ଭାଷାପ୍ରେମୀ ସଚେତନ ଓଡ଼ିଆମାନେ ପିପିଲିରେ ଆଶ୍ରିତ ପଟ୍ଟନାୟକଙ୍କୁ ସମର୍ଥନ କରନ୍ତୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପିପିଲି ଉପନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ଭାଷାପ୍ରାଣ ସଚେତନ ଓଡ଼ିଆମାନଙ୍କ ସମର୍ଥନ ପାଇବା ଆବଶ୍ୟକ । ତଦ୍ଦ୍ଵାରା ଆମ ଭାଷାକୁ ମାରିଦେବା ପାଇଁ ଚକ୍ରାନ୍ତ ଚଳାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଶିକ୍ଷା ଲାଭ କରିବେ ତାହା ହୁଏତ ତାଙ୍କୁ ସୁଧାରିଦେଇପାରେ । 

ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ଜାଣନ୍ତିନାହିଁ । ସେଥିପାଇଁ ସେ ଦାୟୀ ନୁହନ୍ତି । ତାଙ୍କ ବାପା ବିଜୁ ପଟ୍ଟନାୟକ ସେଥିପାଇଁ ଦାୟୀ । କାରଣ, ବିଜୁବାବୁ ଜାଣିଥିଲେ ଯେ ତାଙ୍କ ସ୍ତ୍ରୀ ଜଣେ ଅଣଓଡ଼ିଆ, ଯେ କି ତାଙ୍କ ପିଲାଙ୍କୁ ଓଡ଼ିଆ ଭାଷା ଶିଖାଇ ପାରିବେ ନାହିଁ । ସୁତରାଂ ସେ ନିଜେ ଏହି ଦାୟିତ୍ଵ ନେବା ଆବଶ୍ୟକ ଥିଲା । ନେଲେ ନାହିଁ । କାରଣ ସେ ନିଜେ ଓଡ଼ିଆ ଭାଷାକୁ ଘୃଣା କରୁଥିଲେ । ଓଡ଼ିଆ ପରି ଭାଷା ପ୍ରଚଳିତ ଥିବା ଭାରତକୁ ଗୋଟେ ଦେଶ ବୋଲି ମାନିବାକୁ ସେ ପ୍ରସ୍ତୁତ ନଥିଲେ (“This (India) is not a country at all” – ବିଧାନସଭା ବିତର୍କ ୧୯୮୫, ପୃଷ୍ଠା ୧୦୮) । ଇଂରାଜୀ ଭାଷାକୁ କବର ତଳୁ ଉଠାଇ ଆଣି ସେ ଆମ ଉପରେ ଲଦିଦେବାକୁ ଯେଉଁ ଅବୈଧ ସଂଶୋଧନ ଘଟାଇଲେ ୧୯୬୩ରେ , ସେତେବେଳେ ସେ ଅତି ଔଦ୍ଧତ୍ୟପୂର୍ଣ୍ଣ ଭାବେ ନିଜ ବୁନିଆଦିର ପରିଚୟ ଦେଇ କହିଥିଲେ, ଓଡ଼ିଆ ନୁହେଁ, ଇଂରେଜ ହିଁ ତାଙ୍କ ବୁନିଆଦି ; ଇଂରେଜ ଲୋକଙ୍କ ସଂସ୍କୃତି ହିଁ ତାଙ୍କ ସଂସ୍କୃତି, ଇଂରାଜୀ ହିଁ ତାଙ୍କ ଭାଷା । ରାଜନୈତିକ ଅକଳରେ ପଡି ସେ ଓଡ଼ିଆ କଥା କହୁଛନ୍ତି ବୋଲି କହିଥିଲେ (ବିଧାନସଭା ବିବରଣୀ, ୩୦.୯.୧୯୬୩) । ଯେଉଁ ବିଧାନସଭା ସଦସ୍ୟ ଇଂରାଜୀ ଜାଣନ୍ତିନାହିଁ, ସେମାନଙ୍କୁ ବିଜୁବାବୁ ଘୃଣା କରୁଥିଲେ ; ଏପରିକି ବିଧାନସଭାକୁ ସେମାନେ ନ ଆସିବା ଆବଶ୍ୟକ ବୋଲି କହିଥିଲେ (“Every member should know English before coming to this House” – ବିଧାନସଭା ବିବରଣୀ, ୨୩.୮.୧୯୬୧) । ସେ କହିଥିଲେ, ଆମକୁ ଇଂରାଜୀ ଭାଷାର ବ୍ୟବହାର ପ୍ରବଳ କରିବାକୁ ହେବ । ଏହାକୁ ଅଧିକତର ଭଲ ଭାବେ ବ୍ୟବହାର କରିବାକୁ ହେବ, ଅଧିକ ଦୃଢ ଭାବେ ବ୍ୟବହାର କରିବାକୁ ହେବ, ସବୁକାମରେ ଅଧିକରୁ ଅଧିକ ପରିପୂର୍ଣ୍ଣ ଭାବେ ବ୍ୟବହାର କରିବାକୁ ହେବ, ଠିକ୍ ଯେମିତି ଆମ ପୂର୍ବତନ ପ୍ରଭୁ (ଇଂରେଜ ଶାସକ)ମାନେ କରୁଥିଲେ (“We must use it in a better way, in a stronger way and in a fuller way as our erstwhile masters did“- ବିଧାନସଭାରେ ବିଜୁ ପଟ୍ଟନାୟକ, ୩୦.୯.୧୯୬୩) । ଏହିପରି ଜଣେ ଓଡ଼ିଆଭାଷାବିଦ୍ଵେଷୀ ପାଜି ଲୋକ ଥିଲେ ବିଜୁ ପଟ୍ଟନାୟକ ।

ନବୀନ ପଟ୍ଟନାୟକ ତାଙ୍କଠାରୁ ବି ବଳି ଯାଇଛନ୍ତି । ସେ ଆମ ଭାଷାର ବ୍ୟବହାରିକ ମୂଲ୍ୟ କେବଳ ଧ୍ଵଂସ କରିଦେଇଛନ୍ତି ନୁହେଁ, ନିଜ ମନ୍ତ୍ରୀମାନଙ୍କୁ ଓ ସହକର୍ମୀମାନଙ୍କୁ ବି ତାଙ୍କ ସହ ଇଂରାଜୀରେ କଥା ହେବାକୁ ବାଧ୍ୟ କରୁଛନ୍ତି । ଏହି ଲଜ୍ଜାଜନକ ସ୍ଥିତି ମୋ ପ୍ରତ୍ୟକ୍ଷ ନଜରକୁ ଆସିଥିଲା ସେହିଦିନ, ଯେଉଁ ଦିନ ସେ ମୋତେ ଆଲୋଚନା ପାଇଁ ତାଙ୍କ ସଚିବାଳୟ ପ୍ରକୋଷ୍ଠକୁ ଡାକିଥିଲେ । “କୁହନ୍ତୁ” ବୋଲି ଓଡ଼ିଆରେ କହିଲେ । ତେଣୁ ମୋର ଯାହା କହିବା କଥା ମୁଁ ଓଡ଼ିଆରେ କହିଥିଲି । ସେଠାରେ ଉପସ୍ଥିତ ଥିବା ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ତତ୍କାଳୀନ ରାଜ୍ୟସଭା ସଭ୍ୟ ପ୍ରତାପ କେଶରୀ ଦେବ ଓ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୁଁ କହୁଥିବା କଥାକୁ ଇଂରାଜୀରେ ଅନୁବାଦ କରି ତାଙ୍କୁ କହୁଥିଲେ ।

ଅତଏବ, ନବୀନବାବୁ ତାଙ୍କ ସହକର୍ମୀମାନଙ୍କୁ ଇଂରେଜୀରେ କଥା କହିବାକୁ ବାଧ୍ୟ କରୁଛନ୍ତି କେବଳ ନୁହେଁ, ମୋ ପରାମର୍ଶ (http://odia.odisha.gov.in/niyama-bali.html ) ମୁତାବକ କାର୍ଯ୍ୟାଳୟ ଭାଷା ଆଇନରେ ଧାରା – ୫ ଅନ୍ତଃ ସ୍ଥାପିତ କରିଥିଲେ ମଧ୍ୟ, ଆମ ଜାତିର ଭାଷା ଅଧିକାରକୁ ପଣ୍ଡ କରିଦେବା ଉଦ୍ଦେଶ୍ୟରେ ଆଇନଟିକୁ ଅଚଳ କରିଦେବା ପାଇଁ ଜାଲିଆତି ପ୍ରୟୋଗ କରି ତହିଁରେ ଧାରା ୪ ଓ ଧାରା ୪କ ଖଞ୍ଜିଛନ୍ତି । ସେହି ଜାଲିଆତି ଧରାପଡି ତା ବିରୁଦ୍ଧରେ ଭାଷା ଆନ୍ଦୋଳନ କାଳେ ତୀବ୍ର ହେବ, ଏହି ଭୟରେ ମୋର ଦୁଇଜଣ ସହକର୍ମୀ, ଯେଉଁମାନଙ୍କ ଚାଟୁକାରୀତାରେ ବିଭ୍ରାନ୍ତ ହୋଇ ମୁଁ ସେମାନଙ୍କୁ ଭାଷା ଆନ୍ଦୋଳନର ଆବାହକ ଓ ସଭାପତି ପଦ ପ୍ରଦାନ କରିଥିଲି, ସେମାନଙ୍କ ଅର୍ଥଲୋଭର ଉପଯୋଗ କରି, ଭାଷା ଆଇନ ନିର୍ଭୁଲ ହୋଇଯାଇଛି ବୋଲି ପ୍ରଚାର ବି କରାଇଛନ୍ତି ।

ଆମ ଭାଷା ବିରୁଦ୍ଧରେ ଏହି ବିପଜ୍ଜନକ ଚକ୍ରାନ୍ତ ପ୍ରତି ଜନରୋଷ ପ୍ରକାଶ ପାଇବା ଆବଶ୍ୟକ । ତେବେ ହୁଏତ କିଛି ପରିବର୍ତ୍ତନ ଆସିପାରେ ।

ଏଥିପାଇଁ ଆବଶ୍ୟକ ପିପିଲିରେ ଭାଷାପ୍ରେମୀ ସଚେତନ ଓଡ଼ିଆମାନଙ୍କର ନବୀନବାବୁଙ୍କ ପ୍ରାର୍ଥୀ ବିରୁଦ୍ଧରେ ମତଦାନ ।

ସେଠାରେ ଦୁଇ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି । ସେମାନେ ହେଲେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । କଂଗ୍ରେସ ଦଳର ଜିତିବା ସମ୍ଭାବନା ଆଦୌ ନଥିବାରୁ ସେହି ଦଳ ସେଠାରେ କୌଣସି ପ୍ରାର୍ଥୀ ନଦେଇ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ନିଜ ନିଦା ସମର୍ଥକମାନଙ୍କୁ ସଞ୍ଚାଳିତ କରୁ ବୋଲି ମୁଁ ଏକ ଖୋଲା ନିବେଦନ କରିଥିଲି । ମାତ୍ର କଂଗ୍ରେସ ଦଳ ସତ୍ତାହୀନ ହୋଇଯାଇନାହିଁ ବୋଲି ଲୋକଙ୍କୁ ଧାରଣା ଦେବାକୁ ଶେଷ ମୁହୂର୍ତ୍ତରେ ଜଣେ ଧନୀ ବ୍ୟକ୍ତିଙ୍କୁ ପ୍ରାର୍ଥୀ ରୂପେ ଠିଆ କରାଇଛି ।

ପିପିଲିର ବାସ୍ତବ ସ୍ଥିତି ଅନୁଧ୍ୟାନ କଲା ପରେ ମୋର ହୃଦ୍ବୋଧ ହୋଇଛି କି, କଂଗ୍ରେସ ପ୍ରାର୍ଥୀ ଅର୍ଥ ବଳରେ ସମସ୍ତଙ୍କ ଠାରୁ ଆଗୁଆ ଥିଲେ ମଧ୍ୟ ମନମୋହନ ସିଂହ କଂଗ୍ରେସର ପ୍ରଧାନମନ୍ତ୍ରୀ ଥାଇ ଭାରତକୁ ଯେପରି ଆମେରିକାର ବ୍ୟବସାୟୀମାନଙ୍କ ପାଖରେ ବିକି ଦେଇଥିଲେ ଓ ପୁଞ୍ଜିବାଦର ଉତ୍କଟ ଅରାଜକତା କବଳରେ ଭାରତର ସାଧାରଣ ଲୋକର ସର୍ବନାଶ ଘଟାଇଥିଲେ, ତାହା ଲୋକେ ଏଯାଏଁ ଭୁଲିନାହାନ୍ତି ଓ ସେଥିପାଇଁ ପୁଞ୍ଜି ବଳରେ ବଳବାନ ହୋଇଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ସାଧାରଣ ଲୋକଙ୍କ ସମର୍ଥନ ପାଇବାକୁ ସମର୍ଥ ହେବେନାହିଁ । ପ୍ରତିଦ୍ୱନ୍ଦିତା ହେବ ରୁଦ୍ର ପ୍ରତାପ ମହାରଥୀ ଓ ଆଶ୍ରିତ ପଟ୍ଟନାୟକଙ୍କ ଭିତରେ । ତେଣୁ, ଆମ ଭାଷା ଶତ୍ରୁ ନବୀନ ପଟ୍ଟନାୟକଙ୍କ ପ୍ରତି ସଚେତନ ଓଡ଼ିଆମାନେ ଯଦି ନିଜ ନିଜ ଭାଷାପ୍ରେମୀ ରୋଷ ପ୍ରକଟ କରିବାକୁ ଚାହାନ୍ତି , ତେବେ ସେମାନଙ୍କ କର୍ତ୍ତବ୍ୟ ହେଉଛି ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ନିଜ ନିଜର ମତଦାନ କରିବା । କାରଣ, ତଦ୍ଦ୍ଵାରା ସେମାନଙ୍କ ଭୋଟ ହୁଏତ ବ୍ୟର୍ଥ ନ ହୋଇପାରେ ।

ହାରିଯାଉଥିବା ପ୍ରାର୍ଥିମାନଙ୍କୁ ଭୋଟ ଦେଇ ନିଜ ଭୋଟ ବ୍ୟର୍ଥ କରିବା ପରିବର୍ତ୍ତେ ଆଶ୍ରିତ ପଟ୍ଟନାୟକଙ୍କୁ ଏତେ ଭୋଟ ଦିଆଯିବା ଉଚିତ ଯେ, ନବୀନ ପଟ୍ଟନାୟକ ଅନୁଭବ କରିବେ, ଓଡ଼ିଆ ଭାଷା ବିରୁଦ୍ଧରେ ଗଲେ କଣ ହୋଇପାରେ ।

ନେପଥ୍ୟ କୋଳାହଳକାରୀମାନେ ସାମ୍ପ୍ରଦାୟିକତାବାଦ ଓ ପ୍ରତିକ୍ରିୟାଶୀଳତା କଥା ଉଠାଉଛନ୍ତି; ଆହୁରି ଉଠାଇବେ ।

କୌଣସି ପ୍ରଗତିଶୀଳ ବ୍ୟକ୍ତି ତହିଁରେ ବିଭ୍ରାନ୍ତ ନ ହେବା ଉଚିତ । କାରଣ ବିଜେଡି ବା କଂଗ୍ରେସ କେହି ଯେ ସାମ୍ପ୍ରଦାୟିକତାବାଦ ଓ ପ୍ରତିକ୍ରିୟାଶୀଳତା ଦ୍ଵାରା ଆକ୍ରାନ୍ତ ନୁହନ୍ତି, ତା ନୁହେଁ । ଏମାନେ ଏକା ନାଉର ମଞ୍ଜି । ଯଥା :-
ସାମ୍ପ୍ରଦାୟିକତାବାଦ ଓ ପ୍ରତିକ୍ରିୟାଶୀଳତାର ଜୀବନ୍ତ ପ୍ରତିମୂର୍ତ୍ତି ହେଉଛନ୍ତି ନବୀନ ପଟ୍ଟନାୟକ , ଯାହାଙ୍କ ରାଜୁତି ଟାଟା ସାମ୍ରାଜ୍ୟକୁ ପ୍ରତିରୋଧ କରିଥିବା ପ୍ରତିକ୍ରିୟାରେ କଳିଙ୍ଗ ନଗରରେ ନିରୀହ ଆଦିବାସୀମାନଙ୍କର ବିଭତ୍ସ ହତ୍ୟା ଘଟାଇଥିଲା ଓ ଭାଷା ଆନ୍ଦୋଳନକୁ ସମର୍ଥନ ପ୍ରଦାନ ପ୍ରତିକ୍ରିୟାରେ କେନ୍ଦ୍ରପଡାର ରଞ୍ଜନ କୁମାର ଦାସଙ୍କ ହତ୍ୟାକାଣ୍ଡ ଘଟାଇଛି । ଜଗନ୍ନାଥ ମନ୍ଦିର ହେଉ ବା ଲିଙ୍ଗରାଜ ମନ୍ଦିର ହେଉ ବା ସମଲେଇ – ଏଥିରେ ଧର୍ମନିରପେକ୍ଷ ରାଷ୍ଟ୍ରର ଯେଉଁ ପ୍ରଭୂତ ପାଣ୍ଠି ବ୍ୟୟ ହେଉଛି ତାହା କଣ ନବୀନ ପଟ୍ଟନାୟକଙ୍କ ଦ୍ଵାରା ରାଷ୍ଟ୍ରର ସମ୍ପ୍ରଦାୟିକ ବିନିଯୋଗ ନୁହେଁ? ତାଙ୍କୁ ଭୋଟ ଦେଲେ ତାହା ଯେ ସାମ୍ପ୍ରଦାୟିକତାବାଦ ଓ ପ୍ରତିକ୍ରିୟାଶୀଳତା ବିରୁଦ୍ଧରେ ଯିବ, ଏଥିରେ ସନ୍ଦେହ ରହିପାରେ କି ? ସେହିପରି ବି କଂଗ୍ରେସ । ଏହି ଦଳର ସର୍ବମନ୍ୟ ନେତା ହୋଇରହିଥିବା ମନମୋହନ ସିଂହଙ୍କ ମୁଣ୍ଡର ପଗଡି କଣ ବେସମ୍ପ୍ରଦାୟିକ? ଆମେରିକା ବେପାରୀଙ୍କୁ ଲାଭର ମହାସ୍ରୋତ (“bonanza for US firms” – Reuters August 25, 2007) ଯୋଗାଇଥିବା କଂଗ୍ରେସ ସରକାରକୁ ବାମପନ୍ଥୀମାନଙ୍କ ଅସହଯୋଗ ହେତୁ ସେମାନଙ୍କୁ “ବାମ ଭୂତାଣୁ” (left viruses) ବୋଲି ସେହି ଦଳର ପ୍ରଧାନମନ୍ତ୍ରୀ ଯାହା କହିଥିଲେ, ତାହା କଣ ପ୍ରତିକ୍ରିୟାଶୀଳତା ନଥିଲା? ଅତଏବ କଂଗ୍ରେସ ଦଳ ସାମ୍ପ୍ରଦାୟିକତାବାଦ ଓ ପ୍ରତିକ୍ରିୟାଶୀଳତା ଦ୍ଵାରା ସମ ପରିମାଣରେ ଆକ୍ରାନ୍ତ ।

କେତେକ ନେପଥ୍ୟ କୋଳାହଳକାରୀ ଏପରି ବିଭ୍ରାନ୍ତିମୂଳକ ବାକ୍ ଚାତୁରୀ ଚଳାଇଛନ୍ତି, ସତେ ଯେମିତି କେବଳ ବିଜେପି ଏହି ଦୋଷରେ ଦୋଷୀ , ଆଉ ଏହି ଉଭୟ ଦଳ ସୁନାପୁଅ ! ମୋ ବିଚାରରେ ଏହି ନେପଥ୍ୟ କୋଳାହଳକାରୀମାନେ ଓଡ଼ିଆ ସ୍ଵାର୍ଥ ପଥରେ ସବୁଠୁ ବଡ଼ ଅନ୍ତରାୟ । ଏମାନଙ୍କ ବାକ୍ ଚାତୁରୀ ଭାଷାଦ୍ରୋହ ପାଇଁ ନବୀନ ବାବୁଙ୍କୁ ପାନେ ଦେବା ପାଇଁ ପିପିଲି ଦେଉଥିବା ସୁଯୋଗକୁ ହାତଛଡା କରାଇବାକୁ ଉଦ୍ଦିଷ୍ଟ ।

ମୁଁ ଆଶାକରେ ନୀତିନିଷ୍ଠ ଭାଷା ଆନ୍ଦୋଳନକାରୀମାନେ ଏହି ବିଭାବନାକୁ ଗୁରୁତ୍ଵ ସହ ବିଚାରକୁ ନେବେ ।

ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଆ ଜାତିର ଭାଷା ଅଧିକାରକୁ ନିର୍ବାଚନର କେନ୍ଦ୍ର ପ୍ରସଙ୍ଗ କରାଇବା ଆମ ଉଦ୍ଦେଶ୍ୟ । ପୁନରୁକ୍ତି ନିଷ୍ପ୍ରୟୋଜନ ଯେ, ସିପିଆଇ ଓ ସିପିଏମ ସାଙ୍ଗକୁ ଆଶ୍ରିତ ପଟ୍ଟନାୟକଙ୍କ ଦଳ ହିଁ ଗତ ନିର୍ବାଚନରେ ଆମ ଭାଷା ଅଧିକାର କାର୍ଯ୍ୟକାରୀ କରିବାକୁ ନିଜ ନିଜ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ । ଏହି ତିନିଦଳ ମଧ୍ୟରୁ କେବଳ ଆଶ୍ରିତ ପଟ୍ଟନାୟକଙ୍କ ଦଳ ହିଁ ପିପିଲିରେ ନିର୍ବାଚନ ଲଢୁଛି । ସୁତରାଂ, ପିପିଲିର ସଚେତନ ଭୋଟ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିବା ଉଚିତ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.