ସାଂସ୍କୃତିକ ରାହାଜାନୀର ବିଷ-ବଳୟରେ ଭାଷା ଜନନୀ ଓଡ଼ିଆ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡିଶା

 

ବୁଝିବାକୁ  କଠିନ ହୋଇଥିବା ସତ୍ତ୍ବେ, ପୁରାତନ କବିତା ବା ଗୀତ ଏବେ ବି ସାଧାରଣ ଓଡ଼ିଆଟିଏ ଉଲ୍ଲସିତ ଚିତ୍ତରେ ଗାଇପାରେ | “ଚାରୁ ଚନ୍ଦ୍ରାନନା ଚମ୍ପକବରଣା କାଲି ଏହି ବାଟେ ଗଲା ରେ / ଚଂଦ୍ର ଅବତଂଶ ନନ୍ଦନ ଜନମତିଥି ଚନ୍ଦ୍ର ମୋତେ କଲା ରେ //” ଏହା ବୁଝିବାକୁ କଷ୍ଟ ; କିନ୍ତୁ ଏବେ ବି ଗାଉଁଲି ଓଡ଼ିଆଟିଏ ସ୍ବର ଲମ୍ବେଇ ଏହାକୁ ଗାଉଛି | ଏହାର ଲେଖକ କେଉଁ ପୁରସ୍କାର ପାଇଥିଲେ ଜଣା ନାହିଁ | କିଂତୁ ଏ ଲେଖାକୁ ଲୋକ ଖୋଜି ଆଣି ପଢୁଛି | ଅଥଚ ବହୁବଡ଼ ପୁରସ୍କାର ପାଇଥିବା କବିଙ୍କ ଲେଖା – ରାତି ଦୀର୍ଘ / ଚୁପ୍ ଚାପ୍ ସ୍ତବ୍ଧ / ଦୀପ ପରି ଡେଣା କଂପନୁଁ ବଂଚିତ / ତାରା ସବୁ ଝଡ଼ିଗଲେ ଅଂଧାରରେ ହୋଇ କକ୍ଷଚ୍ୟୁତ //” ବୁଝିବାକୁ ସହଜ ହେଲେ ବି ଲୋକେ ଏକୁ ମନେରଖନ୍ତିନି ବା ଖୋଜି ଆଣି ପଢ଼ନ୍ତିନି | ଅତଏବ , ସାହିତ୍ୟ ପ୍ରତି ଆସକ୍ତି ଓ ବିରକ୍ତି ଉଭୟ ବି ରହିପାରେ |

ସାହିତ୍ୟ ଆସେ ଭାଷାରୁ | ଭାଷା ଦେଇଥିବା ଶବ୍ଦରୁ | ସାହିତ୍ୟ ସାହିତ୍ୟିକଙ୍କର ; କିନ୍ତୁ ଭାଷା ସାଧାରଣ ମଣିଷର | ଶବ୍ଦ ସାହିତ୍ୟ ପାଇଁ ଆସକ୍ତି ବା ବିରକ୍ତି ଉପୁଜାଏ | ଅଥଚ ଭାଷା ପାଇଁ ବିରକ୍ତି ନ ଥାଏ ; ଥାଏ କେବଳ ଆସକ୍ତି | ସାହିତ୍ୟ ଆମ ମା ନୁହେଁ ; ଭାଷା ଆମ ମା ; ଭାଷା ଆମ ମାତୃଭାଷା , ଆମ ଭାଷା ଜନନୀ | ସାହିତ୍ୟ ବିଗିଡି ଗଲେ ତାକୁ ସୁଧାରି ହେବ | ଯେମିତି ଦରବାରୀ ସାହିତ୍ୟ ବଦଳି ଗଲା ପ୍ରଗତିଶୀଳ ସାହିତ୍ୟକୁ | କ୍ଲୀଷ୍ଟ ଶବ୍ଦର ସାହିତ୍ୟ ବଦଳି ଯାଇ ପାରିବ ସରଳ ଶବ୍ଦର ସାହିତ୍ୟକୁ | ସାହିତ୍ୟ ପଣ୍ୟ ହୋଇପାରିବ ; ଭାଷା ନୁହେଁ |

ସାହିତ୍ୟକୁ ନେଇ ବେପାର ବଣିଜ ଚାଲିଥିଲା , ଚାଲିଛି, ଚାଲିବ | ମାତ୍ର ଭାଷା ଆମ ମା – ତାକୁ ନେଇ ବେପାର ବଣିଜ – ବଡ଼ ଦୁଃସହ |

ଏହି ଦୁଃସହ ଦୁଃଖ ଓଡ଼ିଶାରେ ଏବେ ଉଛୁଳି ଉଠୁଛି | କେତେକ ଭାଷା ବେପାରୀ ନିଜକୁ ଭାଷାବିତ୍ ବୋଲି କହି ଏପରି ଅନୈତିକ ଆଚରଣର କଳା ଇଲାକାକୁ ଟାଣି ନେଉଛନ୍ତି ଆମ ଭାଷାକୁ , ଯହିଁ ପ୍ରତି ସାରା ରାଜ୍ୟ ସତର୍କ ନ ହେଲେ ଆମ ଭାଷା ପାଇଁ ବି ବଢ଼ିଯିବ ସାଧାରଣ ମଣିଷ ମନରେ ବିରକ୍ତି | ଏହି ନିବନ୍ଧରେ ମୁଁ କେବଳ ଗୋଟିଏ ଉଦାହରଣ ଦେବି | ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଉପରେ ଏହା ଆଧାରିତ |

ଓଡ଼ିଶା ଓ ଓଡ଼ିଆ ସ୍ବାର୍ଥର ପ୍ରହରୀ ଭାବେ orissamatters.com ହେଉଛି ଓଡ଼ିଶାର ପ୍ରଥମ ନଭଃମଂଚ | ଏହାକୁ 1999ରେ ମୁଁ ଆରମ୍ଭ କରିଥିଲେ ବି ଏହା ବିଧିବଦ୍ଧ ଭାବେ ଆତ୍ମପ୍ରକାଶ କଲା ସନ 2000ରେ | ଏଥିରେ 2006 ଏପ୍ରିଲ 3 ତାରିଖରେ ମୁଁ ଏକ ନିବନ୍ଧ ପ୍ରକାଶ କରିଥିଲି ଯାହାର ଶୀର୍ଷକ ଥିଲା Superior Language Oriya languishes due to inferior leadership, ଯହିଁରେ ଶାସ୍ତ୍ରୀୟ ସଂସ୍କୃତ ଠାରୁ ପ୍ରାଚୀନତର ଓଡ଼ିଆ ଭାଷା କିପରି ଭାଷାବିମୁଖୀ ନେତୃତ୍ବ ହେତୁ ସଂକଟରେ ପଡିଛି ସେ ସଂପର୍କରେ ଆଲୋଚନା ହୋଇଥିଲା | ଏହାର ପ୍ରାୟ 4 ବର୍ଷ ପରେ 2010 ଜୁଲାଇ 17 ତାରିଖରେ ଓଡିଶା ଲେଖକ ସାମୁଖ୍ୟର ସଭାପତି ଶ୍ରୀଯୁକ୍ତ ସାତକଡ଼ି ହୋତା ଓଡ଼ିଆ ଭାଷା ପାଇଁ ଶାସ୍ତ୍ରୀୟ ମାନ୍ୟତା ସକାଶେ ଆଶୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କଲେ ଓ ଅବଶେଷରେ ଏହି ମାନ୍ୟତା 2014 ମାର୍ଚ୍ଚ 11ରେ ବିଘୋଷିତ ହେଲା |

ମାତ୍ର ଭୁବନେଶ୍ବରରେ ଭାଷା ବେପାର କରୁଥିବା ଏକ ଘରୋଇ ସଂସ୍ଥା ଏହି ମାନ୍ୟତାର ଶ୍ରେୟ ହଡ଼ଫ କରି ତହିଁର ପ୍ରୟୋଗ ଦ୍ବାରା ନିଜ ଆୟର ପଥ ସୁଗମ କରିବାକୁ ଏପରି ଧୂର୍ତ୍ତତା ଅବଲମ୍ବନ କରିଛି ଯେ ଓଡ଼ିଆ ଭାଷା ଜନନୀର ଜୀବନରେ ଏହି ଗୁରୁତ୍ବପୂର୍ଣ ଘଟଣାର ଇତିହାସ ଅପବିତ୍ର ହୋଇପଡ଼ିଛି |

ଶ୍ରୀଯୁକ୍ତ ହୋତାଙ୍କ ହେତୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡିଶା ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ଏକ ପ୍ରାମାଣିକ ଦଲିଲ ତିଆରି କରିଥିଲେ ବିଭିନ୍ନ ବିଦ୍ବାନଙ୍କୁ ବ୍ୟବହାର କରି | ଏଥିରେ ଭାଷାବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ସୁବ୍ରତକୁମାର ପୃଷ୍ଟି ଅନ୍ତର୍ଭୁକ୍ତ ଥିଲେ| ଏ ଦିହେଁ ମିଶି ‘ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣା ପ୍ରତିଷ୍ଠାନ’ (ଓ.ଭା.ଅ.ଗ.) ନାମକ ଏକ ଘରୋଇ ସଂସ୍ଥା ଗଢ଼ିଛନ୍ତି ଯାହା ଏକ ‘ଓଡ଼ିଆ ବିଶ୍ବବିଦ୍ୟାଳୟ’ ବସାଇବାକୁ ସରକାରଙ୍କ ସାହାଯ୍ୟ ଚାହୁଁଥିଲା | ଏଥିପାଇଁ ଏହା ନିଜେ ଗବେଷଣା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଏକ ପ୍ରତିଷ୍ଠାନ ଭାବେ ପ୍ରମାଣପତ୍ର ଦେବାର ଆବଶ୍ୟକତା ଥିଲା | ଏହି ପ୍ରମାଣପତ୍ର ହାସଲ କରିବାକୁ କୌଶଳକ୍ରମେ ଏମାନେ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଥିବା ପ୍ରମାଣ ପରିପୁରିତ ଦଲିଲଟିକୁ ହାତେଇ ଓ.ଭା.ଅ.ଗ. ତାହାକୁ ପ୍ରସ୍ତୁତ କରିଥିବା କହି ନିଜକୁ ଏକ ଭାଷା-ଗବେଷଣା ସଂସ୍ଥା ଭାବେ ଦେଖାଇବାକୁ ଚେଷ୍ଟା କରିଛନ୍ତି | ଏହି କାମରେ ଏମାନଙ୍କୁ ସାହାଯ୍ୟ କରିଛନ୍ତି କେତେକ ସ୍ଖଳିତ ରାଜନେତା ଓ ଆଇ.ଏ.ଏସ. ଅଫିସର | ଫଳରେ ଏକ କିମ୍ଭୁତକିମାକାର ପରିସ୍ଥିତି ଉପୁଜିଛି | ଓଡିଶା ସରକାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଯେଉଁ ଯୁକ୍ତିପତ୍ର ତିଆରି କରିଥିଲେ ତାହାକୁ ଓ.ଭା.ଅ.ଗ.ତିଆରି କରିଥିବା ଦର୍ଶାଇ କେଆଇଏସ ଫାଉଂଡେସନ (KIS Foundation) ନାମକ ସଂସ୍ଥା Classical Odia ଶୀର୍ଷକରେ ପ୍ରକାଶ କରିଛଂତି ଓ ଏହା ଖଣ୍ଡ ପ୍ରତି ଦେଢ଼ ହଜାର ଟଂକା ଦାମରେ ବିକ୍ରି ହେଉଛି | ଏଥିରେ ଭାଷାବିତ୍  ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ‘ଲେଖକ’ ବୋଲି ଦର୍ଶାଯାଇଛି | ତାଙ୍କୁ  ଓ ତାଙ୍କ ସହଯୋଗୀ ସୁବ୍ରତ କୁମାର  ପୃଷ୍ଟିଙ୍କୁ ଏଥିପାଇଁ ଯୁଗ୍ମ ମାନ୍ୟତା ଦିଆଯାଇଥିଲା ବେଳେ, ଖୁଣ୍ଟିଆ ଓ ତାଙ୍କ ରାଜନୀତିକ ସହଯୋଗୀମାନେ ମିଳିତ ଭାବେ ଏହାକୁ ତିଆରି କରିଥିବା କୁହା ହୋଇଛି |

 ଏହା ଦ୍ବାରା ଆମ ମାତୃଭାଷା ଜୀବନରେ ଦୁଇଟି ଅଭୂତପୂର୍ବ ବିପତ୍ତି ଦେଖା ଦେଇଛି | ପ୍ରଥମଟି ହେଲା, ଭାଷା ଇତିହାସର ବିକୃତିକରଣ ଓ ଦ୍ବିତୀୟଟି ହେଲା , ଭାଷା ମାଫିଆର ଅଭ୍ୟୁତ୍ଥାନ   |

ନଥିପତ୍ର ଅନୁଧ୍ୟାନରୁ  ଜଣା ଯାଏ, ସରକାରୀ ଦଲିଲଟି ଚୋରାରେ ରାମ ଚନ୍ଦ୍ର ଖୁଣ୍ଟିଆଙ୍କ ପାଖରେ ପହଂଚିଛି ଓ ସେ ତାର ରାଜନୈତିକ ଓ ବ୍ୟବସାୟିକ ଉପଯୋଗ କରିଛନ୍ତି ଓ ଏହି ଅପରାଧରେ ଦେବୀ ବାବୁ ଏବଂ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟି ଜଡିତ ଓ ଏହାର ଉପଭୋକ୍ତା | ଏହି ସମଗ୍ର ଘଟଣା ଏପରି ରହସ୍ୟାବୃତ୍ତ ଯେ , ଏବଂ ଏହି ଅପରାଧ ସହ ସେତେବେଳେ ମନ୍ତ୍ରୀ ଥିବା ଦୁଇଜଣ ବ୍ୟକ୍ତି ଯାହାଙ୍କ ମଧ୍ୟରୁ ଏବେ ବି ଜଣେ ମନ୍ତ୍ରୀ ଅଛନ୍ତି  ଏବଂ ସେମାନଙ୍କ ସାଙ୍ଗକୁ ଶାସନ ସଚିବ ସ୍ତରୀୟ ଏପରି କିଛି ବ୍ୟକ୍ତି ଏତେ ପରିମାଣରେ ଜଡିତ ଯେ,ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ତଦନ୍ତ କରାଗଲେ ସତ ହୁଏତ ପଦାକୁ ଆସି ନ ପାରେ | ସୁତରାଂ କୌଣସି ବାହାର ସଂସ୍ଥା ବା କେନ୍ଦ୍ର ତଦନ୍ତ ବ୍ୟୁରୋ ଦ୍ବାରା ତଦନ୍ତ କରାଯାଇ ଓଡ଼ିଆ ଭାଷା ଉପରେ ଦେଖାଦେଇଥିବା ଉପରୋକ୍ତ ଦୁଇ ବିପତ୍ତିର ମୁଳୋତ୍ପାଟନ କରା ଯାଉ ବୋଲି ଭାଷା ଆଂଦୋଳନ ଦାବି କରୁଛି |

ଘଟଣାଟି ହେଲା , ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦାବି କରିବାକୁ ମନ ସ୍ଥିର କରି ସେହି ଦାବି ସପକ୍ଷରେ ସପ୍ରମାଣ ଯୁକ୍ତିପତ୍ର ତିଆରି କରିବାକୁ ଓଡିଶା ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଆଦେଶ ଦେଲେ | ତହିଁର ନିର୍ଦ୍ଦେଶକ ସେତେବେଳେ ଥିଲେ ଅଧ୍ୟାପକ ହରିହର କାନୁନ୍ଗୋ | ସେ ଡଃ ଗଗନେନ୍ଦ୍ରନାଥ ଦାସ,  ଡଃ  ଖଗେଶ୍ବର ମହାପାତ୍ର , ଡଃ କୈଳାଶ ଚନ୍ଦ୍ର ଟୀକୟାତରାୟ, ଡଃ ସ୍ନିଗ୍ଧା ତ୍ରିପାଠୀ , ଡଃ  ବସନ୍ତ କୁମାର ପଂଡା ଓ ଡଃ ଅମୀୟ କୁମାର ପଟ୍ଟନାୟକଙ୍କୁ ନେଇ ଏକ କମିଟି ଗଠନ କରିଥିଲେ, ଯାହା ପରେ ପରିବର୍ଦ୍ଧିତ ହୋଇଥିଲା |

ପ୍ରତିଷ୍ଠାନ ପ୍ରସ୍ତୁତ ଏକ ତାଲିକା ଅନୁଯାୟୀ ବିଭିନ୍ନ ବ୍ୟକ୍ତିଙ୍କଠାରୁ ତଥ୍ୟନିବନ୍ଧ ମଗାଯାଇ ସେଗୁଡିକୁ ଏକତ୍ର ସାନ୍ଧି , ତହିଁର ଇଂରାଜୀ ଭାଷା-ରୂପ ତିଆରି କରାଯାଇ ଦଲିଲଟିର ଚୁଡ଼ାନ୍ତିକରଣ କରାଗଲା 31.5.2013 ତାରିଖରେ, ଓ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସମେତ ସଭ୍ୟମାନେ ତଥା ଉପସ୍ଥିତ ମନ୍ତ୍ରୀ ଓ ସଚିବ ତହିଁରେ ସ୍ବାକ୍ଷର କରି ଥିଲେ | ଅଥଚ ଏହି ଏକା ଦଲିଲକୁ 10.6.2013 ତାରିଖରେ ରାମଚନ୍ଦ୍ର ଖୁଂଟିଆ  କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ନିଜର ଦଲିଲ ଭାବେ, ଯାହା ସେ ଦେବୀ ପ୍ରସନ୍ନ ପଟ୍ଟନାୟକ ଲେଖିଥିବା ଓ ସେ ଏବଂ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟିଙ୍କ  ଓ.ଭା.ଅ.ଗ. ଦ୍ବାରା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି | ସବୁଠୁ ମାରାତ୍ମକ କଥା ହେଲା , 31.5.2013ରେ ସ୍ବାକ୍ଷରିତ ଯେଉଁ ସରକାରୀ ଦଲିଲକୁ ରାମଚନ୍ଦ୍ର ଖୁଂଟିଆ ଦେବୀ ବାବୁଙ୍କ ଓ.ଭା.ଅ.ଗ. ଦ୍ବାରା ପ୍ରସ୍ତୁତ ଦଲିଲ ଭାବେ ଦାଖଲ କରିଛନ୍ତି ତହିଁରେ ସରକାରୀ କମିଟିର ସଦସ୍ୟମାନଙ୍କ ନାମ ତଥା ତଥ୍ୟପତ୍ର ଦେଇ ଏହି ଦଲିଲକୁ ଜନ୍ମ ଦେଇଥିବା ବିଦ୍ବାନମାନଙ୍କ ନାମ ଉତ୍ଖାତ ହୋଇ ଅନ୍ୟ ଲୋକଙ୍କ ନାମ ଖୋଦିତ ହୋଇଛି |

ଏପରି ସାଂସ୍କୃତିକ ରାହାଜାନି ଏଥି ପୂର୍ବରୁ କେବେ ଘଟି ନଥିଲା ଓଡ଼ିଶାରେ | ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସମସ୍ତ କର୍ମକର୍ତ୍ତା ଏହା ଜାଣନ୍ତି | ଏହା ଜାଣିଥିବା ହେତୁ , ଯେତେବେଳେ ଶାସ୍ତ୍ରୀୟ ମାନ୍ୟତା ଉତ୍ସବ ପାଳିତ ହେଲା ସରକାରୀ ସ୍ତରରେ ଦେବୀ ବାବୁଙ୍କୁ ଡକା ହୋଇ ନ ଥିଲା | ଦେବୀ ବାବୁ ଏହା ସ୍ବୀକାର କରି ଲେଖିଛନ୍ତି , “ସାହିତ୍ୟ ଏକାଡେମୀ ଏଥିପାଇଁ ଯେଉଁ ସଭା ଡାକିଥିଲେ ସେଠିକି ମତେ ନିମନ୍ତ୍ରଣ ମଧ୍ୟ କଲେ ନାହିଁ | ମୁଁ ସେ ସଭାକୁ ଯାଇଥିଲି | ଏଥିରେ ପାଞ୍ଚଟି ବହି ଲୋକାର୍ପଣ କରାଗଲା | ଚାରୋଟିର ଲେଖକ/ ସମ୍ପାଦକଙ୍କୁ ମଂଚ ଉପରକୁ ଡକାଗଲା | ପଞ୍ଚମ , ଶାସ୍ତ୍ରୀୟ ମାନ୍ୟତା ପାଇଁ, ଯାହା ମୋ ତତ୍ବାବଧାନରେ ପ୍ରସ୍ତୁତ କରିଯାଇଛି ବୋଲି ସରକାର ନିଜେ ଛାପିଛନ୍ତି, ତାର ଲୋକାର୍ପଣ ବେଳେ ମତେ ଡାକାଗଲାନାହିଁ ” (ସମାଜ ତା 17 ଜୁଲାଇ 2016)  | ମୁଁ ସଂସ୍କୃତି ବିଭାଗର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କୁ ପଚାରିଥିଲି କି , ଏହି ଦଲିଲଟି ଲୋକାର୍ପିତ ହେଲାବେଳେ ସଭା କକ୍ଷରେ ଉପସ୍ଥିତ ଥିବା ଦେବୀ ବାବୁଙ୍କୁ ମଞ୍ଚକୁ ନ ଡାକିବା କଣ ଉଚିତ ଥିଲା ? ସେ ତତ୍କାଳ ଉତ୍ତର ଦେଇଥିଲେ , “ତାଂକୁ ? ଯିଏ ଆମ ଦଲିଲ ଚୋରିକରି ରାମ ଖୁଣ୍ଟିଆଙ୍କୁ ଦେଇଦେଲେ ତାଙ୍କୁ ଡାକିଥାନ୍ତୁ ମଂଚ ଉପରକୁ ?”  ମୁଁ ହତବାକ ହୋଇ ଯାଇଥିଲି |

ଏ ଭିତରେ ଡଃ ପଟ୍ଟନାୟକ ଦୁଇଟି ଦୈନିକ ଖବର କାଗଜରେ ଏକ ନିବନ୍ଧ ଲେଖି କହିଛନ୍ତି ଯେ , ଉଭୟ ସରକାରୀ ଓ ବେସରକାରୀ ଦଲିଲରେ ତହିଁର ପ୍ରସ୍ତୁତିର ଶ୍ରେୟ ତାଙ୍କୁ ହିଁ ଦିଆ  ଯାଇଛି ; ସୁତରାଂ ଉଭୟ ଦଲିଲ ସମାନ ହେବା ସ୍ବଭାବିକ  |

ଏହା ଓଡ଼ିଆ ଭାଷାର ଇତିହାସକୁ ବିକୃତ ଓ ବିଭ୍ରାନ୍ତ କରିଛି | ଆମ ଚଳନ୍ତି ଇତିହାସ ଏପରି ବିକୃତ ହେବା ଦୁର୍ଭାଗ୍ୟଜନକ | ଏହାର ପ୍ରତିକାର ପାଇଁ ଶାସ୍ତ୍ରୀୟ ମାନ୍ୟତାର ପ୍ରକୃତ ଇତିହାସ ପ୍ରତିଷ୍ଠିତ ହେବା ଦରକାର | ସେଥିପାଇଁ ସିବିଆଇ ତଦନ୍ତ ଉପରେ ଆମେ ଗୁରୁତ୍ବ ଦେଉଛୁ |

ଓଡ଼ିଆ ଭାଷା ଜନନୀର ଜୟ ହେଉ  |

Google Input Tools online ସହାୟତାରେ ଏହା ଲିପିବଦ୍ଧ

ମିଛ କେବେ ସତ ହୁଏନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ, ଭାଷା ଆଂଦୋଳନ , ଓଡିଶା

ବିଳମ୍ବରେ ହେଲେ ବି , ଭାଷା ଆନ୍ଦୋଳନ, ଓଡ଼ିଶାର ଦାବି ଫଳରେ ଓଡିଶା ସରକାର ଶାସ୍ତ୍ରୀୟ ମାନ୍ୟତା ଚୋରି ଅଭିଯୋଗ ଉପରେ ଖୋଳତାଡ଼ ଆରମ୍ଭ କରିଛନ୍ତି | ଏହା ଅବଗତ ହୋଇ ଏହି ଚୋରିରେ ଅଭିଯୁକ୍ତ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ତାର ପ୍ରତ୍ୟେକ ସଦସ୍ୟ ଯେ କୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ” ବୋଲି ପ୍ରକାଶ କରିଛନ୍ତି (“ଶାସ୍ତ୍ରୀୟ ଓଡ଼ିଆ ପାଇଁ ପରବର୍ତ୍ତୀ କାର୍ଯ୍ୟ“, ସୁବ୍ରତ କୁମାର ପୃଷ୍ଟି ,ସୂର୍ଯ୍ୟପ୍ରଭା , 29.6.2017) |

ଓଡ଼ିଆ ଭାଷା ପାଇଁ ଶାସ୍ତ୍ରୀୟ ମାନ୍ୟତା ଦାବି ରଖିବାକୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ଓଡିଶା ସରକାର ଯେଉଁ ଯୁକ୍ତିପତ୍ର ଦଲିଲ ତିଆରି କରିଥିଲେ ତାହାକୁ ଉପରୋକ୍ତ ସଂସ୍ଥା କୌଶଳକ୍ରମେ ହଡ଼ଫ କରି ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଦେଇ ନିଜକୁ ତହିଁର ପ୍ରସ୍ତୁତିକର୍ତ୍ତା ଓ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଲେଖକ ଦର୍ଶାଇ ଶାସ୍ତ୍ରୀୟ ମାନ୍ୟତା ଇତିହାସକୁ ବିଭ୍ରଷ୍ଟ କରିଛି ବୋଲି ଅଭିଯୋଗ ହୋଇଛି | ଦେବୀ ବାବୁଙ୍କ ମୁଖ୍ୟ ସହଯୋଗୀ ତଥା ଉପରୋକ୍ତ ଅଭିଯୁକ୍ତ ସଂସ୍ଥାର ସଦସ୍ୟ ସଚିବ ସୁବ୍ରତ କୁମାର ପୃଷ୍ଟି ଓଡ଼ିଆ ଭାଷା ପ୍ରତିଷ୍ଠାନ ଏପରି କୌଣସି ଦଲିଲ ପ୍ରସ୍ତୁତ କରିନଥିଲା ବୋଲି ଆସ୍ଫାଳନ କରିଛନ୍ତି (ଏଯନ) |

ଲେଖାଟି ଅନ୍ତ୍ରସଂଘାତରେ ଆକ୍ରାନ୍ତ ; କାରଣ ଏହି ଏକା ଲେଖାରେ ହିଁ ସେ ଲେଖିଛନ୍ତି ଯେ, ଏହି ଦଲିଲ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଯେଉଁ କମିଟି ଗଢ଼ିଥିଲେ ସେ ତହିଁରେ ଜଣେ ସଭ୍ୟ ଥିଲେ ଓ ଅଂଶଗ୍ରହଣ କରିଥିଲେ | ଯାହା ଦେଖାଯାଉଛି, ମିଛ କହି ମିଛକୁ ଘୋଡ଼ାଇବାକୁ ସେ ପୁନରପି ମିଛ କହିଛନ୍ତି |

ମିଛ ନମ୍ବର 1 :

ସେ ଲେଖିଛନ୍ତି , ରାଜ୍ୟ ସଂସ୍କୃତି ବିଭାଗ ଶାସ୍ତ୍ରୀୟ ମାନ୍ୟତା ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଯେଉଁ କମିଟି ଗଢ଼ିଥିଲେ ସେହି “କମିଟିର 16.2.13 ତାରିଖ ବୈଠକରେ ଭାଷା ପ୍ରତିଷ୍ଠାନକୁ ମିଳିଥିବା 7ଟି ପ୍ରବନ୍ଧ ପରୀକ୍ଷା କରି ରାଜକିଶୋର ମିଶ୍ର ମତ ଦେଲେ ଯେ, ଏହାକୁ ନେଇ ଭିତ୍ତିପତ୍ର ପ୍ରସ୍ତୁତ କରିବା ଅସମ୍ଭବ |” ଏହା ଏକ ମିଛ କଥା ଏଇଥିପାଇଁ ଯେ, ଭାଷା ପ୍ରତିଷ୍ଠାନର ଏହି ବୈଠକର ବିବରଣୀରେ ଏ କଥା ଆଦୌ ଉଲ୍ଲେଖ ନାହିଁ |

ମିଛ ନମ୍ବର 2 :

ପୃଷ୍ଟି ବାବୁ ଲେଖିଛନ୍ତି, “ଶାସ୍ତ୍ରୀୟତା ବହି ଲେଖକ ବୋଲି ଦାବି କରୁଥିବା ଜଣେ ସଦସ୍ୟ 6.3.13 ତାରିଖ ବୈଠକରେ ଓଡ଼ିଆରେ ଲିଖିତ 20 ପୃଷ୍ଠାର ଏକ ତଥ୍ୟାହୀନ ପ୍ରବନ୍ଧ ପାଠ କରିବା ପରେ ଏହାର ଅନାବଶ୍ୟକତାକୁ ଉପସ୍ଥିତ ସଂସ୍କୃତି ସଚିବ, ସାହିତ୍ୟ ଏକାଡେମୀ ସଭାପତିଙ୍କ ସମେତ ଅନ୍ୟ ସଦସ୍ୟ ଅନୁଭବ କଲେ | ଏହି ଦିନ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପୁର୍ବପ୍ରଦତ୍ତ ଭିତ୍ତିପତ୍ର ସୁବ୍ରତ ପୃଷ୍ଟି ପାଠ କଲେ | ଏହାକୁ ମୂଳ ଭିତ୍ତିପତ୍ର ଭାବରେ ଗ୍ରହଣ କରାଯାଇ ଏହାର ପରୀକ୍ଷା ନୀରିକ୍ଷା ପାଇଁ ଏକ ଉପସମିତି ଗଠିତ ହେଲା |” ଭାଷା ପ୍ରତିଷ୍ଠାନର ଏହି ବୈଠକର ବିବରଣୀ ମୁଁ ଅନୁଧ୍ୟାନ କଲି | ତହିଁରେ ଲେଖା ଅଛି , “ସଭାପତିଙ୍କ ଅନୁରୋଧ କ୍ରମେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସମ୍ପର୍କରେ ତାଙ୍କ ପ୍ରସ୍ତୁତ ବିବରଣୀର ସାରାଂଶ ପାଠ କରିଥିଲେ ଏବଂ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଡ଼. ସୁବ୍ରତ କୁମାର ପୃଷ୍ଟି ପାଠ କରିଥିଲେ |” ଅତଏବ , ପୃଷ୍ଟି ମିଛ କହିଛନ୍ତି | “କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପୁର୍ବପ୍ରଦତ୍ତ ଭିତ୍ତିପତ୍ର ସୁବ୍ରତ ପୃଷ୍ଟି ପାଠ କରିଥିଲେ” ବା ସେ ନାଁ ଲେଖିବାକୁ ସାହସ କରିନଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପ୍ରବନ୍ଧର “ଅନାବଶ୍ୟକତାକୁ ଉପସ୍ଥିତ ସଂସ୍କୃତି ସଚିବ, ସାହିତ୍ୟ ଏକାଡେମୀ ସଭାପତିଙ୍କ ସମେତ ଅନ୍ୟ ସଦସ୍ୟ ଅନୁଭବ କଲେ” ବୋଲି ଏହି ବିବରଣୀରେ ଆଦୌ ନାହିଁ |

ବସ୍ତୁତଃ “କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପୁର୍ବପ୍ରଦତ୍ତ ଭିତ୍ତିପତ୍ର” ଶୀର୍ଷକ କୌଣସି ଭିତ୍ତିପତ୍ର ଓଡ଼ିଆ ଭାଷା ପ୍ରତିଷ୍ଠାନ ସମ୍ମୁଖରେ ନ ଥିଲା | ଯେଉଁ ଭିତ୍ତିପତ୍ରଗୁଡିକ ଥିଲା ସେଗୁଡିକ ସଂଖ୍ୟାରେ ସତର | ଯଥା : (1) ଶାସ୍ତ୍ରୀୟ ଭାଷା ଅଧିସୂଚନା ମାନ୍ୟତାରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା , ଲେଖକ – ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର (ପୃଷ୍ଠା ସଂଖ୍ୟା 28) , (2) ଭରତମୁନିଙ୍କ ନାଟ୍ୟ ଶାସ୍ତ୍ରର ଉଡ୍ର ବିଭାଷା ହିଁ ଓଡ଼ିଆ ଭାଷା , ଲେଖକ – କୀର୍ତ୍ତନ ନାରାୟଣ ପାଢ଼ୀ (ପୃଷ୍ଠା ସଂଖ୍ୟା 28), (3) ଓଡ଼ିଆ ଭାଷା :ଐତିହ୍ୟ ଓ ଇତିହାସ , ଲେଖକ – ଡ଼. ବସନ୍ତ କୁମାର ପଣ୍ଡା (ପୃଷ୍ଠା ସଂଖ୍ୟା 21), (4) ଓଡ଼ିଆ ଭାଷାର ବୈଶିଷ୍ଟ୍ୟ (ଧ୍ବନୀ ,ରୂପ ,ବାକ୍ୟ , ଲୋକକଥା) ଲେଖକ – ଡ଼. କୈଳାସ ଚନ୍ଦ୍ର ଟୀକାୟତରାୟ (ପୃଷ୍ଠା ସଂଖ୍ୟା 13), (5) ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ଓଡ଼ିଆ ଭାଷାର ପ୍ରାଚୀନତା , ଲେଖକ – ଡ଼. ବିଜୟ ପ୍ରସାଦ ମହାପାତ୍ର (ପୃଷ୍ଠା ସଂଖ୍ୟା 21) ଇତ୍ୟାଦି | ଦୁଇ ସଂଖ୍ୟକ ପୃଷ୍ଠା ଥିବା ଅନ୍ୟ ଭିତ୍ତିପତ୍ରଗୁଡ଼ିକର ଲେଖକମାନେ ଥିଲେ ଡ଼. ସଦାନନ୍ଦ ନାୟକ, ଡ଼. ଦଧିବାମନ ମିଶ୍ର , ଡ଼. ଆଶୁତୋଷ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟି | ଏକକ ସଂଖ୍ୟକ ପୃଷ୍ଠା ଥିବା ଭିତ୍ତିପତ୍ର ଗୁଡ଼ିକର ଲେଖକମାନେ ଥିଲେ ଉଦୟନାଥ ସାହୁ, ଡ଼. ଖଗେଶ୍ବର ମହାପାତ୍ର, ଡ଼.ବସନ୍ତ କୁମାର ପଣ୍ଡା, ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଡ଼. ନଟବର ଶତପଥୀ | ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ନିବନ୍ଧଟି ମାତ୍ର ତିନି ପୃଷ୍ଠାର ଥିଲା, ଯାହାକୁ ତାଙ୍କ ତରଫରୁ ପାଠ କରିଥିଲେ ସୁବ୍ରତ କୁମାର ପୃଷ୍ଟି |

ଅତଏବ, ଶାସ୍ତ୍ରୀୟ ମାନ୍ୟତା ପାଇଁ ବ୍ୟବହୃତ ଏହି ନିବନ୍ଧଗୁଡ଼ିକ ମଧ୍ୟରୁ ଦେବୀ ବାବୁଙ୍କ ନିବନ୍ଧ ଗୋଟିଏ |

“ଶାସ୍ତ୍ରୀୟ ମାନ୍ୟତା ବିଷୟକ ଗବେଷଣା କମିଟି ସଦସ୍ୟ” ଭାବେ 26.10.2012 ତାରିଖରେ ଯେଉଁମାନଙ୍କ ନାମ ଘୋଷଣା କରିଥିଲା ଭାଷା ପ୍ରତିଷ୍ଠାନ, ସେମାନଙ୍କ ଭିତରେ ଦେବୀ ବାବୁ ନ ଥିଲେ | ଏପରିକି ସମ୍ପାଦନା ମଣ୍ଡଳୀରେ ବି ତାଙ୍କ ନାମ ନ ଥିଲା | ଅଧ୍ୟାପକ ହରିହର କାନୁନଗୋଙ୍କୁ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦରୁ ରାତି ଅଧିଆ ବଦଳି କରାଯାଇ ପ୍ରତିଷ୍ଠାନର ଜଣେ କର୍ମଚାରୀଙ୍କୁ ତାଙ୍କ ସ୍ଥାନରେ ରଖାଗଲା ପରେ ଏହି କମିଟୀରୁ ଡ଼. ନଟବର ଶତପଥୀଙ୍କୁ ବିଦା କରାଯାଇ ଦେବୀ ବାବୁଙ୍କୁ ନିଆଗଲା | ନଟବର ବାବୁଙ୍କ ଆଶଙ୍କା ଯେ , ତାଙ୍କୁ ଜାଣିଶୁଣି ବିଦା କରିଦିଆଗଲା କମିଟୀରୁ | ତହିଁର କାରଣ ଯେ ତାଙ୍କୁ ଜଣା ନାହିଁ ତା ନୁହେଁ | ଯେଉଁମାନଙ୍କ ଷଡ଼ଯନ୍ତ୍ର ହେତୁ ସେ ଏହି କମିଟୀରୁ ବାଦ ପଡ଼ିଗଲେ , ସମୟର କୂଟଚକ୍ରରେ ପଡ଼ି ସେହିମାନଙ୍କ ସଂସ୍ଥାରେ ସେ ମୁତୟନ ଅଛନ୍ତି | ତେଣୁ ସେ ଅନେକ କଥା ଓ ବ୍ୟଥା ଲୁଚାଇ ରଖିଛନ୍ତି | ବିଧିବଦ୍ଧ ତଦନ୍ତ ହେଲେ ତାହା ପଦାକୁ ଆସିପାରେ |

ସେ କହିଛନ୍ତି ଯେ, ଶାସ୍ତ୍ରୀୟ ମାନ୍ୟତା କଥା କାହା ମୁଣ୍ଡରେ ଢୁକିବା ପୂର୍ବରୁ, ସେ ପ୍ରଥମେ ସେଥିପାଇଁ ଉଦ୍ୟମ କରିଥିଲେ | ତାଙ୍କ ପ୍ରଚେଷ୍ଟାରେ ସମାଜ କାଗଜର ତଦାନୀନ୍ତନ ସମ୍ପାଦକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଏକ ବୈଠକ ବସି ଶାସ୍ତ୍ରୀୟ ମାନ୍ୟତା ବିଷୟରେ ଏକ ପ୍ରାଥମିକ ରିପୋର୍ଟ ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା | ତଦନୁଯାୟୀ ସୁବ୍ରତ ଓ ସେ ମିଶି ଯେଉଁ ରିପୋର୍ଟ କରିଥିଲେ, ତହିଁର ଗୁରୁତ୍ବ ଥିବା ହେତୁ , ଭାଷା ପ୍ରତିଷ୍ଠାନ କମିଟିର ସଭ୍ୟ ହୋଇଥିଲେ ମଧ୍ୟ ସେ ସମ୍ପର୍କରେ ସେ କାହାକୁ କିଛି କହି ନଥିଲେ (“ପୂର୍ବରୁ ସୁବ୍ରତ ଓ ମୁଁ ଯେଉଁ ଲେଖା ପ୍ରସ୍ତୁତ କରିଥିଲୁ ସେ ବିଷୟ କାହାରିକୁ ସୂଚାଇ ନଥିଲୁ”- ନଟବର ଶତପଥୀ,ସାହିତ୍ୟ ମନ୍ଥନ, ସଂ. ଅସିତ ମହାନ୍ତି ପୃ. 166) | ସେ ପୁଣି କହିଛନ୍ତି, “ଅକସ୍ମାତ ଦିନେ ରାମଚନ୍ଦ୍ର ଖୁଣ୍ଟିଆ ସୁବ୍ରତ ସହ ଦେଖା ହେଲେ ଓ ସୁବ୍ରତ ଠାରୁ ଆମର ଲେଖା ବିଷୟ ଶୁଣି ତା ମାଧ୍ୟମରେ ମୋତେ ଡକାଇଲେ | ମୁଁ ଓ ସୁବ୍ରତ ପହଂଚି ତାଙ୍କୁ 80 ପୃଷ୍ଠାର ଲେଖାଟି ଦେଲୁ, ଦେଖିବା ପାଇଁ | ସେ ଆମକୁ ନ ଜଣାଇ ସେଇଟି କେନ୍ଦ୍ର ସରକାରଙ୍କ ପାଖରେ ପହଙ୍ଚାଇଲେ ଓ ପରେ ପରେ ବାରମ୍ବାର ବିଭିନ୍ନ ସ୍ତରରେ ପ୍ରଶ୍ନ ଉଠାଇଲେ | ସେ ଦାଖଲ କରିଥିବା ଲେଖାଟି ଥିଲା ଅସଂପୁର୍ଣ, ଆବଶ୍ୟକ ତଥ୍ୟ ବିହୀନ | ମୋର ଯାହା ଧାରଣା , ତାକୁ ହିଁ ଭିତ୍ତିକରି କେନ୍ଦ୍ର ସରକାର (ଏକାଡେମୀ) ରାଜ୍ୟ ସରକାରଙ୍କୁ ପତ୍ର ଲେଖିଲେ |” (ଏଯନ) | ଏଥିରୁ ଏହା ହିଁ ଜାଣି ହୁଏ ଯେ , “ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଡ଼. ସୁବ୍ରତ କୁମାର ପୃଷ୍ଟି ପାଠ କରିଥିଲେ” ବୋଲି 6.3.13 ତାରିଖର ଭାଷା ପ୍ରତିଷ୍ଠାନ ବିବରଣୀରେ ଯାହା ଲେଖା ହୋଇଛି ତାହା ଯଦି ଦେବୀ ବାବୁଙ୍କ ଉପରୋକ୍ତ ତିନି ପୃଷ୍ଠିଆ ଲେଖାଟି ବଦଳରେ, ସୁବ୍ରତ ପୃଷ୍ଟିଙ୍କ ଭାଷାରେ “କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପୁର୍ବପ୍ରଦତ୍ତ ଭିତ୍ତିପତ୍ର” ହୋଇ ଥାଏ , ତେବେ ତାହା ଦେବୀ ବାବୁଙ୍କ ଦ୍ବାରା ଲିଖିତ ଲେଖା ନୁହେଁ, ନଟବର ଶତପଥୀଙ୍କ ଦ୍ବାରା ତାଙ୍କ କମ୍ପୁଟରରେ ଲିଖିତ ଲେଖା (“ମୋ କମ୍ପୁଟରରେ ତାହା ଏବେ ମଧ୍ୟ ରହିଛି” – ନଟବର ଶତପଥୀ -ଏଯନ) | ଦେବୀ ବାବୁଙ୍କ ଦ୍ବାରା ଏପରି ଏକ ସାଂସ୍କୃତିକ ରାହାଜାନିର ଆଶଙ୍କା ହୁଏତ କରୁଥିଲେ ନବବର ଶତପଥୀ ; କାରଣ ସେ ସ୍ପଷ୍ଟତଃ ଲେଖିଛନ୍ତି , “ମୁଁ ସୁବ୍ରତକୁ ବରାବର ମନା କଲି , ଦେବୀ ବାବୁ ଯେଉଁ ରିପୋର୍ଟ କଥା କହୁଛନ୍ତି ସେଇଟି ଦେବା ଅନୁଚିତ | ତୁ ଆଦୌ ରାଜି ହେବୁନାହିଁ , ବା ତୋ ପାଖରେ ଥିବା କପି ଦେବୁନାହିଁ ” (ଏଯନ, ପୃ – 167) | ଏ ସମସ୍ତ ତଥ୍ୟ ସର୍ବାଗ୍ରେ ଉଦ୍ଧୃତ୍ତ “ଶାସ୍ତ୍ରୀୟ ଓଡ଼ିଆ ପାଇଁ ପରବର୍ତ୍ତୀ କାର୍ଯ୍ୟ” ଲେଖାରେ ତହିଁର ଲେଖକ ରଖିଥିବା ନମ୍ବର-2 ମିଛ ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି ଅତି ସୁଦୃଢ଼ ଭାବେ |

ମିଛ ନମ୍ବର 3 :

ସୁବ୍ରତ ବାବୁଙ୍କ ନିବନ୍ଧରେ ଲେଖା ଅଛି , “ସାଂସଦ ଶ୍ରୀଯୁକ୍ତ ଖୁଣ୍ଟିଆ ନିଜ ବ୍ୟସ୍ତ ବହୁଳ ରାଜନୈତିକ କାର୍ଯ୍ୟକ୍ରମ ଭିତରେ 8.5.13ରେ ଦଳମତ ନିର୍ବିଶେଷରେ 16 ଜଣ ସାଂସଦଙ୍କ ସ୍ବାକ୍ଷରରେ ପୂର୍ଣ୍ଣାଙ୍ଗ ଭିତ୍ତିପତ୍ରରୁ 5ଟି ବହି କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପ୍ରଦାନ କଲେ |”

ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ Classical Odia ନାମକ ଯେଉଁ ବହିଟି KIS Foundation ଦ୍ବାରା ପ୍ରକାଶ କରିଛନ୍ତି , ଯହିଁରେ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟିଙ୍କ ମିଳିତ ମୁଖ୍ୟ ତତ୍ତ୍ବାବଧାନରେ ତାହା ଓଡ଼ିଆ ଅଧ୍ୟୟନ ଓ ଗବେଷଣା ପ୍ରତିଷ୍ଠାନ ଦ୍ବାରା ପ୍ରସ୍ତୁତ ଓ ଡ଼.ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ବୋଲି କୁହା ହୋଇଛି , ତହିଁର 335 ପୃଷ୍ଠାରୁ 370 ପୃଷ୍ଠା ପର୍ଯ୍ୟନ୍ତ ସେ ପାର୍ଲିଆମେଣ୍ଟରେ ଉଠାଇଥିବା ପ୍ରଶ୍ନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ତଥା ପ୍ରଧାନ ମନ୍ତ୍ରୀଙ୍କୁ ଏ ବିଷୟରେ ଦେଇଥିବା ଓ ସେମାନଙ୍କ ଠାରୁ ପାଇଥିବା ସବୁ ଚିଠିର ଫଟୋଚିତ୍ର ସ୍ଥାନିତ ହୋଇଛି | ମାତ୍ର ତନ୍ମଧ୍ୟରେ 16 ଜଣ ସାଂସଦଙ୍କ ସ୍ବାକ୍ଷରରେ ସାହିତ୍ୟ ଏକାଡେମୀକୁ ଦିଆହୋଇଥିବା ପତ୍ରର ଚିହ୍ନବର୍ଣ୍ଣ ନାହିଁ | ଯଦି ପୃଷ୍ଟିଙ୍କ କଥା ସତ ହୋଇଥାନ୍ତା ତେବେ ସେପରି ଏକ ଗୁରୁତ୍ବପୂର୍ଣ ଦସ୍ତାବିଜ ଏ ବହିରେ ସୁନିଶ୍ଚିତ ସ୍ଥାନିତ ହୋଇଥାନ୍ତା | 8.5.13 ତାରିଖରେ ଶ୍ରୀ ଖୁଣ୍ଟିଆ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସଚିବଙ୍କୁ ଦେଇଥିବା ଚିଠିଟିକୁ ଯଦି ପ୍ରକୃତ (genuine) ବୋଲି ଧରାଯାଏ, ତେବେ ଏହି ଚିଠିରେ ପାଞ୍ଚୋଟି କାଗଜ ସଂଲଗ୍ନକ ଓ ଫଟୋ ଦାଖଲ ହୋଇଥିଲା, “ପୂର୍ଣ୍ଣାଙ୍ଗ ଭିତ୍ତିପତ୍ରର 5ଟି ବହି” ନୁହେଁ | ଅତଏବ ସୁବ୍ରତ କୁମାର ପୃଷ୍ଟି ଉପରେ ଯାହା କହିଛନ୍ତି ତାହା ମିଛ |

ହାତ ସଫେଇ

ସୁବ୍ରତ ବାବୁ ଲେଖିଛନ୍ତି, “ଜୁନ 2 ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଭୁବନେଶ୍ବର ଆସୁଥିବାରୁ ସେହିଦିନ ଏହି ଭିତ୍ତିପତ୍ର ପ୍ରଦାନ କରି ରାଜ୍ୟ ସରକାର ଶାସ୍ତ୍ରୀୟ ମାନ୍ୟତା ଦାବି କରିବେ ବୋଲି ନିଷ୍ପତ୍ତି ନିଆଗଲା | ମାତ୍ର ଏହାକୁ ମୁଦ୍ରଣ କରିବା ଦାୟିତ୍ବ ନେଇଥିବା ଏକ ପ୍ରକାଶନ ସଂସ୍ଥା ଭୁଲ ଭାବରେ ମୁଦ୍ରଣ କରିବାରୁ ମାନ୍ୟବର ରାଜ୍ୟ ସଂସ୍କୃତି ମନ୍ତ୍ରୀ ଏହି ବହିକୁ ଲୋକାର୍ପଣ କଲେ ସତ , ମାତ୍ର ତାହା ଆଉ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଆ ଗଲା ନାହିଁ |” ଏ ବହି ସବୁ କୁଆଡେ ଗଲା ? ଏଇଠି ରହିଛି ହାତ ସଫେଇ |

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଚନ୍ଦରେଶ କୁମାରୀ କାଟୋଚ ଶ୍ରୀ ଖୁଣ୍ଟିଆଙ୍କ ଠାରୁ 10.6.2013ରେ ଶାସ୍ତ୍ରୀୟ ମାନ୍ୟତା ଯୁକ୍ତିପତ୍ର/ବହି ପାଇ ତାହାକୁ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପଠାଇ ଦେଇଥିବା D.O. No. 8-85/2012-Akademies ଦ୍ବାରା 3.7.13 ତାରିଖରେ ଜଣାଇଥିଲେ | ଜୁନ 2ର ହାତ ସଫେଇ ଜୁନ 10ର ପୁସ୍ତକ ପଇଠିକରଣରେ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ସାହାଯ୍ୟ କରିଛି |

ସିବିଆଇ ତଦନ୍ତରେ ଏହା ସଂପୂର୍ଣ୍ଣତଃ ପଦାକୁ ଆସିବ | ଅପରାଧ କରିଥିବା ଲୋକ ଯେତେ ଯୋର ଦେଇ କହିଲେ ବି ମିଛ କେବେ ସତ ହେବନାହିଁ | ଏବଂ ସତ୍ୟ ହେଲା : ଶାସ୍ତ୍ରୀୟ ଓଡ଼ିଆ ଦଲିଲ ଚୋରି ହୋଇଛି | ଏହା ଧରାହେବା ଦରକାର |