ଓଡ଼ିଆରେ ଯାନ୍ତ୍ରିକ ଶିକ୍ଷା // ଶିକ୍ଷା ନାଁରେ କଳଙ୍କ: ମାଫିଆଙ୍କ ସହ ଶିକ୍ଷା ପରିଷଦର ଅସଂଯତ ସହବାସ

ସୂତ୍ର- ମାତୃଭାଷା ବାହିନୀ 

ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ  ହେତୁ ଓଡ଼ିଶାରେ ଭାଷା ଜାତୀୟତାର ଯେଉଁ ନୂଆ ଯୁଗ ଆରମ୍ଭ ହୋଇଛି, ତାହାକୁ ନିଜ ଉପାର୍ଜନର ମହାମାଧ୍ୟମ କରିବାକୁ ଧୂର୍ତ୍ତ ଉଦ୍ୟମ ଚଳାଇଛି ଭୁବନେଶ୍ୱରର ଏକ ଭାଷା ମାଫିଆ ଗୋଷ୍ଟୀ – ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ।  ଏହି ସଂସ୍ଥା ଓଡ଼ିଶା ସରକାରଙ୍କ ଦ୍ଵାରା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦାବି ସପକ୍ଷରେ ପ୍ରସ୍ତୁତ ଯୁକ୍ତି-ସନ୍ଦର୍ଭକୁ ଚୋରୀ କରି ତହିଁର ବ୍ୟବସାୟିକ ବ୍ୟବହାର କରିଛି କେବଳ ନୁହେଁ, ସେହି ସନ୍ଦର୍ଭର ପ୍ରସ୍ତୁତକର୍ତ୍ତା ଭାବେ ଜାଲ୍ ପ୍ରମାଣପତ୍ର ତିଆରିକରାଇ ବିଭିନ୍ନ ସରକାରୀ ସସ୍ଥାରୁ ବିପୂଳ ଆୟକାରୀ କାର୍ଯ୍ୟାଦେଶ ବି ହାସଲ କରିଛି ଓ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ସହାୟତାରେ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ହାସଲ କରିଛି ଭାଷା ସମ୍ମିଳନୀ ନାଁରେ । ଏହି ସଂସ୍ଥାର ଆପରାଧିକ ଆଚରଣର ପ୍ରାମାଣିକ ତଥ୍ୟ ଭାଷା ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପୁସ୍ତକ ‘ମିଛ କେବେ ସତ ହୁଏନା’ରେ ଲିପିବଦ୍ଧ ହୋଇଛି । ସରକାରୀ ସନ୍ଦର୍ଭ ଚୋରୀ ପାଇଁ ଏହା ବିରୁଦ୍ଧରେ ଆରମ୍ଭ ହୋଇଥିବା ତଦନ୍ତ ଯେ ଏହି ଅପରାଧୀଙ୍କୁ ଦିନେ କାରାଗାରକୁ ପଠାଇବ, ତାହା ବି ଏହି ମାଫିଆ ଗୋଷ୍ଠୀ ଜାଣେ । ଏହି ପରିସ୍ଥିତିରେ ପୂର୍ବ ପରି ଏହା ରାଜ୍ୟ ରାଜକୋଷ ଲୁଟ୍ କରିବା ଆଉ ସହଜ ହୋଇ ନପାରେ ବୋଲି ଆଶଙ୍କା କରୁଛି । ତେଣୁ, କେନ୍ଦ୍ର ସରକାରଙ୍କ ପାଣ୍ଠି ଉପରେ ଏହା ନଜର ପକାଇଛି । ଏହି କାମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସାହାଜ୍ୟ କରୁଥିବା ପ୍ରକାଶ । ଏପରି ସନ୍ଦେହର କାରଣ ହେଲା, ଏହି ସଂସ୍ଥାର କର୍ମକର୍ତ୍ତା ଏ ଭିତରେ ଯେଉଁଦିନ ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ, ତହିଁ ପରେ ପରେ କେନ୍ଦ୍ର ସରକାରଙ୍କ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଏଙ୍କ ପାଲରେ ପଡ଼ିଛି ।

ଓଡ଼ିଶାର ବହୁ ଖବରକାଗଜରେ ଗତକାଲି ପ୍ରକାଶ ପାଇଛି କି, ଓଡ଼ିଆ ଭାଷାରେ ଯାନ୍ତ୍ରିକ ଶିକ୍ଷାଦାନ ହେବ ଓ ସେଥିପାଇଁ ଉପରୋକ୍ତ କେନ୍ଦ୍ରୀୟ ପରିଷଦ ପୁସ୍ତକ ପ୍ରଣୟନ ଦାୟିତ୍ଵ  ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ କୁ ପ୍ରଦାନ କରିଛି । ଏହି ସଂସ୍ଥାର ମାଲିକ ସୁବ୍ରତ ପୃଷ୍ଟି ଏକ ଟିଭି ପ୍ରସାରଣର ଏକ ୟୁଟ୍ୟୁବ୍  ଲିଙ୍କ୍ ପ୍ରଦାନ କରି ଏହି ଖବରକୁ ପ୍ରସାରିତ ବି କରିଛନ୍ତି ।  ତାହା ନିମ୍ନରେ ସ୍ଥାନିତ ହେଲା । 

ଏହି ପ୍ରଚାର ଉପରୋକ୍ତ ପରିଷଦ କରିନାହିଁ ; କରିଛି ଏହି ମାଫିଆ ସଂସ୍ଥା, ନିଜ ପ୍ରଚାର ପାଇଁ, ନିଜ ସପକ୍ଷରେ । ଏହା ସହ ଜଡ଼ିତ ସିପ୍ରା ମଳିକ ଏଥିରେ ଯେଉଁ ବୟାନ ରଖିଛନ୍ତି ତହିଁରୁ ଆଶଙ୍କା ଉପୁଜେ କି, ଯଦି  ଏହି କେନ୍ଦ୍ରୀୟ ପରିଷଦ ଏହି ମଫିଆ ଗୋଷ୍ଠୀ ସହ ଆରମ୍ଭ କରିଥିବା ଅସଂଯତ ସହବାସ ବନ୍ଦ ନକରେ, ତେବେ ଯାନ୍ତ୍ରିକ ଶିକ୍ଷା ପାଇଁ ଗୁଡ଼େ ନିମ୍ନମାନର ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବ । ସେହି ପୁସ୍ତକ ଉପରେ ନିର୍ଭର କରି ଯେଉଁମାନେ ଯାନ୍ତ୍ରିକ ଶିକ୍ଷା ଅର୍ଜନ କରିବେ ସେମାନେ ଚାକିରି ପାଇଲେ ସାରା ରାଜ୍ୟ ବୁଡିଯିବ ବିପଦରେ । 

ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଉପରୋକ୍ତ ପରିଷଦକୁ ଚିଠି ଲେଖି ଏହି ଅସଂଯତ ସହବାସ ବନ୍ଦ କରିବାକୁ ଦାବି କରିଛନ୍ତି ଓ ଭାଷା ମାଫିଆଙ୍କ ପରିବର୍ତ୍ତେ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଓ /ବା ଓଡ଼ିଆ ଭାଷା ପ୍ରତିଷ୍ଠାନ ପରି ଉଚ୍ଚ ମାନଯୁକ୍ତ ସରକାରୀ ସଂସ୍ଥାର ଆଶ୍ରୟ ନେବାକୁ ପରାମର୍ଶ ଦେଇଛନ୍ତି ।   

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.