ବାଣପୁରରେ ଭାଷା ଆନ୍ଦୋଳନ: ଓଡ଼ିଆ ଜାତି ବିରୋଧୀ ଭାଷା ନିୟମାବଳୀ ତୁରନ୍ତ ବିଲୋପ କରିବାକୁ ଦାବିପତ୍ର ପ୍ରଦାନ

ଦି ନିଉଜ୍ ସିଣ୍ଡିକେଟ୍

ଭଗବତୀ ପୀଠ, ବାଣୀକ୍ଷେତ୍ର ବାଣପୁରରେ ଡିସେମ୍ବର ୧୨ରେ ଆରମ୍ଭ ହୋଇଛି ଭାଷା ଆଂଦୋଳନର କଳା ପତାକା ଅଭିଯାନ । ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅନୁଷ୍ଠାନିକ ଭାବେ ଏଥିପାଇଁ ପତାକା ପ୍ରଦାନ କରି, ଇଂରାଜୀ ବିରୁଦ୍ଧରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ପ୍ରଥିତଯଶା ମହାବୀର କୃତିବାସ ପାଟଶାଣିଙ୍କ ପବିତ୍ର ପ୍ରତିମୂର୍ତ୍ତି ସମ୍ମୁଖରେ ଅଭିଯାନର ଶୁଭାରମ୍ଭ କରିଥିଲେ।


ବାଣପୁର ଶାଖାର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଆମ ନିଜ ସରକାରଙ୍କ ଦ୍ଵାରା ଆମ ଭାଷା ବିପଦାପନ୍ନ ବୋଲି ଦର୍ଶାଇଥିଲେ । ଭାଷା ଆଇନର ସଶକ୍ତିକରଣ ପାଇଁ କଳା ପତାକା ଅଭିଯାନ ଚାଲିଥିବା ବେଳେ, ଭୁଲ ସଂଶୋଧନ ଦ୍ଵାରା ସରକାର ତାହାକୁ ଦ୍ଦୁର୍ବଳତର କରିଛନ୍ତି ଓ ଏହି ଅଭିଯାନରେ ସକ୍ରିୟ ଥିବା କେତେକ ଅର୍ଥଲୋଭୀ ବ୍ୟକ୍ତିଙ୍କୁ ପୋଷା ମନାଇ ଭାଷା ଆଇନ ନିର୍ଭୁଲ ହୋଇଯାଇଛି ବୋଲି ମିଥ୍ୟା ପ୍ରଚାର ଚଳାଇଛନ୍ତି ବୋଲି ସେ କହିଥିଲେ । ଏପରିକି ଓଡ଼ିଆ ଜାତିର ଭାଷା ଅଧିକାରକୁ ସମ୍ପୂର୍ଣ ପଙ୍ଗୁ କରିଦେବା ପାଇଁ ୨୦୧୯ର ସଂଶୋଧିତ ଭାଷା ନିୟମାବଳୀ ଉଦ୍ଦିଷ୍ଟ ବୋଲି ସେ ଦର୍ଶାଇଥିଲେ ଏବଂ ଇଂରାଜୀମନସ୍କ ନେତା ଓ ଅମଲାମାନଙ୍କ ଚକ୍ରାନ୍ତ ହେତୁ ୧୯୫୪ର ସରକାରୀ ଭାଷା ଆଇନ ଏଯାଏଁ କାର୍ଯ୍ୟକାରୀ ନ ହୋଇ ଓଡ଼ିଆ ଜାତିର ଭବିଷ୍ୟତ ବଂଶଧରମାନଙ୍କୁ ଓଡ଼ିଆ ପରିବର୍ତ୍ତେ ଇଂରାଜୀ ଶିକ୍ଷାପାଇଁ ପ୍ରୋତ୍ସାହିତ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଆମ ଜାତିର ଏହି ସଙ୍କଟ ସମୟରେ ବାଣପୁର ନିଜ ମାତୃଭାଷାର ପ୍ରଶାସନିକ ଅଲଙ୍ଘ୍ୟତା ପାଇଁ ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇଥିବା ହେତୁ ସେ ବାଣପୁର ଶାଖାର ସଦସ୍ୟମାନଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ ।

ଚିଲିକା ପ୍ରେସ୍ କ୍ଲବ ଉପଦେଷ୍ଟା ବରେଣ୍ୟ ନୃସିଂହ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ଦାବିପତ୍ର ପାଠ କରିଥିଲେ ଚିଲିକା ସାହିତ୍ୟ ସଂସଦର ସଭାପତି ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ବାଳମୁକୁନ୍ଦ ଦାସ । ଉପସ୍ଥିତ ସମସ୍ତ ସଦସ୍ୟ କରତାଳି ଦ୍ଵାରା ତାହାକୁ ଅନୁମୋଦନ କରି ସ୍ଵାକ୍ଷର କରିଥିଲେ ।


ଶ୍ରୀଯୁକ୍ତ ମିଶ୍ର ଓ ଶ୍ରୀଯୁକ୍ତ ଦାସଙ୍କ ସମେତ ସର୍ବଶ୍ରୀ ବିଜୟ କୁମାର ତ୍ରିପାଠୀ,ପ୍ରତାପରୁଦ୍ର ମହାରଣା, ମନୋଜ କୁମାର ସାହୁ, ପ୍ରକାଶ ପ୍ରଧାନ, ସେକ୍ ମୋହିନୁର ହକ୍, ରାମଚନ୍ଦ୍ର ସାହୁ, ଅଜୟ କୁମାର ଦାସ, କବି ଦେବାଶିଷ ପଟ୍ଟନାୟକ, ଆର୍ତ୍ତତ୍ରାଣ ଢାଲି, ମୃଯୁଞ୍ଜୟ ଦାଶ, ଶରତ ଚନ୍ଦ୍ର ପ୍ରଧାନ, ଅଖିଳ ପ୍ରଧାନ, ନାରାୟଣ ବେହେରା, ସଉରୀ ପ୍ରଧାନ, ସୁରେନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ ସମନ୍ତରାୟ, ସନ୍ତୋଷ କୁମାର ପଣ୍ଡା, ବ୍ରଜବନ୍ଧୁ ବେହେରା, ଡମ୍ବରୁଧର ବିଶ୍ଵାଳ, କିଣୁପ୍ରସାଦ ଦାଶ, ମନୋଜ କୁମାର ବିଶ୍ଵାଳ, ଅମ୍ବିକା ପ୍ରସାଦ ମହାନ୍ତି, ଚନ୍ଦ୍ର ଶେଖର ଘଡ଼ାଇ ପ୍ରମୁଖ ଅଭିଯାତ୍ରୀମାନେ ସେଠାରୁ ନୀରବ ପଟୁଆରରେ ଯାଇ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେହି ଦାବିପତ୍ର ପ୍ରଦାନ କରିଥିଲେ ।

ଓଡ଼ିଶା ସରକାରୀ ଭାଷା ନିୟମାବଳୀ ୨୦୧୯ ସଂଶୋଧନ ସମେତ ଓଡ଼ିଆ ସ୍ଵାର୍ଥ ବିରୋଧୀ ହୋଇଥିବା ହେତୁ ତାହାକୁ ବିଲୋପ କରାଯାଇ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ୩.୯.୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଯେଉଁ ଭାଷା ନିୟମାବଳୀ ପ୍ରଦାନ କରିଥିଲେ ତାହାକୁ ଅବିଳମ୍ବେ ବିଧିଭୁକ୍ତ କରିବାକୁ ଏହି ଦାବିପତ୍ରରେ ଦାବି କରାଯାଇଛି ।

କାର୍ଯ୍ୟକ୍ରମ ଶେଷରେ କବି ଦେବାଶିଷ ପଟ୍ଟନାୟକ ପରମପୂଜ୍ୟ ମହାବୀର କୃତିବାସ ପାଟଶାଣିଙ୍କ ପ୍ରତିମୂର୍ତ୍ତି ସନ୍ନିଧରେ ସ୍ଵରଚିତ ଦେଶାତ୍ମବୋଧକ ଗୀତିକବିତା ପରିବେଷଣ କରିଥିଲେ ।