ସୂଚନା ଅଧିକାର ଅଭିଯାନ ରଞ୍ଜନଙ୍କ ହତ୍ୟା ତଦନ୍ତକୁ ପଥଭ୍ରଷ୍ଟ ନକରୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସୂଚନା ଅଧିକାର ଅଭିଯାନ ଯେଉଁ କଥାଟି କହୁଛି ତାହା ହେଲା , ରଞ୍ଜନ କୁମାର ଦାସ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ସୂଚନା ଅଧିକାର ପ୍ରୟୋଗ କରୁଥିବା ହେତୁ ତଦ୍ଦ୍ଵାରା ଆକ୍ରାନ୍ତ ହେଉଥିବା ଦୁର୍ନୀତିଜୀବୀମାନେ ତାଙ୍କୁ ହତ୍ୟା କରିଥିଲେ ଓ ସେହି ଦୁର୍ନୀତିଜୀବୀମାନଙ୍କ ସହ ପୂର୍ବତନ ମନ୍ତ୍ରୀ , ପଦାସୀନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ସମ୍ପୃକ୍ତ ଥିବା ହେତୁ ପୋଲିସ ଆତତାୟୀକୁ ଧରୁନାହିଁ   । ଯଦି କେବଳ ଏହି ଅଭିଯୋଗ  ଭିତ୍ତିରେ ତଦନ୍ତ ହୁଏ, ତେବେ ତାହା ପଥଭ୍ରଷ୍ଟ  ହୋଇଯାଇପାରେ ।

ହୁଏତ ଏହା ସତ୍ୟ ହୋଇପାରେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର କୌଣସି ଶକ୍ତିଶାଳୀ ଦୁର୍ନୀତିଜୀବୀ ରଞ୍ଜନଙ୍କ ସୂଚନା ଅଧିକାର ପ୍ରୟୋଗରେ  ଅତିଷ୍ଠହୋଇ ଏପରି କରିଥାଇପାରନ୍ତି  । ମାତ୍ର ଏହା ଆଶଙ୍କା କରିବା ଅମୂଳକ ନୁହେଁ ଯେ, ଭାଷା ଆନ୍ଦୋଳନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରୟୋଗ କରିଥିବା ଅର୍ଥଲୋଭୀ ପଲ କଳାପତାକା ଅଭିଯାନକୁ ଅଟକାଇ ନପାରିବା ମୂଳରେ ରଞ୍ଜନଙ୍କ ଶକ୍ତିଶାଳୀ ସଂଗ୍ରାମ ଏକ ମୁଖ୍ୟ କାରଣ ହୋଇଥିବା ହେତୁ ଓ କଳାପତାକା ସହ ସାଇକଲରେ ସାରା ଓଡ଼ିଶା ବୁଲି ଭାଷା ଆନ୍ଦୋଳନକୁ ସୁଦୃଢ କରିବାକୁ ତାଙ୍କ ବ୍ୟଗ୍ରତା ହେତୁ ଓଡ଼ିଆ ଭାଷାକୁ ରାଜ୍ୟ ପରିଚାଳନାର ଭାଷା ନକରାଇଦେବା ପାଇଁ ବଦ୍ଧପରିକର ଅମଲାଶ୍ରୟୀ ରାଜନୈତିକ କ୍ଷମତାଚକ୍ର ତାଙ୍କୁ ହତ୍ୟାକରିବା ପାଇଁ ଷଡଯନ୍ତ୍ର ବି କରିଥାଇ ପାରେ  । ସମ୍ବଲପୁରର ପୁଣ୍ୟଶ୍ଳୋକ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓଡ଼ିଆଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟ ନିର୍ବାହ ଦାବିକରି କିପରି ଅଜ୍ଞାତ ଆତତାୟୀର ଛୁରାମାଡ଼ରେ ପ୍ରାଣତ୍ୟାଗ କରିଥିଲେ ଓ ବିଜୁବାବୁଙ୍କ ରାଜୁତି ସେହି ଆତତାୟୀକୁ ଠାବ କରି ଶାସ୍ତି ଦେଇନଥିଲା, ତାହା ତ ଆମ ଭାଷାରେ ଆମ ରାଜ୍ୟ ଚଳାଇ ନଦେବାକୁ ଚାହୁଁଥିବା କ୍ଷମତାଚକ୍ର କେତେ ତଳକୁ ଯାଇପାରେ, ତହିଁର ଦୃଷ୍ଟାନ୍ତ ହୋଇରହିଛି । ଯେଉଁମାନେ ଆମ ଭାଷାକୁ ଅକାମୀ କରିରଖିବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଭୟଙ୍କର ଜାଲିଆତି କରିପାରନ୍ତି, ସେମାନେ ରଞ୍ଜନଙ୍କୁ ସହ୍ୟ କରିବା ହୁଏତ ସମ୍ଭବ ନଥିଲା । 

ରଞ୍ଜନଙ୍କ ହତ୍ୟା ରହସ୍ୟ କେବଳ ପରିପାର୍ଶ୍ଵିକ ପରିସ୍ଥିତି ଓ ଯୁକ୍ତିଯୁକ୍ତ ଅନ୍ଦାଜ ବଳରେ ଭେଦ କରିହେବ । ତେଣୁ, ଏହି ଦିଗକୁ ଯଦି ଗୁରୁତ୍ଵ ଦିଆ ନଯାଏ, ତେବେ ତଦନ୍ତ ପଥଭ୍ରଷ୍ଟ ହୋଇଯାଇପାରେ । ଏ ସମ୍ପର୍କରେ Ranjan’s murder was political: Necessary is CBI inquiry ଶୀର୍ଷକ ମୋ ଆଲୋଚନା ଏକାନ୍ତ ପ୍ରାସଙ୍ଗିକ ।