ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସରକାରୀ ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଆଇନଟିର ସଂଶୋଧନ ଦାବିରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ, ବାରମ୍ବାର ଟାଳଟୁଳ କରିକରି ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଶୋଧନ ବିଧେୟକ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ତାହା ଯଦି ଗୃହୀତ ହୁଏ , ତେବେ ଆଇନ ଉଲ୍ଲଙ୍ଘନକାରୀ ବଦଳରେ ଓଡ଼ିଶାର ଜନସାଧାରଣ ହିଁ ଦଣ୍ଡିତ ହେବେ । ବିଧାନସଭାର ସଭ୍ୟମାନେ ଏହି ପ୍ରପଞ୍ଚବୁଦ୍ଧିପ୍ରସୂତ ବିଧେୟକଟିକୁ ପ୍ରତ୍ୟାଖ୍ୟାନ କରନ୍ତୁ ବା ଆବଶ୍ୟକୀୟ ସଂଶୋଧନ ସହ ପାରିତ କରନ୍ତୁ । ଏହା ନ ହେଲେ ଭାଷା ଆନ୍ଦୋଳନ ଏହି ଖଳ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରେୟ ମଣିବ ।

ସଂଶୋଧନ ବିଧେୟକଟି ମୂଳ ଅଧିନିୟମରେ ‘୪କ’ ନାମକ ଏକ ନୂଆ ଧାରା ଯୋଡ଼ିବ, ଯହିଁରେ ଲେଖାଥିବ:

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଅର୍ଥାତ୍ ଭାଷା ଆଇନର ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଦଣ୍ଡବିଧାନ ହୋଇପାରେ ବା ତାଙ୍କ ବଦଳରେ ସମ୍ପୃକ୍ତ ବିଭାଗକୁ ଦଣ୍ଡବିଧାନ ହୋଇପାରେ । ଯେହେତୁ କର୍ମଚାରୀମାନେ ଆଇନ ଖିଲାପ କରିବେ ସେହେତୁ ସ୍ବଭାବିକ ଭାବେ ସେମାନେ ନିଜକୁ ନିଜେ ଦଣ୍ଡିତ ନ କରି ଦଣ୍ଡ ନଦିବେ ବିଭାଗ ମୁଣ୍ଡରେ । କାରଣ, ଏହି ସୁଯୋଗ ଏହି ଆଇନ ସଂଶୋଧନ ହିଁ ସେମାନଙ୍କୁ ଯୋଗାଇଦେବ ।

ବିଭାଗଟିଏ ଦଣ୍ଡିତ ହେବାର ଅର୍ଥ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବା , କାରଣ ବିଭାଗଗୁଡ଼ିକର ସମସ୍ତ ଖର୍ଚ୍ଚ ଲୋକେ ବହନ କରିଥାନ୍ତି, ମୁଖ୍ୟମନ୍ତ୍ରୀ ବା ତାଙ୍କ ଗୋଲାମମାନେ ନୁହନ୍ତି ।

ଏହି ବିଧେୟକ କେଉଁ ‘ଉଦ୍ଦେଶ୍ୟ ଓ କାରଣ’ ହେତୁ ଉପସ୍ଥାପିତ ହୋଇଛି, ତାହା ଆଇନତଃ ଅଛି ଏହାର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ । ତାହା ଏହିପରି :

“ତା ୨୬. ୧ ୨. ୨୦୧୭ ରିଖ ଦିବା ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରିମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ ସରକାରୀ ଭାଷାର ବ୍ୟାପକ ବ୍ୟବହାର କରୁଥିବା ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କେମଚାରୀ / ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଓଡିଶା ସରକାରୀ ଭାଷା ଅଧିନିୟମରେ ସଂଶୋଧନ କରି ଆବଶ୍ୟକ ବ୍ୟବସ୍ଥାମାନ କରିବା ଦରକାର ଅଟେ ।

ତଦନୁସାରେ ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ସଂଶୋଧନ କରିବା ନିମନ୍ତେ ଆବଶ୍ୟକୀୟ ଚିଠା ସଂଶୋଧନ ବିଧେୟକ, ୨୦୧୮ ପ୍ରସ୍ତୁତ କରାଯାଇଛି , ଯଦ୍ଦ୍ଵାରା ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ବିହିତ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ରହିବ ।”

ଏଥିରେ ଥିବା ‘କର୍ମଚାରୀ / ଭିଭାଗ’ ଶବ୍ଦପୁଞ୍ଜକୁ ପ୍ରସ୍ତାବିତ ‘୪କ’ ଧାରାରେ ଥିବା ‘କର୍ମଚାରୀ ବା ବିଭାଗ’ ଶବ୍ଦପୁଞ୍ଜର ମଧ୍ୟବର୍ତ୍ତୀ ‘ବା’ ଶବ୍ଦ ସହାୟତାରେ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଏ ଯେ, ଭାଷା ଆଇନ ଉଲ୍ଲଙ୍ଘନ କରି, ବିଭାଗ ମୁଣ୍ଡରେ ଅଠା ବୋଳି , ନିରାପଦରେ ଖସିଯିବା ପାଇଁ ହିଁ ଓଡ଼ିଆବିରୋଧୀ ପଦାଧିକାରୀମାନେ ଏହି ପ୍ରପଞ୍ଚକୌଶଳ ପ୍ରୟୋଗ କରିଛନ୍ତି । ଏହି ଚିଠା ବିଧେୟକ ଯଦି ଏହି ରୂପରେ ପାରିତ ଓ ପ୍ରବର୍ତ୍ତିତ ହୁଏ , ତେବେ, ଖିଲାପକାରୀ କର୍ମଚାରୀ ବଦଳରେ ବିଭାଗମାନେ ଦଣ୍ଡିତ ହେବେ । ବିଭାଗମାନେ ଦଣ୍ଡିତ ହେବା ଅର୍ଥ ରାଜ୍ୟବାସୀ ଦଣ୍ଡିତ ହେବା ସୁନିଶ୍ଚିତ ।

ସବୁଠୁ ଚମକପ୍ରଦ ହେଲା, ଓଡ଼ିଆ ଜାତିକୁ ଦଣ୍ଡିତ କରିବାକୁ ଉଦ୍ଦିଷ୍ଟ ଏହି ସଂଶୋଧନ ବିଧେୟକର ଚିଠା ପ୍ରସ୍ତୁତି ବେଳେ ଓ ସେହି ଚିଠାକୁ ବିଧାନସଭାରେ ଉପସ୍ଥାପନ କଲାବେଳେ ଓଡ଼ିଆ ଜାତିର ଜାତୀୟ ସ୍ଵାର୍ଥ ଅପେକ୍ଷା ଓଡ଼ିଆ ଵିଦ୍ଵେଷୀଙ୍କ ସ୍ଵାର୍ଥ ରକ୍ଷା ପ୍ରତି ଗୁରୁତ୍ବ ଦିଆଯାଇଛି ।

ଭାଷା ଆନ୍ଦୋଳନର କଳାପତାକା ସାରା ଓଡ଼ିଶାରେ ଲହର ସୃଷ୍ଟି କରୁଥିବା ଦେଖି , ତହିଁରେ ଅତର୍ଛି , ନବୀନଙ୍କ ଓଡ଼ିଆ ଭାଷାପ୍ରେମର ନମୁନା ଦେଖାଇବାକୁ ବିଜେଡିର ପୁରୀ ସମାବେଶ ସମୟରେ ୨୬. ୧ ୨. ୨୦୧୭ ଦିନ ସେଠାରେ ମନ୍ତ୍ରୀମଣ୍ଡଳ ବୈଠକ କରାଇ ଭାଷା ସମ୍ପର୍କିତ ୨୦ଟି ପ୍ରସ୍ତାବ ପାରିତ କରାଯାଇଥିଲା । ତହିଁରୁ ୩ୟଟି ଏହିପରି :

“ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧ . ୦୪. ୨୦୧୮ରିଖ ଠାରୁ କାର୍ଯ୍ୟକାରୀ କରାଯିବ ।”

ଏହି “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବରେ ଉଚ୍ଚାରିତ “ଦଣ୍ଡବିଧାନ ବ୍ୟବସ୍ଥା”ର ସମଭିବ୍ୟାହାରରେ ପ୍ରୋତ୍ସାହନ ବ୍ୟବସ୍ଥା ଥିବା ହେତୁ ଏହା ସ୍ପଷ୍ଟ ବାରିହୋଇପଡୁଥିଲା କି, ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ଯେହେତୁ ଓଡିଶା ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ପାଉଛି ସେହେତୁ ତହିଁ ସପକ୍ଷରେ ପ୍ରସ୍ତାବ କରି ତହିଁର ଉହାଡ଼ରେ ବିଭାଗଗୁଡ଼ିକୁ ଦଣ୍ଡିତ କରାଇ ଅପରାଧୀ କର୍ମଚାରୀମାନେ ନିରାପଦରେ ଖସିଯିବାକୁ ଯେଉଁ କଳକୌଶଳ ଭିଆଇଛନ୍ତି ତାହାକୁ ହିଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଉପରେ ନଦିଛନ୍ତି ।

କର୍ମଚାରୀମାନଙ୍କ ଦୋଷ ହେତୁ ବିଭାଗଗୁଡ଼ିକ ଅର୍ଥାତ୍ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବେ – ଏତିକି କେବଳ ଏହି ଖଳବୁଦ୍ଧିପ୍ରସୂତ ପ୍ରସ୍ତାବରେ ନଥିଲା, ଓଡ଼ିଆ ଭାଷାରେ ସେବାପ୍ରାପ୍ତି ପାଇଁ ଆମ ଲୋକଙ୍କ ମୌଳିକ ଅଧିକାରକୁ ବିଭାଗଗୁଡ଼ିକ ଅର୍ଥାତ୍ କର୍ମଚାରୀମାନେ ନିର୍ଦ୍ଦିଷ୍ଟ କରିବାକୁଥିବା “ମାନଦଣ୍ଡ” ଓ ପରିସର (“କ୍ଷେତ୍ର”)ର ଅନୁବର୍ତ୍ତୀ କରାଇବା ଷଡଯନ୍ତ୍ର ଥିଲା ଏହି ଅତି ଧୂର୍ତ୍ତ ପ୍ରସ୍ତାବରେ ।

ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କ ତରଫଦାରୀ କରି ଏହି ପ୍ରସ୍ତାବ ଦୃଷ୍ଟେ କଳାପତାକା ଅଭିଯାନ ବନ୍ଦ କରିଦେବାକୁ ଆମ ଉପରେ ଚାପ ପ୍ରୟୋଗ କରିଥିଲେ । ଆମେ ରାଜି ନ ହେବାରୁ ତାଙ୍କ କାଗଜରେ ଆମ ସମ୍ବାଦ ଆଉ ଦେଲେନାହିଁ । କଳାପତାକା ଅଭିଯାନ ବ୍ୟାପକତର ହେଲା । ଓଡ଼ିଆ ଜାତି ତା ଭାଷା ଜନନୀ ପାଇଁ ସଂଗ୍ରାମ ଚଳାଇରଖିବାକୁ ନିଜ ପ୍ରତିଜ୍ଞାରେ ଅଟଳ ରହିଲା ।

ସୁତରାଂ ଏହି ଆନ୍ଦୋଳନ ଭିତ୍ତିରେ ମନ୍ତ୍ରୀମାନେ ପୁନଶ୍ଚ ବୈଠକ କଲେ ୧୪. ୩ . ୨୦୧୮ ତାରିଖରେ ଏବଂ ଏହି ବୈଠକରେ ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ନିରସ୍ତ (supersede) କରାଇ ଏକ ସାନି ପ୍ରସ୍ତାବ ଗ୍ରହଣ କଲେ, ଯହିଁରେ ନିର୍ଦ୍ଦିଷ୍ଟ କରାଗଲା କି ଓଡ଼ିଆ ଭାଷାରେ ସେବା ପ୍ରଦାନ କରୁନଥିବା କର୍ମଚାରୀ ହିଁ ଦଣ୍ଡିତ ହେବେ (ବିଭାଗ ନୁହେଁ) ଓ ଏହାକୁ ପକ୍କା କରିବା ପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏପରି ଦଣ୍ଡବିଧାନପାଇଁ ସରକାରୀ ଭାଷା ଆଇନର “ତୁରନ୍ତ” ସଂଶୋଧନ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ନିର୍ଦ୍ଦିଷ୍ଟ କରିଦେଲେ ।

ସରକାରଙ୍କଠାରୁ ଗୋପନୀୟ (secret) ବର୍ଗରେ ଇଂରାଜୀ ଭାଷାରେ ନିର୍ଗତ ହୋଇଥିବା ଏହି ପ୍ରସ୍ତାବଟିର ଭାଷା ଥିଲା ଏହିପରି :

“Though the Act is very old Act and is in force since 1954, the provisions of the notification issued under sub section (2) of section 2 of the said Act vide notification No.7152-Gen. dtd 29.03.1985 published in the extra ordinary issue of the Odisha gazette No. 562 dtd 10.04.1985 directing all the employees and Officers of the State Government excepting those specified in the schedule thereto to use Odia language in all official noting, the same is not properly implemented as there is no provision of imposing penalty against the Officers or employees who are violating the provisions of the notifications under the Act.”

ଅତଏବ, ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ଏହାକୁ କେହି ମାନୁନାହାନ୍ତି ବୋଲି ଭାଷା ଆନ୍ଦୋଳନ ସହ ମନ୍ତ୍ରୀମଣ୍ଡଳ ଏକମତ ହୋଇଥିଲା ଏବଂ ଏହି କାରଣ ହେତୁ ଓଡ଼ିଆ ଭାଷାରେ କାମ ନ କରୁଥିବା କର୍ମଚାରୀ ଓ ପଦାଧିକାରୀଙ୍କ ଦଣ୍ଡବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନର ତୁରନ୍ତ ସଂଶୋଧନପାଇଁ ନିର୍ଦ୍ଦେଶ ଦେଇଥିଲା । ଏହି ପ୍ରସ୍ତାବ ଭିତ୍ତିରେ ନିର୍ଗତ ପ୍ରେସ ବିଜ୍ଞପ୍ତିରେ ଏହା ହିଁ ଲେଖା ଅଛି :

“Government have decided to bring the amendment immediately providing penalties for such erring officers and employees who don’t obey the directions issued under sub section 2 of section 2 , so that they will implement the provisions of the notification in its letter and spirit.”

ଅତଏବ, ୧୪. ୩ . ୨୦୧୮ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ମନ୍ତ୍ରୀମଣ୍ଡଳ ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ କେବଳ ନିରସ୍ତ (supersede) କରାଇଥିଲା ତା ନୁହେଁ, ଭାଷା ଆଇନ ଉଲ୍ଲଙ୍ଘନ ଦୋଷରେ କୌଣସି ବିଭାଗ ନୁହେଁ, ପରନ୍ତୁ କେବଳ କର୍ମଚାରୀ ଓ ପଦାଧିକାରୀମାନେ ଦଣ୍ଡିତ ହେବେ ବୋଲି ସ୍ପଷ୍ଟ କରି ଏବଂ “ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁନି” ବୋଲି ସ୍ବୀକାର କରି, ଏହାର ପ୍ରତିକାର ପାଇଁ ଖିଲାପକାରୀ କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ମଧ୍ୟ ନିର୍ଦ୍ଦିଷ୍ଟ କରିଥିଲା ।

କ୍ଷୋଭର କଥା, ମୁଖ୍ୟମନ୍ତ୍ରୀ ଆଗତ କରିଥିବା ସଂଶୋଧନ ବିଧେୟକରେ ଓଡିଶା ସରକାରୀ ଭାଷା ଆଇନ ବ୍ୟାପାରରେ ସବୁଠୁ ବଡ଼ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବା ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ବୈଠକର ନିଷ୍ପତ୍ତିକୁ ଉଦ୍ଦେଶ୍ୟମୂଳକ ଭାବେ ନିଶ୍ଚିହ୍ନ କରି ନିରସ୍ତ ହୋଇସାରିଥିବା ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ସଂଶୋଧନର ଭିତ୍ତି ଭାବେ ପ୍ରଦର୍ଶିତ କରାଯାଇଛି । କାରଣ ଏତଦ୍ଦ୍ଵାରା ହିଁ କେବଳ ଭାଷା ଆଇନର ତୁରନ୍ତ କାର୍ଯ୍ୟକାରିତା ବନ୍ଦ କରାଯାଇ ପାରିବ ଓ କର୍ମଚାରୀମାନେ “ନିର୍ଦ୍ଦିଷ୍ଟ” କରିବାକୁଥିବା “ମାନଦଣ୍ଡ” ଓ “କ୍ଷେତ୍ର” ଭିତରେ ଓଡ଼ିଆ ଜାତିର ଭାଷା ଜନନୀକୁ କଏଦୀ କରି ରଖାଯାଇପାରିବ ଏବଂ କର୍ମଚାରୀମାନଙ୍କ ଦୋଷ ପାଇଁ ବିଭାଗଗୁଡ଼ିକୁ ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇ ପାରିବ ।

ମନ୍ତ୍ରିମଣ୍ଡଳର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକୁ ଜଣେ ମୁଖ୍ୟମନ୍ତ୍ରୀ ଯେ ନିଶ୍ଚିହ୍ନ କରିଦେଇପାରନ୍ତି ତାହା ଅକଳ୍ପନୀୟ । ସେ ଯଦି ଏହା ନ କରିଥିବେ ଓ ସମ୍ପୃକ୍ତ ଶାସନ ସଚିବଙ୍କୁ ବିଶ୍ଵାସ କରି ତାଙ୍କଦ୍ବାରା ତିଆରି ଚିଠାକୁ ଅନୁମୋଦନ ଦେଇଥିବା, ତେବେ ତାଙ୍କର କର୍ତ୍ତବ୍ୟ ହେଉଛି, ଏହି ଚିଠାକୁ ପାରିତ ନ କରାଇ ସ୍ଥଗିତ ରଖିବା ଓ ପରେ ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ଆଧାର କରି ପୁନରାୟ ଏହାକୁ ସଠିକ ଭାବେ ଆଗତ କରିବା; କାରଣ ଯେଉଁ ରୂପରେ ଏହି ଚିଠା ବିଧାନସଭା ସମ୍ମୁଖରେ ରଖାଯାଇଛି ସେହି ରୂପରେ ଏହା ଗୃହୀତ ହୋଇଗଲେ ଓଡ଼ିଆ ଜାତି ତା ମାତୃଭାଷା କ୍ଷେତ୍ରରେ ପ୍ରବଞ୍ଚିତ ହୋଇ ରହିବ ।

Comments

2 Comments

Post a comment
  1. Gajanan mishra #
    April 30, 2018

    ଦିନକୁ ଗୋଟିଏ ଘଣ୍ଟା ମା ମାଟି ମାତୃଭାଷା ପାଇଁ ପ୍ରାର୍ଥନା, ଯିଏ ଯୋଉଠି ଅଛ, କର ହେ ପ୍ରିୟ ମାଟିର ସନ୍ତାନଗଣ । ମାର ସେବା ଯତ୍ନ, ମାତୃଭାଷାର ବ୍ୟବହାର, ମାଟିର ବିକାଶ ହେଉ ଜୀବନର ମନ୍ତ୍ର।

  2. କମଳାକାନ୍ତ ଜେନା #
    April 30, 2018

    ମାତୃଭାଷାର ସୁରକ୍ଷା ପ୍ରତ୍ୟେକ ସ୍ୱାଭିମାନୀ ଉତ୍କଳୀୟଙ୍କର ସଂକଳ୍ପ।,
    ଭିକ୍ଷାଦେଇ ଏ ମହାନ ଜାତିକୁ ବଶୀଭୂତ କରିବାକୁ ଦୁଃସାହସ କରୁଥିବା ନିର୍ବୋଧ ମାନଙ୍କୁ ଏ ଜାତି କେବେ ବି କ୍ଷମା କରିବ ନାହିଁ।ଆଗାମୀ ନିର୍ବାଚନ ପୂର୍ବରୁ ଯଦି ଭାଷା ଆଇନ ପ୍ରଣୟନ ନ ହୁଏ ତେବେ ଓଡ଼ିଆ ଜାତି ମାତୃଦ୍ରୋହୀ ସରକାରକୁ ଗାଦିଚ୍ୟୁତ କରିବାକୁ ସଂକଳ୍ପ ନେବ। ବନ୍ଦେ ଉତ୍କଳ ଜନନୀ।

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS