀ ଆଦେଶମାନଙ୍କରୁ ସ୍ପଷ୍ଟ ହୋଇସାରିଛି ।

ବିଶ୍ଵାସଘାତକ ଜାଗିରି: ଏକ ଝଲକ

ଯେହେତୁ ସଚିବାଳୟ ତାର ଜାଲିଆତି ସମ୍ପର୍କରେ ସଚେତନ ଥିଲା, ସେହେତୁ ଉପରୋକ୍ତ ଚିଠିରେ ସୂଚିତ ନିଷ୍ପତ୍ତି ବିରୁଦ୍ଧରେ ଶ୍ରୀମତୀ ଷଡଙ୍ଗୀ ଦାଖଲ କରିଥିବା ମକଦ୍ଦମାରେ ଏହା ଜାଣିଶୁଣି ଅଂଶଗ୍ରହଣ କରିନଥିଲା । ଅଥଚ, ଶ୍ରୀମତୀ ଷଡଙ୍ଗୀଙ୍କୁ “କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା” ବୋଲି ସରକାରୀ ସିଦ୍ଧାନ୍ତ ଶୁଣାଇ ୨.୭.୨୦୦୮ ତାରିଖଠାରୁ ସେ ଯୋଗଦାନ କରିବା ପର୍ଯ୍ୟନ୍ତ ସମୟକୁ ତାଙ୍କର ସବେତନ ଚାକିରି କାଳ ବୋଲି କହିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଉପରୋକ୍ତ ଚିଠିରେ ହିଁ ପ୍ରଭାବିତ କରଯାଇଥିଲା । ନିର୍ଦ୍ଦେଶକ ଯଦି ତଦ୍ଦ୍ଵାରା ପ୍ରଭାବିତ ହୋଇଥାନ୍ତେ ତେବେ ତାଙ୍କର ଅନୁପସ୍ଥିତି ପାଇଁ ସେ ଦାୟୀ ନୁହନ୍ତି ଓ ସେଥିପାଇଁ ତାହା ସବେତନ ହେବ ବୋଲି ସେ ନିଶ୍ଚୟ କହିଥାନ୍ତେ । କାରଣ ବିନାଦୋଷରେ ଚାକିରିରୁ ବାହାରେ ରଖାହୋଇଥିବା ଲୋକ ବିନାବେତନରେ ରହିବା ବେଆଇନ । ଯେହେତୁ ସରକାର ସ୍ଵୟଂ କହୁଛନ୍ତି ଯେ, ଶ୍ରୀମତୀ ଷଡଙ୍ଗୀ ନିଜେ ଅନୁପସ୍ଥିତ ନଥିଲେ, ତାଙ୍କୁ “କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା”, ସେହେତୁ ତାହା ହିଁ ନ କହି ବିଚରା ନିର୍ଦ୍ଦେଶକ କଣ ବା କହିଥାନ୍ତେ? ସୁତରାଂ ସରକାର ଭାବୁଥିଲେ, ମାନସୀଙ୍କ ଅନୁପସ୍ଥିତି କାଳକୁ ତାଙ୍କର ସବେତନ ଚାକିରିକାଳ ବୋଲି ଧରାଯିବା ପାଇଁ ନିର୍ଦେର୍ଶକ ନିଶ୍ଚୟ ମତ ଦେବେ ଓ ଦଶବର୍ଷର ପିଛିଲା ବେତନ ଓ ଭତ୍ତା ବାବଦର ସେ ପ୍ରାୟ ଦେଢକୋଟି ଟଙ୍କା ନଗଦ ହାସଲ କରିବେ ଓ ତଦନୁଯାୟୀ ପଦୋନ୍ନତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇ ଅନତିବିଳମ୍ବେ ବହୁ ଅଧିକ ଆର୍ଥିକ ଆୟ ବି ତାଙ୍କ ପାଇଁ ସୁନିଶ୍ଚିତ ହୋଇଯିବ । ତେଣୁ, ଭାଷା ଆନ୍ଦୋଳନକୁ ଛୁରୀ ମରିଥିବା ହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ‘ବିଶ୍ଵାସଘାତକ ଜାଗିରି’ ନିରଙ୍କୁଶ ହେବ ଓ ଓଡ଼ିଶାରେ ଇଂରାଜିମନସ୍କ ଅମଲାତନ୍ତ୍ରର ‘ମେରୀ ରାୟ’ ଶାସନ କାଏମ ରହିବ ।

ବିବସ୍ତ୍ର ସଚିବାଳୟ

ମାତ୍ର ଏହି ସରକାରୀ ଚାଲ୍ ଦ୍ଵାରା ବିଭ୍ରାନ୍ତ ନ ହୋଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଯେତେବେଳେ ଏକ ବିଧିବଦ୍ଧ ତଦନ୍ତ କରି ଦେଖିଲେ ଯେ, ଶ୍ରୀମତୀ ଷଡଙ୍ଗୀଙ୍କୁ “କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା” ବୋଲି ସରକାର ଗ୍ରହଣ କରିଥିବା ସିଦ୍ଧାନ୍ତ ସମ୍ପୂର୍ଣ ଭ୍ରମାତ୍ମକ ଥିଲା, ସେତେବେଳେ ସେ ତାଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଅତ୍ୟାବଶ୍ୟକ ବୋଲି ଉଲ୍ଲେଖ କରି ତାଙ୍କ ତଦନ୍ତ ରିପୋର୍ଟ ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବଙ୍କୁ ୧୪.୨.୨୦୧୯ ତାରିଖରେ ପଠାଇଲେ (ପତ୍ରାଙ୍କ ୬୩୫୮) । ନିର୍ଦ୍ଦେଶକଙ୍କ ଏହି ତଦନ୍ତ ରିପୋର୍ଟ ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗର ଜାଲିଆତିକୁ ସମ୍ପୂର୍ଣ ବିବସ୍ତ୍ର କରିଦେଲା , କାରଣ ତଦନ୍ତ ବେଳେ ଶ୍ରୀମତୀ ଷଡଙ୍ଗୀ ବିଭିନ୍ନ ତାରିଖର ଡାକ୍ତରୀ କାଗଜ ଦେଖାଇ ଅସୁସ୍ଥତା ହେତୁ ସେ ଅନୁପସ୍ଥିତ ଥିବା କହିଥିଲେ । ରିପୋର୍ଟରେ ଲେଖା ଅଛି, “Smt. Sarangi submitted a written submission along with copy of some medical prescription papers and medical fitness certificate which she claimed justify her long absence from duty.” । ଯଦି ଶ୍ରୀମତୀ ଷଡଙ୍ଗୀଙ୍କ ନିଜ କହିବା ଅନୁସାରେ, ଅସୁସ୍ଥତା ହେତୁ ସେ ଅନୁପସ୍ଥିତ ଥିଲେ ଓ କର୍ତ୍ତବ୍ୟ ସମ୍ପାଦନ କରିପାରିନଥିଲେ, ତେବେ ତାଙ୍କୁ “କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା” ବୋଲି ସରକାରୀ ସିଦ୍ଧାନ୍ତ ଯେ ସମ୍ପୂର୍ଣ କପୋଳକଳ୍ପିତ ଓ ଉଦ୍ଦେଶ୍ୟପ୍ରଣୋଦିତ ଥିଲା ତାହା ତ ସୁନିଶ୍ଚିତ ।

ଅପେକ୍ଷା ନିର୍ଦ୍ଦେଶକଙ୍କ ସାନି ତଦନ୍ତକୁ

ଏ କଥା ଧରା ପଡ଼ିଗଲା ପରେ, ନିଜର ଉଲଗ୍ନ ସ୍ଥିତିରୁ ଉଦ୍ଦାର ପାଇବା ପାଇଁ ନିର୍ଦ୍ଦେଶକଙ୍କ ଉପରେ ଉଚ୍ଚ ଶିକ୍ଷା ବିଭାଗ ଲିଖିତ ଚାପ ପ୍ରୟୋଗ କରିଥିଲା ସେ ତାଙ୍କର ନିର୍ଣୟର ପୁନର୍ବିଚାର କରିବା ପାଇଁ (ପତ୍ରାଙ୍କ ୫୪୭୦, ତା. ୧.୩.୨୦୧୯) । ନିର୍ଦ୍ଦେଶକ କୌଣସି ଉତ୍ତର ଦେବା ପୂର୍ବରୁ ମାନ୍ୟବର ହାଇକୋର୍ଟଙ୍କ ଆଦେଶ (ଆଗରେ ଉଦ୍ଧୃତ୍ତ) ଆସି ପହଞ୍ଚିଲା, ଯେଉଁଥିରେ ଲେଖାଥିଲା, ସରକାରଙ୍କ ୨୨.୬.୨୦୧୫ ତାରିଖର ୧୩୨୯୦ ସଂଖ୍ୟକ ପତ୍ରରେ ସୂଚିତ ସରକାରୀ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଓ ୨.୭.୨୦୦୮ ତାରିଖରୁ ତାଙ୍କୁ ସମସ୍ତ ପିଛିଲା ବେତନ ଓ ଆନୁଷଙ୍ଗିକ ଫାଇଦା ପାଇଁ ଶ୍ରୀମତୀ ଷଡଙ୍ଗୀ ଯେଉଁ ରିଟ୍ ମାମଲା କରିଥିଲେ ତାହାକୁ ସରକାର ବିରୋଧ ନ କରିଥିବା ଦୃଷ୍ଟେ ସମାପ୍ତ କରାଯାଇ ସରକାରଙ୍କୁ ନିର୍ଦ୍ଦେଶ ଦିଆଗଲା କି, ସରକାର ନିଜ ସ୍ତରରେ ତହିଁ ଉପରେ ଉପଯୁକ୍ତ ଆଦେଶ ପ୍ରଦାନ କରିବେ । ମାନ୍ୟବର ହାଇକୋର୍ଟଙ୍କର ଏହି ଆଦେଶ ଉଚ୍ଚ ଶିକ୍ଷା ବିଭାଗକୁ ଅଧିକାର ଦେଇଦେଲା କି, ଯଦି ସରକାର ଚାହାନ୍ତି , ଶ୍ରୀମତୀ ଷଡଙ୍ଗୀଙ୍କ ଅନୁପସ୍ଥିତି କାଳକୁ ‘ସବେତନ ଅନୁପସ୍ଥିତି କାଳ’ ଭାବେ ନିର୍ଦ୍ଦାରଣ କରି ତାଙ୍କ ଦାବି ଅନୁରୂପ ପିଛିଲା ବେତନ ଓ ଆନୁଷଙ୍ଗିକ ଫାଇଦା ପ୍ରଦାନ କରିବାକୁ, କରିପାରିବେ । ସୁତରାଂ ଜଳଜଳ ଦିଶୁଥିଲା ଯେ, ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗ ସହାୟତାରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଭାଷା ଆନ୍ଦୋଳନକୁ ଛୁରୀମାରିବା ବିନିମୟରେ  ମୁଖ୍ୟମନ୍ତ୍ରୀ ଯେଉଁ ‘ବିଶ୍ଵାସଘାତକ ଜାଗିରି’ ପ୍ରଦାନ କରିଥିଲେ, ତାହା କାର୍ଯ୍ୟକ୍ଷମ ହୋଇ ସେ ଆରମ୍ଭରୁ ପ୍ରାୟ ଦେଢକୋଟି ଟଙ୍କା ହାତେଇବେ ।  କେବଳ ଅପେକ୍ଷା ରହିଥିଲା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ସାନି ତଦନ୍ତ ରିପୋର୍ଟକୁ । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.