ଓଡ଼ିଶା ସରକାର ଓଡ଼ିଆ ବୁଝିବାକୁ ଅକ୍ଷମ : ମୁଖ୍ୟମନ୍ତ୍ରୀଙ୍କ ଇଂରାଜୀ ପ୍ରୀତି ହେତୁ କରୋନା କବଳରେ ଓଡ଼ିଶା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା ଭୂତାଣୁ ପ୍ରକୃତି ପରିସୃଷ୍ଟ କି ପରୀକ୍ଷାଗାର ପ୍ରସୂତ ତାହା ଏବେ ଆମ ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ ନୁହେଁ । ଗୁରୁତ୍ବପୂର୍ଣ ହେଲା ତା କବଳରୁ ଜୀବନ ରକ୍ଷା କରିବା । ଲୋକଙ୍କୁ ପୋଲିସ ଲଗାଇ ଭୟଭୀତ କରି କରୋନା ଭୂତାଣୁର ସଂକ୍ରମଣ ବନ୍ଦ କରାଯାଇପାରିବ ନାହିଁ । ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସବୁକଥା ଅବଗତ କରାଇ ଏହି ମହାମାରୀର ମୁକାବିଲା କରାଯାଇପାରିବ । ସେଥିପାଇଁ ଆମ୍ଭେ କାରୋନା ସମ୍ପର୍କୀୟ ସମସ୍ତ ସରକାରୀ ନିଷ୍ପତ୍ତି, ନିର୍ଦ୍ଦେଶ, ନିୟମ, ବିନିୟମ, ଆଇନ, ନିର୍ଦ୍ଧାରଣ ଇତ୍ୟାଦିକୁ ଓଡ଼ିଆ ଭାଷାରେ ଇଣ୍ଟର୍ନେଟ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ ସରକାରଙ୍କୁ ବରାବର ନିବେଦନ କରି ଆସିଛୁ । ମୁଖ୍ୟମନ୍ତ୍ରୀଙ୍କ ଇଂରାଜୀ ପ୍ରୀତି ହେତୁ ଏହା ସମ୍ଭବ ହୋଇନାହିଁ । ଇଂରାଜୀରେ ଆଇନ ତିଆରି କରି – ଯଥା Epidemic Diseases (Amedment) Ordinance, 2020, The Odisha COVID-19 Regulation, 2020, The Odisha COVID-19 (Amendment) Regulation, 2020 – ତହିଁର ଉଲ୍ଲଂଘନ ପାଇଁ ଇଂରାଜୀ ଜାଣିନଥିବା ଓଡ଼ିଆଙ୍କୁ ପୋଲିସ ଦ୍ଵାରା ନିର୍ଯ୍ୟାତିତ କରାହେଉଛି ।

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଗତ ଦୀର୍ଘ ୪ ବର୍ଷ ଧରି ଭାଷା ଆନ୍ଦୋଳନ ଚାଲିଛି । ମୁଁ ଦେଇଥିବା ଚିଠା ବିଧାନ, ଯାହା ବିଧିକୃତ ହେବା ଦାବିରେ ଏହି ଆନ୍ଦୋଳନ ଚାଲିଛି, ବ୍ୟବସ୍ଥା ରଖିଥିଲା କି, ଓଡ଼ିଆରେ ସେବା ନ ଦେବା ଲୋକକୁ ୨୦୦୦ ରୁ ୧୦,୦୦୦ ତାଙ୍କ ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ବିଧାନ ପାଇଁ ଯେ କୌଣସି ଓଡ଼ିଆ ଅଦାଲତରେ ପ୍ରକ୍ରିୟା ଚଳାଇପାରିବ । ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଭ୍ରମାତ୍ମକ ସଂଶୋଧନ ଦ୍ଵାରା ଓଡ଼ିଶା ସରକାରୀ ଭାଷା ଆଇନରେ ଧାରା ୪ ଓ ଧାରା ୪-କ ଖଞ୍ଜି ମୁଖ୍ୟମନ୍ତ୍ରୀ ଆଇନଟିକୁ ପଙ୍ଗୁ କରିଦେଇଛନ୍ତି ଓ ଇଂରାଜୀ ରାଜୁତିକୁ ଅଧିକ ଦୃଢୀଭୂତ କରିଛନ୍ତି । ଓଡ଼ିଆ ଜାତି ବିରୁଦ୍ଧରେ ଏହି ଅପରାଧ ନିତଙ୍କୁଶ କରିବା ପାଇଁ ମୋର କେତେକ ସହଯୋଗୀଙ୍କ ଅର୍ଥଲୋଭ ଚରିତାର୍ଥ କରି ଭାଷା ଆନ୍ଦୋଳନକୁ ଭାଙ୍ଗିବାକୁ ଅପୋଦ୍ୟମ କରିଛନ୍ତି ; ଯଥା ବେଆଇନ ଭାବେ ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ ୧୦ ବର୍ଷର ଗରହାଜିରା ସତ୍ତ୍ୱେ  ଚାକିରିରେ ପୁନଃସଂସ୍ଥିତା କରି ବହୁ କୋଟି ତାଙ୍କର ମୁନଫା ଦେଇଛନ୍ତି ଓ ତହିଁ ବିରୁଦ୍ଧରେ ପ୍ରଦତ୍ତ ସ୍ମାରକପତ୍ର ଉପରେ ଶୋଇରହିଛନ୍ତି; ଅର୍ଥଲୋଭ ହେତୁ କରିଥିବା ଅପରାଧରେ ଦଣ୍ଡନୀୟ ପବିତ୍ର ମହରଥାଙ୍କ ବିରୁଦ୍ଧରେ  ଆବଶ୍ୟକୀୟ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଅଟକାଇଛନ୍ତି । ଏବଂ ଏହି ଉଭୟ ଅସାଧୁଲୋକଙ୍କ ଦ୍ଵାରା ପ୍ରଚାର କରାଇଚାଲିଛନ୍ତି ଯେ, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇସାରିଛି ଓ ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ।

ଓଡ଼ିଆ ଜାତି ବିରୁଦ୍ଧରେ ଏପରି ଷଡ଼ଯନ୍ତ୍ରରେ ନିଜେ ମୁଖ୍ୟମନ୍ତ୍ରୀ ଜଡ଼ିତ ଥିବା ହେତୁ କରୋନା ସମ୍ପର୍କରେ ଅତି ଜରୁରୀ ଓ ଜନସାଧାରଣଙ୍କ ଅବଗତି ପାଇଁ ଅପରିହାର୍ଯ୍ୟ ସରକାରୀ ନିଷ୍ପତ୍ତି, ନିର୍ଦ୍ଦେଶ, ନିୟମ, ବିନିୟମ, ଆଇନ, ନିର୍ଦ୍ଧାରଣ ଇତ୍ୟାଦିକୁ ଲୋକତନ୍ତ୍ରର ଅନ୍ତରାୟ ସାଜିଥିବା ଅମଲାତନ୍ତ୍ର ଇଂରାଜୀରେ ହିଁ ସରକାରୀ ୱେବସାଇଟମାନଙ୍କରେ ପ୍ରକାଶ କରି ଓଡ଼ିଶାର ଲୋକମାନଙ୍କୁ ଅନ୍ଧକାରରେ ରଖିଛି । ସେ ସବୁକୁ ଓଡ଼ିଆ ଭାଷାରେ ପ୍ରକାଶ କରି ମୋବାଇଲ ଫୋନ ସାହାଯ୍ୟରେ ଗାଁ ଗହଳର ସବୁଲୋକ ଯେମିତି ସେଗୁଡ଼ିକୁ ଯାନୀ ପାରିବେ ତା ପାଇଁ ଆମର ସମସ୍ତ ଅକୁଳ ନିବେଦନ କାଲା ଆଗରେ ମୂଳ ଚୋବାଇବାପରି ବ୍ୟର୍ଥ ଯିବାରୁ ଆମକୁ ସମ୍ପୂର୍ଣ ଶାନ୍ତିପୂର୍ଣ ଉପାୟରେ କଠିନ ବୌଦ୍ଧିକ ଚାପ ପ୍ରୟୋଗ କରିବାକୁ ପଡ଼ିଥିଲା ; ଯଥା ଗତ ୧୮ ତାରିଖରୁ ପ୍ରତିଦିନ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ପୃଷ୍ଠାରେ ଏହି ମୋହର ଛାପିପିବାକୁ ପଡ଼ିଥିଲା ଓ ୨୦ ତାରିଖରେ ଏ ସରକାରକୁ ଏକ ଗାଲୁଆ ସରକାର ବୋଲି ସକାରଣ ଅଭିହିତ କରିବାକୁ ପଡ଼ିଥିଲା ।

ଏହି ଚାପ ପ୍ରୟୋଗ ଫଳରେ ଅନନ୍ୟୋପାୟ ହୋଇ ସରକାର ଏକ ହ୍ଵାବତ୍ସାପ ବ୍ୟବସ୍ଥା ପ୍ରବର୍ତ୍ତନ କରି ଓଡ଼ିଆରେ ତହିଁରେ ତଥ୍ୟ ଦିଆଯିବ ବୋଲି କହିଲେ । ତାହା ଆମକୁ ଅନ୍ଧକାରରେ ଏକ ଦୀପଶିଖା ପରି ଲାଗିଲା । କିନ୍ତୁ ଓଡ଼ିଆ ଜାତି ପ୍ରତି ତାହା କିପରି ପ୍ରବଞ୍ଚନାର ଏକ ନୂଆ ଫର୍ଦ୍ଦ ଥିଲା, ତାହା ଲକ୍ଷ୍ୟ କରି ଆମ୍ଭେ ସ୍ତବ୍ଧ ହୋଇଯାଇଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଅବଗତି ପାଇଁ ଭାଷା ଆଂଦୋଳନର ଜଣେ ଯୁବ ଜ୍ୟୋତିଷ୍କ ରଞ୍ଜନ କୁମାର ସାହୁ ସେହି ପ୍ରତାରଣକୁ କ୍ୟାମେରାବଦ୍ଧ କଲେ ଓ ତାହା ୟୁ ଟ୍ୟୁବରେ ସ୍ଥାନିତ ହେଲା । ଯଥା –

,ସରକାର କାର୍ଣ୍ଣପାତ କଲେନାହିଁ  ।

ମୁଁ ବାଧ୍ୟହୋଇ ଏହି ସରକାରୀ ପୃଷ୍ଠାକୁ ଯାଇ ଆମ ଅନୁରୋଧ ଉଲ୍ଲେଖ କଲି । ଊତ୍ତର ଆସିଲା – ମୁଁ ଯାହା ଲେଖିଲି ସରକାର ତାହା ବୁଝିପାରିଲେ ନାହିଁ । ଦେଖିବା ହେଉ –

କି ଶାସନ ଚାଲିଛି?

ମୁଖ୍ୟମନ୍ତ୍ରୀଙ୍କ ଇଂରାଜୀ ପ୍ରୀତି ହେତୁ ଏ ଭୟଙ୍କର ବିପତ୍ତି କାଳରେ ମଧ୍ୟ ଓଡ଼ିଶା ଅନ୍ଧକାରରେ ଓ କରୋନା କବଳରେ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “ଓଡ଼ିଶା ସରକାର ଓଡ଼ିଆ ବୁଝିବାକୁ ଅକ୍ଷମ : ମୁଖ୍ୟମନ୍ତ୍ରୀଙ୍କ ଇଂରାଜୀ ପ୍ରୀତି ହେତୁ କରୋନା କବଳରେ ଓଡ଼ିଶା”

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.