ସାହିତ୍ୟିକମାନେ ଭାଷା ଜାତୀୟତା ପାଇଁ ଉଦ୍ୟମ କରନ୍ତୁ : ଭାଷା ଆନ୍ଦୋଳନର ରବିବାସରୀୟ ପାଠଚକ୍ର

(ସୂତ୍ର : ଆମ ଭାଷା ଆମ ଅଧିକାର)

ଗତ ରବିବାର ସନ୍ଧ୍ୟାରେ ଭାଷା ଆନ୍ଦୋଳନର ସପ୍ତାହନ୍ତ ଭର୍ଚୁଆଲ୍ ପାଠଚକ୍ରରେ ଭାଇ ମହେନ୍ଦ୍ର ତ୍ରିପାଠୀ , ସୁଶାନ୍ତ କୁମାର ମାହାଳି, ସରୋଜ କୁମାର ମହାନ୍ତି, ଶ୍ୟାମଘନ ମହାରଣା ଓ ରଞ୍ଜନ କୁମାର ସାହୁ ସ୍ଵରଚିତ କବିତା ମାଧ୍ୟମରେ ଓଡ଼ିଆଭାଷା ମାଆର ମହତ୍ଵ ଅଙ୍କନ କରିଥିବା ବେଳେ, ଭାଇ ସରୋଜ କୁମାର ମହାନ୍ତି ଭିତ୍ତିବକ୍ତବ୍ୟ ପ୍ରଦାନ କରି ଓଡ଼ିଶାର ସାହିତ୍ୟିକମାନେ ଉଦାସୀନତା ପରିହାର କରି ଭାଷା ଜାତୀୟତାର ବହ୍ନି ପ୍ରଜ୍ଜ୍ଵଳିତ କରିବାକୁ ଆହ୍ଵାନ ଦେଇଥିଲେ । ସେ କହିଥିଲେ,

ମୁଁ କିଏ? କ’ଣ ମୋ’ର ପରିଚୟ?? ଯଦି କେହି ନିଜକୁ ସର୍ବ-ଭାରତୀୟ ତଥା ଜାତୀୟ ସ୍ତରରେ ଏହି ପ୍ରଶ୍ନ ପଚାରେ, ତେବେ ଉତ୍ତର କଣ ଆସିବ? ମୁଁ ନିଶ୍ଚୟ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବି । ମୋର ପରିଚୟ ହେବ, ଓଡ଼ିଆ ଭାଷାକୁ ନେଇ। ମୋର ପରିଚୟ ହେବ, ଓଡ଼ିଆ ଭାଷା ପ୍ରଚଳିତ(କଥିତ ଓ ଲିଖିତ) ଭୂଖଣ୍ଡ ଅନୁସାରେ । ଏହାର ଅର୍ଥ ମୋର ପରିଚୟ , ମୋ’ଭାଷା ଉପରେ ଆଧାରିତ । ଏଠି ଓଡ଼ିଆ ଭାଷା, ମୋ’ ଜନ୍ମ କଲା ମା’/ ବୋଉ ଭଳି । କାରଣ, ସେହି ଭାଷାର ହାତଧରି ମୁଁ ଶିଖିବା ଆରମ୍ଭ କରିଥିଲି । ତାରି ସହାୟତାରେ ମୋ’ ଆନୁଷ୍ଠାନିକ ଶିକ୍ଷାର ମୂଳଦୁଆ ପଡ଼ିଥିଲା । ମୁଁ ଛୋଟରୁ ବଡ଼ ହେଲି, ପ୍ରତିଷ୍ଠା ଲାଭ କଲି ।
                ଅଥଚ ମୋ’ ପିଲାଙ୍କୁ ସେହି ଭାଷାର ମହତ୍ତ୍ୱଠାରୁ ଦୂରେଇ ଦେଇ,କେବଳ ବିଦେଶୀ ଭାଷାର ମୋହରେ ଲୋଭଗ୍ରସ୍ତ କଲି । ପରିଶେଷରେ ମୋ’ ମାତୃଭାଷାକୁ ବୃଦ୍ଧାଶ୍ରମରେ ଛାଡି ଚିନ୍ତାମୁକ୍ତ ହୋଇଗଲି ।
                ଏଭଳି ସମସ୍ୟା ଆଜିକାଲି ପ୍ରାୟତଃ ସମ୍ଭ୍ରାନ୍ତ ଶ୍ରେଣୀରୁ ଧିରେ ଧିରେ ତଳ ସ୍ତରକୁ ମାଡ଼ିଲାଣି । ଏହାର କାରଣ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା । କିନ୍ତୁ ସଚେତନ ହେବାକୁ ଆମେ ପ୍ରସ୍ତୁତ ନୁହଁ ।ଏଭଳି ପରିସ୍ଥିତିରେ ଆମ ଭାଷାର ସାହିତ୍ୟିକମାନଙ୍କ ସ୍ୱାର୍ଥପରତା, କୌଣସି ଗୁଣରେ କମ ନୁହେଁ । ଓଡ଼ିଆ ଭାଷା, ଲିପି ଓ ଶବ୍ଦକୁ ନେଇ ସାହିତ୍ୟ । ସାହିତ୍ୟ ସାଧନାରୁ, ସାହିତ୍ୟିକର ନିଜସ୍ୱ ପରିଚୟ । କିନ୍ତୁ, ବିଡମ୍ବନାର ବିଷୟ ଏହା ଯେ, ସେମାନେ(ଅଳ୍ପ କିଛିଙ୍କୁ ବାଦ ଦେଇ) ନିଜର ପ୍ରତିଷ୍ଠା, ସମ୍ମାନ,ପୁରସ୍କାର, ଧନରାଶିର ଲାଳସାରେ ବ୍ୟସ୍ତ ରହିଲେ । ସାହିତ୍ୟକୁ ଏକଚାଟିଆ ଭାବେ ବନ୍ଦୀ କରି ରଖିବାକୁ ଚେଷ୍ଟା କଲେ । ସାହିତ୍ୟରେ ନବ ପ୍ରତିଭାମାନଙ୍କର ଉନ୍ମେଷ ହେଲେ ବି, କ୍ରମବିକାଶ ହୋଇପାରିଲା ନାହିଁ । ଆମ ସାହିତ୍ୟିକମାନେ, ସାହିତ୍ୟକୁ କେଵଳ ଆନୁଷ୍ଠାନିକ ଭାବେ ଓଡ଼ିଆ ଅଧ୍ୟାପନା, ଗବେଷଣା ଭିତରେ ସୀମିତ ରଖିଲେ ।
               କବିତା,ଗଳ୍ପ,ପ୍ରବନ୍ଧ,ଉପନ୍ୟାସ, ଆତ୍ମ-ଜୀବନୀ,ଭ୍ରମଣ କାହାଣୀ, ଅନୁବାଦଗୁଡିକ ଆନୁଷ୍ଠାନିକ ସାହିତ୍ୟ ସାଧନା ଭିତରେ ସୀମାବଦ୍ଧ ରହିଲେ । ବସ୍ତୁ-ବିଜ୍ଞାନ, ଅର୍ଥନୀତି, ସାମାଜିକ ବିଜ୍ଞାନ,ନୃତତ୍ତ୍ୱ,ତର୍କ ଶାସ୍ତ୍ର,ମନସ୍ତତ୍ତ୍ୱ, ଦର୍ଶନ,ଆଧ୍ୟାତ୍ମିକତା,ଭେଷଜ ବିଜ୍ଞାନ/ଚିକିତ୍ସା ବିଜ୍ଞାନ ସମ୍ବଳିତ ଲେଖା ଓ ଲେଖକଙ୍କୁ ଆମ ସାହିତ୍ୟ ସ୍ୱୀକୃତି ଦେଲାନାହିଁ । ଅଳ୍ପ କେତେଜଣ ନିଜକୁ ପ୍ରତିଷ୍ଠା କଲେ ମଧ୍ୟ, ନିଜର କ୍ଷୋଭ ପ୍ରକାଶ କଲେ । ଓଡ଼ିଆ ଯାତ୍ରା-ଜଗତର ଲେଖକ,ଚଳଚ୍ଚିତ୍ର ଜଗତର ଲେଖକ, ମଂଚ-ନାଟକର ଲେଖକମାନଙ୍କୁ ମଧ୍ୟ ବାରଣ କରି ରଖାଗଲା । ଲୋକ-କଳା, ଲୋକ ସଂସ୍କୃତି, ଲୋକନାଟ୍ୟ, ସଙ୍ଗୀତ ଶାସ୍ତ୍ର, ଚିତ୍ରଶାସ୍ତ୍ରକୁ ମଧ୍ୟ ବ୍ୟାପକ ଭାବେ ଅଲଗା କରି ରଖାଗଲା । ବିଜ୍ଞାନ-ପ୍ରଯୁକ୍ତିବିଦ୍ୟାକୁ ଧାରଣ କରିବାର କ୍ଷମତା ଆମ ଭାଷାରେ ଥିଲେ ବି, ଆମ ସାହିତ୍ୟିକମାନଙ୍କ ଅଦୂରଦର୍ଶିତା ଓ ଅହଂକାର ଯୋଗୁ, ତାହା ସମୃଦ୍ଧ ହୋଇ ପାରିଲା ନାହିଁ । ମାତୃଭାଷା ଓ ବ୍ୟକ୍ତିତ୍ୱ ବିକାଶରେ ତାର ଭୂମିକା ଉପରେ ଗବେଷଣା ଓ ସଚେତନତା ସୃଷ୍ଟି ଭଳି କିଛି କାର୍ଯ୍ୟକ୍ରମ ହେଲାନାହିଁ । ଆମ ପତ୍ରି-ପତ୍ରିକା ଓ ସମ୍ପାଦକ( ଅଳ୍ପ କେତେଜଣଙ୍କୁ ବାଦ ଦେଇ) ମଧ୍ୟ ନିଜ କର୍ତ୍ତବ୍ୟ ସଠିକ ରୂପେ କଲେନାହିଁ । ସରକାରୀ କଳ ମଧ୍ୟ ନିଜ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କଲାନାହିଁ । କେବଳ ଭାଷା ଆଇନକୁ ପ୍ରଣୟନ କରିଦେଇ, ଚୁପଚାପ ବସି ରହିଲେ। ନୀତି, ନିୟମ ପ୍ରଣୟନ କଲେ ମଧ୍ୟ, ବିନିୟମକୁ କୋହଳ କରିଦେବା ହେତୁ;ପ୍ରଶାସନିକ ସ୍ତରରେ ବ୍ୟବହାର ଫଳପ୍ରଦ ହେଲାନାହିଁ ।
                ଥରେ ଭାବନ୍ତୁ ତ, ଯେଉଁ ଭାଷା ଆମକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଜ୍ଞାନ ମଣ୍ଡଳ ଦେଲା, ସେହି ଭାଷାକୁ ଆମେ କଣ ସମ୍ମାନ ଦେଲେ? ନିଜ ଦୋଷ ଓ ତ୍ରୁଟି ପାଇଁ ତାକୁ ବନ୍ଦୀ କରି ଦେଇନେ ତ? କିଏ ତାକୁ ମୁକ୍ତ କରି ,ସମୃଦ୍ଧ କରିବ? ମୋର ଅନୁରୋଧ, ଆମେ ନିଜେ ପ୍ରଥମେ ବ୍ୟକ୍ତିଗତ ସ୍ତରରୁ ଏହି କାର୍ଯ୍ୟ ଆରମ୍ଭ କରିବା । ସମଗ୍ର ଓଡ଼ିଆ ଜନ-ଜୀବନରେ ପ୍ରଚାର ଓ ପ୍ରସାର କରି; ଆମ ଭାଷା ଓ ସାହିତ୍ୟକୁ ସଂକୀର୍ଣ୍ଣତାରୁ ମୁକ୍ତ କରିବା । ଆମ ସାହିତ୍ୟିକମାନେ ଉଦାସୀନତା ପରିହାର କରି ଓଡ଼ିଶାରେ କିପରି ଭାଷା ଜାତୀୟତାର ପ୍ଲାବନ ଖେଳିବ ସେଥିପାଇଁ ତତ୍ପରତା ପ୍ରଦର୍ଶନ କରନ୍ତୁ ।

               ପାଠଚକ୍ର ଆରମ୍ଭରେ ରଞ୍ଜନ କୁମାର ସାହୁ ଭାଷା ବନ୍ଦନା ଗାଁ କରିଥିଲେ । ଉପସ୍ଥିତ ଥିଲେ ‘ମହାନ ଆମ ମାତୃଭାଷା ସଂଘ’ର ପ୍ରତିଷ୍ଠାତା ରାଜେଶ ଶତପଥୀ ଓ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.