Posts tagged Gangadhar Meher

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସମ୍ବଲପୁର ଅଂଚଳ – ଯାହାକୁ ସାଧାରଣତଃ ପଶ୍ଚିମ ଓଡ଼ିଶା କୁହାହେଉଛି – ଇଂରାଜୀ କବଳରେ ପଡ଼ି ମଧ୍ୟପ୍ରଦେଶ ଅନ୍ତର୍ଗତ ହୋଇଗଲା ଏବଂ ଓଡ଼ିଆ ପରିବର୍ତ୍ତେ ସେଠାରେ ୧୮୯୬ ଜାନୁଆରୀ ପହିଲାରୁ ହିନ୍ଦୀ ହିଁ ରାଜଭାଷା ହେବ ବୋଲି ଆଦେଶ ହେଲା ।

ଏହା ବିରୁଦ୍ଧରେ ଯେଉଁ ଅତୁଳନୀୟ ଜନ ଆନ୍ଦୋଳନ ହେଲା ତାହା ମୁଁ ଅନ୍ୟତ୍ର ଲେଖିଛି । ଏହି ପ୍ରତିବେଦନରେ ମୁଁ କେବଳ ଏହି ଆନ୍ଦୋଳନ ପ୍ରତି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅବଦାନ ଉଲ୍ଲେଖ କରିବି; କାରଣ ଆଜି ତାଙ୍କର ଶୁଭ ଜନ୍ମଦିନ ।

ବିଲାତି ସରକାରଙ୍କ ପ୍ରିୟପାତ୍ର ହୋଇ ରହିବାକୁ ବ୍ୟାକୁଳ ଥିବା ସେ ଅଂଚଳର ବାମଣ୍ଡା,ବଲାଙ୍ଗୀର,କଳାହାଣ୍ଡି,ସୁବର୍ଣ୍ଣପୁର,ବରପଲ୍ଲୀ ଆଦି ରାଜ୍ୟର ରାଜା ଜମିଦାରମାନେ ଓଡ଼ିଆ ଜାତିର ଏହି ଚରମ ଦୁର୍ଦ୍ଦିନରେ ପ୍ରତିବାଦ କରିବା ପରିବର୍ତ୍ତେ ମଉଜ ମଜଲିସରେ ମାତିଥିଲେ ଓ ସବୁ ଦେଖି କିଛି ନଦେଖିଲା ପରି ରହିଥିଲେ ।
ଉତ୍କଳଭାରତୀଙ୍କ ନିବେଦନ ଶୀର୍ଷକ ଏକ କବିତା ମାଧ୍ୟମରେ ଗଙ୍ଗାଧର ଜଣାଇଥିଲେ ତହିଁର ତୀବ୍ର ପ୍ରତିବାଦ ।

ବଲାଙ୍ଗୀର ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ :

“ରାମଚନ୍ଦ୍ର ଦେବ ପାଟଣା ମହୀମଣ୍ଡଳେ ଶୂର
ବାଘ ମାରିବାକୁ ବୁଲଉଛ ବଣେ ନିଶି ବାସର ।
ଗୁହାଳରେ ପଶି ଶୃଗାଳ ଖାଇ ଯାଉଛି ଗାଈ
ଏ ଆଡ଼କୁ କିମ୍ପା ତୁମର କିଛି ନଜର ନାଇଁ ?
ଏ ଗାଈଟି ମଲେ ମିଳିବ ନାହିଁ ମଧୁର କ୍ଷୀର
ଶୃଗାଳ ନ ପଶୁ ଗୁହାଳେ ଆହେ ଚୌହାନ ବୀର ।”

ସେହିପରି କଳାହାଣ୍ଡି ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ,

“ଦେଖା କି ନା ରଘୁକିଶୋର କଳାହାଣ୍ଡି ଭୂପତି
ଘର ଭାତ ହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ ?
ସେହି ଭାତ ହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି
ଖାଇବାକୁ ଏବେ ପଡ଼ିବ ଶୁଖା କର୍କଶ ରୁଟି ।”

ମେହେରଙ୍କ ଭର୍ତ୍ସନାରୁ ରକ୍ଷା ପାଇପାରିନଥିଲେ ସୁବର୍ଣପୁରର ରାଜା । ସେ ତାଙ୍କୁ ତାଙ୍କ ସଂସ୍କୃତପ୍ରୀତି କଥା ଚେତେଇ ଦେଇ ମାତୃଭାଷା ପ୍ରତି ଅବହେଳା ପାଇଁ ଆକ୍ଷେପ କରି କହିଥିଲେ,

“ସୁବର୍ଣ୍ଣପୁରପତି ବସିଛ ସ୍ଵର୍ଣ୍ଣମୟ ଆସନେ
ସଂସ୍କୃତେ ମାତିଛ ମୋ କଥା କାହିଁ ପଡିବ ମନେ?”

ଏପରିକି ତାଙ୍କ ନିଜ ରାଜ୍ୟ ବରପାଲିର ଜମିଦାରଙ୍କୁ ଓଡ଼ିଆ ଭାଷା ପ୍ରତି ଅବହେଳା ସକାଶେ କଠୋର ସମାଲୋଚନା କରିବାକୁ କୁଣ୍ଠିତ ହୋଇନଥିଲେ ସ୍ଵଭାଵ କବି । ଓଡ଼ିଆ ଭାଷା ସପକ୍ଷରେ କଥା କହିଲେ କାଳେ ବିଲାତି ସରକାର ଉପାଧି ଛଡାଇନେବେ ସେହି ଭୟରେ ସେ ନୀରବ ଥିବାର ଆକ୍ଷେପ ଉତ୍କଳ ଭାରତୀଙ୍କ ରୋଦନ ଆଳରେ ପ୍ରକଟିଉଠିଥିଲା କବି କଲମରୁ :

“ବରପଲ୍ଲୀପତି ଜଣାଇ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଡେ ଅଧେ ବଚନ ?
ହରିହର ସିଂହ ତୁମ୍ଭେ ତ କିଛି କହିବା ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ !”

ମାତୃଭାଷା ଓଡ଼ିଆର ବିକାଶ, ବିସ୍ତାର ଓ ସୁରକ୍ଷା ପାଇଁ ନିଜ ନିଜକୁ ଉତ୍ସର୍ଗ କରିଥିବା ପ୍ରଜାବର୍ଗଙ୍କୁ ଏହି କବିତାରେ ହାର୍ଦ୍ଦିକ ପ୍ରଶଂସା କରି ଉପରୋକ୍ତ ରାଜାମାନଙ୍କୁ ସେମାନଙ୍କ ବିଦେଶୀ ଭାଷା ପ୍ରୀତି ପାଇଁ ସ୍ଵଭାଵ କବି ଯେଉଁ କାଟୁ ଭର୍ସନା କରିଥିଲେ ତାହା କେବଳ ଅନନ୍ୟ ଥିଲା ତା ନୁହେଁ, ସମ୍ବଲପୁର ଅଂଚଳରେ ଭାରତର ପ୍ରଥମ ଭାଷା-ଜାତୀୟତାର ଯେଉଁ ଉନ୍ମେଷ ଓ ବିକାଶ ଘଟିଥିଲା , ଯାହା ସହଜ କରିଦେଇଥିଲା ଓଡିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ, ତାହା ମୂଳରେ ବି ଥିଲା ଗଙ୍ଗାଧରଙ୍କ ଏହି ଅକୁତୋଭୟ ସାରସ୍ବତ ବିପ୍ଳବ ।