ଭିଡ଼ିଓକର୍ତ୍ତାଙ୍କ ଆଖିରେ ସତେ ଯେମିତି ମାଆକୁ ମୁମୂର୍ଷୁ କରାଉଥିବା ବ୍ୟକ୍ତି ହିଁ ଓଡ଼ିଆ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମା ମରଣଶଯ୍ୟାରେ କଲବଲ ହେଉଥିବା ବେଳେ ମୃତ୍ୟୁ ମୁଖରୁ ତାକୁ ବଞ୍ଚାଇବାକୁ ଚେଷ୍ଟା ନକରି ସେମାନେ ତାକୁ ଭଲପାଆନ୍ତି ବୋଲି ଜଗତକୁ ଦେଖାଇବାକୁ ତାର ପିଲାଏ ଯଦି ତା ଯୌବନ ଚର୍ଚ୍ଚାରେ ଲାଗିଯାନ୍ତି ଅଭିନୟ ମଞ୍ଚରେ, ତେବେ ସେହି ମୁମୂର୍ଷୁ ମା ପାଇଁ ତାହାଠୁ ବଳି ଯନ୍ତ୍ରଣାଦାୟକ ଅପମାନ କ’ଣ ବା ଆଉ ଥାଇପାରେ ?

ଆମ ଜନ୍ମମାଟି ଏହି ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ଏଠି ସଲଂଗ୍ନ ଥିବା ଅଭିନୟ-ଭିଡ଼ିଓ ତା ପ୍ରତି ଏହିପରି ଏକ ଅପମାନ ।

ଆମ ଭାଷା ମରିଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷଡ଼ଯନ୍ତ୍ର ହେତୁ । ଆମ ଭାଷାରେ ଓଡ଼ିଶାର କାର୍ଯ୍ୟାଳୟସମୁଦାୟ ଯେପରି କେବେ ବି ଚାଲିବନାହିଁ , ସେଥିପାଇଁ ସେ “ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ”ର ଅପସଂଶୋଧନ କରିଛନ୍ତି ଓ ଏହି ଅପକର୍ମ କରିବାକୁ ବିଧାନସଭାରେ ଜାଲିଆତି ପ୍ରୟୋଗ କରିଛନ୍ତି ଏବଂ ଏହି ଜାଲିଆତି କାଳେ ଭାଷା ଆନ୍ଦୋଳନ ହେତୁ ପଦାକୁ ଆସିବ – ଏହି ଭୟରେ ପ୍ରଦ୍ୟୁମ୍ନ ଶତପଥୀ ଓଗେର ମୋର କେତେକ ଘନିଷ୍ଠ ସହଯୋଗୀଙ୍କୁ ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ଚେଷ୍ଟା କରିଛନ୍ତି । ଅଥଚ ଏହି ଭିଡ଼ିଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଚାର ମଇଦାନକୁ ଆସିଛି ଏପ୍ରିଲ ପହିଲାରେ , ଉତ୍କଳଦିବସରେ ।

ଏଠି ସେ କହିଛନ୍ତି “ମୋ ମାଟି ଓଡ଼ିଶା , ମୋ ଜାତି ଓଡ଼ିଆ ।” ତେବେ ତାଙ୍କ ଭାଷା କାହିଁକି ଇଂରାଜୀ? ଏବଂ ଇଂରାଜୀ ଭାଷାରେ ଶାସନ ଚଳାଇ ତାହା ଜାରି ରଖିବାକୁ ସେ ଆମ କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିଦେଇଛନ୍ତି କାହିଁକି? ଆମ ମାଟି ଆମ ସୀମାନ୍ତରେ ଆଜି ବିପନ୍ନ କାହିଁକି? ଭିଡ଼ିଓଟିର ନିର୍ମାତା ନବୀନଙ୍କ ଚରିତ୍ରରେ କେଉଁ ଆଚରଣ ଦେଖିଲେ ଯେ, ଏପରି ଭାବେ ତାଙ୍କ ଓଡ଼ିଆତ୍ଵ ପ୍ରଚାର କରିଛନ୍ତି ?

ଏଥିପାଇଁ ମଥା ନ ଖେଳାଇ, ଅପଶାସନ କବଳରେ ଦୁଃଖ ଭୋଗୁଥିବା ସାଧାରଣ ଲୋକଙ୍କୁ ଭୁତାଇବା ପାଇଁ ରାଜନୈତିକ ଶଠତା ପରିସୃଷ୍ଟ ସୁଖାନୁଭବପ୍ରକ୍ରିୟା ଦ୍ଵାରା ଜନମାନସ  ଆଚ୍ଛନ୍ନ କରିବାକୁ ଚେଷ୍ଟା କରିଛନ୍ତି ଆମର କିଛି ସୃଜନଶୀଳ ବ୍ୟକ୍ତି ଏହି ଭିଡ଼ିଓ ମାଧ୍ୟମରେ  । 

କରୋନା କାଳରେ କାୟିକତଃ ସ୍ଥଗିତ ଥିବା କଳାପତାକା ଅଭିଯାନ ମହାମାରୀ ପ୍ରଶମନ ହେତୁ ପୁନର୍ବାର ଆରମ୍ଭ ହେଲା ଫେବୃଆରୀ ୨୧ ତାରିଖରେ । ଓଡ଼ିଆ ଲୋକଙ୍କୁ କିପରି ଭୁଆଁ ବୁଲେଇ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷାପ୍ରାଣ ଭାବେ ପ୍ରଦର୍ଶିତ କରାଯିବ , ସେଥିପାଇଁ ତୁରନ୍ତ ଆରମ୍ଭ ହୋଇଗଲା ଉଦ୍ୟମ । ଫେବୃଆରୀ ୨୮ ତାରିଖରେ ଏହା ପ୍ରସ୍ତୁତ ହେଲା ଓ ଉତ୍କଳ ଦିବସରେ ପ୍ରଚାର ମଇଦାନକୁ ଆସିଲା ।

ଏହାକୁ ପ୍ରସ୍ତୁତ କରିଥିବା ବ୍ୟକ୍ତି ଯଦି ଉତ୍କଳ ଦିବସର ମହତ୍ଵ ବୁଝିଥାନ୍ତେ ଓ ସେହି ମହତ୍ଵ ରଖିବାକୁ ଚାହିଁଥାନ୍ତେ , ତା ହେଲେ ଓଡ଼ିଆ ଭାଷା ହିଁ କିପରି ଓଡ଼ିଶା ସୃଷ୍ଟିକଲା ସେ କଥା ବଖାଣିଥାନ୍ତେ ଲେଖା ଓ ଅଭିନୟ ମାଧ୍ୟମରେ । କାର୍ଯ୍ୟାଳୟର ଭାଷା ନ ହୋଇ ଓଡ଼ିଆ ଭାଷା କିପରି ମରି ମରି ଯାଉଛି , ଆମ ଜାତି କିପରି ଇଂରାଜୀ ଭାଷା କବଳରେ ପଡ଼ି ସର୍ବସ୍ଵାନ୍ତ ହେବାରେ ଲାଗିଛି , ସେକଥା ସେମାନେ ବଖାଣିଥାନ୍ତେ ଓ ତା ଦ୍ଵାରା ଆମ ଜାତି ନିଜର ଭାଷାକୁ ରକ୍ଷା କରିବା ପାଇଁ ଉଦ୍ବୁଦ୍ଧ ହୋଇପାରିଥାନ୍ତା । ତା ସେମାନେ କରିନାହାନ୍ତି । ଓଡ଼ିଆ ଜାତିର ବର୍ତ୍ତମାନର ଚିତ୍ର ସେମାନେ ଦେଇନାହାନ୍ତି । ଓଡ଼ିଆ ଜାତିର ଭାଷାମାଆ  ମରଣମୁହଁରେ ପଡ଼ିଥିଲା ବେଳେ, ଯାହା ହେତୁ ଏ ଦୁର୍ଦ୍ଦଶା, ତାକୁ ହିଁ ସେମାନେ “ଓଡ଼ିଆ” ବୋଲି ନିଜର ପ୍ରଚାର କରିବାର ସୁଯୋଗ ଦେଇଛନ୍ତି, ସତେ ଯେମିତି ମାଆକୁ ମୁମୂର୍ଷୁ କରାଉଥିବା ବ୍ୟକ୍ତି ହିଁ ଓଡ଼ିଆ !