ଭାଷା ମାଆ ପାଇଁ କବିତାଟିଏ // ରାଜେଶ ଶତପଥୀ

[ଆମ ଭାଷାକୁ ମାରିଦେବା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତା କବଳରେ ପଡ଼ି ଆମ ଜାତିର ପରିଚୟ ଏବେ ବିପଦାପନ୍ନ । ତାକୁ ବିପଦମୁକ୍ତ କରିବା ପାଇଁ ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ, ତାହା ପ୍ରତ୍ୟାହୃତ ହୋଇସାରିଛି ବୋଲି ଏକଦା ଆନ୍ଦୋଳନ ପ୍ରତିଷ୍ଠତାଙ୍କ ଦୁଇ ସହଯୋଗୀଙ୍କଠାରୁ କଳା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଲେଖେଇନେଇଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷାକୁ ମାରିଦେବା ପାଇଁ ଏପରି କୁତ୍ସିତ ଚକ୍ରାନ୍ତ କରିବା ସାରା ବିଶ୍ବରେ ବିରଳ । ବିଶ୍ବରେ ବିରଳ ମଧ୍ୟ ଆମ ଆନ୍ଦୋଳନ ପରି ଏକ ଆନ୍ଦୋଳନ ଯାହା ନିଜର ମାତୃଭାଷାକୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ନୀରବରେ ନିଜର ଦାବି ନିବେଦନ କରିପାରେ । ଏହି ଆନ୍ଦୋଳନ ଏତେ ନୀତିନିଷ୍ଠ ଯେ, କରୋନା ପରିଚାଳନାରେ ସରକାରଙ୍କୁ ଚାପମୁକ୍ତ  ରଖିବା ପାଇଁ ଏହା ପ୍ରତ୍ୟହ ଚଳାଇଥିବା କଳାପତାକା ଅଭିଯାନକୁ କାୟିକତଃ ସ୍ଥଗିତ ରଖିଛି ; କିନ୍ତୁ ଅବ୍ୟାହତ ରଖିଛି ବୌଦ୍ଧିକ ସ୍ତରରେ । ପ୍ରତିଦିନ ଆନ୍ଦୋଳନର ଦାବି ଅଦ୍ୟତନ କରାଯିବା ସଙ୍ଗେ ସଙ୍ଗେ ପ୍ରତି ରବିବାର ସନ୍ଧ୍ୟା ୭ରୁ ଚାଳୁଛି ନଭମଞ୍ଚ ମାଧ୍ୟମରେ ଏହାର  ସାରସ୍ଵତ ସାଙ୍ଗଠନିକ ଅଧିବେଶନ ; ଏବଂ ପ୍ରତି ସୋମବାର ପୂର୍ବାହ୍ନ ୧୦ରେ ଫେସବୁକରେ ଥିବା  ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଜଣେ ବିଜ୍ଞ ଓଡ଼ିଆ ଆନ୍ଦୋଳନର ଦାବି ଯଥାର୍ଥ ଓ ତାହାକୁ ସରକାର ମାନିନିଅନ୍ତୁ ବୋଲି ସାରଗର୍ଭକ ପରାମର୍ଶ ଦେଉଛନ୍ତି ସରକାରଙ୍କୁ । ବିଶ୍ଵର ଆନ୍ଦୋଳନ ଇତିହାସରେ ଏହା ଯେତିକି ବିରଳ, ସେତିକି ଅଭିନବ । ଏହି କ୍ରମରେ ଅନୁଷ୍ଠିତ ରବିବାସରୀୟ ଅଧିବେଶନରେ  ‘ମହାନ ଆମ ମାତୃଭାଷା ସଂଘ’ର ପ୍ରତିଷ୍ଠାତା , ଶ୍ରୀମାନ୍ ରାଜେଶ ଶତପଥୀ ଗତ ୧୨ ତାରିଖରେ ରଖିଥିବା  ସ୍ଵରଚିତ ଅନ୍ତର୍ଭେଦୀ କବିତାଟି ଏଠାରେ ପରିବେଷଣ କରି ଆମେ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ )]

                                                                                               ଆମେ ଓଡ଼ିଆ ଭାରି ବଢିଆ

ସକାଳ ହୋଇଲେ ‘ଗୁଡ୍ ମର୍ଣ୍ଣିଙ୍ଗ୍’ କହୁ,
‘ଇଭିନିଙ୍ଗ୍’ କହୁ ସନ୍ଧ୍ୟା ରେ,
ଦିନବେଳେ ଆମେ ‘ଲଞ୍ଚ୍’ କରୁ ଆଉ –
‘ଡିନର୍’ କରୁ ଆମେ ରାତି ରେ ।
ଭାରି ଲାଜ ଲାଗେ ବଡ ବଡିଆ ଙ୍କୁ, କହିଦେଲେ ପଦେ ଓଡିଆ ।
ତଥାପି, ଆମେ ଓଡିଆ ଭାରି ବଢିଆ ।।

କା’ ଉପରେ ଯଦି ରାଗିଗଲେ ଆମେ ,
ଗାଳିଦେଉ ଇଂରାଜୀ ରେ,
ବିଭିନ୍ନ ପ୍ରକାର ହିନ୍ଦୀ ଗୀତ ଶୁଣୁ,
ମନ ଆମ ଥିଲେ ଖୁସିରେ,
ଓଡିଆ ଗୀତ ତ ଭଲ ଲାଗେ ନାହିଁ,
ଯଥା-ଶିଙ୍ଗାଣିନାକୀ ଗାଁ କନିଆଁ ।
ତଥାପି, ଆମେ ଓଡିଆ ଭାରି ବଢିଆ ।।

ପ୍ରେମ ବଦଳ ରେ ‘ଲଭ୍’ କରୁ ଆମେ,
ଚୁମା ବଦଳରେ ‘କିସ୍’
ପୁରୁଷ ମାନଙ୍କୁ ‘ମିଷ୍ଟର୍’ କହୁ ଆଉ-
ମହିଳା ମାନଙ୍କୁ ‘ମିସ୍’ ।
‘ଡାର୍ଲିଂ’ କହିବାକୁ ଭାରି ଭଲ ଲାଗେ,
ଆଉ ଲାଜ ଲାଗେ କହିବାକୁ ମିତ ବା ପ୍ରିୟା ।
ତଥାପି, ଆମେ ଓଡିଆ ଭାରି ବଢିଆ ।।

ଛୋଟବେଳେ ଦେଖୁ ଓଡିଆ ସିନେମା,
ବଡ ହେଲେ ତେଲୁଗୁ କି ଇଂରାଜୀ,
ବାପା ମାଆଙ୍କୁ ବି ଅବହେଳା କରୁ ।
ଶିକ୍ଷିତ ‘ଡାକ୍ ମୁନ୍ ସୀ’ ବାବୁ ସାଜି ।
ଇଂରାଜୀ ମେଗାଜିନ୍ କିଣୁ ଖାଲି ଆମେ, କାଳେ ପ୍ରେଷ୍ଟିଜ୍ ଯିବ ପଢିଲେ ଓଡିଆ ।
ତଥାପି, ଆମେ ଓଡିଆ ଭାରି ବଢିଆ ।।

ବହି କହିବାକୁ ଭଲ ଲାଗେ ନାହିଁ,
କହୁ ତାକୁ ଆମେ ‘ବୁକ୍’,
‘ଫିଲ୍ଡ୍’ କୁ ଯାଇ ଖେଳ ଖେଳୁ ଆମେ ,କାହିଁଗଲା ଖେଳ ପଡିଆ?
ତଥାପି, ଆମେ ଓଡିଆ ଭାରି ବଢିଆ ।।

ଓଡିଆ ପାଠରେ ନାହିଁ ତ ଆଗ୍ରହ,
ଭିଡ ଇଂରାଜୀ ସ୍କୁଲ ରେ,
ମନ୍ଦିର ଯିବାକୁ ନାହିଁ କା ସମୟ,
ମାତାଲା ହୁଅନ୍ତି ‘କ୍ଲବ୍’ରେ ।
ଡାଡି,ମମ୍ମି ଙ୍କର ବିଲାତି ଛୁଆ ଆମେ,
ନାହିଁ ଆମର ବାପା କି ମାଆ ।
ତଥାପି, ଆମେ ଓଡିଆ ଭାରି ବଢିଆ ।

ଆଧୁନିକ ଆଉ ଉଚ୍ଚ ଶିକ୍ଷିତ ଆମେ,
କାହିଁକି ଓଡିଆ କହିବୁ?
ମାତୃଭୂମି, ମାତୃଭାଷା ଉଭୟ ଜନନୀ,
ମାଁ ବାପା ସହ ତାକୁ ବି ଲାତ ମାରିବୁ ;
ଆଉ କେଉଁ ଦେଶେ ସୁଯୋଗ୍ୟ ସନ୍ତାନ
କିଏ ଅଛି କୁହ ଆମ ଭଳିଆ ?
ଆମେ ଓଡିଆ ଭାରି ବଢିଆ ।

– ରାଜେଶ କୁମାର ଶତପଥୀ

ମହାନ ଆମ ମାତୃଭାଷା ଓ ସ୍ଵଭାବକବି ଗଙ୍ଗାଧର

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଏବେ ଆମ ଜାତି ଏକ ମହା ବିପଦରେ ପଡିଛି । ଏହିପରି ବିପଦରେ ପଡ଼ି ବିଶାଶହେ ବର୍ଷ ତଳେ ଆମ ଜାତି ଯେତେବେଳେ ଆର୍ତ୍ତନାଦ କରୁଥିଲା, ସେହି ବିପଦର ବିଲୋପନ ପାଇଁ ଅଣ୍ଟାଭିଡ଼ିଥିଲେ ଗଙ୍ଗାଧର ମେହେର । କଣ ଥିଲା ସେହି ବିପଦ? ତା ଉପରେ ଦୃଷ୍ଟିପାତ କରି ମୁଁ ମେହେରଙ୍କ ପାଖକୁ ଆସିବି ।

କଳେବଳେକୌଶଳେ ଇଂରାଜି ଲୋକେ ଓଡିଶା ଦଖଲ କରିଗଲେ । ଓଡ଼ିଶା ବିରୁଦ୍ଧରେ ସେତେବେଳେ ଯୁଦ୍ଧରେ ଲିପ୍ତ ଥିବା ବିଲାତି ବାହିନୀର ଅନ୍ୟତମ ତୁଙ୍ଗ ବ୍ୟକ୍ତି ଜି॰ଟୟନବି ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇ A sketch of the history of Orissa ଗ୍ରନ୍ଥରେ ଲେଖିଛନ୍ତି, “ଆମ ଝୋଲାମରା ସରିନି, ଏପରି ଏକ ଭୀଷଣ ଝଡ଼ ଆମ ଉପରକୁ ମାଡ଼ିଆସିଥିଲା, ଯାହା ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ବି ଖୁରୁଧାରୁ ନିଷ୍କାସିତ କରିଦେବାକୁ ଥିଲା ଯଥେଷ୍ଟ ।” ଫିରିଙ୍ଗୀଙ୍କ ପୋଲିସ ଓ ସେନା ବାହିନୀ ହତାଶ ହୋଇଗଲେ । ସେତେବେଳର ଯୁଗ୍ମ ବିଚାରପତି ଡବ୍ଲ୍ୟୁ ଫରେଷ୍ଟର କମିଶନର ରବର୍ଟ କେରଙ୍କୁ ୯.୯.୧୮୧୮ ତାରିଖରେ ଜଣାଇଲେ, ଓଡ଼ିଶା ମୂଳକର ପ୍ରକୃତି ଏବଂ ଓଡିଆ ଜାତିର ମିଜାଜ ଏପରି ଯେ, ପୋଲିସ ଓ ସେନା ବଳ ଏଠି କିଛି କାମ କରିବନି । ଫରେଷ୍ଟରଙ୍କ ରିପୋର୍ଟ ପାଇ ଇଂରାଜମାନେ ବକ୍ସି ଜଗବନ୍ଧୁଙ୍କ ସହ ସନ୍ଧିକଲେ ଓ ସେହି ଶେଷ ବାଧା ଅପସରିଗଲା ପରେ, ରାଜା ଜମିଦାରମାନଙ୍କ ହେତୁ କୌଣସି ଭୌଗୋଳିକ ଏକତା ନଥିବା ଓଡ଼ିଶାର ଅନ୍ତର୍ନିହିତ ଶକ୍ତି କ’ଣ ତାହା ଜାଣିବାକୁ ଚେଷ୍ଟା କଲେ । ଦେଖିଲେ ଯେ, ପରସ୍ପର ଦ୍ଵନ୍ଦ୍ଵରତ ୩୬ ଗଡ଼ଜାତ ଓ ପରସ୍ପର ପ୍ରତିଦ୍ଵନ୍ଦୀ ଜମିଦାରୀ ସମୂହ ହେତୁ କୌଣସି ଭୌଗୋଳିକ ଏକତା ନଥିବା ଓଡ଼ିଶା ମାଟିର ସର୍ବତ୍ର ସବୁଲୋକେ ଗୋଟିଏ ଭାଷା କହନ୍ତି ଏବଂ ବୁଝନ୍ତି ଓ ତାହା ହିଁ ସେମାନଙ୍କ ମାତୃଭାଷା ଓଡ଼ିଆ । ଗୋଟିଏ ବିଶାଳ ନଦୀର ଉପନଦୀ ପରି ଏହି ଭାଷାକୁ ପରିପୁଷ୍ଟ କରି ଏହାର ଅନ୍ତର୍ଗତ ହୋଇଛି ବହୁ ଉପଭାଷା । ଏହି ମହାନ ଓଡ଼ିଆ ଭାଷା ହିଁ ଭୌଗୋଳିକ ଜାତୀୟତାହୀନ ଦୁର୍ଦ୍ଧର୍ଷ ଓଡ଼ିଆ ଜାତିକୁ ଏକ ଅଦୃଶ୍ୟ ଐକ୍ୟସୂତ୍ରରେ ବାନ୍ଧିରଖିଛି । ଓଡ଼ିଆ ଭାଷା ହିଁ ଏହି ଜାତିର ଶକ୍ତି । ସେମାନେ ଏକଥା ବି ଦେଖିଲେ ଯେ, ଓଡ଼ିଆ ଜାତିକୁ ତାର ଅନମନୀୟ ମିଜାଜ ହେତୁ ପଡ଼ୋଶୀ ପ୍ରଦେଶବାସୀମାନେ ପ୍ରବଳ ଈର୍ଷା କରନ୍ତି ଓ ସୁଯୋଗ ପାଇଲେ ଦାଉ ସାଧିବାକୁ ଟାକିବସିଥାନ୍ତି । ତେଣୁ ଓଡ଼ିଆ ଜାତିର ଭାଷା ସାମ୍ରାଜ୍ୟକୁ ଉଜାଡ଼ି ଦେବା ପାଇଁ ସେମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଭାଗ ଭାଗ କରି ପଡ଼ୋଶୀ ରାଜ୍ୟମାନଙ୍କରେ ଖୁନ୍ଦିଦେଲେ । ଏବଂ ଯାହା ସେମାନେ ଭାବିଥିଲେ ତାହା ହିଁ ହେଲା । ଓଡ଼ିଆ ଜାତିର ଭାଷା ସାମ୍ରାଜ୍ୟ ଭାଙ୍ଗିଗଲା ଓ ପଡ଼ୋଶୀ ପ୍ରଦେଶମାନଙ୍କରେ ଭାଷା ଭିତ୍ତିରେ ସେମାନେ ସଂଖ୍ୟାଲଘୁ ହୋଇଗଲେ । ଅଚିରେ ଅନ୍ୟ ଭାଷାଭାଷୀ ପଡ଼ୋଶୀମାନଙ୍କ ଦୌରାତ୍ମରେ ଭାଙ୍ଗିଗଲା ଓଡ଼ିଆ ଜାତିର ଗରିମା, ତାର ଶୌର୍ଯ୍ୟ । ଓଡ଼ିଶା ମାଟିରେ ବିଲାତି ଶାସନର ସବୁ ଦପ୍ତରରେ ବିଲାତି ପ୍ରଭୁଙ୍କ ଅଣଓଡିଆ ଗୋଲାମମାନେ ରାଜ୍ କଲେ । ସେମାନଙ୍କ ଅତ୍ୟାଚାରରେ ଓଡ଼ିଆ ଭାଷାଭାଷୀମାନଙ୍କର କିପରି ସର୍ବସ୍ଵାନ୍ତ ଘଟିଥିଲା ତହିଁର ତିନୋଟି ପ୍ରାମାଣିକ ଦସ୍ତାବିଜ  ରଖି ସେହି ମହାନ୍ଧକାର ଭିତରୁ ଆମକୁ ଉଦ୍ଧାର କରିବାରେ ସ୍ଵଭାବ କବି ଗଙ୍ଗାଧର କିପରି ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ତାହା ମୁଁ କହିବି ।

ପ୍ରଥମ ଦସ୍ତାବିଜ

ଏହା ହେଉଛି , ଉପକୂଳ ଓଡ଼ିଶା ସମ୍ପର୍କିତ ଡବ୍ଲ୍ୟୁ ଟ୍ରୋୟରଙ୍କ ରିପୋର୍ଟ , ଯାହା ଓଡ଼ିଶା ଅଭିଲେଖାଗାରରେ Revenue Administration in Orissa ଶୀର୍ଷକରେ ସରଂକ୍ଷିତ । ସେତେବେଳେ ଓଡ଼ିଶା ଭାବେ ଚିହ୍ନିତ ଅବିଭକ୍ତ ବାଲେଶ୍ଵର, କଟକ ଓ ପୁରୀରେ ଇଂରେଜମାନଙ୍କ ସବୁ ଦପ୍ତରରେ କର୍ମଚାରୀ ଥିଲେ ସମଗ୍ରତଃ ପ୍ରାୟ ବଙ୍ଗାଳୀ । ଟ୍ରୋୟର ଲେଖିଛନ୍ତି, ଏହି ବଙ୍ଗାଳୀ ଅମଲାମାନେ ଶାସନ ବ୍ୟବସ୍ଥାକୁ ଶୋଷଣ ଓ ଲୁଟପାଟର ବ୍ୟବସ୍ଥାରେ ପରିଣତ କରିଥିଲେ। ତମାମ ଜିଲ୍ଲାର ଲୋକେ ସେମାନଙ୍କୁ ସଂତ୍ରାସ ଓ ମହାବିପତ୍ତି ବୋଲି ଭାବୁଥିଲେ – “A regular system of oppression and peculation appears to exist throughout. These people are considered the terror and scourge of the district.” Continue reading “ମହାନ ଆମ ମାତୃଭାଷା ଓ ସ୍ଵଭାବକବି ଗଙ୍ଗାଧର”