Posts tagged Bhasha Andolan

ପାଞ୍ଚଶହ ଛଅସ୍ଟରୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଶୁଭେନ୍ଦୁ ଧଳ , ଯଶୋବନ୍ତ ନାରାୟଣ ଜେନା , ଗିରିଶ ଚନ୍ଦ୍ର ଶତପଥୀ , ଇଂ ସୁବୋଧ ଧଳ ∣

 

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

ପାଞ୍ଚଶହ ଚୌସ୍ଟରୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ପ୍ରତ୍ୟୁଷ ମହାନ୍ତି, ଦୁର୍ଗା ପ୍ରସାଦ ସାହୁ, ରାଜିବ କୁମାର ଦାସ, ଭାନୁ ପ୍ରତାପ କେଶରୀ ∣

 

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

ପାଞ୍ଚଶହ ତେସ୍ଟରୀ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଡ଼. ଯଶବନ୍ତ ନାରାୟଣ ଜେନା , କାମରାଜୂ ଜେନା , ସନ୍ତୋଷ ଜେନା , ସୌଭାଗ୍ୟ ଜେନା ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

ମାତୃଭାଷା ପାଇଁ ମମତା ହିଁ ମାତୃଭୂମି ପାଇଁ ମମତାର ନୈସର୍ଗିକ ସ୍ବରୂପ ∣ ଏହି ନୈସର୍ଗିକତା ଏଥି ସନ୍ନିହିତ ନିବନ୍ଧରେ ପରିଦୃଶ୍ୟମାନ ∣ ସନ 2002ରେ ଏହା ପ୍ରକାଶ ପାଇଥିଲା ଦୈନିକ ପ୍ରଗତିବାଦୀରେ ∣ ନିଜ ମାତୃଭାଷାରେ ନିଜ ମାତୃଭୁମିର ସମସ୍ତ ଦାପ୍ତରିକ ପରିଚାଳନା ପାଇଁ ଏବଂ ତହିଁରେ ବାଧାଦାତାକୁ ଦଣ୍ଡବିଧାନ ସକାଶେ ଓଡିଶା ସରକାରୀ ଭାଷା ଆଇନର ଆବଶ୍ୟକୀୟ ସଂଶୋଧନ ପାଇଁ ଦାବି କରୁଥିବା ଭାଷା ଆନ୍ଦୋଳନର ସାଥୀମାନେ ଏହି ନିବନ୍ଧଟି ଦ୍ଵାରା ଉପକୃତ ହେବେ ; ଏହି ଭରସାରେ ସାମାଜିକ ଗଣମାଧ୍ୟମରୁ ଉଦ୍ଧାର କରି ଏଠାରେ ଆମେ ସ୍ଥାନିତ କରୁଛୁ ∣

 

ପାଞ୍ଚଶହ ଛଷଠି ଦିନରେ ଭାଷା ଆନ୍ଦୋଳନ

 

 

 

ଆଜିର କଳାପତାକା ଅଭିଯାତ୍ରୀ : ବିକାଶ କୁମାର ନାୟକ, ବିଜୟ କୁମାର ଦାସ, କୃଷ୍ଣଚନ୍ଦ୍ର ନାୟକ, ରୁତୁରାଜ ପଟ୍ଟନାୟକ ∣

 

 

 

 

ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

                          ଶବ୍ଦ ଇନ୍ଦ୍ରଜାଲ ବନାମ ସତ୍ୟ

                                                                    ସୁଭାଷ ଚନ୍ଦ୍ର ପଟ୍ଟନାୟକ

                                                                     ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ବହୁ ବ୍ୟକ୍ତିଙ୍କୁ କାମରେ ଲଗାଇଛନ୍ତି ∣ କେହି କେହି ଅପାତତଃ ନିରପେକ୍ଷ ଓ ସମ୍ମାନାସ୍ପଦ ବ୍ୟକ୍ତି ବି ବେଳେ ବେଳେ ଏମିତି ଉପରଠାଉରିଆ ବୟାନ ରଖୁଛନ୍ତି ସାମାଜିକ ଗଣମାଧ୍ୟମରେ ଯେ, ତାହା ସାଧାରଣ ଲୋକଙ୍କ ଭିତରେ ଅଯଥା ବିଭ୍ରାନ୍ତି ଉପୁଜାଉଛି ∣ ଏହିପରି ଏକ ବୟାନ ଉପରେ ଏ ଭିତରେ ମୋତେ ଏକ ସ୍ପଷ୍ଟୀକରଣ ରଖିବାକୁ ପଡିଥିଲା ∣ ତହିଁରେ ଇତିହାସର କିଛି ନିଦା ତଥ୍ୟ ମୋତେ ଦେବାକୁ ପଡିଥିଲା ∣ ମାତ୍ର ଇତିହାସର ସାମ୍ନା କରିବା ସମସ୍ତଙ୍କୁ ସୁହାଏ ନାହିଁ ∣ ସେହେତୁ , ମୋର ଅନ୍ୟତମ ପ୍ରିୟ ବନ୍ଧୁ କବି ଶଙ୍କର ପରିଡା ମୋ ଉପରେ ଖୁବ ଉତ୍କ୍ଷିପ୍ତ ହୋଇପଡିଲେ ∣ ମୁଁ ଲେଖିଥିଲି ଯେ, ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ତହିଁରେ ଭାଷା ସଂଗ୍ରାମ ସମିତିର ଅସ୍ତିତ୍ବ ଲୋପ କରା ହୋଇଥିଲେ ମଧ୍ୟ ସମିତି ନେତୃତ୍ବ ନିରବ ରହି କମିଟି ଗଠନର ଉଦ୍ଦେଶ୍ୟ ପଣ୍ଡ କରିଦେଲେ, ଯାହା ଫଳରେ ମୁଁ ଓ ଗଜାନନ ମିଶ୍ର ସେହି କମିଟି ବର୍ଜନ କରି ଚାଲିଆସିବାକୁ ଉଚିତ ମଣିଲୁ ∣ ମୁଁ ମିଛ କହିଛି ବୋଲି ଦର୍ଶାଇବାକୁ ଶଙ୍କର ବାବୁ କେତେକ ଫଟୋ ରଖି ମନ୍ତ୍ରୀସ୍ତରୀୟ କମିଟିରେ ମୋ ସମେତ ଅନ୍ୟମାନେ ଭାଷା ସଂଗ୍ରାମ ସମିତିର ପ୍ରତିନିଧି ଭାବେ ହିଁ ଥିଲେ ବୋଲି ଦର୍ଶାଇଛନ୍ତି ∣ ଏହି ଦସ୍ତାବିଜଗୁଡିକର ଭିତ୍ତି ଉପରେ ହିଁ ମୁଁ କହିଥିଲି କି ଆମେ ଯେଉଁମାନେ ଭାଷା ସଂଗ୍ରାମ ସମିତିର ସଭ୍ୟ ଭାବେ ମନ୍ତ୍ରୀପରିଷଦର ଚିହ୍ନିତ ସଭ୍ୟମାନଙ୍କୁ ଭେଟି ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲୁ ଓ ତାର ଦାୟିତ୍ବ (term of reference) କଣ ହେବ ତାହା ନିର୍ଦ୍ଧାରଣ କରିଥିଲୁ , ପଛ ଦ୍ଵାର ବାଟେ ସେଥିରେ ପ୍ରବେଶ କରିଥିବା ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବୈଷ୍ଣବ ପରିଡାଙ୍କ ଷଡଯନ୍ତ୍ର ହେତୁ ମନ୍ତ୍ରୀସ୍ତରୀୟ କମିଟିରେ ଭାଷା ସଂଗ୍ରାମ ସମିତିର ପ୍ରତିନିଧି ହୋଇ ରହିନଥିଲୁ ; ହୋଇଯାଇଥିଲୁ ମୁଖ୍ୟମନ୍ତ୍ରୀଙ୍କ ମନୋନୀତ ସଦସ୍ୟ ∣

 

 

ଶଙ୍କର ବାବୁ ଫେସବୁକ ପୃଷ୍ଠାରେ ଏହି ଚିତ୍ରଟି ରଖି ଏଥିରେ ଆମେମାନେ ଭାଷା ସଂଗ୍ରାମ ସମିତିର ସଭ୍ୟ ଭାବେ ଚିହ୍ନିତ ହୋଇଥିବା ହେତୁ ମନ୍ତ୍ରୀ ସ୍ତରୀୟ କମିଟିରେ ଭାଷା ସଂଗ୍ରାମ ସମିତିର ଅସ୍ତିତ୍ବ ଲୋପ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ∣ ଚିତ୍ରଟିକୁ ଭଲଭାବେ ଦେଖନ୍ତୁ ∣ ଏହା “ପ୍ରସ୍ତାବିତ କମିଟି“ର ନାମଫର୍ଦ୍ଦ ∣ ଗଠିତ କମିଟିର ନୁହେଁ ∣ ମରୀଚିକାକୁ ନଦୀ ଭାବେ ଘେନା କରିବା କାହିଁକି ?

 

 

 

ଶଙ୍କର ବାବୁ ଲୁଚାଇ ରଖିଥିବା ଦସ୍ତାବିଜଟି ହେଉଛି ଗଠିତ କମିଟିର ନାମଫର୍ଦ୍ଦ ∣ ତାହା ଶଙ୍କର ବାବୁଙ୍କ ଉଦ୍ଦେଶ୍ୟରେ ମୁଁ ରଖୁଥିବା ବକ୍ତବ୍ୟ ସହ ରହିବ ∣ ସେଥିରେ ଆମେ କେହି ଭାଷା ସଂଗ୍ରାମ ସମିତିର ପ୍ରତିନିଧି ଭାବେ ନାହୁଁ ; ଅଛୁ ନିଜ ନିଜ ପରିଚିତି ବଳରେ ∣ ଆମ ଯୌଥ ପରିଚିତି ଲୋପ କରାହୋଇଛି ∣

ସେ ଏହି ସର୍ବାଧିକ ପ୍ରାସଙ୍ଗିକ ଦସ୍ତାବିଜଟିକୁ ଗୁପ୍ତ ରଖିଛନ୍ତି ∣ ମୁଁ ତାକୁ ନିମ୍ନରେ ସଂଲଗ୍ନ କରୁଛି ∣ ଭାଷା ଆନ୍ଦୋଳନର ନିରୋଳା ଇତିହାସ ଉପରେ ଧ୍ୟାନ ରଖିଥିବା ବନ୍ଧୁମାନଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ ∣

ପ୍ରିୟ ଭାଇ ଶଙ୍କର ପରିଡା,
ଆପଣଙ୍କ କୌତୁହଳୋଦ୍ଦୀପକ ଶବ୍ଦବିନ୍ୟାସ ମୋତେ ଅମୋଦିତ କରିଛି ∣
ଧନ୍ୟବାଦ ଯେ, ମୋର “ସଂଗ୍ରାମୀ ମନୋବଳ ଓ ପ୍ରଚଣ୍ଡ ସ୍ମୃତିଶକ୍ତି ଉପରେ” ଆପଣଙ୍କର “ଅଗାଧ ବିଶ୍ଵାସ ଅଛି” । ମାତ୍ର, ତା ସତ୍ତ୍ବେ ଆପଣ ମୋ ପ୍ରତି ଏପରି କେତେକ ଶବ୍ଦ ପ୍ରୟୋଗ କରିଛନ୍ତି ଯାହା ସତ୍ୟର ବିପରୀତ ∣

ମୋ ବାପା ଆମ ସଂସ୍କୃତିର ଏକ ବୈଶିଷ୍ଟ୍ୟ ସହ ମୋତେ ସହବନ୍ଧିତ କରିଯାଇଛନ୍ତି ∣ ତାହା ହେଲା : “ନିନ୍ଦା ମିଳୁ ବା ପ୍ରସଂଶା, ଧନ ଆସୁ ବା ଦାରିଦ୍ର୍ୟ , ମୃତ୍ୟୁ ଆସୁ ବା ଅଟକୁ , ଭଲ ମଣିଷ ନିଜର ପରିଗୃହୀତ ବ୍ରତ କେବେ ବି ପରିତ୍ୟାଗ କରେନାହିଁ ∣” ଏହି ଆଦର୍ଶ ଉପରେ ଠିଆ ହୋଇ , ପ୍ରିୟ ଶଙ୍କର ବାବୁ, ମୁଁ ଭାଷା ଆନ୍ଦୋଳନରେ ଅଛି, ଆପଣ ନାହାନ୍ତି ∣ ଓଡ଼ିଆ ଭାଷା ଜନନୀର ଅନୁଗତ ସନ୍ତାନମାନଙ୍କ ସହ ଭାଷା ପାଇଁ ଜୀବନକୁ ବାଜିଲଗାଇଥିବା ଗଜାନନ ମିଶ୍ର ବି ମୋ ସହ ଅଛନ୍ତି ; ତାଙ୍କ ଅନଶନକୁ ସାହାଯ୍ୟ କରିବାକୁ ଗଢ଼ାହୋଇଥିବା ଭାଷା ସଂଗ୍ରାମ ସମିତି ଭାଷା ମାଫିଆଙ୍କ ପାଲରେ ପଡି ବସ୍ତୁତଃ ଲୋପ ପାଇସାରିଛି ∣ ସେତେବେଳେ ଯେଉଁମାନେ ଭାଷା ସଂଗ୍ରାମ ସମିତିରେ ଥିଲେ, ସେମାନେ ସେହି ପରିଚିତିକୁ ପୁଞ୍ଜି କରି ମନ୍ତ୍ରୀ ଓ ବିଭିନ୍ନ ଅଫିସରଙ୍କୁ ଧରି ନିଜ ପାଇଁ ସରକାରୀ ଘର ନେବା, ସେଠାରେ ସରକାରଙ୍କ ଅଜଣାରେ କୌଣସି ମହିଳା ରହିବା, ନାଚ ଗୀତ ସମ୍ମିଳନୀ ଆଳରେ ରାଜକୋଷ ଲୁଟ କରିବା , ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା ଆଦି ଯାବତୀୟ ଅପକର୍ମ କରୁଛନ୍ତି; ଅଥଚ ମନ୍ତ୍ରୀସ୍ତରୀୟ କମିଟିର କ’ଣ ହେଲା, କାହିଁକି ତାହା ସତ୍ତା ହରାଇଲା, ଯେଉଁ ଉଦ୍ଦେଶ୍ୟରେ ତାହା ଗଠିତ ହୋଇଥିଲା ସେ ଉଦ୍ଦେଶ୍ୟ ପୁରାଣ ହେଲା କି ନା, ତାହା ଭାଷା ସଂଗ୍ରାମ ସମିତି ଏଯାଏଁ କହୁନାହିଁ , ଯଦି ତାହା ନ ମରି ବଞ୍ଚିଥାଏ ∣

ଆପଣ ଲେଖିଛନ୍ତି , “ଆପଣଙ୍କ ମନ ଓ କାନ୍ଥରେ କୃତଜ୍ଞତାର ଭାଷା ଅଛି କି ନାହିଁ ମୁଁ ଜାଣିନି, କିନ୍ତୁ ସରକାରି ନଭମଞ୍ଚ ଆବାହକ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନପ୍ରାପ୍ତ ଓଡିଆଭାଷା ସଂଗ୍ରାମ ସମିତିର ସଦସ୍ୟତାକୁ ନେଇ ଆପଣ ଉଦ୍ଦେଶ୍ୟମୂଳକ ଭାବରେ ଗଣ ଓ ଗଣମାଧ୍ୟମକୁ ବିଭ୍ରାନ୍ତ କରୁଥିବାରୁ ମୁଁ ଗଭୀର ଭାବରେ ମର୍ମାହତ ।” ଆପଣ ଜଣେ କବି ∣ କୌଣସି ମାନସିକ ଚାପରେ ନଥିଲେ ଏପରି ଅଶୁଦ୍ଧ ବାକ୍ୟଟିଏ ଆପଣ ଲେଖିପାରିନଥାନ୍ତେ ବୋଲି ମୁଁ ଭାବୁଛି, ଯଦିଓ ମୁଁ ଖୁସି ଯେ ମୋ ପରିସୃଷ୍ଟ “ନଭମଞ୍ଚ” ଶବ୍ଦଟି ଆପଣ ବ୍ୟବହାର କରିଛନ୍ତି ∣ “ଗଣ ଓ ଗଣମାଧ୍ୟମ” ବିଭ୍ରାନ୍ତ ନହେଉ – ଏଥିପାଇଁ ଅହର୍ନିଶ କାମ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଲି ମୁଁ ∣ ତେଣୁ ମୁଁ ସେପରି କରୁଛି, ତାହା ପୁଣି “ଉଦ୍ଦେଶ୍ୟମୂଳକ” ଭାବେ, ଏହା ସପ୍ରମାଣ କହିଥିଲେ ମୁଁ ନିଜକୁ ସୁଧରିନେଇପାରିଥାନ୍ତି; କାରଣ କେବଳ ସୈତାନ ହିଁ କୌଣସି ଭୁଲ ସ୍ବୀକାର କରିନଥାଏ ∣ ତେଣୁ ମୁଁ କିପରି ଓ କେଉଁଠି “ଉଦ୍ଦେଶ୍ୟମୂଳକ ଭାବରେ ଗଣ ଓ ଗଣମାଧ୍ୟମକୁ ବିଭ୍ରାନ୍ତ” କରୁଛି ତାହା ସପ୍ରମାଣ ଆପଣ ଉପସ୍ଥାପିତ କରିବା ଉଚିତ ∣ ଯାହାର କିଛି ସ୍ଵାର୍ଥ ଥିବ, ସେ ଗାଲୁ ମାରିବ; ମୋର କୌଣସି ସ୍ଵାର୍ଥ ନାହିଁ , ତେଣୁ ସପ୍ରମାଣ ଅଭିଯୋଗ ଆସିଲେ, ତାହା ଯଦି ମୁଁ ଯଥାର୍ଥତଃ ଖଣ୍ଡନ କରି ନପାରେ, ଭୁଲ ସ୍ବୀକାର କରିବି ∣

ଦ୍ବିତୀୟତଃ ଆପଣ ଲେଖିଛନ୍ତି, “ଆପଣଙ୍କର ବିସ୍ମିତ ବିସ୍ମରଣ ଅହଂକାର ଓ ଦମ୍ଭୋକ୍ତିର ପ୍ରତିବାଦ ଓ ପ୍ରତିବେଦନପାଇଁ ଓଡିଆ ଭାଷା ସଂଗ୍ରାମ ସମିତି ଓ ଓଡିଶା ସରକାରଙ୍କ ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଓ ଭାଷା ସଂଗ୍ରାମ ସମିତିର ସଦସ୍ୟ ଭାବରେ ଆପଣଙ୍କ ସଦସ୍ୟତାର ଦସ୍ତାବିଜ ଆପଣଙ୍କ ସମେତ ଗଣ ଓ ଗଣମାଧ୍ୟମର ଅବଗତି ନିମନ୍ତେ ଉପସ୍ଥାପନା କରୁଛି।” ଏହି ଅବୋଧ୍ୟ ଶବ୍ଦରାଜିର କି ଜବାବ ଦେବି ? “ବିସ୍ମିତ ବିସ୍ମରଣ” ଅର୍ଥ କ’ଣ ? ଆପଣଙ୍କ ସ୍ବୀକାରୋକ୍ତି ଅନୁସାରେ ମୁଁ “ପ୍ରଚଣ୍ଡ ସ୍ମୃତିଶକ୍ତି”ର ଅଧିକାରୀ ଏବଂ ତାହା ସତ୍ୟ ∣ ବାପା ବୋଉଙ୍କ ଦୟାରୁ ବୟସ ଭାର ସତ୍ତ୍ବେ ମୋର ସ୍ମୃତିଶକ୍ତି ଠିକ ଅଛି ∣ ତେଣୁ “ବିସ୍ମିତ ବିସ୍ମରଣ” ଏଠି ଏକ ଅବୋଧ୍ୟ ବିଭାବନା ∣ ଆପଣ ବ୍ୟବହାର କରିଥିବା ଅନ୍ୟ ଦୁଇଟି ଦୃଷ୍ଟିଆକର୍ଷଣକାରୀ ଶବ୍ଦ ହେଲା – “ଅହଂକାର” ଓ “ଦମ୍ଭୋକ୍ତି” ∣ ଆତ୍ମଭିମାନ ନଥିବା ଲୋକର ଅହଂକାର ନଥାଏ ଏବଂ ମୋର ପରିଚୟ ହେଲା , ମୁଁ ଜଣେ ଆତ୍ମଭିମାନୀ ବ୍ୟକ୍ତି ∣ ମୁଁ ଖୁସି ଯେ ମୋର ଜଣେ ବନ୍ଧୁଭାବେ ଆପଣ ଏହା ଜାଣିଛନ୍ତି ∣ ଆତ୍ମଭିମାନୀ ବ୍ୟକ୍ତି ନିଜ ବୟାନରେ ଦୃଢ଼ତାସମ୍ପନ୍ନ ହେବା ସ୍ବଭାବିକ ∣ ଏହି ଦୃଢ଼ବାଦିତାକୁ ଦମ୍ଭୋକ୍ତି ବୋଲି କୁହାଯାଏ ∣ ଅଥଚ ଆପଣ ଏହାର “ପ୍ରତିବାଦ” କରିବାକୁ ଏପରି ଏକ “ପ୍ରତିବେଦନପାଇଁ” ଏତେ କଷ୍ଟ କରିଛନ୍ତି କାହିଁକି ? ଆପଣ ଲେଖିଛନ୍ତି, “ଓଡିଆ ଭାଷା ସଂଗ୍ରାମ ସମିତି ଓ ଓଡିଶା ସରକାରଙ୍କ ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଓ ଭାଷା ସଂଗ୍ରାମ ସମିତିର ସଦସ୍ୟ ଭାବରେ ଆପଣଙ୍କ (ମୋର) ସଦସ୍ୟତାର ଦସ୍ତାବିଜ ଆପଣଙ୍କ (ମୋ) ସମେତ ଗଣ ଓ ଗଣମାଧ୍ୟମର ଅବଗତି ନିମନ୍ତେ” ଆପଣ “ଉପସ୍ଥାପନା” କରିଛନ୍ତି ∣ ଏହି ଦସ୍ତାବିଜଗୁଡିକ ଭିତରେ ଆପଣ ସେହି ଦସ୍ତାବିଜଟିକୁ ଉଦ୍ଦେଶ୍ୟମୂଳକ ଭାବେ ଛାଡ଼ିଯାଇଛନ୍ତି ଯାହା ବଳରେ ମନ୍ତ୍ରୀସ୍ତରୀୟ କମିଟି ଗଢା ହୋଇଥିଲା ଓ ସେହି କମିଟି କଣ କରିବ ତାହା ଚିହ୍ନିତ ହୋଇଥିଲା ∣

ଆପଣ ଏହି ଦସ୍ତାବିଜଟିର ଅବତାରଣା ନକରିବା ସ୍ବଭାବିକ ∣ କାରଣ ଏଥିରେ ଭାଷା ସଂଗ୍ରାମ ସମିତିର ସତ୍ତା ଲୋପ କରାଯାଇଥିଲା ଓ ଯେଉଁ term of reference ଥିଲା ତାହା କେବଳ ଭାଷା ଆଇନର କାର୍ଯ୍ୟକାରିତା ଉପରେ ସୀମିତ ଥିଲା ∣ ଆପଣଙ୍କ ସହାୟତାରେ ସେ କମିଟିକୁ ପ୍ରବେଶ କରିଥିବା ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ଭାଷା ମାଫିଆ ଗୋଷ୍ଟି ନିଜ ଭାଷା ବେପାର ପାଇଁ ସେ କମିଟିକୁ ବ୍ୟବହାର କରିବାକୁ ଚାହୁଁଥିଲେ ; ତେଣୁ ଏଥିରେ ଭାଷା ସଂଗ୍ରାମ ସମିତିର ଅସ୍ତିତ୍ବ ବିଲୋପନ ବିରୁଦ୍ଧରେ ମୁଁ ଯେତେବେଳେ ପ୍ରତିବାଦ କଲି, ଆପଣମାନେ କେହି ମୋ ସହ ସହଯୋଗ କଲେନାହିଁ, ମୁଁ ଏକଘରିଆ ହୋଇଗଲି ∣ ମୁଁ ସେହି ପ୍ରବଞ୍ଚନାପୂର୍ଣ୍ଣ କମିଟି ପରିତ୍ୟାଗ କରିବା ପର୍ଯ୍ୟନ୍ତ ଅବସ୍ଥା ପରିବର୍ତ୍ତିତ ହୋଇନଥିଲା ∣ ସେହି ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକରୁ ମୁଁ ତାକୁ ବର୍ଜନ କରିବା ପର୍ଯ୍ୟନ୍ତ ଯେତେଥର ତହିଁକି ନିମନ୍ତ୍ରିତ ହୋଇଥିଲି, କେବଳ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାବେ, ଭାଷା ସଂଗ୍ରାମ ସମିତିର ସଭ୍ୟ ଭାବେ ନୁହେଁ, କାରଣ, ସରକାର ସେହି କମିଟିରେ ଭାଷା ସଂଗ୍ରାମ ସମିତିକୁ ସ୍ଥାନିତ କରିନଥିଲେ, ତାକୁ ତିଆରି କରିଥିବା ଏହି ବିଧିକ ସାଧନ (legal instrument) ରେ ∣ ଇତିହାସ ପ୍ରତି ଯଦି ସାମାନ୍ୟ ସମ୍ମାନ ଥାନ୍ତା, ତେବେ ଆପଣ ଏହି ସର୍ବଥା ପ୍ରାସଙ୍ଗିକ ଦସ୍ତାବିଜଟିକୁ ଲୁଚାଇ ରଖି ନଥାନ୍ତେ ∣

ମୁଁ ଏହି ଦସ୍ତାବିଜକୁ ଉପସ୍ଥାପିତ କରିଛି ; କାରଣ ଏହାରି ଉପରେ ଠିଆ ହୋଇଥିଲା ମନ୍ତ୍ରୀସ୍ତରୀୟ କମିଟି ∣ ଏବଂ, କମିଟିର ଉଦ୍ଦେଶ୍ୟ (term of reference) ଏଥିରେ ସ୍ପଷ୍ଟ କରା ହୋଇଥିଲା ∣ ଏହା ବଳରେ 1954 ଓଡିଶା ସରକାରୀ ଭାଷା ଆଇନର ଆଇନଗତ ପରିବର୍ତ୍ତନ ,  ତାକୁ ଛୁରା ମାରି ଅଚଳ କରିଦେବା ଅଭିସନ୍ଧି ରଖି 1963ରେ ତହିଁରେ ବିଜୁ ପଟ୍ଟନାୟକ ଘଟାଇଥିବା ସଂଶୋଧନର ବିଲୋପନ , ନୂଆ ସଂଶୋଧନ ମାଧ୍ୟମରେ ଓଡ଼ିଆରେ କାମ କରିବାକୁ ଅମଙ୍ଗ ହେଉଥିବା ବା ଭାଷା ଆଇନର ଖିଲାପ କରୁଥିବା ଲୋକକୁ ଦଣ୍ଡବିଧାନ ଇତ୍ୟାଦି ସମ୍ଭବ ହୋଇଥାନ୍ତା ; କାରଣ ତାହା ହିଁ ଥିଲା ସଂକଳ୍ପଟିର ଏକମାତ୍ର ଉଦ୍ଦେଶ୍ୟ (term of reference) ଏବଂ ଏହା ହୋଇଥିଲେ , ଭାଷା ମାଫିଆମାନେ ମନ୍ତ୍ରୀସ୍ତରୀୟ କମିଟିକୁ ନିଜ ବେପାର ପାଇଁ ହରଣଚାଳ (hijack) କରିପାରିନଥାନ୍ତେ କି ତାହା ଏକ ବନ୍ଧ୍ୟା ମରୀଚିକା ହୋଇ ନିଶ୍ଚିହ୍ନ ହୋଇଯାଇନଥାନ୍ତା ∣ ଏବେ ଏହି ଏକମାତ୍ର ପ୍ରାସଙ୍ଗିକ ଦସ୍ତାବିଜଟି ଅନୁଧ୍ୟାନ କରନ୍ତୁ ଓ ଅବୋଧ୍ୟ ଶବ୍ଦର ଇନ୍ଦ୍ରଜାଲ ସୃଷ୍ଟି କରିବା ଛାଡି ଓଡ଼ିଆ ଜାତିକୁ ସତକଥା କହନ୍ତୁ ∣
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନକୁ ନେଇ ସମ୍ଵାଦ-ବିତର୍କ : ଡ଼. ଦ୍ଵାରିକନାଥ ନାୟକଙ୍କ ଦ୍ଵାରା ବୈଷ୍ଣବ ପରିଡାଙ୍କ ଅଭିସନ୍ଧି ଅନାବୃତ
ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୈଷ୍ଣବ ଚରଣ ପରିଡା ମୁଖ୍ୟମନ୍ତ୍ରୀଙ୍କୁ ସବୁଠୁ ଅଡୁଆରେ ପକାଇଥିବା ଭାଷା ଆନ୍ଦୋଳନର ଗାରିମା ହାନି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଚୋଦିତ ହୋଇ ଭାଷା ଆନ୍ଦୋଳନର ନିଜସ୍ଵ ଦାବି ସପକ୍ଷରେ ଆଇନ ଅମାନ୍ୟ ପରି ପ୍ରହସନ ଆରମ୍ଭ କରିଛନ୍ତି ∣ ଏ ଜଣେ ଛଦ୍ମ ଘାତକ ଯେ କି ଭାଷା ଆନ୍ଦୋଳନକାରୀମାନଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କଥା ବି କହନ୍ତି ∣ ଏଥିପୂର୍ବରୁ ପ୍ରକାଶିତ ଗଜାନନ ମିଶ୍ରଙ୍କ ନିବନ୍ଧରେ ଦେଖାଯାଏ , ସେ ଯେତେବେଳେ ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଅନଶନ ନୋଟିସ ଦେଇଥିଲେ, ବୈଷ୍ଣବ ବାବୁ ଟିଟିଲାଗଡ଼ରେ ପହଂଚି ତାଙ୍କୁ ସେପରି ନକରିବାକୁ ଧମକ ଚମକ ଦେଇଥିଲେ ; ମାତ୍ର ତହିଁକି ଖାତିର ନକରି ସେ ଯେତେବେଳେ 1.4.2015ରେ ରାଜଭବନ ଆଗରେ ଅନଶନ କଲେ, ସେଠାରେ ପହଂଚି ସେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଭାଷଣ ବି ଦେଲେ ∣ ତାଙ୍କର ଏପରି ଆଚରଣ ହେତୁ ଗଜାନନବାବୁ ତାଙ୍କୁ ଠାରେ “ଦୋମୁଣ୍ଡିଆ ସାପ” ବୋଲି ବର୍ଣନା ବି କରିଥିଲେ ∣

ଏହି ବୈଷ୍ଣବ ପରିଡା ଆମ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ଏବେ ଦିନେ ପହଂଚିଥିଲେ ସମ୍ବଲପୁରରେ ∣ ସେଠାରେ ଭାଷା ଆନ୍ଦୋଳନ ଏକ ଆଦର୍ଶ ଆନ୍ଦୋଳନର ରୂପ ନେଇଛି ∣ ସାରା ଭାରତରେ ଭାଷା ଭିତ୍ତିକ ଜାତୀୟତାର ପ୍ରଥମ ପୀଠସ୍ଥଳ ହେଉଛି ସମ୍ବଲପୁର ଓ ଓଡିଶା ଭୂଖଣ୍ଡ ସୃଷ୍ଟିରେ ସମ୍ବଲପୁରର ଅବଦାନ ଅନନ୍ୟ ∣ ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ହିଁ ଓଡିଶା ସରକାରୀ ଭାଷା ଆଇନ ପ୍ରଣୟନର ପ୍ରଥମ ପ୍ରସ୍ତାବକ ଏବଂ ଓଡିଶା ଭୂଖଣ୍ଡର ସମସ୍ତ ଶବ୍ଦଭଣ୍ଡାରକୁ ଓଡିଶା ପ୍ରଶାସନର ଶବ୍ଦକୋଷ ଅନ୍ତର୍ଗତ କରିବାକୁ ଭାଷା ଆନ୍ଦୋଳନ ଦାବି କରୁଛି ∣ ଏଥିପାଇଁ ଆମ ପ୍ରେରଣାର ଆଧାର ମଧ୍ୟ ସମ୍ବଲପୁରର ସେହି ପୁଣ୍ୟଶ୍ଳୋକ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର , ସ୍ଵଭାଵ କବି ଗଙ୍ଗାଧର ମେହେର, ଖଡ଼ିଆଳ ରାଜା ବୀର ବିକ୍ରମ ସିଂହ ∣ ତେଣୁ ସମ୍ବଲପୁରର ଯେଉଁ ସାଥୀମାନେ ଭାଷା ଆନ୍ଦୋଳନ କରୁଛନ୍ତି ସେମାନେ ସମଗ୍ର ଓଡ଼ିଶାର ସାମଗ୍ରିକ-ଶବ୍ଦମାଳିନୀ-ଭାଷା-ଜନନୀର ପ୍ରଶାସନିକ ସାର୍ବଭୌମତ୍ୱ ପାଇଁ ଆନ୍ଦୋଳନ କରୁଛନ୍ତି, ଆମ ନିଜସ୍ଵ ନୀତି ଆଦର୍ଶର ଭିତ୍ତିରେ ∣ ଏହାକୁ ଲକ୍ଷ୍ୟଭ୍ରଷ୍ଟ କରିବା ଅଭିସନ୍ଧି ରଖି ମୁଖ୍ୟମନ୍ତ୍ରୀଙ୍କ ଗୁପ୍ତ ଭେଦିଆ (agent provocateur) ବୈଷ୍ଣବ ପରିଡା ସମ୍ବଲପୁରରେ ପହଂଚି ନିରବ ଓ ଶାନ୍ତିପୂର୍ଣ କଳାପତାକା ଅଭିଯାନ ଛାଡି ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଆମ ସାଥୀମାନଙ୍କୁ ଉସୁକାଉଥିଲେ ଗୋଟେ ଶୀତତାପ ନିୟନ୍ତ୍ରିତ ହୋଟେଲ ପ୍ରକୋଷ୍ଠରେ ∣ ପ୍ରତ୍ୟାଖ୍ୟାତ ହେଲେ ∣

ଭାଷା ଆନ୍ଦୋଳନ ଉପରେ ଅନୁଷ୍ଠିତ ସମ୍ବାଦ ବିତର୍କରେ ଡ଼. ଦ୍ଵାରିକାନାଥ ନାୟକଙ୍କ ପ୍ରତିବେଦନ “ଭାଷା ଆନ୍ଦୋଳନର ପାର୍ଶ୍ବ-ପ୍ରଭାବ” ଏହି ଦୃଷ୍ଟିରୁ ପ୍ରଣିଧାନଯୋଗ୍ୟ ∣

ଭାଷା ଆନ୍ଦୋଳନକୁ ନେଇ ସମ୍ଵାଦ-ବିତର୍କ : ଗଜାନନ ମିଶ୍ରଙ୍କ ଦ୍ଵାରା ଦେବୀ ପଟ୍ଟନାୟକଙ୍କ ମିଥ୍ୟା ବୟାନ ଅନାବୃତ
ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନ ଉପରେ ଅନୁଷ୍ଠିତ ସମ୍ବାଦ ବିତର୍କରେ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ମିଥ୍ୟା ବୟାନ କେବଳ ଯେ ଅସିତ ମହାନ୍ତି ଅନାବୃତ କରିଛନ୍ତି ତା ନୁହେଁ, ଯାହାଙ୍କ ଆମରଣ ଅନଶନ ହେତୁ ଭାଷା ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥଲା ଓ ଦେବୀ ପ୍ରସନ୍ନ ତା ଭିତରକୁ ପ୍ରବେଶ କରିବାର ସୁଯୋଗ ପାଇଥିଲେ, ସେହି ଗଜାନନ ମିଶ୍ର ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଭାଷା ନାମରେ ରାଜକୋଷ ଲୁଟ କରୁଥିବା ଡ଼.ପଟ୍ଟନାୟକ ମିଛ ହିଁ କହିଛନ୍ତି ∣

ଭାଷା ଆନ୍ଦୋଳନକୁ ନେଇ ସମ୍ଵାଦ-ବିତର୍କ : ଦେବୀ ପଟ୍ଟନାୟକଙ୍କ ମିଥ୍ୟା ବୟାନ ଉପରେ ଅସିତ ମହାନ୍ତିଙ୍କ ଆଲୋକପାତ
ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନିଜ ଶୁଭ ଜନ୍ମଦିନ ଅବସରରେ ଆଦର୍ଶନିଷ୍ଠ ଭାଷା ଆନ୍ଦୋଳନ ଉପରେ ଓଡ଼ିଶାର ବୁହତ୍ତମ ସମ୍ବାଦପତ୍ର ‘ସମ୍ବାଦ’ ଯେଉଁ ମହାନ ସମ୍ପାଦକୀୟ ରଖିଥିଲେ ତାହା ଭାଷା ପାଇଁ ପଦ୍ମଶ୍ରୀ ପାଇଥିବା ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରସନ୍ନ କରିବା ପରିବର୍ତ୍ତେ ବିଷର୍ଣ୍ଣ କରିଥିଲା ! “ଭାଷା ଆନ୍ଦୋଳନ ସମ୍ପର୍କରେ” ଶିରୋନାମାରେ ସେ ନିଜର ରୋଷ ବର୍ଷିଥିଲେ ‘ସମ୍ବାଦ’ର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ଓ ମୋ ଉପରେ ∣

ସୌମ୍ୟବାବୁ ଭାଷା ଆନ୍ଦୋଳନର “ପୃଷ୍ଠପୋଷକ” ସାଜିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ଓ ଏପରି ଅଭିଯୋଗର କାରଣ ବଖାଣିବାକୁ ଯାଇ କହିଥିଲେ ଯେ, ସେ ନିଜର ବାର୍ଷିକ ବିଶେଷଙ୍କର ସମ୍ପାଦକୀୟଟିକୁ ଭାଷା ଆନ୍ଦୋଳନର “କଳାପତାକା ଅଭିଯାନ ବିଷୟରେ ଉତ୍ସର୍ଗ କରିଛନ୍ତି”, କେବଳ ନୁହେଁ, “ପ୍ରତ୍ୟେକ ଦିନ ଚାରିଜଣ ଅଭିଯାନକାରୀଙ୍କ ଫଟୋ ଓ ନାଁ ଛପାଉଛନ୍ତି” ଏବଂ “29 ସେପ୍ଟେମ୍ବରରେ ଛଅ ସ୍ତମ୍ଭ ଶୀର୍ଷକ ଦେଇ ଏକମାତ୍ର ସମ୍ବାଦ ‘ନିର୍ବାଚନରେ ଭାଷା ମୁଖ୍ୟ ପ୍ରସଙ୍ଗ ହେଲେ ସଂଗ୍ରାମ ସଫଳ ହେବ’ ଶୀର୍ଷକ ଦେଇ କଳାପତାକାଗୋଷ୍ଠୀଙ୍କର ମୁଖପତ୍ରର ଶୁଭ ଉନ୍ମୋଚନ ଫଟୋ ସହ ପ୍ରକାଶ କରିଥିଲେ ∣”

ମୋ ସମ୍ପର୍କରେ ସେ କହିଥିଲେ ଯେ, ତାଙ୍କ ସୁପାରିଶ ହେତୁ ମୁଁ ମନ୍ତ୍ରୀସ୍ତରୀୟ କମିଟିରେ ସ୍ଥାନ ପାଇଥିଲି ଓ ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡ ବିଧାନ ପାଇଁ ଭାଷା ଆନ୍ଦୋଳନ ଯେଉଁ ଦାବି କରୁଛି ତାହା ମୌଳିକତଃ ତାଙ୍କ ପ୍ରଦତ୍ତ ପ୍ରସ୍ତାବ ∣

ଗତ 14 ତାରିଖରେ ନିଜ ସମ୍ପାଦକୀୟ ସହ ଦେବୀ ବାବୁଙ୍କ ଲେଖାଟିକୁ ପାଠକସମୁଦାୟ ସମ୍ମୁଖରେ ରଖି ସମ୍ବାଦ ସମ୍ପାଦକ ଏକ ଉତ୍କୃଷ୍ଟ ସମ୍ପାଦକୀୟ କୃଷ୍ଟିର ପରିଚୟ ଦେଇଥିଲେ ∣ ସୁଖର କଥା ଏହା ଏକ ବିତର୍କର ରୂପ ନେଇଛି ∣ ଓଡ଼ିଆ ସାହିତ୍ୟର ସୁଖ୍ୟାତ ଲେଖକ, ସ୍ତମ୍ଭକାର, ‘ସାହିତ୍ୟ ମହାଭାରତ’ର ଶ୍ରୀସଞ୍ଜୟ, ସଂସ୍କୃତି-ଗବେଷକ ଅସିତ ମହାନ୍ତି ଦେବୀ ବାବୁଙ୍କ ମିଥ୍ୟା ବୟାନ ଓ ଅଭିସନ୍ଧି ଉପରେ ସମ୍ୟକ ଆଲୋକପାତ କରିଥିବା ବେଳେ ଶାସ୍ତ୍ରୀୟମାନ୍ୟତା ବ୍ୟାପାରରେ ସେ କରିଥିବା ଆଚରଣ କିପରି ଥିଲା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ରାଜନୈତିକ ଷଡଯନ୍ତ୍ର ତାହା ସ୍ପଷ୍ଟ କରିଛନ୍ତି ସମ୍ଵାଦ-ବିତର୍କରେ ଅକ୍ଟୋବର 19ରେ ∣ ଏହି ପ୍ରତିବେଦନର ଐତିହାସିକ ଗୁରୁତ୍ବ ଦୃଷ୍ଟିରୁ ଏଠାରେ ଏହା ସ୍ଥାନିତ ହେଉଛି ∣

ଏଥିସହ ସମ୍ବାଦର ଅକ୍ଟୋବର ଚଉଦ ତାରିଖର ଉପସ୍ଥାପନା ଅନୁଧ୍ୟେୟ ∣