ଭାଷା ଆଇନ ସଂଶୋଧନରେ ବ୍ୟବହୃତ ଜାଲିଆତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଏମ୍ଏଲ୍ଏମାନଙ୍କୁ ଭାଷା ଆନ୍ଦୋଳନ ପ୍ରତିଷ୍ଠାତାଙ୍କ ପତ୍ର

ଆମ ପ୍ରିୟ ବିଧାନସଭାର ମାନ୍ୟବର ସଦସ୍ୟବୃନ୍ଦ,
ଓଡ଼ିଶା ସରକାରୀ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭାରେ ତହିଁରେ ଯେଉଁ ତିନୋଟି ହାନୀକାରକ ସଂଶୋଧନ କରିଛନ୍ତି ସେଗୁଡିକୁ ବିଲୁପ୍ତ କରି ଶୁଦ୍ଧ ସଂଶୋଧନ ଦ୍ଵାରା ଆମ ଭାଷା ଆଇନକୁ ଶକ୍ତିଶାଳୀ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।

ସବୁଠୁ ଦୁଃଖ ଓ ଲଜ୍ଜାର କଥା , ଏହି ଭୁଲ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଭୂତପୂର୍ବ ଜାଲିଆତିରେ ଜଡିତ ଓ ଉପଯୁକ୍ତ ବିଚାର ବିନା ସେହି ଅବୈଧ ଚିଠା ବିଧେୟକଗୁଡ଼ିକୁ ଗ୍ରହଣ କରି ତଦ୍ଦୃପ ଆଇନ ସଂଶୋଧନ କରିଥିବା ହେତୁ ଇତିହାସ ଚକ୍ଷୁରେ ପଞ୍ଚଦଶ ବିଧାନସଭା ନିନ୍ଦିତ ହୋଇରହିବାକୁ ବାଧ୍ୟ । ସେହେତୁ ସେଗୁଡିକର ବିଲୋପନ କରି ଆମ ବିଧାନସଭାର ସମ୍ମାନ ରକ୍ଷା କରିବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।

ନ୍ୟାୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ୨୦୧୫ରେ ଯେଉଁ ଅନଶନ ଧର୍ମଘଟ ହୋଇଥିଲା ତାହାର ପରିସମାପ୍ତି ଘଟିଥିଲା ଭାଷା ଆଇନର କାର୍ଯ୍ୟକାରୀତା ଉପରେ ମୁଖ୍ୟମନ୍ତ୍ରୀ ୩୧.୭.୨୦୧୫ ତାରିଖରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ହେତୁ । ଏହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନର ସଂଶୋଧନ ଓ ନିଯମାବଳୀ ପ୍ରଣୟନ ଦ୍ଵାରା ତହିଁର ଅଲଙ୍ଘ୍ୟ ପ୍ରବର୍ତ୍ତନ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରିଥିଲି ୩.୯.୨୦୧୫ ତାରିଖରେ, ଯହିଁର ସମାର୍ଜନ କରି ବିଧି ବିଭାଗ ଭାଷା ଆଇନରେ ଧାରା ୪ ଖଞ୍ଜିବାକୁ ସ୍ମାରକ ଅନୁମୋଦନ କରିଥିଲା । ଏହି ଆଇନ ସମ୍ମତ ଅନୁମୋଦନ ୨୦.୫.୨୦୧୬ ତାରିଖରେ ଆଇନ ବିଭାଗରୁ ଆସିଯିବା ପରେ ବିଧାନସଭା ଅଧିବେଶନକୁ ଆକସ୍ମିକ ଭାବେ ବନ୍ଦ କରିଦିଆଗଲା ଓ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ଜାରିକରାଯାଇ ମୋ ପ୍ରଦତ୍ତ ପ୍ରସ୍ତାବ ଅନୁରୂପେ ପ୍ରସ୍ତୁତ ଧାରା ୪କୁ ଧାରା ୫ରେ ପରିଣତ କରି ଧାରା ୪ ଭାବେ ଏକ ଅନଧିକୃତ ବ୍ୟବସ୍ଥା ଖଞ୍ଜିଦିଆଗଲା ସେହି ଅଧ୍ୟାଦେଶରେ, ଯହିଁରେ ଅତି ଧୂର୍ତ୍ତତାର ସହ ଆମ ଭାଷା ଆଇନକୁ ଅକର୍ମଣ୍ୟ କରିବାର ବୀଜ ବପନ ହୋଇଥିଲା ।

ଯେତେବେଳେ ମୋ ପ୍ରସ୍ତାବ ଆଇନ ବିଭାଗର ସମାର୍ଜନ ପାଇଁ ପ୍ରେରିତ ହୋଇଥିଲା, ସେହି ସମୟରେ ତଦାନୀନ୍ତନ ସଦସ୍ୟ ନବକୁମାର ଦାସଙ୍କ ଏକ ପ୍ରଶ୍ନର ଉତ୍ତର ଛଳରେ ୧୪.୧୨.୨୦୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆଇନ ସଂଶୋଧନ ପ୍ରସ୍ତାବ ବିଧିବିଭାଗରେ ଅନୁମୋଦନ ପାଇଁ ଥିବା ସୁଚାଇଥିଲେ ; କିନ୍ତୁ ମାତ୍ର ୩ ଦିନ ପରେ ଏପରି ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କଲେ ଯେ, ୧.୪.୨୦୧୬ରେ ମୋତେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କରିବାକୁ ପଡିଲା ଓ ମୋ ପ୍ରଦତ୍ତ ପ୍ରସ୍ତାବର କାର୍ଯ୍ୟକାରୀତା ଦାବିରେ ୧୩.୪.୨୦୧୬ରୁ ବିଧାନସଭା ସମ୍ମୁଖସ୍ଥ ଭାଷା ଆଇନ ପ୍ରଦାତା ନବବାବୁଙ୍କ ପ୍ରତିମୂର୍ତ୍ତି ପଦଦେଶରୁ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତ୍ୟହ ନୀରବ କଳାପତାକା ଅଭିଯାନ ଚଳାଇବାକୁ ହେଲା । ଏହି ଅଭିଯାନ ଚାଲିରହିଲା ଅଧ୍ୟାଦେଶରେ ଜାଲିଆତି ବଳରେ ଭର୍ତ୍ତି କରାହୋଇଥିବା ଧାରା ୪ର ଦୁରଭିସନ୍ଧି ଧରାପଡ଼ିଯିବା ହେତୁ । ମୁଖ୍ୟମନ୍ତ୍ରୀ ମୋତେ ୧୯.୫.୨୦୧୭ରେ ଆଲୋଚନା ପାଇଁ ଡ଼ାକିଥିଲେ ଓ ମୁଁ ତାଙ୍କୁ ଧାରା-୪ର ବିଲୋପନ ପାଇଁ ପରାମର୍ଶ ଦେଇ ତାର ବିକଳ୍ପ ବିଧାନର ଚିଠା ବି ଦେଇଥିଲି । ଆପଣମାନଙ୍କ ଭିତରୁ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ ଓ ପ୍ରଫୁଲ୍ଲ ସାମଲ ତହିଁର ସାକ୍ଷୀ ।

ଦୁର୍ଭାଗ୍ୟ , ଏହା ଉପରେ ଆରମ୍ଭ ହେଲା ଜାଲିଆତି ଦ୍ଵାରା ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାର ପର୍ବ ।

୧                       କାର୍ଯ୍ୟ ନିୟମାବଳୀର ସମ୍ପୂର୍ଣ୍ଣ ଉଲଂଘନ କରାଯାଇ , ରାଜ୍ୟପାଳଙ୍କୁ ଅନ୍ଧକାରରେ ରଖି, ବିଧି ବିଭାଗ ଓ ଅର୍ଥ ବିଭାଗର କୌଣସି ଅନୁମୋଦନ ନଥାଇ ୨୬.୧୨.୨୦୧୭ ତାରିଖରେ ପୁରୀରେ ଏକ ସ୍ଵତନ୍ତ୍ର କ୍ୟାବିନେଟ ବୈଠକ କରି ବହୁବିଭାଗକୈନ୍ଦ୍ରିକ ୨୦ଟି ପ୍ରସ୍ତାବ ଗ୍ରହଣ କରଯାଇଥିଲା ଯେଉଁଥିରୁ ପ୍ରସ୍ତାବ ୩ ଥିଲା ଭାଷା ଆଇନ ସଂଶୋଧନ ସମ୍ପର୍କରେ । ତାହା ହେଲା-
“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗ ଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟ ସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

ମୁଁ ଏହାର ଘୋର ପ୍ରତିବାଦ କରିଥିଲି, କାରଣ ଏହା ଭାଷା ଆଇନର ପ୍ରତିଷ୍ଠିତ ବ୍ୟବସ୍ଥା ତଥା ପରିସୀମା ହ୍ରାସ ପାଇଁ ଉଦ୍ଦିଷ୍ଟ ଥିଲା ଓ କର୍ମଚାରୀଙ୍କ ଭୁଲ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା ଉପାଦାନ ବହନ କରୁଥିଲା । ମୋର ସବୁ ସାଥୀ ଏହି ପ୍ରତିବାଦରେ ସାମିଲ ଥିଲେ । 

ଆପଣମାନଙ୍କ ମଧ୍ୟରେ ଥିବା ବହୁ ମନ୍ତ୍ରୀ ଓ ସଦସ୍ୟଙ୍କୁ ଘର ଘର ବୁଲି ମୁଁ ଏହା ବୁଝାଇଥିଲି ଓ ଗଣମାଧ୍ୟମରେ ଚର୍ଚ୍ଚା କରିଥିଲି । ଫଳରେ ଏହାକୁ କାର୍ଯ୍ୟକାରୀ କରାହୋଇନଥିଲା ଓ ଏହାର ସମୟସୀମା ସରିଯାଇଥିଲା ।

୨                               ମୋ ଯୁକ୍ତି ଦୃଷ୍ଟିରୁ ସରକାର ନିୟମସିଦ୍ଧ ଭାବେ ପୁନଶ୍ଚ ଏକ ସ୍ମାରକ ପ୍ରସ୍ତୁତ କରିଥିଲେ, ଯାହାକୁ ବିଧି ବିଭାଗ ଅନୁମୋଦନ ଦେଲା ପରେ ୧୪.୩.୨୦୧୮ ତାରିଖରେ କ୍ୟାବିନେଟ ବସି ସେହି ସ୍ମାରକ ଅନୁମୋଦନ କରି ତଦନୁଯାୟୀ ତୁରନ୍ତ ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାର ପ୍ରଦାନ କରିଥିଲେ । ତାହା ବିଧିସମ୍ମତ ଓ ଓଡ଼ିଆ ଭାଷା ପାଇଁ ହିତକାରକ ଥିଲା । ତଦନୁଯାୟୀ ପ୍ରସ୍ତୁତ ବିଧେୟକକୁ ବିଧାନସଭାରେ ଏକ ପ୍ରଚ୍ଛଦ ପତ୍ର ସହ ମୁଖ୍ୟମନ୍ତ୍ରୀ ପଇଠ କରିଥିଲେ ୩୧.୩.୨୦୧୮ତାରିଖରେ । ମାତ୍ର ସଦସ୍ୟମାନଙ୍କ ମଧ୍ୟରେ ତାହା ପରିବଣ୍ଟିତ ହେବା ଓ ବିଧାନସଭାରେ ଆଲୋଚନା ପାଇଁ ଗୃହିତ ହେବା ବେଳକୁ ତାହା ବଦଳିଯାଇଥିଲା ଓ ୧୪.୩.୨୦୧୮ କ୍ୟାବିନେଟ ପ୍ରସ୍ତାବ ପରିବର୍ତ୍ତେ ସମୟ ଅତିକ୍ରାନ୍ତ ତଥା ଆଇନ ବହିର୍ଭୂତ ଶୈଳୀରେ ଗୃହିତ ପୁରୀ କ୍ୟାବିନେଟ ବୈଠକର ପ୍ରସ୍ତାବକୁ ସେହି ବିଧେୟକର ଆଧାର କରା ହୋଇଥିଲା ।

ବିଧାନସଭା ବିରୁଦ୍ଧରେ ଏହି ଜାଲିଆତି ଏକ ଜଘନ୍ୟ ଅପରାଧ ।

୩                                     ମୁଁ ପଞ୍ଚଦଶ ବିଧାନସଭା ସଭ୍ୟମାନଙ୍କୁ ଏହା ଅବଗତ କରାଇଥିଲି । ଏହି ଜାଲିଆତି କରିଥିବା ବ୍ୟକ୍ତି ଏତେ ବିଚଳିତ ଓ ଉଗ୍ର ଥିଲେ ଯେ, ସେହି ବିଧେୟକ (ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ର ଆଧାର ଭାବେ ଜାଲିଆତି ଦ୍ଵାରା ନିଆହୋଇଥିବା ପ୍ରସ୍ତାବକୁ ବି ମନଇଚ୍ଛା ବଦଳାଇଥିଲେ । ଏହିପରି ଦୋଷପୂର୍ଣ୍ଣ ଭାଷାରେ, ସଂପୂର୍ଣ୍ଣ ଜାଲିଆତି ଦ୍ଵାରା ଭାଷା ଆଇନରେ ଯୋଡା ହେଲା ଧାରା-୪କ , ଯାହା ପୂର୍ବ ଆଲୋଚିତ ଧାରା ୪ର ଅବୈଧତାକୁ ବୈଧ ବି କଲା ।

୪                                       ଅତି ଅବୈଧ ଭାବେ ମୋ ସହକର୍ମୀମାନଙ୍କ ଅର୍ଥତୃଷ୍ଣା ପରିପୂର୍ଣ୍ଣ କରି ସରକାର ଭାଷା ଆନ୍ଦୋଳନକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହି ଆନ୍ଦୋଳନ ଦୃଢ ରହିବାରୁ ୪କ ଧାରାର ପୁନଃ ସଂଶୋଧନ କରି ପୂର୍ବ ପ୍ରମାଦକୁ କାଏମ ରଖିଛନ୍ତି ଓ ଭାଷା ଆଇନକୁ ଏପରି ଅକର୍ମଣ୍ୟ କରିଦେଇଛନ୍ତି ଯେ, ଏହି ଉଭୟ ଧାରା – ଧାରା ୪ ଓ ଧାରା ୪କ – ବିଲୁପ୍ତ ନ ହେଲେ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କେବେ ବି ସମ୍ଭବ ହେବ ନାହିଁ ।

ଏହା କହି, ମୁଁ ଆପଣମାନଙ୍କ ଓଡ଼ିଆପଣକୁ ପ୍ରାର୍ଥନା କରୁଛି କି , ଆମ ଭାଷା ବିରୁଦ୍ଧରେ ଅଣଓଡ଼ିଆ ଏବଂ ଓଡ଼ିଆବିଦ୍ଵେଷୀ ଗୋଷ୍ଠୀର ଚକ୍ରାନ୍ତରୁ ଆପଣମାନେ ମାଆ ଓଡ଼ିଶା ଏବଂ ଓଡ଼ିଆ ଭାଷାଜନନୀଙ୍କୁ ରକ୍ଷା କରନ୍ତୁ ।

ମୁଁ ସୁଚାଇଥିବା ଜାଲିଆତିର ତଦନ୍ତ କରିବାକୁ ନିଷ୍ପତ୍ତି ନିଅନ୍ତୁ ଏବଂ ଭାଷା ଆଇନରୁ ଧାରା ୪ ତଥା ଧାରା ୪କ ବିଲୋପ କରି, ସେହି ଦୁଇ ଧାରାକୁ ବିଧିଭୁକ୍ତ କରିବା ପାଇଁ ଯେଉଁ ପଦାଧିକାରୀ ଜାଲିଆତିର ପ୍ରୟୋଗ କରିଛନ୍ତି ସେ ବା ସେମାନେ ବିଧାନସଭା ବିରୁଦ୍ଧରେ ଘୋର ଅପରାଧ କରିଥିବା ହେତୁ ତହିଁ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ । ଭାଷା ଆଇନର ପୁନଃ ସଂଶୋଧନ ଦ୍ଵାରା ତାହାକୁ ନିର୍ଭୁଲ କରିବାକୁ ସରକାର ରାଜି ନ ହେଲେ, ଆପଣମାନେ ନିଜ ନିଜ ସ୍ତରରେ ଘରୋଇ ବିଲ୍ ପ୍ରସ୍ତୁତ କରି ବିଧାନସଭାର ଆଗାମୀ ଅଧିବେଶନରେ ଆଇନ ସୁଧାର ପାଇଁ ବିଧିକ ପଦକ୍ଷେପ ନିଅନ୍ତୁ ।
ଓଡ଼ିଆ ଜାତି ଆପଣମାନଙ୍କଠାରୁ ସର୍ବନିମ୍ନ ଏତିକି ଆଶା କରେ ।
। ଇତି ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା
୩.୨.୨୦୨୧

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.