ଅରାଜକତା ହେତୁ କୋଟିଆ ଗଲା; ସୀମା ସଂକଟରେ ଓଡ଼ିଶା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମ ପୂର୍ବପୁରୁଷଙ୍କ ବୀରତ୍ଵକୁ ଡରି ବ୍ରିଟିଶ ଅନୁପ୍ରବେଶକାରୀମାନେ ବକ୍ସି ଜଗବନ୍ଧୁଙ୍କ ସହ ସନ୍ଧି ସ୍ଥାପନ କରିଥିଲା ଓ ଗଡ଼ଜାତଗୁଡ଼ିକ ସହ ମିତ୍ରତା ସ୍ଥାପନ କରିଥିଲା ; କାରଣ ଖୁରୁଧାସୀନ ଜଏଣ୍ଟ ମାଜିଷ୍ଟ୍ରେଟ ଡବ୍ଲୁ . ଫରେଷ୍ଟର ରିପୋର୍ଟ କରିଥିଲେ, ଆମ ମାଟି ଏତେ ଦୁର୍ଦ୍ଧର୍ଷ ଓ ଆମ ଲୋକଙ୍କ ମିଜାଜ ଏତେ କଡ଼ା ଯେ, ସେମାନଙ୍କୁ ପୋଲିସ ବା ମିଲିଟାରୀ ବଳରେ ଆୟତ୍ତ କରିହେବ ନାହିଁ ।

ଏପରି ସନ୍ଧି ଓ ମିତ୍ରତା ପରେ ସେହି ବିଦେଶୀ ଅନୁପ୍ରବେଶକାରୀମାନେ ବିଚାରିଲେ, ରାଜା , ବଂଶାନୁକ୍ରମିକ ଜମିଦାର ଓ ଆଦିମ ଅଧିବାସୀମାନଙ୍କ ସ୍ୱାୟତ୍ତ ଦେଶମୟ ଏହି ଭୂମଣ୍ଡଳରେ କୌଣସି ଏକକ ଭୌଗୋଳିକ ଜାତୀୟତା ନଥିବାବେଳେ କେଉଁ ଶକ୍ତିବଳରେ ଓଡ଼ିଆ ଲୋକେ ଏପରି ଅପରାଜେୟ?

ସେମାନେ ଦେଖିଲେ, ଓଡ଼ିଆଭାଷା ହିଁ ସେମାନଙ୍କ ଏକମାତ୍ର ଶକ୍ତି, ଭୌଗୋଳିକ ଜାତୀୟତା ନଥାଇ ବି ଏହି ଭାଷା ହିଁ ସେମାନଙ୍କୁ ଭାଷା ଜାତୀୟତା ପରି ଏକ ନୈସର୍ଗିକ ଜାତୀୟତା ଦେଇଛି ଓ ଏହି ଭାଷାଜାତୀୟତା ହିଁ ସେମାନଙ୍କ ଐକ୍ୟ  ଓ ସଂହତିର ଏକମାତ୍ର ଆଧାର । ତେଣୁ ସେମାନେ ଆମ ଭାଷା-ଜାତୀୟତାକୁ ମାରିଦେବାକୁ ଚକ୍ରାନ୍ତ କଲେ । ସେମାନଙ୍କ ଦାପ୍ତରିକ ସୁବିଧା ଆଳରେ ଆମ ଭାଷାଭାଷୀ ଅଞ୍ଚଳକୁ ଭାଗ ଭାଗ କରି ପଡୋଶୀ ପ୍ରଦେଶମାନଙ୍କରେ ଯୋଖି ସେଠାରେ ଆମକୁ ଭାଷା ଭିତ୍ତିରେ ସଂଖ୍ୟାଲଘୁ କରାଇଦେଲେ ଓ ସେହି ପଡୋଶୀମାନଙ୍କ ଭାଷା ଆମ ଉପରେ ନଦିଦେଲେ । ଆମ ଭାଷା ଆମ ପରିଚାଳନାର ଭାଷା ହୋଇ ନରହିବାରୁ ଆମ ପରିଚୟ ଉଜୁଡ଼ିଯିବାକୁ ବସିଲା ।

ଏହି ପ୍ରେକ୍ଷାପଟରେ ଆରମ୍ଭ ହୋଇଥିଲା ଆମ ଭାଷାରେ ଆମ କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ପ୍ରଦେଶ ସୃଷ୍ଟି ସକାଶେ ଆନ୍ଦୋଳନ ଓ ବ୍ରିଟିଶକୁ ଆମେ ବାଧ୍ୟ କରିଥିଲେ ଆମ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଗଢିବା ପାଇଁ ଓଡ଼ିଶା । ସେହି ସମୟରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର । ସେହି ଗ୍ରାମପୁଞ୍ଜର ଅଧିବାସୀମାନେ ତେଲେଙ୍ଗାମାନଙ୍କ ସହ ଲଢେଇ କରି ନିଜ ମୌଳିକ ଓଡ଼ିଆ ପରିଚୟର ଭିତ୍ତି ଉପରେ ଓଡ଼ିଶାରେ ଥିଲେ ।

ସେହି କୋଟିଆବାସୀମାନେ ଆଜି ଯଦି ଆନ୍ଧ୍ର ସରକାରଙ୍କ ଆଧିପତ୍ୟ ପାଖରେ ମଥା ଅବନତ କରି ଆନ୍ଧ୍ର ପଞ୍ଚାଯତ ନିର୍ବାଚନରେ ଭୋଟ ଦେଇଛନ୍ତି ତାହା ପାଇଁ ଓଡ଼ିଶାର ଭାଷା ଅସ୍ମିତାକୁ ଭୟଙ୍କରଭାବେ ଜଖମ କରିଥିବା ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣତଃ ଦାୟୀ । ଓଡ଼ିଶାର ଭାଷା ଅସ୍ମିତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଓଡ଼ିଶାର ପ୍ରଥମ ବିଧାନସଭା ଓଡ଼ିଶା ସରକାରୀ ଭାଷା ଆଇନ ତିଆରି କରିଥିଲା । ନବୀନ ପଟ୍ଟନାୟକ ଏହି ସରକାରୀ ଭାଷା ଆଇନକୁ ପ୍ରତିଦିନ ଜାଣିଶୁଣି ଉଲ୍ଲଂଘନ କରୁଛନ୍ତି କେବଳ ନୁହେଁ , ଏହାକୁ ଅକର୍ମଣ୍ୟ କରିଦେବା ପାଇଁ ଏଥିରେ ଧାରା ୪ ଓ ଧାରା ୪କ ଖଞ୍ଜିଛନ୍ତି ଜାଲିଆତି ବଳରେ ।

ଓଡ଼ିଆ ଜାତିର ଭାଷା ହିଁ ତାର ପରିଚୟ । ନବୀନ ପଟ୍ଟନାୟକ ଓଡ଼ିଆ ଭାଷାକୁ ରାଜ୍ୟ ପରିଚାଳନାର ଭାଷା ନକରାଇ ଓଡ଼ିଆ ଜାତିର ପରିଚୟକୁ ସଙ୍କଟ କବଳକୁ ଠେଲି ଦେଇଛନ୍ତି, ଯାହା ଉପାନ୍ତ ଓଡ଼ିଶାରେ ଓଡ଼ିଆ ଗରିମାକୁ ଅଧିକ ବିପର୍ଯ୍ୟସ୍ତ କରିଛି । ବଙ୍ଗ, ଝାଡଖଣ୍ଡ, ଛତିଶଗଡ ଓ ଆନ୍ଧ୍ର – ଏ ସମସ୍ତ ପ୍ରଦେଶ ଓଡ଼ିଶାରେ ଦେଖାଦେଇଥିବା ଏହି ଭାଷାହନନକାରୀ ଅରଜକତା ହେତୁ ଓଡ଼ିଶା ସୀମାରେ ହସ୍ତକ୍ଷେପ କରୁଛନ୍ତି । ଆନ୍ଧ୍ର ଆଜି ସୀମା ଲଙ୍ଘନ କରିଛି ।

ଦୁଃଖ ଓ ଲଜ୍ଜାର କଥା, ଥୋଡ଼େ ତୋଷାମଦିଆ ଓଡ଼ିଆ ଏପରି ଏକ ଲୋକକୁ ଆମ ଉପରେ ମୁଖ୍ୟମନ୍ତ୍ରୀ କରି ନଦିଛନ୍ତି, ଯେ କି ଆମ ସୀମା ସମସ୍ଯା ସମ୍ପର୍କରେ ସଚେତନ ନୁହନ୍ତି । ଏ ଲୋକ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ଦଲାଲ ଲଗାଇଛନ୍ତି, କ୍ଯାବିନେଟ ସ୍କାମ ପରି ଅପରାଧ କରିଛନ୍ତି , ଜାଲିଆତି କରି କ୍ଯାବିନେଟ ପ୍ରସ୍ତାବ ବଦଳାଇଛନ୍ତି । ଯେଉଁ ଓଡ଼ିଆମାନେ ଆମ ଲୋକଙ୍କ ପାଖରେ ନେତାଗିରି ଦେଖାଉଛନ୍ତି ଓ ଏହି ଲୋକର ପଦଲେହନ କରୁଛନ୍ତି ସେ ସମସ୍ତେ ଆମ ଭାଷା ବିରୁଦ୍ଧରେ ନବୀନଙ୍କ ଏହି ସମସ୍ତ ଅପରାଧ ପାଇଁ ଓଡ଼ିଆ ଜାତି ପାଖରେ ଉତ୍ତରଦାୟୀ ।

କୋଟିଆ ଉପରେ ଆନ୍ଧ୍ରର ଆଧିପତ୍ୟ ବିସ୍ତାରର ଚରମ ସ୍ତରରେ ମଧ୍ୟ ନବୀନ ପଟ୍ଟନାୟକ ସେଠାକୁ ନିଜେ ଯାଇ ଆମ ଲୋକଙ୍କୁ ସେମାନଙ୍କ ଓଡ଼ିଆ ପରିଚୟ ଅକ୍ଷୁର୍ଣ୍ଣ ରଖିବାରେ ସାହାଯ୍ୟ କରିନାହାନ୍ତି । କୁଟିଆରେ ଘଟିଚାଲିଥିବା ଅଘଟଣ ସମ୍ପର୍କରେ ଓଡ଼ିଆ ଜାତିକୁ ସେ ଅବଗତ କରାଇନାହାନ୍ତି ।

ଲୌହ ପରଦା ଅନ୍ତରାଳରେ ରହି ନିଜକୁ ସମ୍ରାଟ ମନେକରୁଥିବା ଭୋଟଭିକାରୀଙ୍କ ହେତୁ ଓଡ଼ିଶା ଆଜି ଘୋର ଦୁର୍ଦ୍ଦିନରେ । ଚାରିଆଡ଼େ ଅରାଜକତା । ଆମ ଚଉସୀମାରେ ସୀମା ସଙ୍କଟ । ଅଣଓଡ଼ିଆଙ୍କ ସହ ହାତ ମିଳାଇ ଆମ ମୁଖ୍ୟମନ୍ତ୍ରୀ ଆମ ଭାଷାକୁ ଅକାମୀ କରିଦେଇଛନ୍ତି ; ଏହା କରିବାକୁ ବିଧାନସଭାରେ ବିଲ୍ ବଦଳାଇଛନ୍ତି, ୧୪.୩.୨୦୧୮ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଗ୍ରହଣ କରିଥିବା ଓଡ଼ିଆଭାଷା ପାଇଁ ଅନୁକୂଳ ପ୍ରସ୍ତାବକୁ ଅନଧିକୃତ ଭାବେ କବର ଦେଇଛନ୍ତି; ନବବାବୁ ଦେଇଯାଇଥିବା ଆଇନକୁ ଶକ୍ତିଶାଳୀ ଓ ଅଲଙ୍ଘ୍ୟ  କରିବା ପାଇଁ ଆମେ ଆନ୍ଦୋଳନ କରୁଥିବା ବେଳେ ସେହି ଆଇନର ଶକ୍ତିହ୍ରାସ ପାଇଁ ଏ ବାବୁ ଭୟଙ୍କର ଜାଲିଆତି ପ୍ରୟୋଗ କରିଛନ୍ତି ; ଏହି ଜାଲିଆତି ଲୁଚାଇବାକୁ ଆମ ଆନ୍ଦୋଳନକାରୀମାନଙ୍କୁ ପୋଷା ମନାଇବା ପାଇଁ ଆର୍ଥିକ ଅମୋଘ ଅସ୍ତ୍ର ପ୍ରୟୋଗ କରିଛନ୍ତି ଓ ଯେଉଁ ଲୋକ ଓଡ଼ିଆରେ କାମ ନକରିବ ତାକୁ ପୁରସ୍କୃତ କରିବାକୁ ତଥା ଯିଏ ବାରମ୍ବାର ଆଇନ ଖିଲାପ ନ  କରିବ ତାକୁ ଦଣ୍ଡ ନ ଦେବାକୁ ଆଇନ କରିଛନ୍ତି ।

ଏହାଙ୍କ ଅରାଜକତା ହେତୁ କୋଟିଆ ଗଲା , ଓଡ଼ିଶାର ଚଉସୀମା ଏବେ ସଙ୍କଟରେ ।