ଭାଷା ଆଇନ ଉଲ୍ଲଂଘନ ପାଇଁ ଦଣ୍ଡ ସଂହିତା ପ୍ରଣୟନ ଜରୁରୀ : ସାମ୍ବାଦିକ ଅରୂପ କୁମାର ଜେନା

theNEWSsyndicate 

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ଉଲ୍ଲଂଘନକାରୀଙ୍କୁ “ବିଧାନ ପାଇଁ ଦଣ୍ଡ ସଂହିତା ପ୍ରଣଯନ ହେବା ଆବଶ୍ୟକ । ଆଉ ବିଳମ୍ବର ଆବଶ୍ୟକତା ନାହିଁ ।“ ଏଥିପାଇଁ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯେଉଁ “ଅତ୍ୟନ୍ତ ଯଥାର୍ଥ ଓ ଗବେଷଣା ଭିତ୍ତିକ ପ୍ରସ୍ତାବ ଦେଇଥିଲେ” , ତାହାକୁ ତୁରନ୍ତ ଗ୍ରହଣ କରାଯାଉ ବୋଲି ଅକ୍ଟୋବର ୧୯ ପୂର୍ବାହ୍ନରେ କହିଛନ୍ତି ସୁବିଦିତ ସାମ୍ବାଦିକ ଡଃ ଅରୂପ କୁମାର ଜେନା ।

କରୋନା ମହାମାରୀ କାଳରେ କାୟିକ ସ୍ତରରେ ସ୍ଥଗିତ ଥିବା କଳାପତାକା ଅଭିଯାନର ସୋମବାସରୀୟ ବୌଦ୍ଧିକ ସଂସ୍କରଣରେ ଅଭିଭାଷଣ ରଖି କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଅଧିଷ୍ଠିତ ଏହି ସମ୍ବାଦତତ୍ତ୍ଵବିଶାରଦ ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଭାଷା ଆନ୍ଦୋଳନର ଫୁଲବାଣୀ ଶାଖା ପ୍ରଦାନ କରିଥିବା ପ୍ରସ୍ତାବ ଗୁଡ଼ିକର ଉଲ୍ଲେଖ କରି କହିଛନ୍ତି, ସରକାରୀ ସ୍ତରରେ ଥିବା ଅଣଓଡ଼ିଆ କର୍ମକର୍ତ୍ତାମାନେ ଆମ ଭାଷାକୁ ନେଇ ଯେଉଁ ଛାଇ-ଆଲୁଅର ଖେଳ ଖେଳୁଛନ୍ତି ତାହା ବନ୍ଦ କରନ୍ତୁ । ସେମାନେ ମନେରଖନ୍ତୁ ଯେ, ଓଡ଼ିଆ ଜାତି ଜୀବନରେ ଆସିଥିବା ଅନ୍ଧାର ରାତି ହଟିଯିବାକୁ ବାଧ୍ୟ , କାରଣ ଭାଷା ଜନନୀର କଳାପତାକା ଏ ଜାତି ପାଇଁ ଆଲୋକର ପଥ ପରିଷ୍କାର କରିବାରେ ଲାଗିଛି । ରାତି ଯେତେବେଳେ ଚାଲିଯାଏ, ସକାଳ ଆସେ । ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ମହାନ ସତ୍ୟ ପ୍ରକାଶ ପାଏ । ସେ ସତ୍ୟ ଐଶ୍ଵରୀୟ ସତ୍ୟ ଏବନ ତାହା ହେଲା, ଅନ୍ଧକାର ବିତାଡ଼ିତ ହେବ, ପଙ୍ଗୁ ହେବ ଆଲୋକର ଶକ୍ତି ନିକଟରେ । ଭାଷା ପାଇଁ ସଂଗ୍ରାମରତ କଳାପତାକା ଏହି ଶକ୍ତିର ପତାକା, ଆଲୋକର ପତାକା । ଏହି କଳାପତାକା ତଳେ ଆମେମାନେ ସମସ୍ତେ ଶପଥ ନେଇଛୁ ଯେ, ଅନ୍ଧକାର କବଳରୁ ଆମ ଭାଷା ମାଆକୁ ଉଦ୍ଧାର କରିବାକୁ ହେବ । ସରକାର ଜାଣନ୍ତୁ ଯେ, ଏହି କଳାପତାକା ତଳେ ଓଡ଼ିଆ ଜାତି ନିଦ ଭାଙ୍ଗି ସୁପ୍ତ ଭାବରେ ଜାଗୁଛି ।

“ଓଡ଼ିଆ ଜାତି ଯେତେବେଳେ ଜାଗେ, ଅତି ସୁପ୍ତ ଭାବରେ ଜାଗେ । ସୁପ୍ତରୁ ଜାଗ୍ରତ ହୋଇ ଯେତେବେଳେ ଏହା ମହାଆନ୍ଦୋଳନରେ ପରିଣତ ହେବ ହିଁ ହେବ । ସରକାର ଉଦାସୀନ ଅଛନ୍ତି, ସରକାର ଭାଷା ଆନ୍ଦୋଳନକୁ ସ୍ଵୀକାର କରୁନାହାନ୍ତି, କି ତାଙ୍କର ଆନ୍ତରିକତା ନାହିଁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର କରିବା ପାଇଁ – ଏକଥା ଯେତେବେଳେ ପ୍ରତ୍ୟେକ ଓଡ଼ିଆ ବ୍ୟକ୍ତି ବୁଝିବେ, ଜାଣିବେ, ସଂଗ୍ରାମ କରିବେ , ତା ହେଲେ ସେଦିନ ଯାହା ହେବ, ତା ପାଇଁ ସରକାର ସତର୍କ ରହନ୍ତୁ ବୋଲି ଫେସବୁକରୁ ସିଧା ପ୍ରସାରିତ ଏହି ଚେତାବନୀ ଦେଇଛନ୍ତି ମା ଓଡ଼ିଶାର ଏହି ସୁଯୋଗ୍ୟ ସନ୍ତାନ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.