ଓଡ଼ିଆ ଭାଷାରେ ଶାସନ ପରିଚାଳନା ଅଧିକାର ଓଡ଼ିଆ ଜାତିର ସ୍ୱୟଂସିଦ୍ଧ ଅଧିକାର : ପ୍ରଫେସର ବି. ଏନ୍ .ପଟ୍ଟନାୟକ

ସୂତ୍ର – ଆମ ଭାଷା ଆମ ଅଧିକାର

ସାଧାରଣ ଲୋକେ ଯେଉଁ ଭାଷା ବ୍ୟବହାର କରୁଥିବେ, ଅର୍ଥାତ୍ କହୁଥିବେ ଏବଂ ବୁଝୁଥିବେ, ସେହି ଭାଷା ଶାସନର ଭାଷା ହେବା ଆବଶ୍ୟକ । ଏହା ପ୍ରଶ୍ନାତୀତ । ଏହା ଉଚିତ ଓ ଅନୁଚିତର ଚର୍ଚ୍ଚା ବହିର୍ଭୁତ, କାରଣ, ଏହାର କୌଣସି ବିକଳ୍ପ ନାହିଁ । ଓଡ଼ିଶାରେ ଓଡ଼ିଆଭାଷା ହିଁ ଶାସନର ଭାଷା ହେବା ଅପରିହାର୍ଯ୍ୟ ଏବଂ ଓଡ଼ିଆ ଜାତିର ଏ ଅଧିକାର ସ୍ୱୟଂସିଦ୍ଧ ।

ଭାଷା ଆନ୍ଦୋଳନର ବୌଦ୍ଧିକ ମଞ୍ଚ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ଆଜି “ଶାସନର ଭାଷା: ସରକାରଙ୍କ କର୍ତ୍ତବ୍ୟ ଓ ଆମର ଦାୟିତ୍ଵ” ଉପରେ ଏକ ମୌଳିକ ଓ ମାର୍ଗଦର୍ଶୀ ଅଭିଭାଷଣ ରଖି ଏହା କହିଛନ୍ତି ଭାରତର ସୁବିଦିତ ଭାଷାତତ୍ତ୍ଵ ବିଦ୍ଵାନ , ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ଏହି ସ୍ଵୟଂସିଦ୍ଧ ଅଧିକାର ହାସଲ ପାଇଁ ୧୬୫୭ ଦିନ ଧରି ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ସହକର୍ମୀମାନଙ୍କୁ ସେ ସ୍ପଷ୍ଟ ଓ ସୁଦୃଢ ସମର୍ଥନ ଜ୍ଞାପନ କରିଛନ୍ତି ।

ସେ କହିଛନ୍ତି, ସରକାର ଯେଉଁ ଆଇନ କରୁଛନ୍ତି, ତାହା ନିଜେ ମାନୁ ନାହାନ୍ତି ଓ ଲାଗୁ କରୁନାହାନ୍ତି। ଏହା ଏକ ଅଦ୍ଭୁତ କଥା ।

ଆଇନ ଯଦି ସରକାର ଲାଗୁ ନକରିବେ, ତେବେ ଏହା କିଏ କରିବ? ବୋଲି ପ୍ରଶ୍ନ କରିଛନ୍ତି କାନପୁର IITରେ ଦୀର୍ଘ ଦୁଇ ଦଶନ୍ଧି ଧରି ଇଂରାଜୀ ଭାଷାତତ୍ତ୍ଵର ପ୍ରଫେସର ଦାୟିତ୍ଵ ନିର୍ବାହ କରିଥିବା ଡଃ ପଟ୍ଟନାୟକ , ଯେ କି ଭାରତର ଭାଷାଗୁଡ଼ିକର ବିକାଶ ପାଇଁ ତଥା ଶାସ୍ତ୍ରୀୟ ଭାଷା ଭାବେ ସେମାନଙ୍କ ଯୋଗ୍ୟତାର ଆକଳନ ଓ ବର୍ଗୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପରିଷଦରେ ନିୟୋଜିତ । ଓଡ଼ିଶା ସରକାରଙ୍କ ପାଇଁ ରାଜ୍ୟର ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷା ବ୍ୟବହାରକୁ ବାଧ୍ୟତାମୂଳକ କରିବା ଓ ଏଥିପାଇଁ ବଳବତ୍ତର ଥିବା ଆଇନ ଉଲ୍ଲଙ୍ଘନକୁ ଦଣ୍ଡନୀୟ କରିବା କେବକ ଆଇନଗତ କର୍ତ୍ତବ୍ୟ ନୁହେଁ, ନୈତିକ ଦାୟିତ୍ଵ ବୋଲି କହିଛନ୍ତି ପ୍ରଫେସର ପଟ୍ଟନାୟକ ।

ସେ କହିଛନ୍ତି, ଓଡ଼ିଆ ଭାଷା ଯଦି ଶାସନର ଭାଷା ନହୁଏ , ତେବେ ଗରିବ ଓ ନିଷ୍ପେସିତ ଲୋକ ଶୋଷଣର ଶିକାର ହେବେ । ବ୍ୟକ୍ତିଗତ ଭାବରେ ମୁଁ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଆନ୍ଦୋଳନକୁ ପୂର୍ଣ୍ଣ ଭାବରେ ସମର୍ଥନ କରୁଛି । ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଆଇନ ସଂଶୋଧନ ଓ ଷ୍ପଷ୍ଟ ଦଣ୍ଡବିଧାନ ସକାଶେ ସେ ତାଙ୍କ ସହଯୋଗୀଙ୍କ ସହ ବହୁଦିନ ଧରି ଆନ୍ଦୋଳନ କରିଆସୁଛନ୍ତି । ଦଣ୍ଡବିଧାନ ଏକ ଆନନ୍ଦଦାୟକ ବିଭାବନା ନହୋଇଥିଲେ ବି, ଯଦି ଜଣେ ଲୋକ ଜାଣିଶୁଣି ଆଇନ ନମାନିବ, ତେବେ ଦଣ୍ଡବିଧାନ ହେବା ଆବଶ୍ୟକ । କାରଣ, ଭାଷା ଆଇନ ନମାନିବା ଦ୍ୱାରା ସାଧାରଣ ଲୋକଟି ପ୍ରଭାବିତ ହେଉଛି ।
ଯଦି ସରକାର ଭାବୁଛନ୍ତି, କୌଣସି କାରଣରୁ ଏହି ଆଇନକୁ ଲାଗୁ କରିବାରେ ଅସୁବିଧା ହେଉଛି, ତେବେ, କି ଅସୁବିଧା ହେଉଛି ତାହା କୁହନ୍ତୁ । ଏହା ଆମେ ଜାଣିବା ଆବଶ୍ୟକ ଓ କିଭଳି ସେ ଅସୁବିଧା ଦୂର ହୋଇପାରିବ, ତାହା ଉପରେ ଏକ ମିଳିତ ଆଲୋଚନା ହେବା ଜରୁରୀ ।

ଯଦି କେହି କହୁଥାଏ, ଲୋକମାନେ ଭାଷା ଆଇନକୁ ନେଇ ସମସ୍ୟା ଜଣାଉନାହାନ୍ତି, ତେବେ ସେ ଜାଣିବା ଉଚ୍ଚିତ ଯେ, ସାଧାରଣ ଲୋକ ଆସି ଏ ସମସ୍ୟା ଜଣାଇବେ ନାହିଁ । ସେମାନଙ୍କ ସ୍ୱର ଭାବରେ ଭାଷା ଆନ୍ଦୋଳନ ପ୍ରତିଦିନ ଏ ସମସ୍ୟାକୁ ସରକାରଙ୍କୁ ଅବଗତ କରାଉଛି  । ସରକାର ମୁହଁ ବନ୍ଦ କରି ବସିଛନ୍ତି । ଯଦି ଆଇନକୁ ଲାଗୁକରିବା ପାଇଁ ସରକାର ଅନୁବାଦକମାନଙ୍କର ସାହାଯ୍ୟ ନେବାକୁ ଅସମର୍ଥ ତେବେ ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ନିଅନ୍ତୁ ଓ ଭାଷା ଆଇନକୁ କଡ଼ାକଡ଼ି ଲାଗୁକରନ୍ତୁ ବୋଲି ସେ ଡାକରା ଦେଇଛନ୍ତି । 

ଫେସବୁକରୁ  ସିଧା ପ୍ରସାରିତ ପ୍ରଫେସର ଡଃ ପଟ୍ଟନାୟକଙ୍କ ଅଭିଭାଷଣ ଏଠାରେ ଉପସ୍ଥାପିତ –

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.