ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସାନି ସଂଶୋଧନ ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ନିର୍ଭୁଲ କରିବା ପାଇଁ ଭାଷା ଆନ୍ଦୋଳନର ଦାବି ସଫଳ ହେବାର ସମ୍ଭାବନା ଦେଖାଦେଇଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଆଜି ଔପଚାରିକ ଭାବେ ତାଙ୍କ ଆସନ ଗ୍ରହଣ କଲା ପରେ ଘୋଷଣା କରିଛନ୍ତି କି, ଓଡ଼ିଆ ଭାଷାରେ ଓଡ଼ିଶା ଏଥିପାଇଁ ଆବଶ୍ୟକୀୟ ଆଇନ ସଂଶୋଧନ ହେବ ।
ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରିଥିଲେ ଓ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୋର ଦୁଇଜଣ ସହକର୍ମୀଙ୍କୁ ସୁପାରି ଦେଇ କିଣିଥିଲେ । କିନ୍ତୁ ଭାଷାପ୍ରାଣ ଓଡିଆ ଜାତି ନବୀନ ପଟ୍ଟନାୟକଙ୍କ ପୋଷାମନା ଛଦ୍ମଘାତକମାନଙ୍କ ପ୍ରବଞ୍ଚନାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଆଗେଇ ଚାଲି ଭାଷା ଅସ୍ମିତାର ଫଲ୍ଗୁ ପ୍ରବାହିତ କଲା ସାରା ଓଡ଼ିଶାରେ, ଯାହା ଇତିହାସର ଅଳିଆ ଭିତରକୁ ନିକ୍ଷେପ କରିଛି ନବୀନ ରାଜୁତିକୁ । ଆଜି ଏହି ମହାନ ଅଭିଯାନ ପହଞ୍ଚିଛି ନବମ ବର୍ଷର ତିନି ମାସ ଚାରି ଦିନରେ । ଆଜି ହିଁ ଶ୍ରୀଯୁକ୍ତ ମାଝୀ ଭାଷା ଆଇନ ସଂଶୋଧନ ପାଇଁ ଏକ ସମ୍ଭାବନାମୟ ଘୋଷଣା କରିଛନ୍ତି ।
ଗତ ପହିଲାରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ ନବୀନବାବୁ ଭାଷା ଆଇନରେ ଜାଲିଆତି ଦ୍ଵାରା ଖଞ୍ଜିଥିବା ଧାରା ୪ , ଧାରା ୪କ ଓ ଧାରା ୫ ବିଲୁପ୍ତ କରିବାକୁ ଭାଷା ଆନ୍ଦୋଳନ ପକ୍ଷରୁ ମୁଁ ଦାବି କରିଥିଲି ଏବଂ ସାନି ସଂଶୋଧନ ଦ୍ଵାରା ତାକୁ ନିର୍ଭୁଲ କରିବାକୁ ଅନୁରୋଧ ଜଣାଇଥିଲି । ଆଶା କରୁଛି ଯେ, ନୂଆ ବିଧାନସଭାର ଆଗାମୀ ଅଧିବେଶନରେ ଭାଷା ଆଇନ ସଂଶୋଧନ ହେବ ଏବଂ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପଥରୁ ସମସ୍ତ ଅନ୍ତରାୟ ଅପସାରିତ ହେବ ।
ଭାଷା ଆନ୍ଦୋଳନର ଲକ୍ଷ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ କଳାପତାକା ଅଭିଯାନ ଯଥାରୀତି ଚାଲିବ ।