ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା
[orissamatters.comରେ ପୂର୍ବପ୍ରକାଶିତ ଏହି ନିବନ୍ଧ ଭାଷା ଆନ୍ଦୋଳନ ପ୍ରତି ଆଗ୍ରହ ରଖିଥିବା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ]
ଓଡ଼ିଶାରେ ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ପ୍ରଥମେ ଅଧିଷ୍ଠିତ ହୋଇଥିଲା ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ, ତାଙ୍କରି ଦ୍ଵାରା । ଓଡ଼ିଆ ଭାଷାକୁ ସେ କେବଳ ସରକାରୀ ଭାଷା କରିନଥିଲେ, ମାତୃଭୂମି ଓଡ଼ିଶା ଓ ମାତୃଭାଷା ଓଡ଼ିଆର ସନ୍ତାନ ଭାବେ ସମସ୍ତେ ସମାନ ବୋଲି ଘୋଷଣା କରି ଶ୍ରୀମନ୍ଦିର ବ୍ୟବସ୍ଥାରୁ ତଥା ସେନାବାହିନୀରୁ ଜାତିଭେଦ ଉଚ୍ଛେଦ କରିଥିଲେ । ଲୋକେ ଏପରି ଜୀବନ୍ମୟ ହୋଇ ଉଠିଥିଲେ ଯେ, ସେମାନଙ୍କ ବୀରତ୍ଵ ବଳରେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ଟୃତ ହୋଇଯାଇଥିଲା ଓଡ଼ିଶା ସାମ୍ରାଜ୍ୟ ।
କିନ୍ତୁ କପିଳେନ୍ଦ୍ରଙ୍କ ପରେ ଏହି ମର୍ଯ୍ୟାଦା ଅନ୍ତର୍ହିତ ହୋଇଥିଲା ।
ସରକାରୀ ଭାଷା ଭାବେ ଓଡ଼ିଆଭାଷା ସଂସ୍ଥିତ ହେବା ଦ୍ଵାରା ସଂସ୍କୃତଭାଷାଜୀବୀମାନଙ୍କର ପ୍ରଭାବ କମିଯିବାରୁ ସେମାନେ ଷଡ଼ଯନ୍ତ୍ର ଭିଆଇ କପିଳେନ୍ଦ୍ର ଦାକ୍ଷିଣାତ୍ୟରେ ଥିବାବେଳେ ତାଙ୍କର ଏକ ଦାସୀପୁତ୍ର ମଙ୍ଗୁଳା ରାଏଙ୍କୁ ଜଗନ୍ନାଥଙ୍କ ସ୍ଵପ୍ନାଦେଶ ଦର୍ଶାଇ ପୁରୁଷୋତ୍ତମ ଦେବ ନାମରେ ନୂଆ ଗଜପତି ରୂପେ ଅଭିଷିକ୍ତ କରିଥିଲେ । ସମ୍ରାଟ କପିଳେନ୍ଦ୍ର ଓ ତାଙ୍କ ସୁଯୋଗ୍ୟ ଯୁବରାଜ ମହାବୀର ହମ୍ବିର ସେହି ଭୟଙ୍କର ଗୃହଗୋଳରେ କୁଆଡ଼େ ଗଲେ ତାହା ପ୍ରଶ୍ନ କରିବାକୁ ବି କାହାର ସାହସ ହେଲାନାହିଁ, ଯେହେତୁ ଏ ସବୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ବୋଲି କୁହା ଗଲା । ଶ୍ରୀ ଜଗନ୍ନାଥଙ୍କ ‘ପୁରୁଷୋତ୍ତମ’ ନାମ ଧାରଣ କରିଥିବା ପୁରୁଷୋତ୍ତମ ଦେବ ସେହି ପୁରୁଷୋତ୍ତମଜଗନ୍ନାଥଙ୍କ ଆଦେଶ ପାଳନ କରୁଛନ୍ତି ବୋଲି କହି ବ୍ରାହ୍ମଣମାନଙ୍କ ବସତିଗୁଡ଼ିକୁ ଶାସନ ନାମରେ ନାମିତ କରି ସଂସ୍କୃତ ଭାଷାକୁ ପୁନଶ୍ଚ ସରକାରୀ ଭାଷା ଭାବେ ପ୍ରବର୍ତ୍ତିତ କରିଥିଲେ ।
ସମ୍ରାଟଙ୍କ ବିରୁଦ୍ଧରେ ଯୁଗାନ୍ତକାରୀ ବିଦ୍ରୋହ
ସମ୍ରାଟ କପିଳେନ୍ଦ୍ର ଦେବ ଓ ତାଙ୍କ ସୁଯୋଗ୍ୟ ପୁତ୍ର ହମ୍ବୀର ରହସ୍ୟଜନକ ଭାବେ ନିଶ୍ଚିହ୍ନ ହୋଇଯିବା ଓଡ଼ିଆ ମାନସକୁ ଭାରକ୍ରାନ୍ତ କରିଥିବା ବେଳେ ମାତୃଭାଷା ଓଡ଼ିଆ ରାଜ୍ୟର ସରକାରୀ ଭାଷା ମାନ୍ୟତାରୁ ବଞ୍ଚିତ ହେବା ଓ ଶାସନ କ୍ଷେତ୍ରରେ ସଂସ୍କୃତର ପୁନଃ ପ୍ରଚଳନ ହେବା ତଥା ଶ୍ରୀମନ୍ଦିର ବ୍ୟବସ୍ଥାରୁ ଜୟଦେବଙ୍କ ସୁଲଳିତ ପଦାବଳୀ ଅପସାରିତ ହୋଇ ପୁରୁଷୋତ୍ତମଙ୍କ ନାମରେ ଭଣିତ ଅଭିନବ ଗୀତ ଗୋବିନ୍ଦ ପ୍ରବର୍ତ୍ତିତ ହେବା ଓ ଜଗନ୍ନାଥ ତତ୍ତ୍ଵ ବିରୋଧୀ ଶଙ୍କରାଚାର୍ଯ୍ୟ ଓ ତାଙ୍କ ଶିଷ୍ୟ ପଦ୍ମପାଦଙ୍କ ପ୍ରତିମୂର୍ତ୍ତି ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନରେ ରଖାଯାଇ ପୂଜା କରାଯିବା ବିରୁଦ୍ଧରେ ଓଡ଼ିଆ ଜାତି ଏପରି ଏକ ଉତପ୍ତ ଆନ୍ଦୋଳନ ଗଢି ତୋଳିଥିଲା ଯେ, ପୁରୁଷୋତ୍ତମ ଦେବ କୁଆଡ଼େ ଗଲେ ତା’ର ମଧ୍ୟ ପତ୍ତା ମିଳିଲାନି; ଲୋକେ ରତ୍ନସିଂହାସନରୁ ଶଙ୍କରାଚାର୍ଯ୍ୟ ଓ ପଦ୍ମପାଦଙ୍କ ପ୍ରତିମୂର୍ତ୍ତି ଉପାଡ଼ି ରାସ୍ତାକୁ ଫୋପାଢ଼ି ଦେଲେ (ଖୁରୁଧା ଇତିହାସ, କେଦାରନାଥ ମହାପାତ୍ର) ଏବଂ ପ୍ରତାପରୁଦ୍ରଙ୍କୁ ନୂଆ ସମ୍ରାଟ ପଦରେ ଅଭିଷିକ୍ତ କରିଥିଲେ । ଓଡ଼ିଆ ପୁନଶ୍ଚ ସରକାରୀ ଭାଷା ହୋଇଥିଲା ଏବଂ କପିଳେନ୍ଦ୍ର ଦେବଙ୍କ ସମୟରେ ଲୌକିକ ଓଡ଼ିଆରେ ସାରଳା ଦାସ ଯେପରି ମହାଭାରତ ଲେଖିଥିଲେ ସେପରି ପ୍ରତାପରୁଦ୍ରଙ୍କ ସମୟରେ ଜଗନ୍ନାଥ ଦାସ ସରଳ ଓଡ଼ିଆରେ ଭାଗବତ ଲେଖି ସାବ୍ୟସ୍ତ କରିଥିଲେ ଯେ, ସରକାରୀ ଭାଷା ହେବା ପାଇଁ ଓଡ଼ିଆ ଭାଷା ସୁଦକ୍ଷ, କାରଣ ଯେ କୌଣସି ଦୁରୂହ ତତ୍ତ୍ଵ ପ୍ରକାଶ କରିବା ପାଇଁ ଏହି ଭାଷାର ଶବ୍ଦମାନେ ସମର୍ଥ ।
ଏହା ପରଠାରୁ ଓଡ଼ିଶାରେ, ବିଶେଷତଃ ଗଡ଼ଜାତ ଓଡ଼ିଶାରେ ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ତାର ସ୍ଵଭୌମିକ ସତ୍ତା ଅକ୍ଷୁର୍ଣ୍ଣ ରଖିଥିବା ଦେଖାଯାଏ ।
ଗଡ଼ଜାତ ଶାସନରେ ଓଡ଼ିଆ ଭାଷା
ଆମେ ଦେଖୁ, ଭାରତ ସ୍ଵାଧୀନ ହେବା ଓ ସ୍ଵାଧୀନ ଭାରତ ସହ ଗଡ଼ଜାତଗୁଡ଼ିକର ମିଶ୍ରଣ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଗଡ଼ଜାତରେ ସରକାରୀ ଭାଷା ଥିଲା ଓଡ଼ିଆ । ପ୍ରତି ଗଡ଼ଜାତରେ ”ଇଙ୍ଗ୍ଲିଶ ଅଫିସ” ଭାବେ ବିଦିତ ଗୋଟେ ଗୋଟେ ପୃଥକ ବଖରା ଥିଲା, ଯେଉଁଠୁ ଇଂରେଜ ସରକାର ସହ ଇଂରାଜୀରେ ପତ୍ରାଳାପ ହେଉଥିଲା । ତଦ୍ଭିନ୍ନ ଗଡ଼ଜାତମାନଙ୍କରେ ସମସ୍ତ ପ୍ରଶାସନିକ କାମ ହେଉଥିଲା ଓଡ଼ିଆରେ ।
ଭାଷା-ଜାତୀୟତାର ଉଦ୍ରେକ
ଉଲ୍ଲେଖନୀୟ ଯେ, ଓଡ଼ିଆରେ ସରକାରୀ କାର୍ଯ୍ୟ ସମ୍ପାଦନ ଦାବି କରି ଏକ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ପାଇଁ ଯେଉଁ ଆନ୍ଦୋଳନ ହୋଇଥିଲା, ତାହା ସହ ଗଡ଼ଜାତବାସୀ ଓଡ଼ିଆମାନଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା; ତାହା ସୀମିତ ଥିଲା ଇଂରେଜମାନଙ୍କ ଅଧୀନସ୍ଥ ମୋଗଲବନ୍ଦୀ ଓ ଖାସ୍-ମାହାଲ୍ ଇଲାକାରେ, ଯଦିଓ ଗଡ଼ଜାତଗୁଡ଼ିକର ରାଜା, ପ୍ରଜା ଓ କାର୍ଯ୍ୟକର୍ତ୍ତାମାନେ ତାହାକୁ ଯତ୍ପରୋନାସ୍ତି ସାହାଯ୍ୟ କରୁଥିଲେ । ଉଦାହରଣ ପାଇଁ ତାଳଚେର ରାଜା ନାବାଳକ ଥିବାହେତୁ ସେଠିକା ମୁଖ୍ୟ କାର୍ଯ୍ୟନିର୍ବାହୀ ଥିବା ଦାମୋଦର ପଟ୍ଟନାୟକଙ୍କୁ ସ୍ମରଣ କରାଯାଇପାରେ । ଖାସ୍-ମାହାଲ୍ ହୋଇଯାଇଥିବା ସମ୍ବଲପୁରରେ ଯେତେବେଳେ ଓଡ଼ିଆ ବଦଳରେ ହିନ୍ଦୀ କଚେରୀ ଭାଷା ହେଲା, ସେତେବେଳେ ସେଠାରେ ସରକାରୀ ଭାଷା ଭାବେ ଓଡ଼ିଆର ପୁନଃ ପ୍ରବର୍ତ୍ତନ ପାଇଁ ମୁଣ୍ଡ ଟେକିଥିବା ଜନ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲେ ଦାମୋଦର ପଟ୍ଟନାୟକ ତାଳଚେର ପ୍ରଜାମାନଙ୍କଠାରୁ ଭାଷା ଆନ୍ଦୋଳନ ପାଇଁ ପାଣ୍ଠି ସଂଗ୍ରହ କରି ଓ ଲୋକେ ଗାଇପାରୁଥିବା ଶୈଳୀରେ ଗୀତ ରଚନା କରି । ଆମକୁ ଏହା ଅନୁଭବ କରିବାରେ ସାହାଯ୍ୟ କରେ ‘ସମ୍ବଲପୁର ହିତୈଷିଣୀ’ରେ ଏପ୍ରିଲ୍ ୮, ୧୮୯୬ରେ ପ୍ରକାଶିତ ତାଙ୍କ ଏତାଦୃଶ ଏକ ଗୀତର ଶେଷାର୍ଦ୍ଧ :
“ଯାଉ ଏ ଜୀବନ, ଧନ! ହୁଅ ଏକ ପ୍ରାଣ ମନ
ହେଉ ଶରୀର ପତନ , ରଖ ଏବେ ପଣ
ସର୍ବେ ରଖ ଏବେ ପଣ ॥
ଜନନୀ ରସନା ହିନ୍ଦୀ କାଟଇ ଜାତିକି ନିନ୍ଦି
ଉଠରେ ଉତ୍କଳ ଭାଇ ଘେନ ନିବେଦନ
ଭାଇ ସହେ କି ଜୀବନ ?”
ଗଡ଼ଜାତ ମୁଲକର ରାଜାମହାରାଜାମାନେ ଅନାକ୍ରମଣ ଚୁକ୍ତି ସମ୍ପାଦନ କରି ବ୍ରିଟିଶ୍ ସାମ୍ରାଜ୍ୟର ଆଧିପତ୍ୟତ୍କୁ ସ୍ଵୀକାର କରିଥିଲେ ମଧ୍ୟ ଅଣଗଡ଼ଜାତ ଅଞ୍ଚଳରେ ସରକାରୀ ଭାଷା ଭାବେ ଓଡ଼ିଆ ଭାଷାର ପୁନଃପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଥିଲେ । ଉଦାହରଣତଃ ଖଡ଼ିଆଳ ରାଜା ବୀର ବିକ୍ରମ ସିଂହ ‘ଉତ୍କଳ ଦୁର୍ଦ୍ଦଶା’ ନାମକ ନାଟକ ଲେଖି ଓଡ଼ିଆଭାଷା-ଜାତୀୟତା ସନ୍ଦୀପିତ କରିଥିଲେ । ଭାଷାଭିତ୍ତିକ ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତିର “ପ୍ରାଣସିନ୍ଧୁ” ମଧୁବାବୁଙ୍କ ଉତ୍କଳ ସମ୍ମିଳନୀ ସହ ବମଣ୍ଡା ନରେଶ ସାର୍ ବାସୁଦେବ ସୁଢଳ ଦେବ ଓ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନିବିଡ଼ ସମ୍ପର୍କ କାହାକୁ ବା ଅଜଣା ? ଅତଏବ, ଗଡ଼ଜାତବାସୀ ପ୍ରଜା ଓ ରାଜାମାନେ ସମଗ୍ର ଓଡ଼ିଆଭାଷୀ ଭୂଖଣ୍ଡରେ ଭାଷା-ଜାତୀୟତାର ଏକ ଅଭିନବ ପ୍ରବାହ ସୃଷ୍ଟି କରିଥିଲେ ବ୍ରିଟିଶ୍ କର୍ତ୍ତୃତ୍ଵକାଳରେ, ଯାହା ଥିଲା ଅନନ୍ୟ ଓ ଅସାଧାରଣ । ଏହି ଦିଗରେ ଆଗେଇଯିବାରେ ସେମାନେ ସମସ୍ତେ ମଧୁବାବୁଙ୍କ ସହଯୋଗୀ ସାଜିଥିଲେ ।
ଓଡ଼ିଆ ଜାତିର ବୀରତ୍ଵ ହେତୁ ବିପଦରେ ତା ଭାଷା
ଗଡ଼ଜାତ ଓଡ଼ିଶାକୁ ଛାଡ଼ି ଅବଶିଷ୍ଟ ଓଡ଼ିଶାକୁ ବ୍ରିଟିଶ୍ ଦଖଲ କରିଯାଇଥିଲା । ଏଥିପାଇଁ ତାକୁ ପ୍ରବଳ ସଂଗ୍ରାମ ଓ ରକ୍ତପାତ କରିବାକୁ ପଡ଼ିଥିଲା । ବ୍ରିଟିଶ୍ ଜାଣିଥିଲା, ସାରା ଭାରତରେ ଓଡ଼ିଆ ଜାତି ଥିଲା ଏକାନ୍ତ ଅନମନୀୟ ଓ ଅତ୍ୟନ୍ତ ଦୁର୍ଦ୍ଧର୍ଷ । ତମାମ ଭାରତରେ ମୁସଲିମ ରାଜୁତି ଚାଲିଥିଲା ବେଳେ ଓଡ଼ିଆ ଲୋକେ ନିଜ ମାଟିରେ ଜାତ ବୁଦ୍ଧଙ୍କ ପାଇଁ ନିଶଙ୍କ ଚିତ୍ତରେ ତୋଳିଥିଲେ କୋଣାର୍କ ମନ୍ଦିର । ଓଡ଼ିଆଙ୍କ ହାତରେ ଭାରତର ମୁସଲମାନ ଶାସକେ ଯେଉଁ ପରାଭବ ପାଇଥିଲେ ତାହା ଓଡ଼ିଶା ସହ ସେମାନଙ୍କ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ମୁସଲିମ ଇତିହାସ ଲେଖକ ମିନ୍ହାଜ୍-ଇ-ସିରାଜ୍ (Minhaj-i-Siraj) ମନେପକାଇ ଲେଖିଥିଲେ, ଓଡ଼ିଶା ସହ ଯୁଦ୍ଧରେ ମୁସଲମାନ ସେନା ଯେଉଁ ବିପର୍ଯ୍ୟୟ ଭୋଗିଲା ସେପରି ବିପର୍ଯ୍ୟୟ ସମଗ୍ର ଭାରତରେ କେଉଁଠି ବି ତାହା ଭୋଗି ନଥିଲା । “A greater disaster had not till then befallen the Muslims in any part of Hindustan.” (The History of Bengal: Muslim Period, Dr.K.R.Quanungo, pp.48-52)
ତେଣୁ, ଓଡ଼ିଶାକୁ ଆକ୍ରମଣ କରିବା ପାଇଁ ବ୍ରିଟିଶ୍ ହଠାତ୍ ସାହସ କରିନଥିଲା । ତମାମ ଭାରତରେ ଆଧିପତ୍ୟ ଜାରି କରିସାରିଲା ପରେ ଏହା ଓଡ଼ିଶା ଦଖଲ ପାଇଁ ବାନ୍ଧିଥିଲା ସାହସ । ଅତ୍ୟନ୍ତ ବିଭତ୍ସ ଭାବେ ଏହା ଜୟୀ ରାଜଗୁରୁଙ୍କୁ ହତ୍ୟା କରି ଭାବିଥିଲା ଓଡ଼ିଆମାନଙ୍କ ମନରେ ଭୟ ଭରିଦେବ । କିନ୍ତୁ ପରିଣତି ଓଲଟା ହେଲା ।
୧୮୦୩ରୁ ୧୮୨୮ ପର୍ଯ୍ୟନ୍ତ ଓଡ଼ିଶାରେ ବ୍ରିଟିଶ୍ ଔପନିବେଶୀୟ ଅନୁପ୍ରବେଶର ବିବରଣୀ ପ୍ରଦାନ କରି ଓଡ଼ିଆ ଲୋକଙ୍କ ହାତରେ ଇଂରେଜମାନେ କିପରି ପରାଭବ ଭୋଗିଥିଲେ ତାହା ବର୍ଣ୍ଣନା କରିଛନ୍ତି ସେମାନଙ୍କ ଇତିହାସ ଲେଖକ ଜି. ଟୟନବୀ । ତାଙ୍କ ଭାଷାରେ –
“It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” (A sketch of History of Orissa 1803-1828, G. Toynbee)
ଓଡ଼ିଶା ମାଟିର ଗୁଣ ଓ ଓଡ଼ିଆ ଲୋକଙ୍କ ମିଜାଜ୍ ଯାହା, ତହିଁରୁ ମନେହୁଏ, ପୋଲିସ ବା ମିଲିଟାରୀ ଶକ୍ତି ବଳରେ ସେମାନଙ୍କୁ କାବୁ କରି ହେବନି – ଏ କଥା ଲେଖିଥିଲେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିବା ଜଣେ ବିଚାରପତି ଡବ୍ଲ୍ୟୁ ଫରେଷ୍ଟର (Report of Joint Magistrate W. Forrester to Commissioner Robert Ker, dated September 9, 1818) । କିନ୍ତୁ ଓଡ଼ିଆ ଜାତିର ଏହି ବୀରତ୍ଵ ହିଁ ଅଣଗଡ଼ଜାତ ଓଡ଼ିଶାରେ ଓଡ଼ିଆ ଭାଷାର ସରକାରୀ ଭାଷା ମର୍ଯ୍ୟାଦା ପ୍ରତି ବିପଦ ଟାଣି ଆଣିଥିଲା ।
ବ୍ରିଟିଶ୍ ଦେଖିଲା ରାଜା ଜମିଦାରମାନଙ୍କ ଅଧ୍ୟୁଷିତ ଏହି ଭୂଖଣ୍ଡରେ ଭୌଗୋଳିକ ଏକତା ଆଦୌ ନଥିଲେ ମଧ୍ୟ ଭାଷାନୁଗତ୍ୟ ହେତୁ ସମସ୍ତେ ଐକ୍ୟବଦ୍ଧ । ଏହି ଏକତା ହିଁ ସେମାନଙ୍କ ଅସଲ ଶକ୍ତି । ଏହି ଶକ୍ତିକୁ ଉଜାଡ଼ି ଦେବାପାଇଁ ବ୍ରିଟିଶର ସୁଚିନ୍ତିତ କୌଶଳ ଥିଲା ଅଣଗଡ଼ଜାତ ଓଡ଼ିଶାକୁ ଖଣ୍ଡ ବିଖଣ୍ଡିତ କରି ଭିନ୍ନ ଭାଷାଭାଷୀ ପଡ଼ୋଶୀ ପ୍ରଦେଶମାନଙ୍କରେ ସେଗୁଡ଼ିକୁ ମିଶାଇଦେବା, ଯଦ୍ଦ୍ୱାରା ସେହି ପ୍ରଦେଶମାନଙ୍କରେ ଓଡ଼ିଆ ଭାଷାଭାଷୀମାନେ ସଂଖ୍ୟାଲଘୁ ହୋଇଯିବେ ଓ ସଂଖ୍ୟାଲଘୁତା ସେମାନଙ୍କୁ କାକୁସ୍ତ କରିଦେବ ।
ବ୍ରିଟିଶ୍ କୌଶଳର ପ୍ରଥମ ପରୀକ୍ଷଣ ଗଞ୍ଜାମରେ
ଏହି ପରୀକ୍ଷଣ ସେମାନେ ପ୍ରଥମେ କରିଥିଲେ ଦକ୍ଷିଣ ଓଡ଼ିଶା (ଗଞ୍ଜାମ, କନ୍ଧମାଳ ଓ କୋରାପୁଟ ଆଦି)କୁ ମାନ୍ଦ୍ରାଜର ଉତ୍ତରଭାଗ ସହ ମିଶାଇଦେଇ, ଯେଉଁଠି ଥିଲା ତେଲେଙ୍ଗାମାନଙ୍କ ସଂଖ୍ୟାବହୁଳତା । ଦକ୍ଷିଣ ଓଡ଼ିଶାରେ ବ୍ରିଟିଶ୍ ସରକାରର ଯେତେ କାର୍ଯ୍ୟାଳୟ ସ୍ଥାପିତ ହେଲା, ସେ ସବୁରେ ମାଡ୍ରାସ ପ୍ରେସିଡେନ୍ସିର ପ୍ରଭାବ ହେତୁ ସାମାନ୍ୟ ଇଂରାଜୀ ଜାଣିଥିବା ତେଲେଙ୍ଗାମାନେ ଚାକିରି ପାଇ ଓଡ଼ିଆମାନଙ୍କ ଉପରେ ଯାବତୀୟ ଅତ୍ୟାଚାର ଚଳାଇଲେ ଓ ଅବଲୀଳାକ୍ରମେ ସେଠାରେ ସରକାରୀ ଭାଷା ହୋଇଗଲା ତେଲୁଗୁ । ଏହା ଓଡ଼ିଆ ଜାତିକୁ ଘୋର ବିପତ୍ତିରେ ପକାଇଲା ।
କୋର୍ଟ କଚେରୀରେ ତେଲୁଗୁ ଭାଷା ପ୍ରଚଳିତ ହେବାରୁ ସେ ଅଞ୍ଚଳର ଶିଷ୍ଟ କରଣମାନେ ବାଧ୍ୟ ହୋଇ ତେଲୁଗୁ ଭାଷା ଶିକ୍ଷା କରି ନିଜ ମାଟିଜନ୍ମିତ ଓଡ଼ିଆ ଭାଇଭଉଣୀମାନଙ୍କୁ ସରକାରୀ ଦପ୍ତରମାନଙ୍କରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ । ବ୍ରିଟିଶ୍ ସରକାରଙ୍କ ପ୍ରକାଶିତ ଦସ୍ତାବିଜରେ ଏହା ସ୍ଵୀକାର କରି କୁହା ଯାଇଛି, “Sisti Karanas, originally Oriya, adopted Telugu language when Southern areas were lost to Oriyas.” (Koraput Gazeteer, p.85)
ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ପ୍ରଥମ ଦାବି
ଓଡ଼ିଆ ଭାଷା ସରକାରୀ ଭାଷାର ମର୍ଯ୍ୟାଦା ହରାଇବାରୁ ଦକ୍ଷିଣ ଓଡ଼ିଶାର ଓଡ଼ିଆମାନେ କି ଭୟଙ୍କର ବିପର୍ଯ୍ୟୟ ଭୋଗିଥିଲେ, ତାହାର ପ୍ରାମାଣିକ ଚିତ୍ର ମିଳେ “ଘୁମୁସରପତ୍ର”ରୁ । ଘୁମୁସରପତ୍ର ଭାବେ ଉତ୍କଳ ଦୀପିକା (୨୨.୧୦. ୧୮୭୦) ଯାହାକୁ ଉପସ୍ଥାପିତ କରିଥିଲା, ତାହା ଥିଲା ଓଡ଼ିଆ ବଦଳରେ ତେଲୁଗୁ ଭାଷା ସରକାରୀ ଭାଷା ହେବା ପ୍ରତିବାଦରେ ୧୧. ୯ . ୧୮୭୦ ତାରିଖରେ ରସୁଲକୋଣ୍ଡା (ଘୁମୁସର)ରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାବାସୀଙ୍କ ସମ୍ମିଳନୀର ପ୍ରସ୍ତାବ । ଏହି ପ୍ରସ୍ତାବରେ କୁହା ହୋଇଥିଲା, “କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି ।“ ଲୋକଙ୍କ ଭାଷା ଯଦି ଶାସନର ଭାଷା ନହୁଏ, ତେବେ କୁଶାସନ କିପରି ସେମାନଙ୍କ ସର୍ବନାଶ ଘଟେ ତାହା ଏହି ସମ୍ମିଳନୀରେ ସ୍ପଷ୍ଟ ହୋଇଥିଲା । ଏହି ସମ୍ମିଳନୀର ଉଦ୍ୟୋକ୍ତା ଥିଲେ “ଦିନଲୋକର ଯେ ବନ୍ଧୁ” ଦିନବନ୍ଧୁ ପଟ୍ଟନାୟକ ଯେ କି ସରକାରୀ କର୍ମଚାରୀ ହୋଇଥିବା ହେତୁ ଏପରି ଏକ ଠାରନାମର ଆଶ୍ରୟ ନେଇଥିଲେ । ସେ ଲୋକଙ୍କୁ ଅବଗତ କରାଇଥିଲେ କି, ସଂଖ୍ୟାଧିକ ଲୋକଙ୍କ ଭାଷା ସରକାରୀ ଭାଷା ହେବା ସରକାରଙ୍କ ସିଦ୍ଧାନ୍ତ ହୋଇଥିବା ହେତୁ ସଂଖ୍ୟାଧିକ ତେଲେଙ୍ଗାଙ୍କ ତେଲୁଗୁ ଭାଷା ଓଡ଼ିଆ ଲୋକଙ୍କ ପାଇଁ ସରକାରୀ ଭାଷା ହୋଇଛି । ଏହା ଉପରେ ବ୍ୟାପକ ଆଲୋଚନା ହୋଇ ପ୍ରସ୍ତାବ ହେଲା, ଯଦି ସଂଖ୍ୟାଧିକ ଲୋକଙ୍କ ଭାଷା ସରକାରୀ ଭାଷା ହେବା ଅପରିହାର୍ଯ୍ୟ, ତେବେ ଓଡ଼ିଆ ଭାଷାଭାଷୀ ସମଗ୍ର ମୁଲକକୁ ଏକ ଶାସନାଧୀନ କରାଯାଉ, ଯଦ୍ଦ୍ୱାରା ଓଡ଼ିଆ ଭାଷା ସରକାରୀ ଭାଷା ଭାବେ ସବୁ ଓଡ଼ିଆଙ୍କ ପାଇଁ ଉପଲଭ୍ୟ ହେବ । ଏହି ପ୍ରସ୍ତାବକୁ “ଘୁମୁସର ପତ୍ର” ଶୀର୍ଷକରେ ଏକ ସଂପାଦକୀୟ ସହ ପ୍ରକାଶ କରିଥିଲା ଉତ୍କଳ ଦୀପିକା । ପ୍ରକୃତ ପକ୍ଷେ ଏହି ପ୍ରସ୍ତାବ ହିଁ ହେଉଛି ଆଧୁନିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରଥମ ପ୍ରସ୍ତାବ ।
ଏହି ପ୍ରସ୍ତାବ ପ୍ରଭାବରେ ୧୮୯୦ ଅଗଷ୍ଟ ପହିଲାରେ ବ୍ରିଟିଶ୍ ସରକାର ତେଲୁଗୁ ପରିବର୍ତ୍ତେ ଓଡ଼ିଆ ଭାଷା ଘୁମୁସରରେ ସରକାରୀ ଭାଷା ଭାବେ ବ୍ୟବହୃତ ହେବାକୁ ଆଦେଶ ଦେଇଥିଲେ ମଧ୍ୟ ପୂର୍ବ ସୂଚୀତ ଦୁରଭିସନ୍ଧି ହେତୁ, ଘୁମୁସର ଭିନ୍ନ ଅନ୍ୟ ସର୍ବତ୍ର ଓଡ଼ିଆ ସାଙ୍ଗକୁ ତେଲୁଗୁଭାଷାକୁ ବି ସରକାରୀ ଭାଷା ଭାବେ କାଏମ ରଖିଥିଲେ ।
ବ୍ରିଟିଶ୍ କୌଶଳର ଦ୍ଵିତୀୟ ପରୀକ୍ଷଣ ସମ୍ବଲପୁରରେ
ଓଡ଼ିଆ ଭାଷାକୁ ସରକାରୀ ଭାଷା ମର୍ଯ୍ୟାଦାରୁ ନିଃସାରିତ କରି ଓଡ଼ିଆ ଜାତିର ଶକ୍ତି ହ୍ରାସ କରିବା ପାଇଁ ବ୍ରିଟିଶ୍ କର୍ତ୍ତୃପକ୍ଷ ନିଜ ଅପକୌଶଳର ୨ୟ ପରୀକ୍ଷଣ କରିଥିଲେ ସମ୍ବଲପୁରରେ । ଏହି ସଂପୂର୍ଣ୍ଣ ଓଡ଼ିଆ ଅଞ୍ଚଳକୁ ମଧ୍ୟପ୍ରଦେଶ କମିସନରଙ୍କ ଅଧିନସ୍ଥ କରାହୋଇଥିଲା ଓ ଏହି ଅଞ୍ଚଳରେ ଥିବା ବ୍ରିଟିଶ୍ ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ହିନ୍ଦୀ ଭାଷାଭାଷୀ କର୍ମଚାରୀମାନେ ଦାୟିତ୍ୱାସୀନ ହୋଇ ଓଡ଼ିଆମାନଙ୍କୁ ମହା ଅଡୁଆରେ ପକାଇଥିଲେ । ୧୮୯୬ ଜାନୁଆରୀ ପହିଲାରେ ଓଡ଼ିଆ ଭାଷାର ସରକାରୀ ଭାଷା ମର୍ଯ୍ୟାଦା ହନନ କରାଯାଇ ହିନ୍ଦୀ ଭାଷାକୁ ସରକାରୀ ଭାଷା ଭାବେ ନଦିଦିଆଯାଇଥିଲା ଓଡ଼ିଆମାନଙ୍କ ଉପରେ ।
ଜିଲ୍ଲାଟିର ଭାଷା ଓଡ଼ିଆ
ସରକାରୀ ଦପ୍ତରରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ କାର୍ଯ୍ୟଭାଷା ହେବା ବିରୁଦ୍ଧରେ ସମ୍ବଲପୁରରେ ବ୍ୟାପିଯାଇଥିଲା ପ୍ରଚଣ୍ଡ ଜନ ଆନ୍ଦୋଳନ । ଏହା ଏତେ ବ୍ୟାପକ ହୋଇଥିଲା ଯେ, ମଧୁବାବୁଙ୍କୁ ଭାରତର ଭାଇସରୟ ଲର୍ଡ କର୍ଜନ କହିଥିଲେ, ସମ୍ବଲପୁର ଜିଲ୍ଲାରେ ସରଜମିନ ତଦନ୍ତ କରି ଲୋକଙ୍କ ଭାଷା ପ୍ରକୃତରେ କ’ଣ ତାହା ରିପୋର୍ଟ କରିବାକୁ ସେ ମଧ୍ୟପ୍ରଦେଶ କମିଶନର ଆନ୍ଦୃ ଫ୍ରେଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ; ରିପୋର୍ଟ ଆସିଲେ ଯାହା ହେବ ।
ଫ୍ରେଜର ତାଙ୍କ ରିପୋର୍ଟରେ “ସମଗ୍ର ଜିଲ୍ଲାଟିର ଭାଷା ଓଡ଼ିଆ” ବୋଲି କହିଥିଲେ । ଓଡ଼ିଆ ମାଟିରେ ଓଡ଼ିଆ ଭାଷା ସରକାରୀ ଭାଷା ହୋଇ ନରହିବାରୁ ସାଧାରଣ ଲୋକେ ଯେଉଁ ଦୁର୍ଦ୍ଦଶା ଭୋଗୁଥିଲେ ତାହା ସ୍ପଷ୍ଟ କରି ଫ୍ରେଜର ଲେଖିଥିଲେ “ମୁଁ ଯାହା ଦେଖିଲି ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ମୁଁ ଦେଖିଲି, ୪୦/୫୦ ମାଇଲ ଦୂରରେ ରହୁଥିବା ଲୋକଙ୍କ ପାଖକୁ ହିନ୍ଦୀରେ ଲେଖାହୋଇ ଅଦାଲତରୁ ସମନ୍ ଯାଉଥିଲା । ଯେଉଁ ଲୋକ ପାଖକୁ ଏପରି ସମନ୍ ଯାଉଥିଲା, ସେ ନିଜେ ତାହା ପଢି ପାରୁନଥିଲା ବା ଗାଁରେ ମଧ୍ୟ କେହି ତାକୁ ପଢିପାରୁନଥିଲେ । ଯେଉଁ ଚଉକିଆ ଦ୍ଵାରା ସମନ୍ ଯାଉଥିଲା ତାକୁ ମଧ୍ୟ ଜଣା ନଥିଲା ହିନ୍ଦୀ । ସୁତରାଂ ସେ ବି କହିପାରୁନଥିଲା ଯେ କେଉଁ କାରଣରୁ ଅଦାଲତରୁ ସମନ୍ ଜାରି ହୋଇଛି । ସମନ୍ ପାଇ ଅଦାଲତରେ ହାଜର ନହେଲେ ଦଣ୍ଡ ମିଳିବା ଭୟରେ ଲୋକଟି ଚାଲି ଚାଲି ବା ଶଗଡ଼ ଗାଡ଼ିରେ ଅଝାଡ଼ ଜଙ୍ଗଲ ଭିତରେ ୪୦/୫୦ ମାଇଲ ଆସି ଅଦାଲତରେ ହାଜର ହେଉଥିଲା ଏବଂ ଜାଣିବାକୁ ଚେଷ୍ଟା କରୁଥିଲା ଯେ, କାହିଁକି ତାକୁ ସମନ୍ ଜାରି ହୋଇଛି । ହୁଏତ ତାକୁ ସେତିକି ବୁଝି ସାରି ମହଲତ ପାଇଁ ଦରଖାସ୍ତ କରିବାକୁ ବା ଯେଉଁ କାଗଜପତ୍ର ଦେଖାଇବାକୁ ତାକୁ ସମନ୍ ଯାଇଥିଲା, ସେ କାଗଜପତ୍ର ଆଣିବା ପାଇଁ ପୁଣି ଜଙ୍ଗଲେ ଜଙ୍ଗଲେ ସେହି ୪୦/୫୦ ମାଇଲ୍ ବାଟ ଫେରିବାକୁ ପଡୁଥିଲା ।“(ଅନୁବାଦ : ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ, ୨୦୦୫ ) ଏହି ରିପୋର୍ଟ ବ୍ରିଟିଶ୍ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରିଥିଲା ସମ୍ବଲପୁର ଅଞ୍ଚଳରେ ଓଡ଼ିଆ ଭାଷାକୁ ପୁନର୍ବାର ସରକାରୀ ଭାଷା ଭାବେ ସଂସ୍ଥାପିତ କରିବାକୁ ।
ଭାଷା ଭିତ୍ତିରେ ଆବିର୍ଭୂତ ହେଲା ମା ଓଡ଼ିଶା ୧୯୩୬ ଏପ୍ରିଲ ପହିଲାରେ । କିନ୍ତୁ, ଅଣଗଡ଼ଜାତ ଓଡ଼ିଶାରେ ବ୍ରିଟିଶ୍ ସରକାରଙ୍କ କାର୍ଯ୍ୟାଳୟମାନଙ୍କରେ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀ କର୍ମଚାରୀମାନଙ୍କ ପ୍ରାବଲ୍ୟ ଥିବା ହେତୁ ସରକାରୀ ଭାଷା ଭାବେ ଓଡ଼ିଆର ପ୍ରଚଳନ ପୂର୍ଣ୍ଣତଃ ସମ୍ଭବ ହେଲା ନାହିଁ ।
ଭାଷା ଆଇନ ପାଇଁ ପ୍ରଥମ ପ୍ରସ୍ତାବ
ଏକ ଶକ୍ତିଶାଳୀ ଭାଷା ଆଇନ ବ୍ୟତୀତ ଏହି ସମସ୍ୟାର ପରିସମାପ୍ତି ଘଟିବା ସମ୍ଭବ ନୁହେଁ ବୋଲି ସୁନିଶ୍ଚିତ ଥିଲେ ସ୍ଵାଧୀନତା ପ୍ରାପ୍ତି ବେଳକୁ ସକ୍ରିୟ ଥିବା ଓଡ଼ିଶା ବିଧାନସଭାରେ ବରଗଡ଼ (ପୂର୍ବ)ର ପ୍ରତିନିଧି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର । ସ୍ଵାଧୀନ ଭାରତରେ ଯେଉଁଦିନ ପ୍ରଥମଥର ପାଇଁ ‘ଉତ୍କଳ ଦିବସ’ ପାଳିତ ହେଲା – ୧୯୪୮ ଏପ୍ରିଲ୍ ପହିଲା – ସେହିଦିନ ସେ ବିଧାନସଭାକୁ ନିବେଦନ କରିଥିଲେ ଅବିଳମ୍ବେ ଏକ ଆଇନ ପ୍ରଣୟନ କରାଯାଇ ଓଡ଼ିଆକୁ ଓଡ଼ିଶାର ରାଜ୍ୟଭାଷା ରୂପେ ଜାରି କରିବାକୁ (ବିଧାନସଭା ବିବରଣୀ, ୧ ଏପ୍ରିଲ୍ ୧୯୪୮, ପ୍ରୁଷ୍ଠା ୭୪୯ ) ଓଡ଼ିଆ ଭାଷାକୁ ବିଧିବଦ୍ଧ ଭାବେ ଓଡ଼ିଶାର ସରକାରୀ ଭାଷା କରିବାକୁ ଏହା ହିଁ ଥିଲା ଆଇନ ପ୍ରଣୟନ ପାଇଁ ପ୍ରଥମ ପ୍ରସ୍ତାବ । ମାତ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ, ଆଇନମନ୍ତ୍ରୀ ନିତ୍ୟାନନ୍ଦ କାନୁନଗୋ ଓ ବଙ୍ଗାଳୀ ବିଧାୟକ ରାଜକୃଷ୍ଣ ବୋଷଙ୍କ ବିରୋଧ ହେତୁ ଏହି ନିବେଦନ ବ୍ୟର୍ଥ ହୋଇଯାଇଥିଲା ।
ଲୁହଭିଜା କଣ୍ଠରେ ନିଜ ନିବେଦନ ୱାପସ ନେଲାବେଳେ ପଣ୍ଡିତ ମିଶ୍ର କହିଥିଲେ, ତାଙ୍କ ନିବେଦନ ଗୃହୀତ ହେବ ବୋଲି ସେ ନିଜେ ନିଃସନ୍ଦେହ ନଥିଲେ; କାରଣ, “ତାଙ୍କ (ପ୍ରଧାନମନ୍ତ୍ରୀଙ୍କ) ସାଙ୍ଗପାଙ୍ଗ ଯେଉଁମାନେ ସରକାର ଚଳଉଛନ୍ତି ସେମାନେ (ଓଡ଼ିଆରେ ଓଡ଼ିଶା ଚଳାଇବା) ମନୋବୃତ୍ତି ଗ୍ରହଣ କରିନାହାନ୍ତି” (ଏଯନ ପୃ ୭୫୭-୫୮)।
ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪
ପ୍ରଧାନମନ୍ତ୍ରୀ ମହତାବ ଓ ତାଙ୍କ “ସାଙ୍ଗପାଙ୍ଗ”ମାନଙ୍କ ମନୋବୃତ୍ତିରେ କ୍ଷୁବ୍ଧ ହୋଇଥିଲେ ମଧ୍ୟ, ନିଜେ ଜଣେ ମନ୍ତ୍ରୀ ହୋଇଥିବା ହେତୁ ନୀରବ ଥିବା ନବକୃଷ୍ଣ ଚୌଧୁରୀ ତିନି ସପ୍ତାହ ଭିତରେ ନିଜର ସମସ୍ତ ସରକାରୀ ଦାୟିତ୍ଵ ସମ୍ପନ୍ନ କରିସାରି ଇସ୍ତଫା ଦେଇ ଚାଲି ଯାଇଥିଲେ ଓ ସମ୍ବିଧାନ ଅନୁସାରେ ଓଡ଼ିଶାର ପ୍ରଥମ ବିଧାନସଭା ନିର୍ବାଚିତ ହେଲା ପରେ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହୋଇ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ( The Orissa Official Language Act, 1954) ପ୍ରଣୟନ କରିଥିଲେ । ଯେହେତୁ ଓଡ଼ିଆକୁ ଓଡ଼ିଶାର କାର୍ଯ୍ୟାଳୟ ଭାଷା କରିବା ପାଇଁ ଆଇନର ଜରୁରୀ ଆବଶ୍ୟକତା ଅଛି, ସେହେତୁ ଏ ଆଇନ ପ୍ରଣୟନ କରାଗଲା ବୋଲି କହି ଏହାର ଧାରା ୨ର ଉପଧାରା ୧ରେ ସ୍ପଷ୍ଟ କରାହୋଇଥିଲା ଯେ, ଓଡ଼ିଶା ରାଜ୍ୟର ସମସ୍ତ ଓ ଯେକୌଣସି ସରକାରୀ ଉଦ୍ଦେଶ୍ୟରେ କାର୍ଯ୍ୟାଳୟର ଭାଷା ହେବ ଓଡ଼ିଆ । ଧାରା ୧ର ଉପଧାରା ୨ରେ ସମଗ୍ର ଓଡ଼ିଶା ଏହାର ପ୍ରୟୋଗ ପରିସରଭୁକ୍ତ ବୋଲି କୁହାଯାଇ ଉପଧାରା ୩ ବଳରେ ଏହାକୁ ତତ୍କାଳ ବଳବତ୍ତର କରଯାଇଥିଲା ।
ଓଡ଼ିଶା ସରକାରୀ ଭାଷାରେ ସଙ୍କଟ : ଆରମ୍ଭ ୧୯୬୩
ଓଡ଼ିଶା ସରକାରୀ ଭାଷା ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ୧୯୬୧ରେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁ ପଟ୍ଟନାୟକ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ମଧ୍ୟ ଦାୟିତ୍ଵ ହସ୍ତାନ୍ତର କରିନଥିବାର ସୁଯୋଗ ନେଇ ୧୯୬୩ରେ ତହିଁରେ ପ୍ରଥମ ସଂଶୋଧନ ଆଣି ବିଧାନ ପ୍ରଣୟନ କ୍ଷେତ୍ରରେ ଓଡ଼ିଆ ସାଙ୍ଗକୁ ଇଂରାଜୀ ବ୍ୟବହୃତ ହେବ ବୋଲି ବ୍ୟବସ୍ଥା କରିଦେଲେ । ଏହା ଓଡ଼ିଆ ସରକାରୀ ଭାଷାରେ ଏପରି ସଙ୍କଟ ସୃଷ୍ଟି କଲା ଯେ, ଆଜିଯାଏଁ ଓଡ଼ିଶା ଗଠନର ଉଦ୍ଦେଶ୍ୟ କାର୍ଯ୍ୟକାରୀ ହୋଇପାରୁନି (ବିଜୁଙ୍କ ଛୁରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ୨୦୧୯) ।
ସଙ୍କଟ ମୋଚନ ପାଇଁ ବେସରକାରୀ ପଦକ୍ଷେପ
ବଲାଙ୍ଗିରର ଟିଟିଲାଗଡ଼ ନିବାସୀ ଅଧିବକ୍ତା ଓ କବି ଗଜାନନ ମିଶ୍ର ଏହି ସଙ୍କଟର ଅବସାନ ପାଇଁ ୨୦୧୫ ଜୁଲାଇ ପହିଲାରୁ ଆମରଣ ଅନଶନ କରିଥିଲେ ରାଜଧାନୀ ଭୁବନେଶ୍ୱରରେ । ତାଙ୍କ ପ୍ରତି ସମଗ୍ର ଓଡ଼ିଶାରୁ ସମର୍ଥନର ସୁଅ ଛୁଟିବା ଦେଖି ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ପରାମର୍ଶ ଲୋଡ଼ି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ଜୁଲାଇ ୩୧, ୨୦୧୫ ତାରିଖରେ (ସଂକଲ୍ପ ସଂଖ୍ୟା ୧୮୭୧୫/ସା ପ୍ର ) ।
ଏହି କମିଟିର ସଦସ୍ୟ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନରେ ଥିବା ତିନୋଟି ଆଜନ୍ମ ତ୍ରୁଟି ଠାବ କରିଥିଲେ , ଯେଉଁ ତ୍ରୁଟି ହେତୁ, ଓଡ଼ିଆ ଭାଷାପ୍ରେମୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଐକାନ୍ତିକ ଚେଷ୍ଟା ସତ୍ତ୍ୱେ ସରକାରୀ ଭାଷା ଭାବେ ଓଡ଼ିଆ ଅଲଙ୍ଘ୍ୟ ହୋଇପାରିନଥିଲା । ଏହି ତିନି ତ୍ରୁଟି ହେଲା : (୧) ଆଇନର ଉଲ୍ଲଂଘନ ପାଇଁ ଦଣ୍ଡବିଧାନର ଅଭାବ, (୨) ଆଇନର କାର୍ଯ୍ୟକାରିତା ପାଇଁ ନିୟମାବଳୀର ଅଭାବ ଓ (୩) ନିୟମାବଳୀ ପ୍ରଣୟନ ପାଇଁ ସରକାରଙ୍କ ସାମର୍ଥ୍ୟର ଅଭାବ ।
ସରକାରୀ ଭାଷା ଆଇନ ସଂଶୋଧନ ପାଇଁ ପ୍ରସ୍ତାବ, ୨୦୧୫
ତେଣୁ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସେପ୍ଟେମ୍ବର ୩, ୨୦୧୫ ତାରିଖରେ ପ୍ରସ୍ତାବ ଦେଇଥିଲେ କି, ଆଇନ ସଂଶୋଧନ କରି ନିୟମାବଳୀ ପ୍ରଣୟନ କରିବାର ସାମର୍ଥ୍ୟ ସରକାର ପ୍ରଥମେ ଅର୍ଜନ କରନ୍ତୁ ଓ ସେହି ସାମର୍ଥ୍ୟ ବଳରେ ନିୟମାବଳୀ ପ୍ରଣୟନ କରି ତହିଁରେ ଭାଷା ଆଇନର ଉଲ୍ଲଂଘନ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରଖନ୍ତୁ । ଏଥିପାଇଁ ଆବଶ୍ୟକୀୟ ଚିଠା ମଧ୍ୟ ସେ ପ୍ରଦାନ କରିଥିଲେ । ନବୀନ ପଟ୍ଟନାୟକ ଓଡ଼ିଆ ଜାତିର ଭାଷା ଅଧିକାରକୁ ଆଇନ ସଂଶୋଧନ ଆଳରେ ଜାଲିଆତି ଦ୍ଵାରା ଜଖମ କରିବା ପୂର୍ବରୁ ଉପରୋକ୍ତ ଦୁଇ ଚିଠାକୁ ମନ୍ତ୍ରୀସ୍ତରୀୟ କମିଟି ପକ୍ଷରୁ ‘ଓଡ଼ିଆରେ ଶାସନ’ ଶୀର୍ଷକ ସରକାରୀ ୱେବ୍ସାଇଟରେ ସ୍ଥାନିତ କରା ହୋଇଥିଲା, ଯେଉଁ ୱେବ୍ସାଇଟର ଲିଙ୍କ୍ ଥିଲା odia.odisha.gov.in । ଲୋକେ ଏହା ନଜାଣନ୍ତୁ , ଏଥିପାଇଁ ନବୀନବାବୁ ଆଦେଶ ଦେଇ ଏହି ୱେବ୍ସାଇଟକୁ ଅଚଳ କରିଦେଇଛନ୍ତି ।
(ପ୍ରଦ୍ଯୁମ୍ନ ଶତପଥୀ)
ଉପରୋକ୍ତ ପ୍ରସ୍ତାବ ସପକ୍ଷରେ କଳାପତାକା ଅଭିଯାନ ଆରମ୍ଭ ହେବାର କେଇଦିନ ପରେ ଜଣେ ଅଭିଯାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଆନ୍ଦୋଳନର ସଭାପତି ପ୍ରଦ୍ଯୁମ୍ନ ଶତପଥୀ କହିଥିଲେ, “ବରେଣ୍ୟ ସୁଭାଷ ପଟ୍ଟନାୟକଙ୍କ ପରିପକ୍ଵ ପ୍ରଜ୍ଞାଜ ଏହି ଦର୍ଶନର ଆମେ ସମସ୍ତେ ସଞ୍ଚାଳକ” ( ଫେସବୁକ୍ ପୃଷ୍ଠାରେ ପ୍ରଦ୍ଯୁମ୍ନ ଶତପଥୀଙ୍କ ଉଲ୍ଲେଖନ, ୧୧.୫.୨୦୧୬ ) ।
(ସୌମ୍ଯରଞ୍ଜନ ପଟ୍ଟନାୟକ)
୧୯୫୪ରୁ ଭାଷା ଆଇନ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ କେଉଁ କାରଣରୁ କାର୍ଯ୍ୟକାରୀ ହୋଇ ପାରୁନି, ତାହା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଗବେଷଣା କରି କହିବାରୁ ପ୍ରଥମଥର ପାଇଁ ଓଡ଼ିଶା ସରକାର ଏବଂ ସମଗ୍ର ଓଡ଼ିଆ ଜାତି ଅବଗତ ହେଲା ବୋଲି କହିଥିଲେ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
https://soundcloud.com/orissamatters/sambad-editor-soumya-ranjan-patnaik-on-bhasa-andolan?utm_source=orissamatters.com&utm_campaign=wtshare&utm_medium=widget&utm_content=https%253A%252F%252Fsoundcloud.com%252Forissamatters%252Fsambad-editor-soumya-ranjan-patnaik-on-bhasa-andolan
(ପବିତ୍ର ମହାରଥା)
ପବିତ୍ର ମହାରଥା ଲେଖିଥିଲେ, “୧୯୫୪ ଓଡ଼ିଆ ସରକାରୀ ଭାଷା ଆଇନରେ ଦଣ୍ଡବିଧାନ ବ୍ୟବସ୍ଥା ନଥିବା ହେତୁ ଆଇନଟି ପ୍ରତି ଏପରି ଅବମାନନା ହେଉଥିବା ଅନୁଧ୍ୟାନ କରି ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ୨୦୧୫ ସେପ୍ଟେମ୍ବର ୩ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ସରକାରଙ୍କୁ ପରାମର୍ଶ ସହ ଆବଶ୍ଯକୀଯ ଆଇନର ଚିଠା ପ୍ରଦାନ କରିଥିଲେ, ଯାହାକି ଏବେ ବି http://odia.odisha.gov.inରେ ଉପଲବ୍ଧ। (ପ୍ରମେୟ , ୨୩.୧୨.୨୦୧୭) ।
ଓଡ଼ିଶାର ଦୁର୍ଭାଗ୍ୟ, ଏହି ତିନିଜଣଯାକ ନିଦା ଓଡ଼ିଆ ଅଣଓଡ଼ିଆ ଅଧ୍ୟୁଷିତ ନବୀନ ପଟ୍ଟନାୟକଙ୍କ କିମିଆରେ ପଥବଣା ହୋଇ ଭାଷା ଆନ୍ଦୋଳନକୁ ଛୁରା ମାରିଦେଲେ ।
ଓଲଟ ମାର୍ଗରେ ନବୀନ
କେଉଁ କାରଣ ହେତୁ ଆଇନଟି କାର୍ଯ୍ୟକାରୀ ହୋଇପାରୁନି ତାହା ନିରୂପଣ କରି ପ୍ରତିକାର ପାଇଁ ପ୍ରସ୍ତାବ ଦେବାକୁ ଯେଉଁ ନବୀନ ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ, ସେହି ନବୀନ ପଟ୍ଟନାୟକ କମିଟିରେ ସର୍ବସମ୍ମତିକ୍ରମେ ଗୃହୀତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରସ୍ତାବ ପାଇବା ପରେ ଓଲଟ ମାର୍ଗରେ ଚାଲିଲେ । ତାଙ୍କ ପାଖଲୋକ ଭାବେ ବିବେଚିତ ହେଉଥିବା ଜଣେ ଅଣଓଡ଼ିଆ ଆଇ ଏ ଏସ୍ ଅଫିସର ଜି. ଭି. ଭି. ଶର୍ମାଙ୍କୁ ସେ ଉପରୋକ୍ତ କମିଟି ଦାୟିତ୍ବରେ ରଖିଥିଲେ । ସେହି ଶର୍ମା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରସ୍ତାବିତ ଆଇନ ସଂଶୋଧନ ଚିଠାକୁ ଲୁଚାଇ ରଖି କେବଳ ତାଙ୍କ ନିୟମାବଳୀ ଚିଠାଟିକୁ ଆଇନ ବିଭାଗକୁ ପଠାଇଲେ । କିନ୍ତୁ ସୁଭାଷ ବାବୁଙ୍କ ଚିଠା ଅନୁଯାୟୀ ଆଇନ ସଂଶୋଧନ ନ ହେବା ପର୍ଯ୍ୟନ୍ତ ନିୟମାବଳୀ ପ୍ରଣୟନ ସମ୍ଭବ ନୁହେଁ ବୋଲି ଡିସେମ୍ବର ୨୬, ୨୦୧୫ରେ ରାଜ୍ୟ ସରକାରଙ୍କୁ ସମ୍ପୃକ୍ତ ନଥି ଟିପ୍ପଣୀରେ ସ୍ପଷ୍ଟ କରିଦେଲେ ଆଇନ ସଚିବ । ନବୀନବାବୁଙ୍କ ତଞ୍ଚକତା ମଉଳି ପଡ଼ିଲା ।
ଭାଷା ଆନ୍ଦୋଳନ ପ୍ରତିଷ୍ଠା
ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆଚରଣ ପ୍ରଦର୍ଶନ କଲେ, ତାକୁ ବିଚାରକୁ ନେଇ ସୁଭାଷ ଚନ୍ଦ୍ର ପଟ୍ଟନାୟକ ନିଜ ଦାବି ସପକ୍ଷରେ ଓଡ଼ିଶାର ଜନମତ ଜାଗରଣ ପାଇଁ ଏକ ନୂଆ ଆନ୍ଦୋଳନ ଭାବେ ୨୦୧୬ ଏପ୍ରିଲ ପହିଲା (ଆଧୁନିକ ଓଡ଼ିଶାର ଜନ୍ମଦିନ) ସକାଳେ ପ୍ରତିଷ୍ଠା କଲେ ଭାଷା ଆନ୍ଦୋଳନ, ଓଡ଼ିଶା । ସେତେବେଳକୁ ସରକାରୀ ଶଠତାର ଶିକାର ହୋଇଗଲେ ବୋଲି ବିଚାରି ଗଜାନନ ମିଶ୍ର ୨୦୧୫ ଜୁଲାଇରେ ଚଳାଇଥିବା ଆନ୍ଦୋଳନକୁ ଉଜେଇଁ ଦେଇଥାନ୍ତି (ଇତିଶ୍ରୀ ଭାଗବତ, ଗଜାନନ ମିଶ୍ର, ସମାଜ, ୧୦.୮.୨୦୧୫) ।
ଗଜାନନବାବୁଙ୍କ ଆନ୍ଦୋଳନର ଗୁରୁତ୍ଵ ହ୍ରାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଦିଆ ଭାବେ ତାଙ୍କ ଦଳର ରାଜ୍ୟସଭା ସଦସ୍ୟ ବୈଷ୍ଣବ ଚରଣ ପରିଡ଼ା ପ୍ରବଳ ଜୋରରେ ଲାଗିଥାନ୍ତି, ଗଜାନନବାବୁ ଓ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ଛାଡ଼ି ମନ୍ତ୍ରୀସ୍ତରୀୟ କମିଟିର ଅନ୍ୟ ସମସ୍ତ ବେସରକାରୀ ସଦସ୍ୟ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ପ୍ରତିଷ୍ଠାନ ନାମକ ଏକ ଘରୋଇ ସଂସ୍ଥାର ବ୍ୟବସାୟିକ ସ୍ଵାର୍ଥ ସିଦ୍ଧିପାଇଁ ତହିଁର ତତ୍କାଳୀନ ଅଧ୍ୟକ୍ଷ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ନେତୃତ୍ଵରେ ଲାଗିଥାନ୍ତି । ସୁତରାଂ ସେମାନଙ୍କ ଭିତରୁ କେହି ଭାଷା ଆଇନ ସଂଶୋଧନ ପାଇଁ ସ୍ୱର ତୋଳିବାର କୌଣସି ସମ୍ଭାବନା ଆଉ ନଥାଏ । ଏହି ବ୍ୟଥାଦାୟକ ପରିସ୍ଥିତିରେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କରି ସୁଭାଷ ଚନ୍ଦ୍ର ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଫେସବୁକ୍ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ନିବେଦନ କରିଥିଲେ ଏହି ଆନ୍ଦୋଳନରେ ସହଯୋଗ କରିବା ପାଇଁ । ଏବଂ ତତ୍କ୍ଷଣାତ୍ ଗଜାନନବାବୁଙ୍କ ସମେତ ଓଡ଼ିଶାର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କଠାରୁ ଇ-ମେଲ୍ ଯୋଗେ ସମର୍ଥନ ଆସିଲା । ସେତେବେଳକୁ ତାଙ୍କର ଘନିଷ୍ଠ ହୋଇଉଠିଥିବା ପବିତ୍ର ମହାରଥା ପ୍ରଥମେ ପ୍ରତ୍ଯକ୍ଷ ସହଯୋଗ ଦେଲେ । ତାଙ୍କ ସାଙ୍ଗକୁ ପ୍ରଦ୍ୟୁମ୍ନ ଶତପଥି, ସାଗର ଶତପଥି, ତୁଷାରକାନ୍ତ ଶତପଥି, ମଧୁମିତା ସାମଲଙ୍କୁ ନେଇ ସେ ନିଜ ଅଧ୍ୟକ୍ଷତାରେ ଏହି ଆନ୍ଦୋଳନର ଏକ ଅନୌପଚାରିକ କମିଟି ଗଠନ କରିଥିଲେ, ଯହିଁରେ ପବିତ୍ର ମହାରଥାଙ୍କୁ ସେ ଆବାହକ ଦାୟିତ୍ଵ ଦେଇଥିଲେ । ଆନ୍ଦୋଳନର ପ୍ରୟୋଗାତ୍ମକ ପଦ୍ଧତ୍ତି ଥିଲା ଶ୍ରୀ ପଟ୍ଟନାୟକଙ୍କ ବୌଦ୍ଧିକ କୌଶଳ ‘ନୀରବ କଳାପତାକା ଅଭିଯାନ’ । ଏହି ଅଭିଯାନ ପାଇଁ ସଦସ୍ୟମାନଙ୍କ ମାନସିକ ଭୟ ଦୂର କରିବାକୁ ଶ୍ରୀ ପଟ୍ଟନାୟକଙ୍କୁ ପ୍ରାୟ ସପ୍ତହେ କାଳ ଲାଗିଗଲା । ଅଭିଯାନଟି ଚାଲିପାରିବ ବୋଲି ବିଶ୍ଵାସ ଦୃଢ ହେବା ପରେ ଓଡ଼ିଆ ନବବର୍ଷ (ପଣା ସଙ୍କ୍ରାନ୍ତି) ୧୩. ୦୪. ୨୦୧୬ ଅପରାହ୍ନ ୫ଟାରେ ବିଧାନସଭା ସମ୍ମୁଖରୁ ଆରମ୍ଭ ହୋଇ ପ୍ରତିଦିନ ପଦଯାତ୍ରା କ୍ରମେ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ବିଜେସ୍ଥଳୀରେ ଏହା ସମାପ୍ତ ହେବ ବୋଲି ୦୮.୦୪. ୨୦୧୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ସ୍ମାରକପତ୍ରରେ ଅବଗତ କରାଯାଇଥିଲା । ନିଷ୍ପତ୍ତି ଅନୁସାରେ ପ୍ରଦ୍ୟୁମ୍ନ ଶତପଥି ପ୍ରତ୍ୟହ କଳାପତାକା ଧରିବାକୁ ୪ ଜଣ ଅଭିଯାତ୍ରୀ ଆଣୁଥିଲେ ଓ ପବିତ୍ରବାବୁ ପ୍ରତିଦିନର ସଂବାଦ ଗଣମାଧ୍ୟମକୁ ପଠାଉଥିଲେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହା ଅଡୁଆରେ ପକାଇଥିଲା । ବାଧ୍ୟ ହୋଇ, ଆଇନ ସଂଶୋଧନ ପାଇଁ ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବକୁ ନଥିଭୁକ୍ତ କରି ସାଧାରଣ ପ୍ରଶାସନ ବିଭାଗ ଆଇନ ବିଭାଗକୁ ପଠାଇଲା ।
ଓଡ଼ିଶା ସରକାରୀ ଭାଷାରେ ସଙ୍କଟ : ୨୦୧୬
ଓଡ଼ିଶା କାର୍ଯ୍ୟ ନିୟମାବଳୀ (Rules of Business) ଅନୁଯାୟୀ ସମସ୍ତ ବିଧେୟକର ଚିଠା ଯାଞ୍ଚ କରି ମଞ୍ଜୁରୀ ଦେବେ ଆଇନ ସଚିବ ଯାହା ମନ୍ତ୍ରୀମଣ୍ଡଳର ଅନୁମୋଦନ କ୍ରମେ ଆଇନ ବିଭାଗ ବାଟଦେଇ ବିଧାନସଭାକୁ ଯିବ ଓ ସେଠାରେ ଗୃହୀତ ହେଲା ପରେ ରାଜ୍ୟପାଳଙ୍କ ପାଖକୁ ଯାଇ ତାଙ୍କ ସମ୍ମତି ବଳରେ ଆଇନରେ ପରିଣତ ହେବ । ବିଚିତ୍ରକଥା, ଆଇନ ସଚିବଙ୍କ ମଞ୍ଜୁରୀ ଲାଭ କରିଥିବା ଓଡ଼ିଶା ସରକାରୀ ଭାଷା ବିଧେୟକ, ୨୦୧୬ ମନ୍ତ୍ରୀମଣ୍ଡଳ ସମ୍ମୁଖରେ ରଖାନଯାଇ ବଦଳାଇ ଦିଆଗଲା ଓ ସେହି ଅନଧିକୃତ ବିଧେୟକକୁ ରାଜ୍ୟପାଳଙ୍କ ଅଧ୍ୟାଦେଶ ବଳରେ ଲାଗୁ କରି ରାଜ୍ୟ ସରକାର ନିୟମାବଳୀ ପ୍ରଣୟନର ସାମର୍ଥ୍ୟ ହାସଲ କଲେ ଓ ପୂର୍ବରୁ ଆଇନ ବିଭାଗକୁ ଯାଇଥିବା ନିୟମାବଳୀ ଲୁଚାଇ ଦେଇ ଏପରି ନିୟମାବଳୀ ଅଧିସୂଚିତ କଲେ,ଯାହା ଓଡ଼ିଆ ସରକାରୀ ଭାଷା ଭାବେ ଅଲଙ୍ଘ୍ୟ ହେବା ସମ୍ଭାବନାକୁ ଧୁଳିସାତ୍ କରିଦେଲା ।
ଓଡ଼ିଶା ସରକାରୀ ଭାଷାରେ ସଙ୍କଟ : ୨୦୧୮
ଏହି ସଙ୍କଟ ଅଧିକ ଘନୀଭୂତ ହେଲା ୨୦୧୮ରେ ଯେତେବେଳେ ଭାଷା ଆନ୍ଦୋଳନରେ ଫାଟ ସୃଷ୍ଟି କରିବାକୁ ସକ୍ଷମ ହୋଇଗଲେ ଓ କୌଣସି କର୍ମଚାରୀ ଯଦି ଭାଷା ଆଇନ ଉଲ୍ଲଙ୍ଗନ କରନ୍ତି ତେବେ ସେଥିପାଇଁ ଓଡ଼ିଶାବାସୀମାନେ ଦଣ୍ଡିତ ହେବେ ବୋଲି ଏକ ଉଦ୍ଭଟ୍ଟ ବ୍ୟବସ୍ଥା ଆଇନରେ ଖଞ୍ଜିଲେ (ଓଡ଼ିଶା ସରକାରୀ ଭାଷା ଆଇନ (ସଂଶୋଧନ) ବିଧେୟକ, ୨୦୧୮ ) । ଏଥିପାଇଁ ଆଇନ ବିଭାଗ ପ୍ରସ୍ତୁତ କରିଥିବା ଓ ମାର୍ଚ୍ଚ ୧୪, ୨୦୧୮ରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଥିବା ବିଧେୟକକୁ ମଧ୍ୟ ବିଧାନସଭାରେ ବଦଳାଇ ଦିଆ ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ବିଧାୟକୀୟ ଅସଦାଚରଣ ଜନଚକ୍ଷୁରୁ ଲୁଚାଇ ରଖିବା ପାଇଁ ୨୦୧୮ ଜୁଲାଇ ୧୬ ତାରିଖ ସନ୍ଧ୍ୟାରେ ନବୀନବାବୁଙ୍କ ସୁପାରି ଖାଇଥିବା ପ୍ରଦ୍ଯୁମ୍ନ ଶତପଥୀ ସଦଳବଳେ ସଂପୂର୍ଣ୍ଣ ଅନଧିକୃତ ଭାବେ ମିଥ୍ୟା ଘୋଷଣା କରିଥିଲେ ଯେ, କଳାପତାକା ଅଭିଯାନ ସ୍ଥଗିତ ରହିଲା (ଦାନାର ତୋବଡ଼ା , ସୁଭାଷ ଚନ୍ଦ୍ର ପଟ୍ଟନାୟକ ) ।
ଏହା ବିରୁଦ୍ଧରେ ପ୍ରବଳ ଆନ୍ଦୋଳନ ଦେଖାଦେଲା । ସରକାର ବାଧ୍ୟ ହୋଇ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ସାନି ସଂଶୋଧନ କଲେ ( ଓଡ଼ିଶା ସରକାରୀ ଭାଷା ଆଇନ (୨ୟ ସଂଶୋଧନ) ୨୦୧୮ ) । ଦୁଃଖର କଥା, ଏହି ୨ୟ ସଂଶୋଧନରେ ୨୦୧୮ର ପ୍ରଥମ ସଂଶୋଧନରେ ଥିବା ପ୍ରମାଦକୁ ଅଧିକ ଶକ୍ତିଶାଳୀ କରାଯାଇଛି । ଏବଂ ଏତଦ୍ଦ୍ୱାରା ୨୦୧୬ରେ ପରିସୃଷ୍ଟ ସଙ୍କଟ ଏଯାଏଁ ଲାଗିରହିଛି । ଏହି ପ୍ରଚଣ୍ଡ ବିଭୀଷିକାର ସମସ୍ତ ପ୍ରାମାଣିକ ତଥ୍ୟ ‘ଦାନାର ତୋବଢ଼ା’ ଅଧିକନ୍ତୁ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଅନ୍ୟ ଦୁଇଟି ପୁସ୍ତକରେ ଉପଲଭ୍ୟ । ପୁସ୍ତକ ଦୁଇଟି ହେଲା, ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’ (୨୦୨୧) ଓ ‘ଭର୍ତ୍ସନୀୟ ବିଧାନସଭା’ (୨୦୨୨) ।
ସମାଧାନ
ସରକାରୀ ଭାଷା ଭାବେ ଓଡ଼ିଆ ଅଲଙ୍ଘ୍ୟ ହେବା ପଥରେ ଦେଖାଦେଇଥିବା ସମସ୍ୟାର ସମାଧାନ ସରକାରଙ୍କ ଉପରେ ନିର୍ଭର କରେ । ୨୦୧୬ ଓ ୨୦୧୮ ରେ ହୋଇଥିବା ତିନୋଟିଯାକ ସଂଶୋଧନ ଅବୈଧତା କାରଣରୁ ରଦ୍ଦ କରି ରାଜ୍ୟ ସରକାର ସାନି ସଂଶୋଧନ ଦ୍ଵାରା ତାହାକୁ କାର୍ଯ୍ୟକ୍ଷମ କରିପାରିବେ । କର୍ମଚାରୀମାନେ ଓଡ଼ିଶା ରାଜଭାଷା ଆଇନର ଉଲ୍ଲଂଘନ କଲେ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯିବା ବ୍ୟବସ୍ଥା ଯଦି ଲୋପ କରାନଯିବ, ତେବେ ଓଡ଼ିଶାର ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ଅଲଙ୍ଘ୍ଯ ନହୋଇ ପ୍ରାସଙ୍ଗିକତା ହରାଇବ । ମନେ ରଖିବାକୁ ହେବ ଯେ, ଯେଉଁ ଭାଷା କାର୍ଯ୍ୟର ଭାଷା ହୋଇ ନରହେ, ଅର୍ଥାତ୍ ସରକାରୀ ଭାଷା ହୋଇ ନରହେ, ସେ ଭାଷା ତା’ର ବିପୁଳ ସାହିତ୍ୟ ସତ୍ତ୍ୱେ ମରିଯାଏ । ଏହିପରିଭାବେ ଆମ ନିଜର ପାଳି ଭାଷା ମରିଯାଇଛି । ବୁଦ୍ଧ ଆମ ମାଟିରେ ଜନ୍ମ ହୋଇଥିଲେ ବୋଲି ଆମ ଭାଷାରେ ତାଙ୍କ ଧର୍ମନୀତି ପ୍ରଦାନ କରିଥିଲେ । ପାଳି ଭାଷାରେ ବିପୁଳ ବୌଦ୍ଧ ସାହିତ୍ୟ ଜୀବିତ; ମାତ୍ର ପାଳି ନାହିଁ, ମରିଯାଇଛି , ଯେହେତୁ । କାରଣ ସମୟର କବଳରେ ପାଳି ଆମ ଶାସନର ଭାଷା ହୋଇ ରହିଲାନି, ଶାସନର ଭାଷା ହୋଇଗଲା ସଂସ୍କୃତ । ସଂସ୍କୃତରେ ବିପୁଳ ସାହିତ୍ୟ ଏବେ ବି ଜୀବିତ । ମାତ୍ର ସଂସ୍କୃତ ହୋଇଯାଇଛି ଏକ ମୃତ ଭାଷା (dead language ); କାରଣ ତାହା କାର୍ଯ୍ୟଭାଷା ହୋଇ ରହିନାହିଁ । ତେଣୁ , ଆମ ଭାଷା ଓଡ଼ିଆ ଯଦି ସରକାରୀ ଭାଷା ଭାବେ ଅଲଙ୍ଘ୍ୟ ନହୁଏ, ବିପୁଳ ସାହିତ୍ୟ ସତ୍ତ୍ୱେ ଏହା ମରିଯିବ ।
ନୂଆ ଆଶା
କ୍ରମାଗତ ଅସୁସ୍ଥତା ହେତୁ ଯେତେବେଳେ ସୁଭାଷ ଚନ୍ଦ୍ର ପଟ୍ଟନାୟକ କାୟିକତଃ ଭାଷା ଆନ୍ଦୋଳନ ଚଳାଇପାରୁନାହାନ୍ତି, ସେତେବେଳେ ତାଙ୍କ ମନରେ ଏକ ନୂଆ ଆଶା ସନ୍ଦୀପିତ କରିଛନ୍ତି ୨୦୧୮ ଜୁଲାଇ ୧୬ ତାରିଖରେ ଏହି ଆନ୍ଦୋଳନ ପରିତ୍ୟାଗ କରି ଚାଲିଯାଇଥିବା ପବିତ୍ର ମହାରଥା ଓ ଅନ୍ଯାନ୍ଯ ସାଥୀମାନେ । ସେମାନେ ନିଜର ଭୁଲ ସମ୍ଭବତଃ ବୁଝିପାରିଛନ୍ତି ଓ ଭାଷା ଆନ୍ଦୋଳନର ଲକ୍ଷ୍ୟ ହାସଲ କରିବା ପାଇଁ ଆଗାମୀ (ଓଡ଼ିଆ) ନୂଆ ବର୍ଷ ଦିବସରୁ କଳାପତାକା ଅଭିଯାନ ପୁନଶ୍ଚ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହାଠୁ ବଳି ଉତ୍ତମ କଥା କିଛି ବି ନଥାଇପାରେ । ନିଷ୍ଠାର ସହ ଯଦି ଏ ଆନ୍ଦୋଳନ ଚାଲେ, ତେବେ କାର୍ଯ୍ୟାଳୟର ଭାଷା ଭାବେ ଓଡ଼ିଆ ଭାଷାକୁ ଅଲଙ୍ଘ୍ୟ କରିବାକୁ ସାନି ଆଇନ ସଂଶୋଧନ ପାଇଁ ରାଜ୍ୟ ସରକାର ବାଧ୍ୟ ହେବେ । ୧୮୭୦ ସେପ୍ଟେମ୍ବର ୧୧ ତାରିଖରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ କାର୍ଯ୍ୟାଳୟର ଭାଷା କରିବା ପଥରେ ଯେଉଁ ସମସ୍ୟା ଲାଗିରହିଛି, ତହିଁର ବୀରୋଚିତ ସମାଧାନ ସମ୍ଭବ ହେବ ।
