ମନୋଜ ଦାସଙ୍କ ନାମରେ ପୁରସ୍କାର ଫାର୍ସ ନ ଚଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନ ପ୍ରତିଷ୍ଠାତାଙ୍କ ପତ୍ର

ନିଉଜ୍ ସିଣ୍ଡିକେଟ୍

ଓଡ଼ିଆ ଲେଖକମାନଙ୍କୁ ଅର୍ଥଲୋଭରେ ପକାଇ ଇଂରାଜୀଭାଷାମୁହାଁ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନୂଆ ଫାର୍ସ ଆରମ୍ଭ କରିଛନ୍ତି ତାହା ବନ୍ଦ କରିବାକୁ ତାଙ୍କୁ ଅନୁରୋଧ କରିଛନ୍ତି ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ । ନିମ୍ନରେ ଦିଆଗଲା ତାଙ୍କୁ ଆଜି ପ୍ରଦତ୍ତ ପତ୍ରର ଅବିକଳ ନକଲ । 

ସମ୍ମାନାସ୍ପଦ ପ୍ରିୟ ମୁଖ୍ୟମନ୍ତ୍ରୀ ,
ନିକଟରେ ଆଖି ବୁଜିଥିବା ସାହିତ୍ୟିକ ମନୋଜ ଦାସଙ୍କ ନାମରେ ଆପଣ ଘୋଷଣା କରିଥିବା ଏକ ୧୦ଲକ୍ଷଟଙ୍କିଆ ଆନ୍ତର୍ଜାତିକ ସାହିତ୍ୟିକ ପୁରସ୍କାର ଓଡ଼ିଆ ଜାତିର ଭାଷାସ୍ଵାର୍ଥ ବିରୁଦ୍ଧରେ ଏକ ଅବିମୃଷ୍ୟକାରୀ ନିଷ୍ପତ୍ତି ହୋଇଥିବା ହେତୁ ତୁରନ୍ତ ତାହା ପ୍ରତ୍ୟାହାର କରିବାକୁ ଆମ୍ଭେ ଆପଣଙ୍କୁ ଅନୁରୋଧ କରୁଛୁ ।

ଆପଣଙ୍କ ଘୋଷଣା ପ୍ରତ୍ୟାହୃତ ନ ହେଲେ, ଓଡ଼ିଆ ଭାଷାରେ ଅଧିକରୁ ଅଧିକ ସାହିତ୍ୟ ସୃଷ୍ଟି ପାଇଁ ଲେଖକମାନଙ୍କ ମନୋନିବେଶରେ ଏହା ଘୋର ଅନ୍ତରାୟ ସୃଷ୍ଟି କରିବ ।

ଅପରପକ୍ଷେ, ମନୋଜ ଦାସ ଓଡ଼ିଶାର ଏକମାତ୍ର ସାହିତ୍ୟିକ ନୁହନ୍ତି ଯାହାଙ୍କ ଇଂରେଜୀ ଲେଖା ଭିନ୍ନ ଓଡ଼ିଆର ସାରସ୍ଵତ ଶକ୍ତି ବିଦେଶରେ ବିଦିତ ନୁହେଁ । ଆପଣ କଣ ସେ ସମସ୍ତଙ୍କ ନାମରେ ଏପରି ଅନ୍ତର୍ଜାତିକ ଅର୍ଥ-ପୁରସ୍କାର ଘୋଷଣା କରିବେ? ଯଦି ନକରିବେ, ଏହା ସେମାନଙ୍କ ପ୍ରତି ଅପମାନ କି ନାହିଁ? ପୁନଶ୍ଚ, ଓଡ଼ିଆ ଜାତି ଭବିଷ୍ୟତରେ କଣ ମନୋଜ ଦାସଙ୍କ ଭଳି ବା ତାଙ୍କଠୁ ବଳି ଭଲ ସାହିତ୍ୟିକ ଜନ୍ମ କରିପାରିବନି? ସେମାନଙ୍କ ନାମରେ କି ଅନ୍ତର୍ଜାତିକ ଅର୍ଥ-ପୁରସ୍କାର ଦିଆଯିବ? ଆପଣ କାହିଁକି ଏ ଫାର୍ସ ଚଳାଇଛନ୍ତି?

ଆପଣଙ୍କ ପ୍ରାଥମିକ କର୍ତ୍ତବ୍ୟ ହେଉଛି ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରୁ ଅପସଂଶୋଧନ ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪ ଓ ଧାରା ୪କ ବିଲୋପ କରି ଓଡ଼ିଶାର ସମସ୍ତ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ପ୍ରଚାଳନ ବାଧ୍ୟତାମୂଳକ କରିବା ଓ ଯେ ତାହାର ଉଲ୍ଲଂଘନ କରିବ ତାକୁ ରାଷ୍ଟ୍ରଦ୍ରୋହ ଦୋଷ ହେତୁ ଦଣ୍ଡିତ କରିବା । ଏହି ଦାବି ଉପରେ ଭାଷା ଆନ୍ଦୋଳନ ଗତ ୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଛି ଓ ସୁପାରି ଦେଇ ତାକୁ ଭାଙ୍ଗିବା ପାଇଁ ଯେଉଁ ଅପୋଦ୍ୟମ ଆପଣ କରିଥିଲେ ତାହା ବ୍ୟର୍ଥ ହୋଇଛି । ଅଥଚ, ଏହିପରି ଏକ ଅର୍ଥ-ପୁରସ୍କାର ଘୋଷଣା କରି ଓଡ଼ିଆ ଜାତିକୁ ତାର ଭାଷା ସଙ୍କଟରୁ ଅନ୍ୟମନସ୍କ କରିବା ପାଇଁ ଆପଣ ‘ମନୋଜ ଦାସ ପୁରସ୍କାର’ ଆଳରେ ଉଦ୍ୟମ କରିଛନ୍ତି।

ଆମେ ଯେଉଁମାନେ ଭାଷା ଆନ୍ଦୋଳନ ଚଳାଇଛୁ, ଏହାର ଘୋର ବିରୋଧ କରୁଛୁ ଓ ଆପଣଙ୍କୁ ନିବେଦନ କରୁଛୁ ଏପରି ଅବିମୃଷ୍ୟକାରୀ ଅର୍ଥ-ପୁରସ୍କାର ଯୋଜନା ପ୍ରତ୍ୟାହାର କରି, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଅପସଂଶୋଧନ ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪ ଓ ଧାରା ୪କ ବିଲୋପ କରନ୍ତୁ ଏବଂ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସୁନିଶ୍ଚିତ କରନ୍ତୁ । କାର୍ଯ୍ୟାଳୟର ଭାଷା ନ ହୋଇ ଓଡ଼ିଆ ଭାଷା ଭୟଙ୍କର ବିପତ୍ତିରେ ପଡ଼ିଥିବା ବେଳେ, ଓଡ଼ିଆ ଲେଖକମାନଙ୍କୁ ଅର୍ଥଲୋଭ ଦେଖାଇ ସେମାନେ ଓଡ଼ିଆ ପରିବର୍ତ୍ତେ ଇଂରାଜୀରେ ଲେଖିବାକୁ ଆପଣ ଯେଉଁ ଥୋପ ପକାଇଛନ୍ତି ତାହାକୁ ଆମ୍ଭେ ନିନ୍ଦା କରୁଛୁ ଓ ତହିଁର ବିଲୋପନ ଦାବି କରୁଛୁ । ଇତି ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା
୫.୫.୨୦୨୧

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “ମନୋଜ ଦାସଙ୍କ ନାମରେ ପୁରସ୍କାର ଫାର୍ସ ନ ଚଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନ ପ୍ରତିଷ୍ଠାତାଙ୍କ ପତ୍ର”

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.