ସୂତ୍ର : ଆମ ଭାଷା ଆମ ଅଧିକାର
ଗତ ରବିବାର(୨୦/୦୯/୨୦୨୦)ସନ୍ଧ୍ୟାରେ ଭାଷା ଆନ୍ଦୋଳନର ରବିବାସରୀୟ ଭର୍ଚୁଆଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ ।
ଶ୍ରୀ ରଂଜନ କୁମାର ସାହୁଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ଆଲୋଚନାର ବିଷୟ ଥିଲା-” ଓଡ଼ିଆ ଭାଷାର ପ୍ରାଣଶକ୍ତି ହ୍ରାସର କାରଣ ଓ ନିରାକରଣ”। ଏହା ଉପରେ ଉପସ୍ଥିତ ଭାଷାପ୍ରେମୀ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ସେମାନଙ୍କ ମତର ସଂକ୍ଷିପ୍ତସାର :
* ସୁଦୂର କୋଲକତାରେ ଶିକ୍ଷକତା କରୁଥିବା ସନାତନ ମହାକୁଡ଼ଙ୍କ ମତରେ,” ଆମ ପଢିବା, ଲେଖିବା ଓ କଥାହେବାର ଭାଷା ଓଡ଼ିଆ ହେବା ଉଚିତ”।
*ମହେନ୍ଦ୍ର ତ୍ରିପାଠୀଙ୍କ ମତରେ,” ପ୍ରଶାସନିକ ତତ୍ପରତା, ବିଦ୍ୟାଳୟରେ ଓଡ଼ିଆ ଭାଷାରେ ଶିକ୍ଷା ଓ ଓଡ଼ିଆ ଭାଷାର ବ୍ୟବହାରିକ ଦିଗ ଉନ୍ନତ ହେବା ଉଚିତ”।
* ଶ୍ୟାମଘନ ମହାରଣାଙ୍କ ମତରେ,” ଆମକୁ ପ୍ରଥମେ ବ୍ୟକ୍ତିଗତ ସ୍ତରରୁ ଭାଷାର ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିବାକୁ ପଡିବ ।”
* ବାପିନା ପାଲଟାସିଂହ ନିଜ ଛାତ୍ର ଜୀବନରେ ଅନୁଭୂତି ବର୍ଣ୍ଣନା କରି କହିଥିଲେ, ଉଜ୍ଜ୍ବଳ ଭବିଷ୍ୟତଆଶାରେ ଘରଗୁରୁଜନଙ୍କ ଚାପରେ ଇଂରାଜୀ ପଢିବାକୁ ବାଧ୍ୟବାଧକତା ଏବଂ ସହଜରେ ବୁଝିହେଉଥିବା ମାତୃଭାଷା ଓଡ଼ିଆରେ ଅଧ୍ୟୟନ ପ୍ରତି ଅନୁରାଗ- ଏହି ଦ୍ଵନ୍ଦ୍ଵ ଭିତରେ ସେ କଟାଇଥିଲେ ତାଙ୍କ ପିଲାଦିନ । ବାପମାଆମାନେ ଇଂରାଜୀ ଭାଷା ମାୟାରେ ନପଡି ନିଜ ଆଦରର ସନ୍ତାନମାନଙ୍କୁ ଓଡ଼ିଆ ଭାଷାରେ ମୂଳରୁ ଶିକ୍ଷା ଦିଆଇଲେ ଶୈଶବ ନଷ୍ଟ ହେବ ନାହିଁ ଓ ଓଡ଼ିଆ ଭାଷାର ପ୍ରାଣଶକ୍ତି ସୁଦୃଢ ହେବ ଓ ଜାତିର ଭବିଷ୍ୟତ ଉଜ୍ଜ୍ଵଳ ହେବ ବୋଲି ସେ କହିଥିଲେ । *ଦେବାଶିଷ ଆଚାର୍ଯ୍ୟ ଓ ଶ୍ରୀକାନ୍ତ ବେହେରା ନିଜ ନିଜ ମତାମତରେ, ଓଡ଼ିଆ ଭାଷା କିପରି ହିନମନ୍ୟତାର ଶୀକାର ହେଉଛି କହିଥିଲେ।
*ପ୍ରମାଦପୂର୍ଣ୍ଣ ସଂଶୋଧନ ଦ୍ଵାରା ଭାଷା ଆଇନକୁ ଅକର୍ମଣ୍ୟ କରି ରଖା ହୋଇଥିବା ହେତୁ କାର୍ଯ୍ୟ ନିର୍ବାହର ଭାଷା ହୋଇନପାରି ଓଡିଆ ଭାଷା ତାର ପ୍ରାଣଶକ୍ତି ହରାଇବାରେ ଲାଗିଛି ଓ ଯଦି ତୁରନ୍ତ ଭାଷା ଆଇନର ସାନି ସଂଶୋଧନ ଦ୍ଵାରା ତାକୁ ନିର୍ଭୁଲ କରାନଯାଏ ଓ ରାଜ୍ୟର ସମସ୍ତ କାର୍ଯ୍ୟାଳୟରେ ଓଡ଼ିଆ ଅପରିହାର୍ଯ୍ୟ କରାନଯାଏ ଏବଂ ଓଡ଼ିଆରେ କାମନକରିବା ଲୋକକୁ କଠିନ ଦଣ୍ଡ ବିଧାନ ପାଇଁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ବିଧିକୃତ କରାନଯାଏ, ତେବେ ଓଡ଼ିଆ ଜାତିର ମାତୃଭାଷାର ଯେଉଁ ସାମାନ୍ୟ କିଛି ଜୀବନ ବଞ୍ଚିଛି ତାହା ଲୋପ ପାଇଯିବ ବୋଲି ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ । ସେ କହିଥିଲେ, ଓଡ଼ିଆ ସାହିତ୍ୟିକମାନେ ଭାଷାଜୀବୀ ହୋଇନରହି ଭାଷାମନସ୍କ ହୁଅନ୍ତୁ ଓ ପ୍ରତି ଓଡ଼ିଆ ପ୍ରାଣରେ ମାତୃଭାଷା ପାଇଁ ମମତା ଓ ଗର୍ବବୋଧ ସୃଷ୍ଟି କରିବାକୁ ପ୍ରେରଣାଦାୟୀ ସାହିତ୍ୟ ସୃଷ୍ଟି କରନ୍ତୁ ; ତେବେ ଯାଇ ଭାଷାର ପ୍ରାଣଶକ୍ତି ପୁନରୁଦ୍ଧାର ହେବ ।
*ଆଲୋଚନା ପରେ, ବାପିନା ପାଲଟାସିଂହ ଓ ଶ୍ରୀକାନ୍ତ ବେହେରା ନିଜ କବିତା ଆବୃତ୍ତି କରିଥିଲେ।
* ସରୋଜ ମହାନ୍ତି ଓ ସୁଶାନ୍ତ ମହାଳି ଅଲୋଚନାଚକ୍ରର ପରିଚାଳନା କରିଥିଲେ।
* ବୈଦ୍ୟୁତିକ ଗଣମାଧ୍ୟମ/ସୋସିଆଲ ମିଡିଆ ସାହାଯ୍ୟରେ ଭାଷା ଆନ୍ଦୋଳର କାର୍ଯ୍ୟକ୍ରମ ବିଷୟରେ ଅଧିକ ପ୍ରଚାର ଓ ପ୍ରସାର କରିବାକୁ ସ୍ଥିର କରାଗଲା।
*କଳାପତାକା ଅଭିଯାନକୁ ଅଧିକ ସକ୍ରିୟ କରିବାକୁ, ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ହେଲା।
* ଏହି ଆଲୋଚନାରେ ଆଶା ମଞ୍ଜରୀ ଦାଶ, ଇତିଶ୍ରୀ ପତି, ପ୍ରତ୍ୟାଶା ପ୍ରିୟଦର୍ଶିନୀ ଓ ଗାୟତ୍ରୀ ପଣ୍ଡାଙ୍କ ଉପସ୍ଥିତି ଆଲୋଚନାକୁ ଅଧିକ ବଳିଷ୍ଠ କରିଥିଲା।
* ସମସ୍ତେ ଏହି ନିଷ୍କର୍ଷ ରେ ଉପନୀତ ହେଲେ ଯେ, ଆମ୍ଭମାନଙ୍କୁ ଅଧିକ ସକ୍ରିୟ ହେବାକୁ ପଡିବ । ଭାଷା ମା’ ପାଇଁ ଥିବା ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ନିର୍ବାହ କରି, ତାର ପ୍ରାଣ ଶକ୍ତିକୁ ଅଧିକ ଦୃଢ କରିବାକୁ ପଡିବ ।
* ଏହି ସଂକଳ୍ପ ସହ ଅଲୋଚନାଚକ୍ରକୁ ସମାପ୍ତ କରାଗଲା ।
ସୁନ୍ଦର ଉପସ୍ଥାପନା।
ଅଶେଷ ଧନ୍ୟବାଦ ଭାଇ ।