ଭାଷା ଆନ୍ଦୋଳନ ପିପିଲିରେ ବିଜେପିର ବିଜୟ ଚାହେଁ । କାହିଁକି?

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ପିପିଲିରେ ଆଗାମୀ ଉପନିର୍ବାଚନରେ ଭାଷାପ୍ରାଣ ଓଡ଼ିଆମାନେ ନବୀନ ବାବୁଙ୍କ ପ୍ରାର୍ଥୀ ବିରୁଦ୍ଧରେ ଏପରି ମତ ଦିଅନ୍ତୁ ଯାହା ବ୍ୟର୍ଥ ହେବନାହିଁ ।  ଭାଷା ଆନ୍ଦୋଳନ ଏହି ଡାକରା ଦେଇଛି । ଏହା ଉପରଠାଉରିଆ ନୁହେଁ , ସୁଚିନ୍ତିତ । ସେଠାରେ ବିଜେପି ଭିନ୍ନ ଅନ୍ୟ ସବୁ ଦଳ ଦୁର୍ବଳ । ସେମାନଙ୍କ ଭିତରୁ କାହାକୁ ବି ଭୋଟ ଦେଲେ, ତାହା ନବୀନ ବାବୁଙ୍କ ପ୍ରାର୍ଥୀ ସପକ୍ଷରେ ଯିବ । ତଦ୍ଦ୍ଵାରା ଆମ ଭାଷା ସ୍ଵାର୍ଥ ଅଧିକ ବ୍ୟାହତ ହେବ । 

ଏଥିରେ ଚମକି, ତୃତୀୟ ମହଲା ଆଉ କିଛି ନୂଆ ଲୋକଙ୍କୁ ପ୍ରଦ୍ୟୁମ୍ନ ଶତପଥି ବନାଇବାକୁ ଚେଷ୍ଟା କରୁଛି । ତାଙ୍କୁ ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭଙ୍ଗାଇବା କାମରେ ଲଗାଇଥିଲେ ମୁଖ୍ୟମନ୍ତ୍ରୀ , ଯାହା ମୁଁ ପ୍ରମାଣ କରିଛି ।  ତେଣୁ ଏହି ନବ୍ୟ ପ୍ରଦ୍ୟୁମ୍ନ ଶତପଥିମାନେ ଆମ ଆନ୍ଦୋଳନ ବିରୁଦ୍ଧରେ ଲହଡି ଭାଙ୍ଗିବାରେ ଲାଗିଛନ୍ତି ସାମାଜିକ ଗଣମାଧ୍ୟମ ମଞ୍ଚରେ ।  ପ୍ରଦ୍ୟୁମ୍ନ ଶତପଥିଙ୍କ ପରି ହାଣ୍ଟୁରିବା  ଓ ଅଶ୍ଳୀଳ ଶୈଳୀରେ ଶୋଧାବକା କରିବାରେ ବି  ଏମାନେ ପାରଙ୍ଗମ । ଏହି ନବ୍ୟ ପ୍ରଦ୍ୟୁମ୍ନ ଶତପଥିମାନଙ୍କ ଭିତରେ ଏପରି କେତେକ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରଯୁଜ୍ୟ ଆମ ପୂର୍ବପୁରୁଷେ କହିଯାଇଥିବା କଥା – ବାଞ୍ଝମାନଙ୍କ ପ୍ରସବ ବେଦନା ଅଧିକ ! 

ବର୍ତ୍ତମାନର  ବାସ୍ତବତା 

ବାସ୍ତବ କଥା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଜାତିର ଭାଷା ଅଧିକାର ଖର୍ବ କରିବା ପାଇଁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର ଅପସଂଶୋଧନ କରିଛନ୍ତି, ଏହା କରିବା ପାଇଁ ବିଧାନସଭାରେ ଜାଲିଆତି ପ୍ରୟୋଗ କରିଛନ୍ତି । ଏହି ପ୍ରମାଦ ଅପସାରଣ ପାଇଁ ଆମେ ଆନ୍ଦୋଳନ କରୁଛୁ ଆମ ନିଜସ୍ଵ ରଣକୌଶଳ ପ୍ରୟୋଗ କରି । ଆମେ ଜାଣୁ ଯେ, ଏହା କେବଳ ବିଧାନସଭାରେ ହିଁ ହେବ । ଆଇନ ପ୍ରଣଯନ, ସଂଶୋଧନ, ଅପସଂଶୋଧନ, ଅପସଂଶୋଧନର ବିଲୋପନ – ଏ ସମସ୍ତ କାମ କେବଳ ବିଧାନସଭାରେ ହିଁ ହେବ । ନବୀନ ପଟ୍ଟନାୟକଙ୍କ ଅନୁଗତ ତାଙ୍କ ବିରୁଦ୍ଧରେ ଯାଇ ଓଡ଼ିଆ ଜାତିର ସ୍ଵାର୍ଥ ସୁରକ୍ଷା ସକାଶେ ସାହସ ବି କରିବନାହିଁ  । 

ସୁତରାଂ, ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଯିଏ ବି ରାଜନୈତିକ ଦୃଢ଼ତା ପ୍ରଦର୍ଶନ କରିପାରିବ, ସେ ହିଁ ବିଧାନସଭା ନିର୍ବାଚନରେ ଜୟଲାଭ କରିବା ଦରକାର ।

ଭାଷା ଆନ୍ଦୋଳନ ତାଙ୍କୁ ହିଁ ସମର୍ଥନ କରିବ । କାରଣ, ଭାଷା ଆନ୍ଦୋଳନ ପାଇଁ ଆମ ଭାଷାର ରାଜନୈତିକ ଶକ୍ତିବୃଦ୍ଧି ଆବଶ୍ୟକ, ଭାଷାଦ୍ରୋହୀଙ୍କ ଶକ୍ତିବୃଦ୍ଧି ନୁହେଁ ।

ଏହି କାରଣ ହେତୁ ପିପିଲିରେ ନବୀନ ବାବୁଙ୍କ ବିରୁଦ୍ଧରେ ଭାଷା ଆନ୍ଦୋଳନ ନୀତିଗତ ଭାବେ ବିଜେପି ପ୍ରାର୍ଥୀଙ୍କ ବିଜଯ କାମନା କରେ ।  

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.