ବନ୍ଦେ ଉତ୍କଳ ଜନନୀ : ରାଜ୍ୟ ସଙ୍ଗୀତ ଓ ନବୀନବାବୁଙ୍କ ଖଳନାୟକତ୍ଵ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ କରୋନା ସମ୍ପର୍କୀୟ କୌଣସି ମାର୍ଗଦର୍ଶିକା ସରକାରୀ ନିର୍ଦ୍ଦେଶ, ଆଇନ କାନୁନ , ନିୟମ ବିନିୟମ ପ୍ରକାଶ ନ କରି , ଲୋକଙ୍କୁ ପୋଲିସ ଲଗାଇ ନିର୍ଦ୍ଧୂମ ବାଡେଇ, ଗିରଫ କରି, ହାଜତ ପଠାଇ, ଘରଫେରନ୍ତା ଓଡ଼ିଆମାନଙ୍କୁ ଅପରାଧୀ ପରି ଚିତ୍ରିତ କରି, ଆକ୍ରାନ୍ତଙ୍କ ସଂଖ୍ୟା ଭୟାନକ ଭାବେ ବୃଦ୍ଧିକରାଇସାରିବା ପରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକରା ଦେଇଛନ୍ତି ଲୋକେ ଯେଝାମତେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିବାକୁ । ଏବଂ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ଭାବେ ଏହାକୁ ଗ୍ରହଣ କରିବାକୁ ।

ମୁଖ୍ୟମନ୍ତ୍ରୀଙ୍କ ଏ ଛଳନା ଆମ୍ଭଙ୍କୁ ଅତ୍ୟନ୍ତ ଆଘାତ ଦେଉଛି । ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କରାଇ ନଦେବା ପାଇଁ ଯେଉଁ ନବୀନ ପଟ୍ଟନାୟକ ଓଡ଼ିଶା ଦାପ୍ତରିକ ଭାଷା ଆଇନ (Orissa Official Language Act ) ୧୯୫୪ର ଉଦ୍ଦେଶ୍ୟ ପଣ୍ଡ କରିବା ଉଦ୍ଦେଶ୍ୟରେ ତହିଁର ବେଆଇନ ସଂଶୋଧନ କରାଇ ସେଥିରେ ୨୦୧୬ରେ  ଧାରା -୪ ଓ ୨୦୧୮ରେ ଧାରା ୪-କ ଖଞ୍ଜିପାରନ୍ତି ଓ ଏହି ଅପକର୍ମକୁ ଜନଚକ୍ଷୁରୁ ଲୁଚାଇ ରଖିବା ସକାଶେ ପ୍ରଦ୍ୟୁମ୍ନ ଶତପଥୀ ଓ  ପବିତ୍ର ମହାରଥାଙ୍କ ଅର୍ଥଲୋଭର ଉପଯୋଗ କରି ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ଷଡ଼ଯନ୍ତ୍ର କରିପାରନ୍ତି ସେହି ନବୀନ ପଟ୍ଟନାୟକଙ୍କର “ଉତ୍କଳ”ପ୍ରେମ ହଠାତ୍ ଗଜୁରିଲା କିପରି?

ଏ ଗୁମର ଉପରେ ଯଥା ସମୟରେ ଆଲୋଚନା ହେବ । ମାତ୍ର, ବର୍ତ୍ତମାନ ପାଇଁ ମୁଁ ଏହି ପ୍ରଶ୍ନ ଉଠାଇ ତାର ଉତ୍ତର ଖୋଜିବି ଯେ, ବନ୍ଦେ ଉତ୍କଳ ଜନନୀ ଉପରେ ନବୀନବାବୁ ଏହି ଯେଉଁ ଆକସ୍ମିକ ପ୍ରେମର ନାଟକ ସୃଷ୍ଟି କରିଛନ୍ତି ସେ ତହିଁର ନାୟକ କି ଖଳନାୟକ? ମୋର ଉତ୍ତର ହେଲା – ଖଳନାୟକ ।

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପରିବାର ଏହି ସୁଧାମୟୀ ସଙ୍ଗୀତ ଉପରେ ଯେଉଁ ଚାଲ୍ ଖେଳିଥିଲେ ତାହା ତ ଏକ ସ୍ଵତନ୍ତ୍ର ଆଲୋଚନାର ବିଷୟ ହୋଇପାରେ । ମାତ୍ର ଏ ଚାଲ୍ ତତ୍କାଳୀନ ଦୁଇଜଣ ବାଚସ୍ପତିଙ୍କୁ ହଲ୍ ଚଲ୍ କରିଦେଇଥିଲା । ଜଣେ ଶରତ କୁମାର କର ଓ ଅନ୍ୟ ଜଣକ ମହେଶ୍ଵର ମହାନ୍ତି । ମୁଁ ସେ ଦୁରୂହ ଦୃଶ୍ୟପଟକୁ ଏଇନେ ଯାଉନି । ଏଇନେ କେବଳ ଏତିକି କହିବି ଯେ, ବାଚସ୍ପତି ଥିବାବେଳେ ଶ୍ରୀ କର କ୍ଷୋଭ ପ୍ରକାଶ କରି କହିଥିଲେ, ଏହି ସଂଗୀତକୁ  ଓଡ଼ିଶାର ଜାତୀୟ ସଙ୍ଗୀତ କରିବାକୁ ସେ ବାରମ୍ବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରକାର ବାରମ୍ବାର ଏହି ପ୍ରସଙ୍ଗ ପ୍ରତି ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି ।

ସେତେବେଳେ ମୁଖ୍ୟମନ୍ତ୍ରୀ କିଏ ଥିଲେ?

ନବୀନ ପଟ୍ଟନାୟକ ।

ବନ୍ଦେ ଉତ୍କଳ ଜନନୀ ଗୀତକୁ ଓଡ଼ିଶାର ଜାତୀୟ ସଙ୍ଗୀତ କରିବାପାଇଁ ବାଚସ୍ପତିଙ୍କ ପ୍ରସ୍ତାବକୁ ବାରମ୍ବାର ଅବହେଳା ପ୍ରଦର୍ଶନ କରିଚାଲିଥିଲେ କେଉଁ  ମୁଖ୍ୟମନ୍ତ୍ରୀ?

ନବୀନ ପଟ୍ଟନାୟକ ।

ଶରତ କରଙ୍କ ପରେ ଯେତେବେଳେ ମହେଶ୍ଵର ମହାନ୍ତି ହେଲେ ବାଚସ୍ପତି, ସେ ବିଧିବଦ୍ଧ ଭାବେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହି ଗୀତକୁ ଓଡ଼ିଶାର ଜାତୀୟ ସଙ୍ଗୀତ କରିବା ପାଇଁ ବିଧାନସଭାରେ ବିଧେୟକ ରଖିବାକୁ । ତାହା ହେଲା ନାହିଁ । କିଏ ଥିଲେ ମୁଖ୍ୟମନ୍ତ୍ରୀ?

ନବୀନ ପଟ୍ଟନାୟକ ।

ତେବେ, ବନ୍ଦେ ଉତ୍କଳ ଜନନୀ ସୁଆଙ୍ଗରେ ଖଳ ନାୟକ କିଏ?

ନବୀନ ପଟ୍ଟନାୟକ ।

ଦୁର୍ଭାଗ୍ୟ, ଏ ଆମର ମୁଖ୍ୟମନ୍ତ୍ରୀ !