ଭାଷା ମାଆ ପାଇଁ କବିତାଟିଏ //କବିସୌରଭ କୈଳାଶଚନ୍ଦ୍ର ବେହେରା

[ଆମ ଭାଷାକୁ ମାରିଦେବା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତା କବଳରେ ପଡ଼ି ଆମ ଜାତିର ପରିଚୟ ଏବେ ବିପଦାପନ୍ନ । ତାକୁ ବିପଦମୁକ୍ତ କରିବା ପାଇଁ ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ, ତାହା ପ୍ରତ୍ୟାହୃତ ହୋଇସାରିଛି ବୋଲି ଏକଦା ଆନ୍ଦୋଳନ ପ୍ରତିଷ୍ଠତାଙ୍କ ଦୁଇ ସହଯୋଗୀଙ୍କଠାରୁ କଳା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଲେଖେଇନେଇଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷାକୁ ମାରିଦେବା ପାଇଁ ଏପରି କୁତ୍ସିତ ଚକ୍ରାନ୍ତ କରିବା ସାରା ବିଶ୍ବରେ ବିରଳ । ବିଶ୍ବରେ ବିରଳ ମଧ୍ୟ ଆମ ଆନ୍ଦୋଳନ ପରି ଏକ ଆନ୍ଦୋଳନ ଯାହା ନିଜର ମାତୃଭାଷାକୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ନୀରବରେ ନିଜର ଦାବି ନିବେଦନ କରିପାରେ । ଏହି ଆନ୍ଦୋଳନ ଏତେ ନୀତିନିଷ୍ଠ ଯେ, କରୋନା ପରିଚାଳନାରେ ସରକାରଙ୍କୁ ଚାପମୁକ୍ତ  ରଖିବା ପାଇଁ ଏହା ପ୍ରତ୍ୟହ ଚଳାଇଥିବା କଳାପତାକା ଅଭିଯାନକୁ କାୟିକତଃ ସ୍ଥଗିତ ରଖିଛି ; କିନ୍ତୁ ଅବ୍ୟାହତ ରଖିଛି ବୌଦ୍ଧିକ ସ୍ତରରେ । ପ୍ରତିଦିନ ଆନ୍ଦୋଳନର ଦାବି ଅଦ୍ୟତନ କରାଯିବା ସଙ୍ଗେ ସଙ୍ଗେ ପ୍ରତି ରବିବାର ସନ୍ଧ୍ୟା ୭ରୁ ଚାଳୁଛି ନଭମଞ୍ଚ ମାଧ୍ୟମରେ ଏହାର  ସାରସ୍ଵତ ସାଙ୍ଗଠନିକ ଅଧିବେଶନ ; ଏବଂ ପ୍ରତି ସୋମବାର ପୂର୍ବାହ୍ନ ୧୦ରେ ଫେସବୁକରେ ଥିବା  ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଜଣେ ବିଜ୍ଞ ଓଡ଼ିଆ ଆନ୍ଦୋଳନର ଦାବି ଯଥାର୍ଥ ଓ ତାହାକୁ ସରକାର ମାନିନିଅନ୍ତୁ ବୋଲି ସାରଗର୍ଭକ ପରାମର୍ଶ ଦେଉଛନ୍ତି ସରକାରଙ୍କୁ । ବିଶ୍ଵର ଆନ୍ଦୋଳନ ଇତିହାସରେ ଏହା ଯେତିକି ବିରଳ, ସେତିକି ଅଭିନବ । ଏହି କ୍ରମରେ ଅନୁଷ୍ଠିତ ରବିବାସରୀୟ ଅଧିବେଶନରେ ଯେଉଁ ସମସ୍ତ ଭାଷାମନସ୍କ  କବିତା ଉପସ୍ଥାପିତ ହେବ, ସେଗୁଡ଼ିକୁ ଏହି ମଞ୍ଚରେ ଆମେ ‘ଭାଷା ମାଆ ପାଇଁ କବିତାଟିଏ ‘ ପୃଷ୍ଠାରେ ସ୍ଥାନିତ କରିବୁ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ )]

                                                                                         ଓଡ଼ିଆ ଭାଷାର ଭବିଷ୍ୟତ

                                                                                                  କବିସୌରଭ କୈଳାଶଚନ୍ଦ୍ର ବେହେରା

ଭାଷା ଅଟେ ଆମ ଓଡ଼ିଆ ,
ସବୁଠାରୁ ଭାରି ବଢ଼ିଆ ,
କଥା କହୁଥିଲେ ମିଠା ଲାଗୁଥିବ
ଖାଇବ ଯେମିତି ନଡ଼ିଆ ।
କେଉଁ କାଳୁ ଏହା ରହିଛି ,
କେତେ ଝଡ଼ ଝଞ୍ଜା ସହିଛି ,
ପୁରାତନ ଆଉ ଓଜସ୍ବିନୀ ବୋଲି
କବିଙ୍କ କଲମେ କହିଛି ।
ପଡୋଶୀ ରାଇଜୁ୰ ଆସିଲେ ,
ଆମ ଲୋକ ସଙ୍ଗେ ମିଶିଲେ ,
ଆମ ଖାଦ୍ୟଖାଇ ବଡ଼ ଲୋକ ହୋଇ
ଆମ ଭାଷା ପ୍ରାଣ ଶୋଷିଲେ ।
ଭକ୍ତ କବି ମଧୁସୂଦନ ,
ସଙ୍ଗରେ ଫକୀର ମୋହନ ,
ରାତାରାତି ପୋଥି ରଚନା କରିଲେ
ରଖିଲେ ଭାଷାର ସମ୍ମାନ ।
ଶିକ୍ଷିତ ଯୁବକ ଆଜିର
ଭାଷାକୁ କଲେ ଅନାଦର ,
କଥାକଥାକେସେ ଇ°ରେଜୀ ଚୋବାନ୍ତି
ମାଆକୁ ନକରି ଖାତର ।
ଯଦି ବା ଓଡ଼ିଆ ଲେଖନ୍ତି ,
ବିକଳାଙ୍ଗ ତାକୁ କରନ୍ତି ,
ବନାନ ଅଶୁଦ୍ଧି କରିଦେଇ ସବୁ
ଲୋକେ ହାସ୍ୟାସ୍ପଦ ହୁଅନ୍ତି ।
ଚାଲ ଆମେ ଭାଷା ଶିଖିବା ,
କହିବା , ପଢ଼ିବା , ଲେଖିବା ,
ଭାଷାଜନନୀକୁ ସୁସମ୍ମାନ ଦେଇ
ସଙ୍କଟରୁ ତାକୁ ରଖିବା ।
—————————————-
                                                                                                           ସମ୍ପାଦକ , ଉତ୍କଳ ସମ୍ମିଳନୀ ,
                                                                                                           କନ୍ଧମାଳ ଜିଲ୍ଲା ଶାଖା ,ବାଲିଗୁଡା ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.