ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ମରଣୋତ୍ତର ଦେଶଦ୍ରୋହ ମକଦ୍ଦମା ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ୧୯୫୪ (The Orissa Official Language Act ,1954) ସଂକ୍ଷେପରେ ଭାଷା ଆଇନ କାର୍ଯ୍ୟକାରୀ ହେବାକୁ ଆବଶ୍ୟକୀୟ ଅଧିସୂଚନାର ଅପେକ୍ଷା ରଖିଥିବା ବେଳେ ତାହା ଜାରି ନ କରି ଅସାମ୍ବିଧାନିକ ସଂଶୋଧନ ଦ୍ଵାରା ୧୯୬୩ରେ କବର ତଳୁ ଇଂରାଜୀ ଭାଷାକୁ ଉଠାଇ ଆଣି ଓଡ଼ିଆ ଜାତିର ଭାଷା ଅଧିକାରକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ମରଣୋତ୍ତର ମକଦ୍ଦମା ଆରମ୍ଭ ନ ହେଲେ ବହୁ ଜ୍ଞାତବ୍ୟ ସତ୍ୟ ଲୁକାୟିତ ହୋଇ ରହିଯିବ । 

ବ୍ରିଗେଡ଼ିଅର ଜନ୍ ଡେଲ୍ଭି (John Delvi) ତାଙ୍କ ପ୍ରସିଦ୍ଧ ପୁସ୍ତକ ହିମାଳୟାନ୍ ବ୍ଲଣ୍ଡର (Himalayan Blunder)ରେ ଉଲ୍ଲେଖ କରିଛନ୍ତି ଯେ, ଭରତ ୧୯୬୨ ଚୀନ ଯୁଦ୍ଧରେ ପରାଭୂତ ହୋଇ ଅନ୍ୟୁନ୍ୟ ୧୧୦୦୦ ବର୍ଗ କିଲୋମିଟର ମାଟି ହରାଇଲା, କାରଣ ଯୁଦ୍ଧକ୍ଷେତ୍ରରେ ତଡ଼ିତ୍ ବେଗରେ ପହଞ୍ଚିଥିବା ସୈନିକମାନଙ୍କ ପାଖରେ ସେହି ବରଫାବୃତ୍ତ ପାର୍ବତ୍ୟ ଇଲାକାରେ  ଅତ୍ୟାବଶ୍ୟକ  ଶୀତବସ୍ତ୍ର , ବରଫ-ଯୋତା, ବରଫ-ଚଷମା ପହଞ୍ଚି ପାରିଲା ନାହିଁ । ଏହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୁଦ୍ଧକ୍ଷେତ୍ରରେ ପହଞ୍ଚାଇବାକୁ ଠିକା ନେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବନି ପ୍ରଧାନମନ୍ତ୍ରୀ ନେହେରୁଙ୍କ ମନ ଜିଣିଥିବା ବିଜୁ ପଟ୍ଟନାୟକ । କିନ୍ତୁ ସେ ସେହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଫା ରଣକ୍ଷେତ୍ରରେ ନ ପହଞ୍ଚାଇ ଚୋରାବଜାରରେ ବିକି ପ୍ରଚୁର ଅର୍ଥ ଉପାର୍ଜନ କରିଥିବା ବେଳେ, ବରଫାବୃତ୍ତ ଅଞ୍ଚଳରେ ଜୀବନ ରକ୍ଷା ପାଇଁ ଅତ୍ୟାବଶ୍ୟକୀୟ ସେହି ସାମଗ୍ରୀଗୁଡ଼ିକ ନପାଇ ଆମ ସୈନ୍ୟମାନେ ଚୀନସେନାର ସାମ୍ନା କରିପାରିଲେନି, ବହୁ ପରିମାଣରେ ହାହାକାର କରିକରି ମଲେ, ଆମେ ହାରିଗଲେ , ଡେଲ୍ଭିଙ୍କ ହିସାବରେ ଆମ ମାତୃଭୂମିର ୧୧୦୦୦ ବର୍ଗ କିଲୋମିଟର ଚୀନ ପାଦତଳେ ଚାପି ହୋଇରହିଗଲା  । (Lok Sabha Debates (V) (1967) 7980-7990) ।  

ଏହି ଘଟଣାର ତଦନ୍ତ ପାଇଁ ନିଯୁକ୍ତ କାଟଜୁ କମିଶନ କଳିଙ୍ଗ ଏୟାର ଲାଇନ୍ସ ମାଧ୍ୟମରେ ବିଜୁ କରିଥିବା ଦେଶ ବିରୋଧୀ ଅପରାଧମାନଙ୍କର ଏକ ଲମ୍ବା ତାଲିକା ସବିଶେଷ ବିବରଣୀ ସହ ଦାଖଲ କରିଥିଲେ । ମାତ୍ର ତାହାକୁ ସମ୍ପୂର୍ଣ୍ଣତଃ ସଂସଦରେ ରଖାଯାଇନଥିଲା । ଅଥଚ ଏହି ଦେଶଦ୍ରୋହୀ କାମ ସତ୍ତ୍ୱେ ବିଜୁ କେନ୍ଦ୍ର ସରକାରଙ୍କଠାରୁ ବିପୁଳ ପରିମାଣର ଟଙ୍କା କଳିଙ୍ଗ ଏୟାର ୱେଜ @ କଳିଙ୍ଗ ଏୟାର ଲାଇନ୍ସ ପାଇଁ ନେଇଥିଲେ  (୨୫.୧.୧୯୬୩ରେ ଲୋକସଭାରେ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉତ୍ତର)।  ଅଟଳ ବିହାରୀ ବାଜପେଯୀଙ୍କ ୭୮୫ ସଂଖ୍ୟକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ  ୨୮.୬.୧୯୬୨ ତାରିଖରେ ତଦାନୀନ୍ତନ ଗୃହ ରାଷ୍ଟ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଲା ସ୍ଵୀକାର କରିଥିଲେ ଯେ କଳିଙ୍ଗ ଏୟାର ୱେଜ ନାନା ଠକାମି ଓ ଜାଲିଆତି କରିଥିବା ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ଧରିଛି । ଏପରିକି ଯୁଦ୍ଧ ଚାଲିଥିବା ବେଳେ ସନ୍ଦେହାତ୍ମକ ଭାବେ ଅଜଣା ଲୋକଙ୍କୁ ଧରି ତାଙ୍କ ବିମାନ ୧୬୦୦ ଥର ଉଡ଼ାଣ କରିଥିଲା ବୋଲି ଜଣା ପଡ଼ିଥିଲା । ଏହା ଜଣା ପଡ଼ିଲା ପରେ କେହି ଜଣେ ଅଜ୍ଞାତ ପଦାଧିକାରୀ ୧୬୦୦କୁ ୨୦୦ରେ ବଦଳାଇଥିବା ବି ଜଣା ପଡ଼ିଥିଲା । ଏହି ଜାଲିଆତି କିଏ କରିଛି ବୋଲି ସାଂସଦ ଜି. ଜି. ସ୍ଵେଲ୍ ଯେଉଁ ପ୍ରଶ୍ନ କରିଥିଲେ ଶୁକ୍ଲା ତାହା ବି ତଦନ୍ତରେ ଜଣା ପଡ଼ିବ ବୋଲି କହିଥିଲେ ।  ସବୁ ଚାପିଡିଆଗଲା । 

ବିଜୁଙ୍କ ଏୟାର ୱେଜର ଗୋଟାଏ ପରେ ଗୋଟେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ଵଂସ ହୋଇଚାଲିଲା । ସେସବୁରେ ଥିବା ବିଜୁଙ୍କ ଦେଶଦ୍ରୋହର କାର୍ଯ୍ୟନିର୍ବାହୀ ବିମାନଚାଳକ ଓ ସେମାନଙ୍କ ସହାୟକମାନେ ମରଣ କବଳକୁ ଠେଲି ହୋଇଗଲେ । 

ଭାରତର ସଂସଦ ବିଜୁଙ୍କ ଏହି ଅପରାଧ ହେତୁ ପଡ଼ିଥିଲା ଉଠିଥିଲା । ବିତର୍କରେ ଯେଉଁସବୁ  ବିବରଣୀ ଆସିଲା , ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ଆପରାଧିକ ଅଭିଯୋଜନ ( prosecution for sedition) ପାଇଁ  ତାହା ଥିଲା ଯଥେଷ୍ଟ । ମାତ୍ର କାଳେ ବିଜୁଙ୍କୁ ଅହେତୁକ କରୁଣା ପ୍ରଦର୍ଶନ ପାଇଁ ନେହେରୁ ମଧ୍ୟ ବିଚାରଭୁକ୍ତ ହେବେ, ଏହି କାରଣରୁ ବିଜୁଙ୍କୁ ତତ୍କାଳୀନ କଂଗ୍ରେସ ସରକାର ଘଣ୍ଟ ଘୋଡେଇ ରଖିଦେଲା । 

କିନ୍ତୁ ଆମେ ଚାହୁଁ ସତ୍ୟ ପଦାକୁ ଆସୁ । ଆମ ଭାଷାକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକ ଚୀନ ଆକ୍ରମଣ କାଳରେ କରିଥିବା ଦେଶଦ୍ରୋହ ପାଇଁ ମରଣୋତ୍ତର ଦଣ୍ଡ ପାଇବା ଦରକାର ।  ସତ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ରଖିବା ପାଇଁ କେନ୍ଦ୍ରର ବିଜେପି ସରକାର ୨୮.୬.୧୯୬୨ରେ ଅଟଳ ବିହାରୀ ବାଜପେୟୀ ପାଇନଥିବା ଉତ୍ତର ଖୋଜି ବାହାର କରୁ ।