ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ହାଇକୋର୍ଟ ଆଜି ଘରଫେରନ୍ତା ଓଡ଼ିଆମାନଙ୍କ ଉପରେ ଯେଉଁ ରାୟ ଦେଇଛନ୍ତି ତାହାକୁ ବାତିଲ କରିବାକୁ ଯଦି ତୁରନ୍ତ ପଦକ୍ଷେପ ନିଆ ନଯାଏ, ତେବେ ପ୍ରାୟ ୫୦ ଲକ୍ଷ ଓଡ଼ିଆଙ୍କ ଜୀବନ ସଂକଟାପନ୍ନ ହୋଇଯିବ ; କାରଣ ଘରକୁ ଫେରିବାକୁ ନାମ ପଞ୍ଜୀକୃତ କରିଥିବା ୫ ଲକ୍ଷରୁ ଅଧିକ ଓଡ଼ିଆ ଶ୍ରମଜୀବୀଙ୍କ ଉପରେ ସେମାନଙ୍କ ପରିବାରର ହାରାହାରି ୧୦ଜଣ ସଦସ୍ୟ ନିର୍ଭରଶୀଳ ।

କରୋନା “ନେଗେଟିଭ” ପ୍ରମାଣପତ୍ର ବିନା ଓଡ଼ିଶା ସୀମା ମାଡ଼ିବା ସେମାନଙ୍କୁ ନିଷିଦ୍ଧ କରିଛି ଓଡ଼ିଶା ହାଇ କୋର୍ଟ । ଏହା ସେମାନଙ୍କ ବଞ୍ଚି ରହିବାର ମୌଳିକ ଅଧିକାର ତଥା ସେମାନଙ୍କୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ଚଳାଇଥିବା ଚେଷ୍ଟାକୁ ଧୂଳିସାତ୍ କରିଦେବ ।

ଓଡ଼ିଶା ସୀମା ଭିତରକୁ ସେମାନଙ୍କୁ ଯଦି ପଶିବାକୁ ଦିଅ ନଯାଏ, ସେମାନେ କେଉଁଠି ରହିବେ? ପ୍ରଦେଶ ପ୍ରଦେଶ ଭିତରେ କଣ କିଛି ଶୂନ୍ୟ ମଣ୍ଡଳ ଥାଏ ଯେ, ସେଇଠି ସେମାନେ ରହିବେ? ଏମିତି କିଛି ନଥାଏ । ଅତଏବ, ଯଦି ଓଡ଼ିଆମାନଙ୍କୁ ଓଡ଼ିଶା ସୀମା ମନ କରାଯାଏ, ତେବେ ସେମାନେ ପଡ଼ୋଶୀ ପ୍ରଦେଶର ସୀମା ଭିତରେ ରହିବେ । ପଡ଼ୋଶୀ ପ୍ରଦେଶ ସେମାନଙ୍କୁ କାହିଁକି ଅନୁମତି ଦେବ? ଓଡ଼ିଶା ସରକାର କେଉଁ ଅଧିକାର ବଳରେ ପଡ଼ୋଶୀ ପ୍ରଦେଶରେ କାରୋନା ଶିବିର ଓ ଚିକିତ୍ସା କେନ୍ଦ୍ର କରିବେ?

ଓଡ଼ିଆ ଭାଷାରେ କରୋନା ସମ୍ପର୍କୀୟ ସମସ୍ତ ତଥ୍ୟ ଆମ ଲୋକମାନଙ୍କୁ କାହିଁକି ଦିଆଯାଉନି ବୋଲି ଭାଷା ଆନ୍ଦୋଳନ ପକ୍ଷରୁ ଆମ୍ଭେ ଅବଶ୍ୟ ନବୀନ ବାବୁଙ୍କ ସରକାରକୁ କଠିନ ସମାଲୋଚନା କରିଆସିଛୁ । କିନ୍ତୁ ଏହା ବି ଆମ୍ଭେ କହି ଆସିଛୁ ଯେ, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଡାକ୍ତରଖାନା ଓ ସ୍ଵତନ୍ତ୍ର ଚିକିତ୍ସକ/ସହାୟକ ବର୍ଗ ଗଠନ ପାଇଁ ଆମ୍ଭେ ଯେଉଁ ପରାମର୍ଶ ଦେଇଥିଲୁ ତାହା କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ଆଦର୍ଶ ଭୂମିକା ତୁଲାଇଛନ୍ତି । ସମସ୍ତ ପଞ୍ଚାୟତରେ କରୋନା ଶିବିର କରାଇବାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଜୀବ ବୋଲି କହିବା ଯଥେଷ୍ଟ ହେବନାହିଁ ; ସର୍ବନିମ୍ନ ଏହା ହିଁ କୁହାଯାଇପରିବ ଯେ, ଘର ଫେରନ୍ତା ଓଡ଼ିଆ ଶ୍ରମବୀରମାନଙ୍କୁ ଯଥା ସମ୍ଭବ ଉତ୍ତମ କ୍ଵାରେଣ୍ଟାଇନ ସୁବିଧା ଯୋଗାଇବା ପାଇଁ ପଞ୍ଚାୟତଗୁଡ଼ିକରେ ବ୍ୟବସ୍ଥା କରିବା ଓ ସରପଞ୍ଚମାନଙ୍କୁ ସେଥିପାଇଁ ମର୍ଯ୍ୟାଦାସମ୍ପନ୍ନ ଦାୟିତ୍ଵ ଦେବା ପରି ଯେଉଁ ପଦକ୍ଷେପ ଓଡ଼ିଶା ସରକାର ନେଇଛନ୍ତି ତାହା ସାରା ଭାରତରେ ଏପରିକି ବିଶ୍ବରେ ବି ଅଦ୍ଵିତୀୟ । ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଏହାକୁ ନଷ୍ଟ କରିଦେବ । ଏବଂ ଯଦି ଏହି ଆଦେଶକୁ ପାଳନ କରାଯାଏ ତେବେ ଏହି ସମସ୍ତ ଆଗୁଆ ଓ ଚମତ୍କାର ବ୍ୟବସ୍ଥାଗୁଡ଼ିକୁ ଭାଙ୍ଗି ସୀମା ଅରପଟେ ବ ସନ୍ନିଧିରେ ସାନି ବ୍ୟବସ୍ଥା କରିବାକୁ ହେବ । ଏହା କରିବାକୁ ସମୟ ବ ସମ୍ବଳର ଘୋର ଅଭାବ । ଫଳରେ ପ୍ରାୟ ୫ଲକ୍ଷରୁ ଅଧିକ ଓଡ଼ିଆ ଓ ତାଙ୍କ ଉପରେ ନିର୍ଭରଶୀଳ ପ୍ରାୟ ୪୫ ଲକ୍ଷ ଓଡ଼ିଆ ଘୋର ବିପର୍ଯ୍ୟୟର ସମ୍ମୁଖୀନ / ଶିକାର ହେବେ । ଏ ହେତୁ ଓଡ଼ିଶା ସରକାର ଏହି ଆଦେଶକୁ ରଦ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟକୁ ଅବିଳମ୍ବେ ଯିବା ଆବଶ୍ୟକ ।

କରୋନା ଏକ ପ୍ରାନ୍ତୀୟ ଆତଙ୍କ ନୁହେଁ , ଆନ୍ତର୍ଜାତୀୟ ହୋଇଥିବା ହେତୁ ଏହା ବି ଆମ ପାଇଁ ଭାରତ ବ୍ୟାପୀ ଏକ ଜାତୀୟ ବିପତ୍ତି । ସେହିପରି, ଦାଦନ ଶ୍ରମିକ ବିଭାବନା ପ୍ରାଦେଶିକ ନୁହେଁ, ଜାତୀୟ । କରୋନା ପରି ଜାତୀୟ ବିପତ୍ତି କାଳରେ ଦାଦନ ଶ୍ରମିକମାନଙ୍କ ସମ୍ପର୍କରେ ଏକ ଜାତୀୟ ନୀତି ନିର୍ଦ୍ଧାରଣ ହେବା ଦରକାର । The Inter-State Migrant Workmen (Regulation of Employment & Condition of Service)Act, 1979ରେ ଏପରି ବିପତ୍ତିଜନିତ ସ୍ଥିତିକୁ ଆଖିଆଗରେ ରଖି ଆବଶ୍ୟକୀୟ ସଂଶୋଧନ ଦରକାର । ଓଡ଼ିଶା ସରକାର ଯଦି ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ସୁପ୍ରିମ୍ କୋର୍ଟ୍ ଯାଆନ୍ତେ ଓ ହାଇକୋର୍ଟ ଆଦେଶକୁ ରଦ୍ଦ କରିବା ସହ ଏପରି ଏକ ନୀତି ନିର୍ଦ୍ଧାରଣ ବା ଆଇନ ସଂଶୋଧନ ପାଇଁ ଯୁକ୍ତି ରଖନ୍ତେ ତେବେ କୋଟି କୋଟି ଶ୍ରମବୀରମାନଙ୍କ ସମସ୍ୟାର ଏକ ପ୍ରଭାବଶାଳୀ ସମାଧାନ ସମ୍ଭବ ହୁଅନ୍ତା ।

ଯେ କୌଣସି ପରିସ୍ଥିତିରେ ମଧ୍ୟ ଭାଷା ଆନ୍ଦୋଳନ ଦାଦନ ଶ୍ରମିକମାନଙ୍କ ସହ ରହିବ; କାରଣ ସେହିମାନେ ହିଁ ମାତୃଭାଷାର ନିର୍ମାୟା ସନ୍ତାନ । ସେମାନଙ୍କ ଜୟ ମାତୃଭାଷାର ଜୟ ।

 

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.