ଓଡ଼ିଆ ଜାତିର ଭାଷା ଅଧିକାର: ଆଇନ ପ୍ରଣୟନ କାଳରେ ଖଳନାୟକ ଠାବ , ଦଣ୍ଡ ବିନା ବିପତ୍ତି ନ ଟଳେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁ ସମ୍ବଲପୁରର ଭାଷା ଜାତୀୟତା ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶର ଆବିର୍ଭାବ ଘଟାଇଥିଲା , ସେହି ସମ୍ବଲପୁରରେ ୧୨ ତାରିଖରୁ ଆରମ୍ଭ ହୋଇଯାଇଛି ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ କଳାପତାକା ଅଭିଯାନ । ତା ପୂର୍ବରୁ ଓଡ଼ିଶା ସୃଷ୍ଟିରେ ସମ୍ବଲପୁରର ଅବଦାନ ସମ୍ପର୍କରେ ମୋର କେତେକ  ନିବନ୍ଧ , ଯଥା – “ଚନ୍ଦ୍ରଶେଖର ବେହେରଙ୍କଠାରୁ ଲକ୍ଷ୍ମୀନାରାୟଣ ମିଶ୍ର” ନୀତିଦିନର ୧୧.୩.୨୦୧୭ତାରିଖର ସଂସ୍କରଣରେ ପ୍ରକାଶ ପାଇ ସମ୍ବଲପୁରରେ ଭାଷା ଅସ୍ମିତାର ପୁନର୍ଜାଗରଣ ଘଟାଇଥାଏ ।  ସେହି ପୁନର୍ଜାଗରଣକୁ ବଳବତ୍ତର କରିଥିଲା  ମୋ ନିବନ୍ଧ  “ଓଡ଼ିଆ ଭାଷା ଓ ସମ୍ବଲପୁର”  ଦୈନିକ ସୂର୍ଯ୍ୟପ୍ରଭାର ୧୨.୩.୨୦୧୭ ତାରିଖର ସଂସ୍କରଣରେ ଏବଂ “ସମ୍ବଲପୁର, ଓଡ଼ିଆ ଭାଷା: ଅତୀତରୁ ବର୍ତ୍ତମାନ” ୧୮.୩.୨୦୧୭ ତାରିଖର ପ୍ରମେୟରେ । ଭାଷା ଆନ୍ଦୋଳନକୁ ମୁଁ ଦେଇଥିବା ଏହି ଶକ୍ତିଶାଳୀ ସାହିତ୍ୟ ସହାୟତାରେ ଓଡ଼ିଶାର ପଶିମ ବାହିରେ କଳାପତାକା ଅଭିଯାନ ଯେତେବେଳେ ତୀବ୍ର ହୋଇଛି, ଏବଂ କ୍ଷମତା ରାଜନୀତି ସହ କୌଣସି ସମ୍ପର୍କ ନଥିବା ବହୁ ବୁଦ୍ଧିଜୀବୀ ଯେତେବେଳେ ଏହି ଆନ୍ଦୋଳନକୁ ସମର୍ଥନ କରି କାଳବିଳମ୍ବ ନକରି ଓଡ଼ିଆରେ ଓଡ଼ିଶା ଶାସନ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଚାଲିଛନ୍ତି, ସେତେବେଳେ ନବୀନ ପଟ୍ଟନାୟକଙ୍କ ସରକାର କାହିଁକି ନିଜର ଭୁଲ ସଂଶୋଧନ କରି ଭାଷା ଆଇନକୁ ନିର୍ଭୁଲ କରୁନାହିଁ ? 

ଏହା ହିଁ ସତ୍ୟ ଯେ, ୧୯୫୪ରେ ପ୍ରଣୀତ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ ।  କାହିଁକି ହୋଇନାହିଁ ? ଓଡ଼ିଶା ରାଜନୀତିରେ ବିଜୁ ପଟ୍ଟନାୟକଙ୍କ କାଳରୁ ରାଜନୈତିକ ସ୍ତରକୁ ବ୍ୟାଧି ପରି ଗ୍ରାସିଯାଇଥିବା ଇଂରାଜୀ ଭାଷାମନସ୍କତା ତ ଏକ ମୁଖ୍ୟକାରଣ । ମାତ୍ର ଭାଷା ଆଇନ ପ୍ରଣେତା ନବବାବୁଙ୍କ ସମୟରେ ମଧ୍ୟ ଓଡ଼ିଆରେ ଆଶାଜନକ ଭାବେ ଚାଲି ନଥିଲା  ଓଡ଼ିଶାର ଶାସନ ।  କାରଣ, ଓଡ଼ିଆ ଭାଷା ପ୍ରତି ବିମୁଖତା ତଳିଆ ଅମଲାତନ୍ତ୍ରରେ ଭରିହୋଇରହିଥିଲା । ମୁଖ୍ୟମନ୍ତ୍ରୀ ଚୌଧୁରୀ ସେହି ଖଳନାୟକମାନଙ୍କୁ ଠାବ କରିଥିଲେ । ଏହି ନିବନ୍ଧରେ ମୁଁ ଆପଣଙ୍କୁ ସେଇଠିକି ନେଇଯିବି  ।  

ଭାଷା ଆଇନ କରାଇ ନଦେବା ପାଇଁ ଅଣଓଡ଼ିଆ ଶାସନ ସଚିବମାନେ ଚକ୍ରାନ୍ତ ଚଳାଇଥିବା ଆପାତତଃ ସମସ୍ତକୁ ଜଣାଥିଲା । ତେଣୁ, ଜୁନାଗଡ଼ର ପ୍ରତିନିଧି, କଳାହାଣ୍ଡିର ପୂର୍ବତନ ମହାରାଜା ପ୍ରତାପ କେଶରୀ ଦେଓ କହିଥିଲେ, “ଏଇଟା ମନେ ରଖିବାକୁ ହେବ ଯେ, ଅଚିରେ ଓଡ଼ିଆ State Language ହୋଇଯିବ ଏବଂ ବିଭାଗୀୟ ସମସ୍ତ କାଗଜପତ୍ର ଓଡ଼ିଆ ଭାଷାରେ ହେବ । ସେହି ହେତୁରୁ, ଯେଉଁମାନେ ଓଡ଼ିଶାରେ ବାସ କରିବାକୁ ଚାହାନ୍ତି, ସେମାନଙ୍କୁ ଓଡ଼ିଆ ନିଶ୍ଚୟ ଶିଖିବାକୁ ପଡ଼ିବ । ସେ ଆମର ଜଣେ ଆନ୍ଧ୍ର ଭାଇ ହୁଅନ୍ତୁ କିମ୍ବା ସେ ଆମର ଚିଫ୍ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ , ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ ; they must learn Oriya or else they will have to clear out” (ବିଧାନସଭା ବିବରଣୀ, Vol. VI–No. 4, p. 32) ।

ଅଣଓଡ଼ିଆ ଅଧିକାରୀମାନଙ୍କ ମାନସିକତା ଶ୍ରୀ ଦେଓଙ୍କ କଥାରେ ପରିସ୍ଫୁଟିତ ହୋଇଥିବା ବେଳେ, ଓଡ଼ିଆ ଭାଷା ବିରୁଦ୍ଧରେ କିରାଣୀମାନଙ୍କ ମାନସିକତାର ଏକ ଆଲୋକବର୍ଷୀ ଉପସ୍ଥାପନା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌଧୁରୀ ।  “୩ ବର୍ଷ ପରେ ଓଡ଼ିଆ ନଜାଣିଥିବା ଲୋକଙ୍କୁ ଦଣ୍ଡ ଦିଆଯିବା ବ୍ୟବସ୍ଥା ହେଉଛି” ବୋଲି ଜାଣି “ଅଣଓଡ଼ିଆ ଅଫିସରମାନେ ଓଡ଼ିଆ କହିବାକୁ ଓ ଲେଖିଶିଖିବାକୁ ଉତ୍ସାହର ସହିତ ଲାଗିପଡ଼ିଛନ୍ତି” ବୋଲି ସୂଚାଇ ସେ କହିଥିଲେ, “ସେମାନଙ୍କ ସହ ଆମର ଯେଉଁ ଆଲୋଚନା ହୁଏ, ସେଥିରେ ସେମାନେ ଓଡ଼ିଆରେ ଆଲୋଚନା କରନ୍ତି । କିନ୍ତୁ ଆମ ଓଡ଼ିଆ ମରହଟିଆ କିରାଣୀମାନେ କହନ୍ତି  ଯେ, ଆମେ ବରାବର ଇଂରାଜୀରେ ଲେଖିଆସିଲୁ , ଆଜି କ’ଣ ଓଡ଼ିଆରେ ଲେଖିବୁ ?” (ଏଯନ ପୃ ୫୫ )। 

ବ୍ୟାଧିଟି ଏଇଠି ।

ନୀଳବର୍ଣ୍ଣ ଶୃଗାଳ ପରି ଏହି କିରାଣୀମାନେ ଓଡ଼ିଆ କୁଳରେ ଜନ୍ମ ହୋଇ ମଧ୍ୟ ନିଜକୁ ସାଧାରଣ ଓଡ଼ିଆଠାରୁ ଅଧିକ ଉନ୍ନତ ବୋଲି ଦେଖେଇହେବାକୁ ନଥିରେ ଇଂରାଜୀ ଚାଷ କରନ୍ତି । ଏମାନେ ଫକୀରମୋହନଙ୍କ ‘ଡାକ ମୁନ୍ସି’ ଗପର ଗୋପାଳ ଠାରୁ କେଉଁ ଗୁଣରେ ଊଣା ନୁହନ୍ତି । ଏମାନେ ସମସ୍ତେ ଓଡ଼ିଆ । ଏମାନେ ଚାହିଁଥିଲେ, ଓଡ଼ିଶାରେ ଓଡ଼ିଆରେ କାମ ହେଉବୋଲି ଆମକୁ ଆଜି ଆନ୍ଦୋଳନ କରିବାକୁ ପଡୁ ନଥାନ୍ତା । ନବବାବୁ ଠାବ କରିଥିବା ଏହି ପ୍ରଜାତିର କର୍ମଚାରୀମାନଙ୍କ ଇଂରାଜୀମନସ୍କତା ନବୀନ ପଟ୍ଟନାୟକଙ୍କ ଓଡ଼ିଆ ବିଦ୍ଵେଷ ସହ ମିଶି  ଆଜି ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ କରିବାକୁ ବସିଛି । 

ସମୟ ଆସିଛି, ଓଡ଼ିଆ ଜାତି ତା’ର ଏହି କୁଳନନ୍ଦନମାନଙ୍କୁ କାନରଗଡ଼ି  ଶୃଙ୍ଖଳିତ କରିବା ପାଇଁ । କଠୋର ଦଣ୍ଡବିଧାନ ବ୍ୟତୀତ  ଏହି ଦେଶୀ ଇଂରାଜିଆମାନଙ୍କୁ ଶୃଙ୍ଖଳା ଶିଖାଇବା ଅସମ୍ଭବ । 

କିରାଣୀ ହୁଅନ୍ତୁ କି ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଅନ୍ୟ ଯେ କେହି ହୁଅନ୍ତୁ, ଓଡ଼ିଶାର ପାଣିପବନରେ ରହୁଥିବା, ଓଡ଼ିଆ ଲୋକଙ୍କଠାରୁ ଦାନାପାଣି ସଂଗ୍ରହ କରୁଥିବା, ଓଡ଼ିଶା ରାଜକୋଷରୁ ବେତନ ଭତ୍ତା ପାଉଥିବା ଅଥଚ ଓଡ଼ିଶା କାର୍ଯ୍ୟାଳୟ  ଭାଷା ଆଇନର ଅମର୍ଯ୍ୟାଦା କରୁଥିବା ଲୋକକୁ  କଠିନ ଦଣ୍ଡ ବିଧାନ କରିବାକୁ ହେବ । ମାନ୍ୟବର ପ୍ରତାପ କେଶରୀ ଦେଓଙ୍କ ଉପରୋଦ୍ଧୃତ୍ତ ଭାଷାରେ କହିବାକୁ ହେବ, “ସେ ଆମର ଚିଫ୍ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ , ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ ; they must learn Oriya or else they will have to clear out. ”

ମୁଁ ନିଶ୍ଚିତ ଯେ, ଓଡ଼ିଆ ଜାତି ପ୍ରତି ନବୀନ ପଟ୍ଟନାୟକଙ୍କ ବିଶ୍ୱାସଘାତକତା ଆମ ଭାଷାକୁ ଓ ଆମ ଜାତୀୟ ପରିଚୟକୁ  ଯେଉଁ ବିପଦ ଭିତରକୁ ଠେଲି ଦେଲାଣି, ଏହି ଓଡ଼ିଆଦ୍ରୋହୀ କର୍ମଚାରୀ ଓ ପଦାଧିକାରୀମାନଙ୍କୁ କଠିନ ଦଣ୍ଡବିଧାନ ବିନା  ବିପତ୍ତି ନ ଟଳେ । 

ଏଥିପାଇଁ କଳାପତାକା ଅଭିଯାନକୁ  ବ୍ୟାପକ କରିବାକୁ ହେବ । 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.