ଓଡ଼ିଆ କବିତାରେ ଜ୍ଞାନ ବିଜ୍ଞାନ -୧

[ଜ୍ଞାନ ବିଜ୍ଞାନ ଅବଗତ ହେବା ପାଇଁ ପ୍ରଥମ ଶ୍ରେଣୀରୁ ଇଂରାଜୀ ଅଧ୍ୟୟନ ଉପରେ ଓଡ଼ିଶା ସରକାର ଯେଉଁ ଗୁରୁତ୍ଵ ଦେଉଛନ୍ତି ତାହା ଯେ ଆମ ଜାତିକୁ କକ୍ଷଚ୍ୟୁତ କରିବାକୁ ଏକ ଭୟଙ୍କର ଦେଶୀ-ଇଂରାଜୀଆ  ଷଡ଼ଯନ୍ତ୍ର ତହିଁରେ ଆମର ସନ୍ଦେହ ନାହିଁ । ଆମ ଭାଷାରେ , ଶିଶୁମାନଙ୍କ ମନକୁ ଛୁଇଁବା ଶୈଳୀରେ କବିତା ମାଧ୍ୟମରେ ଜ୍ଞାନ ବିଜ୍ଞାନ ପରିବେଶନର ଉଦ୍ୟମ କରିଛନ୍ତି କଡ଼ାଗଞ୍ଚୀ, କାଲାବୁରାଗି, କର୍ଣ୍ଣାଟକ-୫୮୫୩୬୭ରେ ପ୍ରତିଷ୍ଠିତ କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼ଃ ସୁଚିସ୍ମିତା ସାହୁ । ତାଙ୍କର ଏହି ପ୍ରଥମ କବିତାରୁ ଆମେ ଆରମ୍ଭ କରୁଛୁ ଏହି ଆଲୋକବର୍ଷୀ ଅଧ୍ୟାୟ ।]

ଆଲୋକର ରଙ୍ଗ

                  ଡ଼ଃ ସୁଚିସ୍ମିତା ସାହୁ

କୁହ ବନ୍ଧୁ ବେଗେ ମନେ ଉଠିଛି ଜିଜ୍ଞାସା
ସୂର୍ଯ୍ୟଙ୍କ ପ୍ରକୃତ ରଙ୍ଗ କି ଅଟେ ସହସା ।
କେବେ ଦିଶେ ନାଲି କେବେ କମଳା ରଙ୍ଗକୁ
କେବେ ପୁଣି ଦିଶେ ଧଳା ବେନି ନୟନକୁ ।
ବନ୍ଧୁଙ୍କ ମୁଖରୁ ଏମନ୍ତ ପ୍ରଶ୍ନକୁ ଯେ ଶୁଣି
ଉତ୍ତର ଦେଲି ମୁଁ ବନ୍ଧୁ ମନକଥା ଜାଣି ।
ସୂର୍ଯ୍ୟ ନିଜ ମଧ୍ୟେ ସବୁ ରଙ୍ଗ ଧରିଥାଇ
ସବୁରଙ୍ଗ ମିଶି ନେତ୍ରେ ଧବଳ ଦିଶଇ ।
ଯେବେ ସୂର୍ଯ୍ୟ ରଶ୍ମି ବସ୍ତୁ ଉପରେ ପଡ଼ଇ
ସେଥିରୁ ଆଂଶିକ ବସ୍ତୁ ଶୋଷଣ କରଇ ।
ବାକି ରଶ୍ମି ବାହାରକୁ ଲେଉଟି ଆସଇ
ପ୍ରତିଫଳିତ ହୋଇଣ ନେତ୍ରରେ ପଡ଼ଇ ।
ଶୋଷିତ, ପ୍ରତିଫଳିତ ଏ ଦୁଇ ନାମରେ
ଏହି ରଶ୍ମି ଜଣାଶୁଣା ବିଜ୍ଞାନ ଭାଷାରେ ।
ଯେଉଁ ରଶ୍ମି ବସ୍ତୁ ଠାରୁ ଆସେ ବାହାରକୁ
ବସ୍ତୁଟି ସେହି ରଙ୍ଗର ଦିଶେ ନୟନକୁ ।
ନ କରେ ଶୋଷଣ ସୂର୍ଯ୍ୟ କୌଣସି ରଶ୍ମିକୁ
ସବୁ ଆଲୋକକୁ ଛାଡେ ବାହ୍ୟ ଜଗତକୁ ।
ସେହି ରୂପେ ଇନ୍ଦ୍ର ଧନୁ ସୂର୍ଯ୍ୟର କିରଣ
ଯାହା ସାତ ରଙ୍ଗରେ ବିଭକ୍ତ ବୋଲି ଜାଣ ।
ଏବେ ନିଶ୍ଚେ ପ୍ରଶ୍ନ ଆସୁଥିବ ତୁମ୍ଭ ମନେ
କି ଗୁଢ଼ ତଥ୍ୟ ରହିଛି ରଙ୍ଗର କିରଣେ ?
ବନ୍ଧୁ ଙ୍କ ମୁଖରୁ ଏହି ଜିଜ୍ଞାସା କୁ ପାଇ
କହିଲି ମୁଁ ବନ୍ଧୁ ତୁମେ ଶୁଣ ମନଦେଇ ।
ଆଲୋକ ଯେ ପ୍ରକୃତରେ ତରଙ୍ଗ ଅଟଇ
ଯାହାର ବିବିଧ ଦୈର୍ଘ୍ୟ ପ୍ରକାରରେ ଥାଇ ।
ତରଙ୍ଗ ଦୈର୍ଘ୍ୟ ନାମରେ ତା ହା ଜଣାଶୁଣା
ଯହିଁ ରୁ ବିବିଧ ରଙ୍ଗ ସ୍ଥିର ହୁଏ ସିନା ।
ନାଲିର ତରଙ୍ଗଦୈର୍ଘ୍ୟ ଅଟେ ସର୍ବାଧିକ
ତେଣୁ ତାହା ଦିଶୁଥାଇ ଦୂରକୁ ଅଧିକ ।
ବାଇଗଣୀର ତରଙ୍ଗ ଦୈର୍ଘ୍ୟ ଅଟେ ସର୍ବନିମ୍ନ
ଆଲୋକ ର ଏହି ତଥ୍ୟ ମନଦେଇ ଶୁଣ ।
ଆଉ ଯେ ପ୍ରଶ୍ନ ରହିଲା ତୋହରି ମନକୁ
ରାଣ ଅଛି କହିବି ମୁଁ ଆର ଅଧ୍ୟାୟକୁ ।