ଓଡ଼ିଆ ଭାଷାର ପ୍ରାଣ ରକ୍ଷା ପ୍ରଥମ ଧ୍ୟେୟ ହେଉ , ପ୍ରିୟ ମୁଖ୍ୟମନ୍ତ୍ରୀ !

ନିଉଜ୍୧୮ ଦ୍ଵାରା ଆୟୋଜିତ ଓଡ଼ିଆ ଅସ୍ମିତା ସମ୍ପର୍କୀୟ ଏକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ଭାଷଣ ଉପରେ ମୋର ପ୍ରତିକ୍ରିୟା

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସମ୍ପୂର୍ଣ୍ଣ ଅବଗତ ଯେ, ଓଡ଼ିଶା ଯେଉଁ ଭାଷାର ସୃଷ୍ଟି, ସେ ଭାଷା ଓଡ଼ିଶାର କୌଣସି କାର୍ଯ୍ୟାଳୟରେ ଅଲଙ୍ଘ୍ୟ ହୋଇନଥିବା ହେତୁ ଇଂରାଜୀରେ ଚାଲିଛି ରାଜ୍ୟର ପରିଚାଳନା ।

ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି କରି ବିଜୁ ପଟ୍ଟନାୟକ ୧୯୬୩ରେ ଓଡ଼ିଶା ରାଜଭାଷା ଆଇନ, ୧୯୫୪ରେ ଯେଉଁ ୩(କ) ଧାରା ଯୋଡ଼ିଥିଲେ ଓ ତତୋଧିକ ଜାଲିଆତି କରି ମୋହନ ବାବୁଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଧାରା ୪ , ୫ ଓ ୪(କ) ତଥା ଜାଲିଆତି ପ୍ରସୂତ ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି, ତାହା ସରକାରୀ ଭାଷା ଭାବେ ଓଡ଼ିଆ ଭାଷାକୁ ଅକର୍ମଣ୍ୟ କରିଦେଇଛି ଓ ପ୍ରଥମ ଓଡ଼ିଶା ବିଧାନ ସଭା ୧୯୫୪ରେ ପ୍ରଣୟନ କରିଥିବା ଉପରୋକ୍ତ ଆଇନକୁ ବସ୍ତୁତଃ ଅକାମୀ କରିଦେଇଛି ।

ସ୍ମାରକପତ୍ର ମାଧ୍ୟମରେ ତାଙ୍କୁ ଏହା ଅବଗତ କରାଇଥିଲେ ମଧ୍ୟ, ଉପରୋକ୍ତ ଅବୈଧ ଧାରାଗୁଡ଼ିକୁ ତଥା ନିୟମାବଳୀକୁ ଲୋପ କରିବାକୁ କୌଣସି ପଦକ୍ଷେପ ନ ନେଇ ସେ ଓଡ଼ିଆ ଭାଷାର ରାଜଭାଷା ମର୍ଯ୍ୟାଦାକୁ ଅପାଙ୍କ୍ତେୟ କରି ରଖିଛନ୍ତି ।

ଯେଉଁ ଭାଷା କାର୍ଯ୍ୟାଳୟର ଭାଷା ନ ହୁଏ ତାହା ନିଷ୍ପ୍ରଭ ହୋଇଯାଏ ଓ କାଳ କବଳରେ ମରିଯାଏ, ଯେପରି ମରିଯାଇଛି ପାଲି ଭାଷା ଓ ସଂସ୍କୃତ, ବିପୂଳ ସାହିତ୍ୟ ସତ୍ତ୍ଵେ ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଏହି ଅସଲ କଥା ଉପରେ ପାଟି ନ ଖୋଲି ବାକି ଯାହା କହିଛନ୍ତି ତାହା ତାଙ୍କ ଲୋକସମ୍ପର୍କ ଅଧିକାରୀ ବି କହିପାରିଥାନ୍ତେ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା