ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ମରଣୋତ୍ତର ଦେଶଦ୍ରୋହ ମକଦ୍ଦମା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ୧୯୫୪ (The Orissa Official Language Act ,1954) ସଂକ୍ଷେପରେ ଭାଷା ଆଇନ କାର୍ଯ୍ୟକାରୀ ହେବାକୁ ଆବଶ୍ୟକୀୟ ଅଧିସୂଚନାର ଅପେକ୍ଷା ରଖିଥିବା ବେଳେ ତାହା ଜାରି ନ କରି ଅସାମ୍ବିଧାନିକ ସଂଶୋଧନ ଦ୍ଵାରା ୧୯୬୩ରେ କବର ତଳୁ ଇଂରାଜୀ ଭାଷାକୁ ଉଠାଇ ଆଣି ଓଡ଼ିଆ ଜାତିର ଭାଷା ଅଧିକାରକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ମରଣୋତ୍ତର ମକଦ୍ଦମା ଆରମ୍ଭ କରିବାକୁ ଭାଷା ଆନ୍ଦୋଳନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି । 

ବ୍ରିଗେଡ଼ିଅର ଜନ୍ ଡେଲ୍ଭି (John Delvi) ତାଙ୍କ ପ୍ରସିଦ୍ଧ ପୁସ୍ତକ ହିମାଳୟାନ୍ ବ୍ଲଣ୍ଡର (Himalayan Blunder)ରେ ଉଲ୍ଲେଖ କରିଛନ୍ତି ଯେ, ଭରତ ୧୯୬୨ ଚୀନ ଯୁଦ୍ଧରେ ପରାଭୂତ ହୋଇ ଅନ୍ୟୁନ୍ୟ ୧୧୦୦୦ ବର୍ଗ କିଲୋମିଟର ମାଟି ହରାଇଲା, କାରଣ ଯୁଦ୍ଧକ୍ଷେତ୍ରରେ ତଡ଼ିତ୍ ବେଗରେ ପହଞ୍ଚିଥିବା ସୈନିକମାନଙ୍କ ପାଖରେ ସେହି ବରଫାବୃତ୍ତ ପାର୍ବତ୍ୟ ଇଲାକାରେ  ଅତ୍ୟାବଶ୍ୟକ  ଶୀତବସ୍ତ୍ର , ବରଫ-ଯୋତା, ବରଫ-ଚଷମା ପହଞ୍ଚି ପାରିଲା ନାହିଁ । ଏହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୁଦ୍ଧକ୍ଷେତ୍ରରେ ପହଞ୍ଚାଇବାକୁ ଠିକା ନେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବନି ପ୍ରଧାନମନ୍ତ୍ରୀ ନେହେରୁଙ୍କ ମନ ଜିଣିଥିବା ବିଜୁ ପଟ୍ଟନାୟକ । କିନ୍ତୁ ସେ ସେହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଫା ରଣକ୍ଷେତ୍ରରେ ନ ପହଞ୍ଚାଇ ଚୋରାବଜାରରେ ବିକି ପ୍ରଚୁର ଅର୍ଥ ଉପାର୍ଜନ କରିଥିବା ବେଳେ, ବରଫାବୃତ୍ତ ଅଞ୍ଚଳରେ ଜୀବନ ରକ୍ଷା ପାଇଁ ଅତ୍ୟାବଶ୍ୟ ସେହି ସାମଗ୍ରୀଗୁଡ଼ିକ ନପାଇ ଆମ ସୈନ୍ୟମାନେ ଚୀନସେନାର ସାମ୍ନା କରିପାରିଲେନି, ବହୁ ପରିମାଣରେ ହାହାକାର କରିକରି ମଲେ, ଆମେ ହାରିଗଲେ , ଡେଲ୍ଭିଙ୍କ ହିସାବରେ ଆମ ମାତୃଭୂମିର ୧୧୦୦୦ ବର୍ଗ କିଲୋମିଟର ଚୀନ ପାଦତଳେ ଚାପି ହୋଇରହିଗଲା  । (Lok Sabha Debates (V) (1967) 7980-7990) ।  

ଏହି ଘଟଣାର ତଦନ୍ତ ପାଇଁ ନିଯୁକ୍ତ କାଟଜୁ କମିଶନ କଳିଙ୍ଗ ଏୟାର ଲାଇନ୍ସ ମାଧ୍ୟମରେ ବିଜୁ କରିଥିବା ଦେଶ ବିରୋଧୀ ଅପରାଧମାନଙ୍କର ଏକ ଲମ୍ବା ତାଲିକା ସବିଶେଷ ବିବରଣୀ ସହ ଦାଖଲ କରିଥିଲେ । ମାତ୍ର ତାହାକୁ ସମ୍ପୂର୍ଣ୍ଣତଃ ସଂସଦରେ ରଖାଯାଇନଥିଲା । ଅଥଚ ଏହି ଦେଶଦ୍ରୋହୀ କାମ ସତ୍ତ୍ୱେ ବିଜୁ କେନ୍ଦ୍ର ସରକାରଙ୍କଠାରୁ ବିପୁଳ ପରିମାଣର ଟଙ୍କା କଳିଙ୍ଗ ଏୟାର ୱେଜ @ କଳିଙ୍ଗ ଏୟାର ଲାଇନ୍ସ ପାଇଁ ନେଇଥିଲେ  (୨୫.୧.୧୯୬୩ରେ ଲୋକସଭାରେ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉତ୍ତର)।  ଅଟଳ ବିହାରୀ ବାଜପେଯୀଙ୍କ ୭୮୫ ସଂଖ୍ୟକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ  ୨୮.୬.୧୯୬୨ ତାରିଖରେ ତଦାନୀନ୍ତନ ଗୃହ ରାଷ୍ଟ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଲା ସ୍ଵୀକାର କରିଥିଲେ ଯେ କଳିଙ୍ଗ ଏୟାର ୱେଜ ନାନା ଠକାମି ଓ ଜାଲିଆତି କରିଥିବା ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ଧରିଛି । ଏପରିକି ଯୁଦ୍ଧ ଚାଲିଥିବା ବେଳେ ସନ୍ଦେହାତ୍ମକ ଭାବେ ଅଜଣା ଲୋକଙ୍କୁ ଧରି ତାଙ୍କ ବିମାନ ୧୬୦୦ ଥର ଉଡ଼ାଣ କରିଥିଲା ବୋଲି ଜଣା ପଡ଼ିଥିଲା । ଏହା ଜଣା ପଡ଼ିଲା ପରେ କେହି ଜଣେ ଅଜ୍ଞାତ ପଦଧିକାରୀ ୧୬୦୦କୁ ୨୦୦ରେ ବଦଳାଇଥିବା ବି ଜଣା ପଡ଼ିଥିଲା । ଏହି ଜାଲିଆତି କିଏ କରିଛି ବୋଲି ସାଂସଦ ଜି. ଜି. ସ୍ଵେଲ୍ ଯେଉଁ ପ୍ରଶ୍ନ କରିଥିଲେ ଶୁକ୍ଲା ତାହା ବି ତଦନ୍ତରେ ଜଣା ପଡ଼ିବ ବୋଲି କହିଥିଲେ ।  ସବୁ ଚାପିଡିଆଗଲା । 

ବିଜୁଙ୍କ ଏୟାର ବେଜର ଗୋଟାଏ ପରେ ଗୋଟେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ଵଂସ ହୋଇଚାଲିଲା । ସେସବୁରେ ଥିବା ବିଜୁଙ୍କ ଦେଶଦ୍ରୋହର କାର୍ଯ୍ୟନିର୍ବାହୀ ବିମାନଚାଳକ ଓ ସେମାନଙ୍କ ସହାୟକମାନେ ମରଣ କବଳକୁ ଠେଲି ହୋଇଗଲେ । 

ଭାରତର ସଂସଦ ବିଜୁଙ୍କ ଏହି ଅପରାଧ ହେତୁ ପଡ଼ିଥିଲା ଉଠିଥିଲା । ବିତର୍କରେ ଯେଉଁସବୁ  ବିବରଣୀ ଆସିଲା , ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ଆପରାଧିକ ଅଭିଯୋଜନ ( prosecution for sedition) ପାଇଁ  ତାହା ଥିଲା ଯଥେଷ୍ଟ । ମାତ୍ର କାଳେ ବିଜୁଙ୍କୁ ଅହେତୁକ କରୁଣା ପ୍ରଦର୍ଶନ ପାଇଁ ନେହେରୁ ମଧ୍ୟ ବିଚାରଭୁକ୍ତ ହେବେ, ଏହି କାରଣରୁ ବିଜୁଙ୍କୁ ତତ୍କାଳୀନ କଂଗ୍ରେସ ସରକାର ଘଣ୍ଟ ଘୋଡେଇ ରଖିଦେଲା । 

କିନ୍ତୁ ଆମେ ଚାହୁଁ ସତ୍ୟ ପଦାକୁ ଆସୁ । ଆମ ଭାଷାକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକ ଦେଶଦ୍ରୋହ ପାଇଁ ମରଣୋତ୍ତର ଦଣ୍ଡ ପାଇବା ଦରକାର ।  ସତ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ରଖିବବା ପାଇଁ ବିଜେପି ସରକାର ୨୮.୬.୧୯୬୨ରେ ଅଟଳ ବିହାରୀ ବାଜପେୟୀ ପାଇନଥିବା ଉତ୍ତର ଖୋଜି ବାହାର କରୁ ।  

ଦଲାଲମାନେ କିପରି ହୁଅନ୍ତି? ଯେମିତି ପ୍ରଦ୍ୟୁମ୍ନ ଶତପଥୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ଦିନେ ତାଙ୍କୁ ବିଶ୍ଵାସ କରି ଭାଷା ଆନ୍ଦୋଳନର ସଭାପତି ପଦରେ ନିଯୁକ୍ତ କରିଥିଲି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସୁପାରି ନେଇ ସେ ଭାଷା ଆନ୍ଦୋଳନକୁ ଛୁରି ମାରିଥିଲେ । ସେ ସବୁକଥା ମୁଁ ଦାନାର ତୋବଡ଼ା ବହିରେ ସପ୍ରମାଣ ଲେଖିଛି । ଏ ଯଦି ଭାଷା ଆନ୍ଦୋଳନକୁ ଛୁରି ମାରିନଥାନ୍ତେ, କଳାପତାକା ଅଭିଯାନର ବ୍ୟାପକ ଲୋକପ୍ରିୟତାରୁ କଳା ଶବ୍ଦ ପ୍ରତି ସମ୍ମାନ ଆହରଣ କରି, ପୂର୍ବରୁ ଝିଅମାନଙ୍କ ଠାରୁ କଳା ଓଢଣୀ ଖୋଲାଇ ଦେଉଥିବା ନବୀନ ପଟ୍ଟନାୟକ କାଳିଆ ଯୋଜନା କରିନଥାନ୍ତେ କି ଗତ ନିର୍ବାଚନ ବୈତରଣୀ ପରିହୋଇପରିନଥାନ୍ତେ । କଳାପତାକା ଅଭିଯାନକୁ ନବୀନ ପଟ୍ଟନାୟକ ଏପରି ଡରିଯାଇଥିଲେ ଯେ, ନିର୍ବାଚନ ପୂର୍ବରୁ ଯେକୌଣସି ପ୍ରକାରେ ହେଉ ସେହି ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ମୋର ଦୁଇଜଣ ସହକର୍ମୀଙ୍କୁ ସୁପାରି ଦେବା ପରି ଅପମାନଜନକ ଅବସ୍ଥାକୁ ସେ ଖସି ଆସିଥିଲେ ।

ନବୀନଙ୍କ ସୁପାରି ଖାଇ, ନୂଆ ଡାହାଣୀ ପୁଅ ଖେଳାଇଲା ପରି ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ବେସରକାରୀ ଲୋକ ସମ୍ପର୍କ ଅଧିକାରୀ ଭୂମିକା ଆପଣାଇ ନେଇଥିଲେ । ଏବଂ, ନବୀନବାବୁଙ୍କୁ ସମାଲୋଚନା ହେଲେ ସମାଲୋଚକଙ୍କୁ କୁତ୍ସିତ ଭାବେ ଗାଳିଗୁଲଜ କରୁଥିଲେ ।

ଗୋଟିଏ ଦୃଷ୍ଟାନ୍ତ

ଭାଷା ପ୍ରଚଳନ କ୍ଷେତ୍ରରେ ଅପାରଗ ନବୀନ ପଟ୍ଟନାୟକ ଇସ୍ତଫା ଦେବା ଉଚିତ ବୋଲି ଯେଉଁଦିନ ବୈଷ୍ଣବ ପରିଡ଼ା ଦାବି କଲେ ସେଦିନ ସେ ଆଦୌ ସୁସ୍ଥ ନଥିଲେ । କର୍କଟ ରୋଗରେ ପଡି ଜୀବନର ଶେଷ ମୁହୂର୍ତ୍ତରେ ପହଞ୍ଚିଥିଲେ । ଏହା ସମସ୍ତେ ଜାଣିଥିଲେ । ପ୍ରଦ୍ୟୁମ୍ନ ଶତପଥୀଙ୍କ ଗ୍ୟାଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁପାରି ନେଇ ଭାଷା ଆଇନ ନିର୍ଭୁଲ ହୋଇଯାଇଥିବା ହେତୁ କଳାପତାକା ଅଭିଯାନ ପ୍ରତ୍ୟାହୃତ ହୋଇଯାଇଛି ବୋଲି ଯେଉଁ ଅଧିକାର ବହିର୍ଭୂତ ପ୍ରଚାର କରିଥିଲେ ତାହାକୁ ସଂପୂର୍ଣ୍ଣ ମିଛ ବୋଲି ସାବ୍ୟସ୍ତ କରିଥିଲେ ଅଭିଯାନ ଚଳାଇ ରଖିଥିବା କଳାପତାକା ଅଭିଯାତ୍ରୀମାନେ । ଅଗତ୍ୟା ୨୦୧୮ର ସଂଶୋଧନକୁ ଆଉ ଥରେ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏହି ସଂଶୋଧନ ବି ଭାଷା ଆଇନର ସୁଧାର ଆଣି ନଥିଲା । ବିରକ୍ତିରେ ସେ କହି ଉଠିଥିଲେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କୁ କଂଗ୍ରେସ ଦଳ କାମରାଜ ଯୋଜନାରେ ବାହାର କଲା ପରି ବିଜେଡି ନବୀନ ପଟ୍ଟନାୟକଙ୍କୁ ବାହାର କରିଦେବା ଉଚିତ । ବିଜେଡ଼ିର ଲୋକମାନେ ଚୁପ ଥିବା ବେଳେ, ନବୀନଙ୍କ ସୁରକ୍ଷା ପାଇଁ ଧାଇଁ ଆସିଲେ ପ୍ରଦ୍ୟୁମ୍ନ ଶତପଥୀ । କୌଣସି ଜଣେ ବୁଂଧାରୀଙ୍କୁ ସେ ଦେଇଥିବା ବିବୃତ୍ତି ସାମାଜିକ ଗଣମାଧ୍ୟମରେ ପହଁରା ମାରୁଥିବା ବେଳେ ଆମେ ତାହା ସଂଗ୍ରହ କରିଥିଲୁ । ମୁମୁର୍ଷୁ ଅବସ୍ଥାରେ ପଡିଥିବା ବୈଷ୍ଣବ ପରିଡାଙ୍କୁ ତାଙ୍କ ମୃତ୍ୟୁ ପାଖେଇ ଆସିଥିବା ଚେତାଇ ଦେଇ ସେ ଅତି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ଭିଡ଼ିଓଟିକୁ ଦେଖନ୍ତୁ । ଏହି ମାନବିକତାହୀନ ଅଭଦ୍ର ବ୍ୟକ୍ତି ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଅର୍ଗସ ଟିଭିରେ ଦେଇଥିବା ଏକ ବୟାନକୁ କେଇଦିନ ତଳେ ସାମାଜିକ ଗଣମାଧ୍ୟମରେ ପୁନଃ ପ୍ରସାରିତ କରିଛନ୍ତି । ଉଦ୍ଦେଶ୍ୟ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସୁପାରି ଖାଇ ଭାଷା ଆନ୍ଦୋଳନକୁ ସେ ଛୁରି ମାରିଥିବାର ପ୍ରାମାଣିକ ପୁସ୍ତକ ‘ଦାନାର ତୋବଡ଼ା’ ପ୍ରକାଶ ପାଇସାରିଲା ପରେ , ମୁଖ୍ୟମନ୍ତ୍ରୀଙ୍କ ସମାଲୋଚକ ଭାବେ ଏକ ଭିନ୍ନ ରୂପ ଲୋକଙ୍କୁ ଦେଖାଇବା । 

ଦଲାଲମାନେ କେତେବେଳେ କେଉଁ ମତଲବରେ କେଉଁ ରୂପ ଧାରଣ କରିପାରନ୍ତି ତାହା ପ୍ରଦ୍ୟୁମ୍ନ ଶତପଥିଙ୍କ ପ୍ରତି ଦ୍ରୁଷ୍ଟି ଦେଲେ ହୁଏତ ଅନ୍ଦାଜ କରିହେବ ।

ଅନ୍ୟ ପାଇଁ ଯିଏ ପ୍ରବାଦ ପୁରୁଷ , ଆମ ପାଇଁ ସିଏ ବରବାଦ ପୁରୁଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଯେଉଁ ଖବରକାଗଜ ଓ ଟିଭି ଚ୍ୟାନେଲମାନେ ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଯୁଗାନ୍ତକାରୀ କଳାପତାକା ଅଭିଯାନକୁ ଲୋକ ଚକ୍ଷୁରୁ ଦୂରେଇ ରଖିବା ପାଇଁ ତା ଉପରେ କଳାପରଦା (blackout) କାଇଦା ପ୍ରୟୋଗ କରୁଛନ୍ତି, ସେମାନେ ଆଜି ବିଜୁ ପଟ୍ଟନାୟକଙ୍କୁ ପ୍ରବାଦ ପୁରୁଷ ଭାବେ ଓଡ଼ିଆ ଜାତିର ମନ ଉପରେ ପୁଣି ନଦିବାକୁ ପ୍ରଗଳ୍ଭ ହୋଇଉଠିଛନ୍ତି । ଗଣମାଧ୍ୟମ ଯଦି ଗଣନାୟିକା ଭୂମିକାକୁ ଖସିଆସେ ବିନା ବ୍ରହ୍ମାରେ ବି ଦସ୍ୟୁ ରତ୍ନାକର ବାଲ୍ମୀକି ପାଲଟିଯାଇପାରେ !

ଯେଉଁ ଛାତ୍ର-ଯୁବ- ଜନ ଆନ୍ଦୋଳନରେ ବିଜୁବାବୁଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ କାଳ ଅଧାରେ ଭୁଷୁଡ଼ି ପଡ଼ିଥିଲା, ସେ ଆଂଦୋଳନର ଏକ ମୁଖ୍ୟ ସ୍ଲୋଗାନ ଥିଲା: ବିଜୁ ବିରେନ ଯେଉଁଠି , ମଦ ବୋତଲ ସେଇଠି । ମଦଲୋଭୀ ସମ୍ବାଦିକମାନେ ତାଙ୍କୁ ପ୍ରବାଦପୁରୁଷ ବନେଇଦେଲେ । ଦ୍ବିତୀଯଥର ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ, ଏପରି ଅରାଜକତା ବ୍ୟାପିଗଲା ଯେ, ରାଜ୍ୟ ସଚିବାଳୟର କର୍ମଚାରୀମାନେ ତାଙ୍କ ଜୀବନ ନେଇଯାଇଥାନ୍ତେ ଯଦି ଜଣେ ସାମ୍ବାଦିକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିନଥାନ୍ତେ । ଏ କଥା କାହାକୁ ଅଜଣା? ତଥାକଥିତ ପ୍ରବାଦ ପୁରୁଷ ଯେତେବେଳେ ମୃତ୍ୟୁମୁଖରେ ପଡ଼ିଲେ, ସେତେବେଳେ ସେ ଅପଶାସନ ହେତୁ ଲୋକଙ୍କଦ୍ଵାରା ପ୍ରତ୍ୟାଖ୍ୟାତ ଅବସ୍ଥାରେ ଥିଲେ ।

ଏ ବାବୁ ପ୍ରକୃତରେ କ’ଣ ତାହା ମୋର ଚାରୋଟି ସ୍ତମ୍ଭ ସଂହିତାରେ ସପ୍ରମାଣ ଅଛି । ସେଗୁଡ଼ିକ: ସିଂହାବଲୋକନ , Animadversion, ସିଂହାବଲୋକନରେ ବିଜୁ ଓ ବିଜୁଙ୍କ ଛୁରା ।

ନିଜ ସ୍ଵାର୍ଥ ପାଇଁ ବିଜୁବାବୁ ଯେକୌଣସି କାମ କରିପାରୁଥିଲେ; କିନ୍ତୁ ମଦଲୋଭୀ ସମ୍ବାଦିକମାନେ ଲୋକଙ୍କୁ ବୁଝାଉଥିଲେ ଯେ, ସେ ଯାହା କରୁଥିଲେ ସବୁ ଥିଲା ଓଡ଼ିଆ ଜାତିର ସ୍ବାର୍ଥପାଇଁ !

ସେ ନିଜକୁ ଓଡ଼ିଆ ବୋଲି ମନେକରୁନଥିଲେ । ବିଧାନସଭାରେ ସେ ଘୋଷଣା କରିଥିଲେ, ରାଜନୈତିକ ବାଧ୍ୟବାଧକତା ହେତୁ ସେ ଓଡ଼ିଆ କହୁଥିଲେ ବି , ତାଙ୍କ ଭିତ୍ତି ଥିଲା ଇଂରାଜୀ ଭାଷା (“My language was the other day English”) ; ମୋ ସଂସ୍କୃତି ଥିଲା ଇଂରେଜ ଲୋକର ସଂସ୍କୃତି (“My culture was the culture of an Englishman”) । (ବିଧାନସଭା ବିବରଣୀ, ୩୦.୯.୧୯୬୩ ପୃ.୩୯) । ତାଙ୍କ ଇଂରାଜୀମନସ୍କତା ଏତେ ତୀବ୍ର ଥିଲା ଯେ, ମୁଖ୍ୟମନ୍ତ୍ରୀ ହେଉହେଉ ସେ ୨୩.୮.୧୯୬୧ତାରିଖରେ ଆସ୍ପର୍ଦ୍ଧ କରିଥିଲେ କହିବାକୁ, ବିଧାନସଭାକୁ ଆସିବା ପୂର୍ବରୁ ସବୁ ସଭ୍ୟ ଇଂରାଜୀ ଜାଣିଥିବା ଦରକାର (“Every member should know English before coming to the House.”) (ଏଜନ, ପୃ.୨୫) । ଏପରିକି ଓଡ଼ିଆ ପରି ଭାଷା ପ୍ରଚଳିତ ଥିବା ଭାରତକୁ ଗୋଟାଏ ଦେଶ ବୋଲି ମାନିବାକୁ ସେ ଘୃଣା କରୁଥିଲେ ( “So many languages there in our country. This is not a country at all.”) (ବିଧାନସଭା ବିବରଣୀ, ସେପ୍ଟେମ୍ବର ୧୯୮୫, ପୃ ୧୦୮)।

ଏହି ଇଂରାଜୀମନସ୍କ ଓଡ଼ିଆଭାଷାବିଦ୍ଵେଷୀ ବ୍ୟକ୍ତି ବିଧାନସଭାର ଅଧିକାଂଶ ସଦସ୍ୟଙ୍କୁ ନିଜର ଚାବୁକ ଦ୍ଵାରା ନିୟନ୍ତ୍ରିତ କରିବା ସ୍ଥିତିରେ ଥିବା ବେକେ ବିଧାନସଭାକୁ ମିଛ କହି ୧୯୬୩ରେ ଇଂରାଜୀ ଭାଷାକୁ ଯଦି କବର ତଳୁ ଉଠାଇ ଆଣି ସେହିସ୍ଥଳରେ ଆମ ଉପରେ ନଦିଦେଇନଥାନ୍ତେ, ତେବେ ଆମ ଭାଷା ଅଧିକାର ପାଇଁ ଆମକୁ ପ୍ରାୟ ୪ ବର୍ଷ ଧରି କଳାପତାକା ଅଭିଯାନ କରିବାକୁ ପଡ଼ିନଥାନ୍ତା ।

ଅତଏବ, ଅନ୍ୟ କାହାପାଇଁ ବିଜୁ ପଟ୍ଟନାୟକ ପ୍ରବାଦ ପୁରୁଷ ହୋଇପାରନ୍ତି, ଆମ ଭାଷା ପ୍ରେକ୍ଷାପଟରେ ଆମ ପାଇଁ ବରବାଦ ପୁରୁଷ । ଓଡ଼ିଆ ଗଣମାଧ୍ୟମମାନେ ତାଙ୍କୁ ଅଯଥା ଟେକିବା ବନ୍ଦ କରି ଏହି ସତ୍ୟ ଅନୁଭବ କରନ୍ତୁ ।