ଭାଷା ଆନ୍ଦୋଳନର ନୂଆ ରଣକୌଶଳ: ବ୍ୟକ୍ତିଗତ ସତ୍ୟାଗ୍ରହରେ ସାମ୍ବାଦିକ ଦେବୀପ୍ରସନ୍ନ ନାୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟାଳୟ ଚାଲିବା ପାଇଁ ଆମ ରାଜ୍ୟ ତଥା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର ସୃଷ୍ଟି । ୧୯୬୩ରେ ବିଜୁ ପଟ୍ଟନାୟକଙ୍କ ଅବୈଧ ସଂଶୋଧନ ଦ୍ଵାରା ଏହି ଆଇନରେ ଧାରା ୩କ ସଂଯୋଜନ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜାଲିଆତି ବଳରେ ୨୦୧୬ରେ ଧାରା ୪ ତଥା ୨୦୧୮ରେ ଧାରା ୪କର ଅନ୍ତଃସ୍ଥାପନ ଆଇନଟିକୁ ଅକର୍ମଣ୍ୟ କରିଦେଇଛି ଓ ଆମ ରାଜ୍ୟ ପ୍ରତିଷ୍ଠାର ଉଦ୍ଦେଶ୍ୟକୁ ବି ପଣ୍ଡ କରିଦେଇଛି ।

ଏହି ପ୍ରଚଣ୍ଡ ସରକାରୀ ପ୍ରତାରଣା କବଳରୁ ଆମ ପ୍ରିୟ ମାତୃଭାଷାକୁ ଉଦ୍ଧାର କରିବା ପାଇଁ ଗତ ୧୩.୮.୨୦୧୬ ତାରିଖରୁ ଚାଲିଥିବା କଳାପତାକା ଅଭିଯାନରେ ଆମେ ଏକ ନୂଆ ପରୀକ୍ଷଣ ଆରମ୍ଭ କରିଛୁ । ବିଭିନ୍ନ ସ୍ଥାନରେ ସାମୁହିକ କଳାପତାକା ପ୍ରଦର୍ଶନ ଚାଲିଥିବା ବେଳେ ଗାନ୍ଧୀଜୀଙ୍କ କୌଶଳ ଛାୟାରେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି କୌଶଳ ଅନୁଯାୟୀ, ଯେ କୌଣସି ଓଡ଼ିଆ ଯେକୌଣସି ସର୍ବସାଧାରଣ ସ୍ଥାନରେ ହାତରେ ଭାଷା ଆନ୍ଦୋଳନର ଉଦ୍ଘୋଷଣପତ୍ର ଓ କଳାପତାକା ଧରି ଏକାଏକ ଏହି ନୀରବ ସତ୍ୟାଗ୍ରହ ଚଳାଇବେ ।

ବିଶିଷ୍ଟ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ଉତ୍କଳ ଦିବସରେ ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରି କହିଛନ୍ତି, “ଆଜି ଆମ ଜନ୍ମମାଟି ଓଡ଼ିଶାର ଜନ୍ମଦିନ। କେଡ଼େ ପବିତ୍ର ଦିନ ଆମ ପାଇଁ। ଭାଷା ଭିତ୍ତିରେ ଗଠନ ହୋଇଥିବା ଆମ ଏ ସ୍ଵତନ୍ତ୍ର ପ୍ରଦେଶରେ କିନ୍ତୁ ଆମ ମା’ର ଭାଷା (ମାତୃଭାଷା) ଓଡ଼ିଆକୁ ସରକାରୀ କାର୍ଯ୍ୟକ୍ରମ ଓ ପ୍ରାଶାସନିକ ପରିଚାଳନାରେ ଏଯାଏଁ ପ୍ରାଥମିକତା ଦିଆଯାଇ ପାରିଲା ନାହିଁ। ଓଡ଼ିଆକୁ ସରକାରୀ ଭାଷା ଭାବରେ ପ୍ରାଥମିକତା ଓ ଏହାର ଖିଲାପକରୀଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ରାଜ୍ୟବ୍ୟାପି ଚାଲିଥିବା ଭାଷା ଆନ୍ଦୋଳନ (ଆମ ଭାଷା ଆମ ଅଧିକାର) ପରୀପ୍ରେକ୍ଷୀରେ ଆଜି ମୁଁ ମୋ ଅଞ୍ଚଳରେ କଳାପତାକା ଧରି ସେଥିରେ ସାମିଲ ହେଲି। ଆମ ଭାଷା ଜନନୀର ଜୟ ହେଉ। ଆମ ଜନ୍ମମାଟିର ଜୟ ହେଉ।”

ଯଦି ସରକାର ନିଜକୁ ନ ସୁଧାରନ୍ତି ଓ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ବଳରେ ଖଞ୍ଜିଥିବା ଧାରା ୪ ଓ ଧାରା ୪କ ବିଲୋପ କରି ଓଡ଼ିଆ ଭାଷାରେ ସେବା ନଦେବା ବ୍ୟକ୍ତିକୁ ଦଣ୍ଡବିଧାନ ପ୍ରକ୍ରିୟା ଆରମ୍ଭ କରିବାର ଅଧିକାର ସବୁ ଓଡ଼ିଆଙ୍କୁ ପ୍ରଦାନ କରାନଯାଏ , ତେବେ ଏହି ବ୍ୟକ୍ତିଗତ କଳାପତାକା ସତ୍ୟାଗ୍ରହ “ଚାଳେ ଚାଳେ କଳାପତାକା” ପର୍ଯ୍ୟାୟକୁ ଉନ୍ନୀତ ହେବ ।