ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷା ଜଗତରେ ମଫିଆ ମତାଣ ସପ୍ରମାଣ ଚିତ୍ର ମୁଁ ଦେଇଛି ‘ମିଛ କେବେ ସତ ହୁଏନା’ ଶୀର୍ଷକ ମୋର ପୁସ୍ତକରେ । ମୁଁ ଦର୍ଶାଇଛି ଯେ, ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ଓଡ଼ିଶା ସରକାର ଯେଉଁ ଯୁକ୍ତି-ସନ୍ଦର୍ଭ ପ୍ରସ୍ତୁତ କରିଥିଲେ, ତାକୁ ଚୋରେଇନେଇ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟି ନିଜ ନିଜକୁ ତାହାର ସ୍ରଷ୍ଟା ବୋଲି ଦେଖେଇ ନାନାବିଧ ଅବୈଧ ଆୟରେ ତାହାର ଉପଯୋଗ କରୁଛନ୍ତି ।
ଶାସ୍ତ୍ରୀୟ ଓଡ଼ିଆ ପାଇଁ ଉଭୟେ ରାଷ୍ଟ୍ରପତି ସମ୍ମାନ ସକାଶେ ଆଶାୟୀ ଥିବା ବେଳେ, ସୁବ୍ରତ ହିଁ ରାଷ୍ଟ୍ରପତିଙ୍କ ମହର୍ଷି ବଦରାୟଣ ବ୍ୟାସ ସମ୍ମାନ ଅକ୍ତିଆର କରିଛନ୍ତି । ଏହି ସମ୍ମାନ ପାଇଁ ତାଙ୍କର ଆବଶ୍ୟକୀୟ ଯୋଗ୍ୟତା ନଥିବା ବେଳେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗ ଓ ରାଷ୍ଟ୍ରପତିଙ୍କ ଦପ୍ତର ଭ୍ରଷ୍ଟତା ଦ୍ଵାରା ପ୍ରଭାବିତ ହୋଇ ତାଙ୍କୁ ଏହି ସମ୍ମାନ ଦିଆଇଥିବା ସୁସ୍ପଷ୍ଟ ।
ଓଡ଼ିଶାର ଦୁଇଜଣ ରାଜନେତା ଏହି କାମରେ ସୁବ୍ରତଙ୍କୁ ପୃଷ୍ଠପୋଷକତା ଦେଇଥିବା ସନ୍ଦେହ । ଜଣେ ହେଲେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯେ କି ସୁବ୍ରତ କରିଥିବା ସରକାରୀ ସନ୍ଦର୍ଭ ଚୋରିର ଉପଭୋକ୍ତା ଓ ଅନ୍ୟ ଜଣକ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଯାହାଙ୍କ ପ୍ରଭାବ ଉପରୋକ୍ତ ଦୁଇ ଦପ୍ତରକୁ ବାଟବଣା କରିଥିବା ଦିଲ୍ଲୀର ଏକ ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି ।
ଏହି ସମ୍ମାନ ପାଇଁ ଯୋଗ୍ୟତାର ଯେଉଁ ମାନଦଣ୍ଡ ଧାର୍ଯ୍ୟ ହୋଇଛି ସେ ଦୃଷ୍ଟିରୁ ଏହି ସମ୍ମାନ ପାଇବାକୁ ସୁବ୍ରତ ସଂପୂର୍ଣ୍ଣ ଅଯୋଗ୍ୟ । ତାଙ୍କ ବିରୁଦ୍ଧରେ ଅଶ୍ଳୀଳତା ଅଭିଯୋଗରେ ଭୁବନେଶ୍ବରର ଏକ ଫୌଜଦାରୀ ମକଦ୍ଦମା ବିଚାରାଧୀନ ଅଛି । ଆଇନତଃ , ଏପରି କୌଣସି ମକଦ୍ଦମାରେ ବିଚାରାଧୀନ ଥିବା କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦତ୍ତ ଏହି ସମ୍ମାନ ପାଇପାରିବେ ନାହିଁ । ଅତଏବ ଏହା ହିଁ ସ୍ପଷ୍ଟ ଯେ, ରାଷ୍ଟ୍ରପତିଙ୍କୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରା ହୋଇଛି ।
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ସୁବ୍ରତଙ୍କର କୌଣସି ଅବଦାନ ନଥିବା ଓଡ଼ିଶା ସରକାରଙ୍କ ବିଶେଷଜ୍ଞ କମିଟି ପୂର୍ବରୁ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି କମିଟିରେ ଜଣେ ବିଶେଷଜ୍ଞ ଥିଲେ ଅଧ୍ୟାପକ ପ୍ରସନ୍ନ କୁମାର ମହାନ୍ତି ଯାହାଙ୍କ ଅଧୀନରେ ଶାସ୍ତ୍ରୀୟ ମାନ୍ୟତା ପାଇଁ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା । ସେ ଏହି କମିଟିରେ ନିଜ ଅଭିଜ୍ଞତା ଦୃଷ୍ଟିରୁ ଯେଉଁ ବୟାନ ଦେଲେ, ତାହା ସ୍ପଷ୍ଟ କରିଦେଲା ଯେ, ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସମ୍ପର୍କରେ ସୁବ୍ରତଙ୍କର କୌଣସି ଉଲ୍ଲେଖନୀୟ ଗବେଷଣାତ୍ମକ ଅବଦାନ ନାହିଁ । ତେଣୁ, ଶାସ୍ତ୍ରୀୟ ପୁରସ୍କାର ପାଇବା ପାଇଁ ତାଙ୍କ ନାମ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇ ପାରିବନାହିଁ ବୋଲି ନିଷ୍ପତ୍ତି କରି ତାଙ୍କ ଦରଖାସ୍ତ ସରକାର ବରଖାସ୍ତ କରିଦେଇଥିଲେ । ଏହା ସୁବ୍ରତ ଜାଣନ୍ତି । କିନ୍ତୁ ଏକଥା ନିଶ୍ଚୟ ରାଷ୍ଟ୍ରପତିଙ୍କୁ ଲୁଚେଇ ରଖାଯାଇଛି । ଅତଏବ, ତାଙ୍କ ସପକ୍ଷରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସୁପାରିଶ ପତ୍ର ସୁନିଶ୍ଚିତ ଜାଲିଆତିପ୍ରସୂତ ।
ଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ଓଡ଼ିଶା ସରକାର ତିଆରି କରିଥିବା ଯୁକ୍ତି ସନ୍ଦର୍ଭ ଚୋରି କରି ଓଡ଼ିଶାରେ ହଟଚମଟ ସୃଷ୍ଟିକରିଥିବା ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟିଙ୍କ ଭିତରେ ଏବେ ବାଡ଼ିଆପିଟା ଚାଲିଛି । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ୨୧.୮.୨୦୧୯ ତାରିଖର ୨୩୫୭୧ ସଂଖ୍ୟକ ପତ୍ରରୁ ପ୍ରକାଶ ଯେ, ଏମାନଙ୍କ ବିରୁଦ୍ଧରେ ସର୍ବସତ୍ତ୍ଵ ସଂରକ୍ଷିତ ସରକାରୀ ସନ୍ଦର୍ଭ ଚୋରି ଅଭିଯୋଗ ଉପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଦନ୍ତ କରୁଛି । ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ଟାଳି ପ୍ରଶାସନିକ କଳ ତାଙ୍କ ପାଖରେ ଏ ତଥ୍ୟ ପହଞ୍ଚାଇ ପାରି ନାହିଁ ।
ଓଡ଼ିଆ ଭାଷାର ଉତ୍କର୍ଷତା ଏହି ମାଫିଆ ମତାଣ ଦ୍ଵାରା ଯେପରି ନିଷ୍ପ୍ରଭ ହୋଇନଯାଏ ତାହା ଦେଖିବା ପ୍ରତି ଓଡ଼ିଆର ପ୍ରାଥମିକ କର୍ତ୍ତବ୍ୟ ।