ଆମ ଭାଷା ପାଇଁ ଆମ ଅଭିଯାନ // ଆଜି କଲା ଚାରିବର୍ଷ ଅତିକ୍ରମ

ଚିତ୍ର ଉପସ୍ଥାପନା : ରଞ୍ଜନ କୁମାର ସାହୁ,

ବିଷୟ ଉପସ୍ଥାପନା :  ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ସୃଷ୍ଟି ହୋଇଥିଲା ଓଡ଼ିଶା । ବ୍ରିଟିଶ ଯେତେବେଳେ ଆମ ମାଟିରେ ରଖିଥିଲା ତାର ଅନୁପ୍ରବେଶକାରୀ ପଦ, କିପରି ଥିଲା ଆମ ଜାତି? ଟୟନବୀଙ୍କ ଭାଷାରେ “It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” (A Sketch of the History of Orissa, G.Toynbee) । ପରେ ଯୁଗ୍ମ ବିଚାରପତି ଡବ୍ଲ୍ୟୁ॰ ଫରେଷ୍ଟର ବ୍ରିଟିଶ କର୍ତ୍ତୃପକ୍ଷଙ୍କୁ ଲେଖିଥିଲେ ଓଡ଼ିଆ ଲୋକଙ୍କ ମାଟି ଏତେ ବୀରତ୍ବବ୍ୟଞ୍ଜକ ଓ ମିଜାଜ ଏତେ କଡ଼ା ଯେ, ସେନା ବାହିନୀ ବ ପୋଲିସ ବଳରେ ସେମାନଙ୍କୁ କାବୁ କରିହେବନି (କମିଶନର ରୋବର୍ଟ କେରଙ୍କୁ ରିପୋର୍ଟ , ୯.୯.୧୮୧୮) । ଏହି ବୀରତ୍ବପୂର୍ଣ ମିଜାଜକୁ ଧ୍ବଂସ କରିଦେବାପାଇଁ ବ୍ରିଟିଶ କୂଟନୀତିଜ୍ଞମାନେ ବହୁ ଷଡ଼ଯନ୍ତ୍ର କରି ଆମ ପଡ଼ୋଶୀ ଭିନ୍ନ ଭାଷା ଭାଷୀ ପ୍ରଦେଶମାନଙ୍କରେ  ଆମ ମାଟିକୁ  ଭାଗ ଭାଗ କରି ମିଶାଇ ଦେଇଥିଲେ ଓ ସେଠାରେ ଆମକୁ ସଂଖ୍ୟାଲଘୁ କରାଇ ସେମାନଙ୍କ ଭାଷା ଆମ ଉପରେ ନଦିଦେଇଥିଲେ । ଅଣଓଡ଼ିଆ ଭାଷାରେ ଚାଲିଥିଲା ଓଡ଼ିଶାର ଶାସନ । କିନ୍ତୁ ଓଡ଼ିଆ ମିଜାଜ ଏହି ଚକ୍ରାନ୍ତକୁ ଚୁରମାର କରିଦେଲା ଏବଂ ଓଡ଼ିଆ ଅସ୍ମିତା ପାଖରେ ମୁଣ୍ଡ ନୂଆଁଇ ବ୍ରିଟିଶ ସରକାର ଅବଶେଷରେ ନିଜ ଛାପ ନିଜେ ଢୋକି ଆମ ଭାଷାରେ ଆମ କାର୍ଯ୍ୟ ପରିଚାଳନା ପାଇଁ ଆମ ପୂର୍ବସୂରୀମାନଙ୍କ ଦାବିକୁ ସମ୍ମାନ ଜଣାଇ ମା ଓଡ଼ିଶାକୁ ଆବିର୍ଭୂତ ହେବାରେ ସାହାଯ୍ୟ କଲା । କିନ୍ତୁ  ସ୍ଵାଧୀନତା ପରେ ଆମ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଉତ୍କଟ ଇଂରାଜୀମନସ୍କତା ହେତୁ ଆମ ରାଜ୍ୟରେ ଆମ ଭାଷାରେ ନୁହେଁ ,ଇଂରାଜୀ ଭାଷାରେ ରାଜୁତି ଚାଲିଛି ।

ଆମ ଭାଷା ବିରୁଦ୍ଧରେ ସରକାରୀ ଷଡ଼ଯନ୍ତ୍ର  ବନ୍ଦ ହେଉ ଓ ଓଡ଼ିଶାର ପରିଚାଳନା ଓଡ଼ିଆରେ ହେଉ ବୋଲି ସରକାରଙ୍କୁ ପରାମର୍ଶ ଦେଇ ମୁଁ ସେଥିପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଯେଉଁ ଚିଠା ବିଧାନ ଦେଇଥିଲି ତାହାକୁ ମୁଖ୍ୟମନ୍ତ୍ରୀ ମାନିଥିଲେ ୨୦୧୫ ସାରିବା ପୂର୍ବରୁ ବି ଆଇନ ସଂଶୋଧନ ହୋଇ ଆମ ଭାଷାରେ ଆମ ରାଜ୍ୟ ଚାଲନ୍ତାଣି । କିନ୍ତୁ ଓଡ଼ିଆବିଦ୍ଵେଷୀ ନବୀନ ପଟ୍ଟନାୟକ ତାହା କରାଇଦେଉନାହାନ୍ତି । ମନ୍ତ୍ରୀସ୍ତରୀୟ କମିଟି ମୁଖ୍ୟମନ୍ତ୍ରୀଙ୍କ ହେତୁ ନିରର୍ଥକ ହୋଇଗଲା ପରେ ୨୦୧୬ର ଆଜିର ଦିନରେ ମୁଁ ଯେଉଁ କଳା ପତାକା ଅଭିଯାନ ଆରମ୍ଭ କରିଥିଲି ତହିଁରେ ସାମିଲ  ହୋଇଥିବା ମୋର ମୁଖ୍ୟ ସହକର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୋଷାମନେଇ ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଯେଉଁ ଅପୋଦୟାମ କରିଥିଲେ , ତାହାକୁ ଓଡ଼ିଆ “ମିଜାଜ୍” ପ୍ରତ୍ୟାଖ୍ୟାନ କରିଛି ଓ ଓଡ଼ିଆ ଜାତିର ସଚେତନବର୍ଗ ନିଜ ଭାଷା ମାଆକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି । ଫଳରେ ଏହି ଯୁଗାନ୍ତକାରୀ ଆନ୍ଦୋଳନ ଆଜି ଅତିକ୍ରମ କରିଛି ଚତୁର୍ଥ ବର୍ଷ ।

ଆମେ ଆଶା କରୁଛୁ , ମୁଖ୍ୟମନ୍ତ୍ରୀ ନିଜର ଭୁଲ ସଂଶୋଧନ କରିବେ ଓ ଆଇନର ପୁନଃ ସଂଶୋଧନ କରି ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ଅଲଙ୍ଘ୍ୟ କରିବେ ।

ଶ୍ରୀମାନ୍ ରଞ୍ଜନ କୁମାର ସାହୁ ଆଜିର ଏହି ସ୍ଵତନ୍ତ୍ର ଦିବସ ପାଇଁ ଓଡ଼ିଆ ଜାତି ସମ୍ମୁଖରେ ଆମ ପୂର୍ବସୂରୀମାନଙ୍କ ମଧ୍ୟରୁ ଯତ୍ପରୋନାସ୍ତି ସମ୍ଭବ ଏପରି କେତେକଙ୍କ ଫଟୋଚିତ୍ର ସଂଗ୍ରହ କରି ଭାଷାଆନ୍ଦୋଳନର ବାର୍ତ୍ତା ସହ ପ୍ରଦାନ କରିଛନ୍ତି, ଯେଉଁମାନେ  ସୁଦୃଢ଼ କରିଥିବା ଓଡ଼ିଆ ଅସ୍ମିତାକୁ ଆଧାର କରି କଳା ପତାକା ଅଭିଯାନ ଚାଲିଛି । ଆଉ କେତେକଙ୍କ ଫଟୋଚିତ୍ର ସମୟ ଅଭାବରୁ ସେ ସଂଗ୍ରହ କରିପାରିନାହାନ୍ତି । ତାହା ହସ୍ତଗତ ହେଲେ ଏଠାରେ ସ୍ଥାନିତ ହେବ । ଆମକୁ ବୁଝିବାକୁ ହେବ ଯେ, ଓଡ଼ିଶାରେ ଇଂରାଜୀ ରାଜୁତି ଯେତେଦିନ ଚାଲିଥିବ ଆମ ଏହି ପୂର୍ବସୂରୀମାନଙ୍କ ପ୍ରତି ରାଷ୍ଟ୍ରୀୟ ଅପମାନ ସେତେଦିନ ଆମକୁ ଦଗ୍ଧିଭୂତ କରିଚାଲିଥିବ ।

ଓଡ଼ିଆ ଅସ୍ମିତାର ଏହି ରୂପକଳ୍ପମାନଙ୍କ ପ୍ରତି ଭାଷା ଆନ୍ଦୋଳନ ଜଣାଉଛି କୋଟି ପ୍ରଣାମ ଓ ଆଦର୍ଶସ୍ଥାନୀୟ  ଭାଷାପ୍ରାଣ ଶ୍ରୀମାନ୍ ରଞ୍ଜନ କୁମାର ସାହୁଙ୍କୁ  ତାଙ୍କ ଏହି ଅନନ୍ୟ ଅବଦାନ ପାଇଁ ଅର୍ପଣ କରୁଛି ଅଶେଷ ଧନ୍ୟବାଦ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.