ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ପୁନରାବୃତ୍ତି ହେଉଥିଲେ ମଧ୍ୟ ଉଲ୍ଲେଖନୀୟ ଯେ, ୨.୭.୨୦୦୮ ତାରିଖରୁ ଅଡ଼ଶପୁର କଲେଜରେ କାମ କରୁନଥିବା ହେତୁ ସମ୍ପୃକ୍ତ କଲେଜର ପରିଚାଳନା କମିଟି ଶ୍ରୀମତୀ ଷଡଙ୍ଗୀଙ୍କ ନିଯୁକ୍ତି ରଦ୍ଦ ପାଇଁ ୯.୧୦.୨୦୧୩ରେ ନିଷ୍ପତ୍ତି ନେଇ ତହିଁର ଅନୁମୋଦନ ସକାଶେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ୨୮.୧୦.୨୦୧୩ରେ ଶିକ୍ଷା ଆଇନର ଧାରା ୧୦-କ-୧ ଅନୁସାରେ ଚିଠି ଦେଇଥିଲେ (ପତ୍ରାଙ୍କ ୮୧୨/ୟୁ.ଏନ୍.ସି.) । ଏହି ନିଷ୍ପତ୍ତି ସହ ଏକମତ ନହୋଇଥିଲେ , ଧାରା ୧୦-କ-୨ ଅନୁସାରେ ଏହି ଚିଠି ପାଇବାର ୩ ମାସ ମଧ୍ୟରେ ଶିକ୍ଷା ନିର୍ଦ୍ଦେଶକ ଉପଯୁକ୍ତ ତଦନ୍ତ କରି ଉପଯୁକ୍ତ କାରଣ ସହ ସମ୍ପୃକ୍ତ କଲେଜକୁ ଜଣାଇପାରିଥାନ୍ତେ ଯେ, ଶ୍ରୀମତୀ ଷଡଙ୍ଗୀଙ୍କ ଚାକିରି ରଦ୍ଦ କରିବା ପ୍ରସ୍ତାବକୁ ସେ ଅନୁମୋଦନ କରୁନାହାନ୍ତି । ସେ ତାହା କଲେ ନାହିଁ । ଅର୍ଥାତ୍, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କଲେଜର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେନାହିଁ ।

ଅପରପକ୍ଷେ ଅନଧିକୃତ ଭାବେ ୫ ବର୍ଷରୁ ଅଧିକ ଅନୁପସ୍ଥିତି ହେତୁ ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ଓଡ଼ିଶା ସେବା ସଂହିତାର ୭୨ ଧାରାରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶକ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କୁ ୧୯.୩.୨୦୧୩ରେ ନିର୍ଦ୍ଦେଶ ଦେଇଥିଲେ (ପତ୍ରାଙ୍କ ୧୨୯୩୪) । ସୁତରାଂ ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ କଲେଜ ପରିଚାଳନା କମିଟିର ପ୍ରସ୍ତାବକୁ ନିର୍ଦ୍ଦେଶକ ପ୍ରତ୍ୟାଖ୍ୟାନ ନକରିବା ହିଁ ଥିଲା ତହିଁ ପ୍ରତି କାର୍ଯ୍ୟତଃ ଅନୁମୋଦନ (de facto approval ) । ଏ ଦୃଷ୍ଟିରୁ ଦେଖିଲେ ୨.୭.୨୦୦୮ ତାରିଖରୁ ଶ୍ରୀମତୀ ଷଡଙ୍ଗୀଙ୍କ ଚାକିରି କାର୍ଯ୍ୟତଃ ରଦ୍ଦ ହୋଇସାରିଥିଲା । ଏହି “କାର୍ଯ୍ୟତଃ ରଦ୍ଦିକରଣ” (de facto termination) କୁ “ଆଇନତଃ ରଦ୍ଦିକରଣ (de jure termination)ରେ ରୂପାନ୍ତରିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ସରକାରଙ୍କ ନିଷ୍ପତ୍ତି, ଯାହା ପୂର୍ବାଲୋଚିତ ୨୨.୬.୨୦୧୫ ତାରିଖରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ୧୩୨୯୦ ସଂଖ୍ୟକ ପତ୍ରରେ ପ୍ରତିଫଳିତ ହୋଇଥିଲା ।

ପ୍ରଦ୍ୟୁମ୍ନ ଶତପଥି ଏହି ସରକାରୀ ନିଷ୍ପତ୍ତିକୁ ରଦ୍ଦ କରାଇ , ତାଙ୍କ ସ୍ତ୍ରୀଙ୍କ ଚାକିରିକୁ ପୁନର୍ଜୀବନ ଦେବା ସର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଷା ଆଂଦୋଳନର ସଉଦା କଲା ପରେ, ଉଚ୍ଚ ଶିକ୍ଷା ବିଭାଗ ଏହି ସରକାରୀ ଆଦେଶକୁ କିପରି କବରଦେବା କାମ କରିଥିଲା ତାହା ପୂର୍ବରୁ ଆଲୋଚିତ ହୋଇଛି ।

ଯେହେତୁ ୫ ବର୍ଷରୁ ଉର୍ଦ୍ଧ୍ଵ ଅନଧିକୃତ ଅନୁପସ୍ଥିତି ହେତୁ ଓଡ଼ିଶା ସେବା ସଂହିତାର ଧାରା ୭୨ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଅପରିହାର୍ଯ୍ୟ ଥିଲା, ସେହେତୁ “ମୁଳୁ ମାଇଲେ ଯିବ ସରି” ନ୍ୟାୟରେ ଅନୁଶାସନସଚିବ , ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗ) ନଥିରେ ଗାଲୁକଳ୍ପ ପ୍ରୟୋଗ କରି ଦର୍ଶାଇଥିଲେ ଯେ, ସେ ଆଦୌ ଅନୁପସ୍ଥିତ ନଥିଲେ, କାରଣ ତାଙ୍କୁ ଅନୁପସ୍ଥିତ ରଖା ହୋଇଥିଲା । ଯଦି ତାଙ୍କୁ ଅନୁପସ୍ଥିତ ରଖା ହୋଇଥିଲା, ତେବେ ସେ ତ ନିଜ ଆଡ଼ୁ ଅନୁପସ୍ଥିତ ନ ଥିଲେ; ସେବା ସଂହିତାର ଧାରା ୭୨ ବା ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ତାଙ୍କ ବିରୁଦ୍ଧରେ ପ୍ରୟୋଗ ହେବାର ପ୍ରଶ୍ନ ଉଠୁଥିଲା କେଉଁଠି ?

ସତ ପାତାଳରୁ ଫୁଟି ବାହାରେ

କିନ୍ତୁ ଏହି ଗ୍ୟାଙ୍ଗ ଜାଣି ନଥିଲେ ଯେ, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ କାଳରେ ଏହି ଗ୍ୟାଙ୍ଗର ଜାଲିଆତିକୁ ନିଜେ ମାନସୀ ଷଡଙ୍ଗୀ ହିଁ ଧରା ପକାଇ ଦେବେ ! ଓଡ଼ିଆ ଜାତିର ପୂର୍ବପୁରୁଷେ କହିଯାଇଛନ୍ତି – ସତ ଲୁଚିବ ନାହିଁ , ପାତଳରୁ ଫୁଟି ବାହାରିବ । ତାହା ହିଁ ହେଲା । ଶ୍ରୀମତୀ ମାନସୀ ଷଡଙ୍ଗୀ ତାଙ୍କ ୪.୧୨. ୨୦୧୩ ତାରିଖର ସତ୍ୟପାଠରେ “ଅପରିହାର୍ଯ୍ୟ ପରିସ୍ଥିତିରେ ଛୁଟିରେ ଥିଲି” (Under compelling circumstances I was on leave) ବୋଲି ଘୋଷଣା କରିଥିବା ବେଳେ, ତଦନ୍ତ କାଳରେ ଦେହ ଅସୁସ୍ଥ ଥିବା ହେତୁ କଲେଜକୁ ଯାଇପାରିନଥିବା ଦର୍ଶାଇଥିଲେ ଓ ଏହି ଦାବି ସପକ୍ଷରେ କିଛି ଆବୁରୁଜାବୁରୁ ଚିକିତ୍ସା ବ୍ୟବସ୍ଥାପତ୍ର (prescription) ବି ଦେଖାଇଥିଲେ, ଯାହା ସ୍ପଷ୍ଟ କରିଦେଲା କି, ତାଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ରଖା ହୋଇଥିଲା ବୋଲି ଉପରୋକ୍ତ ଗ୍ୟାଙ୍ଗ କରିଥିବା ଉଲ୍ଲେଖନ ଥିଲା ସମ୍ପୂର୍ଣ ଭିତ୍ତିହୀନ ଓ ମିଛ ।

ଲୋଭ ଫସାଇଲା

ଭାଷା ଆନ୍ଦୋଳନକୁ ଛୁରୀ ମାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଵାମୀଙ୍କ ସଉଦା ବଳରେ ସରକାରୀ କଳକୁ କର୍ଷଣ କରି ଶ୍ରୀମତୀ ଷଡଙ୍ଗୀ ଚାକିରିରେ ୨୩.୭.୨୦୧୮ରେ ଯୋଗଦେଇସାରିଥିଲେ ମଧ୍ୟ, ପ୍ରାୟ ଦେଢକୋଟି ଟଙ୍କା ନଗଦ ହାସଲ କରିବା ଲୋଭରେ , ୪.୧୨.୨୦୧୮ରେ ହାଇକୋର୍ଟରେ ଉପରୋକ୍ତ ରିଟ୍ ମାମଲା ଦାଖଲ କଲେ , ଯାହା ସୁଚାଇଲା କି, ସଉଦା ସତ୍ତ୍ୱେ ୨୨.୬.୨୦୧୫ର ସରକାରୀ ଆଦେଶ ନାଲି ଫିତା ତଳେ କବର ପାଇଥିଲା ସିନା , ବାତିଲ ହୋଇନଥିଲା । ଶତପଥୀ ଦମ୍ପତ୍ତିଙ୍କ ନଗଦ ଅର୍ଥ ଲାଭର ଲୋଭ ତାଙ୍କୁ ସାହାଯ୍ୟ କରିବାକୁ ବାଟ ଅବାଟ ନମାନି ମାଡିଯାଇଥିବା ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗକୁ ମହା ଅଡ଼ୁଆରେ ପକାଇଲା ।

କଲେଜ ଅଧ୍ୟକ୍ଷଙ୍କ ପ୍ରତିବାଦ

“ଚୋର ମନ ଗଣ୍ଠିଲିରେ” ପରି ଏହି ଗ୍ୟାଙ୍ଗର ସଭ୍ୟମାନେ ମଧ୍ୟ ଜାଣିଥିଲେ ଯେ, ସେମାନେ ନଥି ପୃଷ୍ଠାରେ କବର ଦେଇଥିବା ଆଦେଶଟି ଯେହେତୁ ସରକାରୀ ଭାବେ ବାତିଲ ହୋଇନଥିଲା, ସେହେତୁ ତାହା ଜୀବନ୍ତ ଥିଲା । ଆଇନତଃ ଦେଖିଲେ, ସେହି ଆଦେଶଟି ଥିଲା ମଧ୍ୟ ବେଆଇନ । କାରଣ, କାର୍ଯ୍ୟତଃ ରଦ୍ଦ (de facto terminated) ହୋଇସାରିଥିବା ଶ୍ରୀମତୀ ଷଡଙ୍ଗୀଙ୍କୁ , ସୀମିତ ଉଦ୍ଦେଶ୍ୟରେ ହେଉ ପଛେ, ଅଡ଼ଶପୁର କଲେଜରୁ ଅନ୍ୟତ୍ର ବଦଳି କରାଯିବା କଥା ତାହା କହିଥିଲା । ସୁତରାଂ ଯଥାର୍ଥତଃ କଲେଜ ଅଧ୍ୟକ୍ଷ ୮.୭.୨୦୧୫ରେ ୩୦୫ ସଂଖ୍ୟକ ପତ୍ର ଲେଖି ତହିଁର ଘୋର ଯୁକ୍ତିସମ୍ମତ ପ୍ରତିବାଦ କରିଥିଲେ, ଯାହା ସରକାରୀ ନଥିରେ ମଧ୍ୟ ଜୀବନ୍ତ ଥିଲା ।

ଅଧ୍ୟକ୍ଷଙ୍କୁ ଅନ୍ଧାରରେ ରଖି ଦୋଷାରୋପ

ଉପରୋକ୍ତ ଗ୍ୟାଙ୍ଗର ପ୍ରଥମ ଲୋକ ଭାବେ ଅନୁଶାସନସଚିବ ସୂର୍ଯ୍ୟନାରାୟଣ ମହାପାତ୍ର ୧୧.୭.୨୦୧୮ରେ ସମ୍ପୃକ୍ତ ନଥିରେ ଗାଲୁକଳ୍ପ ପ୍ରୟୋଗ କରି ଲେଖିଥିଲେ ଯେ, କଲେଜ କର୍ତ୍ତୁପକ୍ଷଙ୍କ ଭିତିରି ଅଭିସନ୍ଧି ହେତୁ (“the reason best known to the college authorities”) ଶ୍ରୀମତୀ ଷଡଙ୍ଗୀଙ୍କର କୌଣସି ଦୋଷ ନଥାଇ ବି ତାଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ରଖାହୋଇଥିଲା (“for none of her faults she is kept out of service and has not been allowed to join her duty”) । ତାହା ବସ୍ତୁତଃ ଥିଲା କଲେଜ ଅଧ୍ୟକ୍ଷଙ୍କ ଉପରେ ଏକ ନିର୍ଘାତିଆ ଦୋଷାରୋପ  ତାଙ୍କ ଅଜ୍ଞାତରେ । ଅଧ୍ୟକ୍ଷଙ୍କ ଏହି ଗୁରୁତ୍ବପୂର୍ଣ ପତ୍ର ଉପରେ ଯଥା ସମୟରେ ଆମେ ଆଲୋଚନା କରିବା ।

ଅସଙ୍ଗତ ଚାପ

କଲେଜ ଅଧ୍ୟକ୍ଷଙ୍କ ୮.୭.୨୦୧୫ ତାରିଖର ୩୦୫ ସଂଖ୍ୟକ ପତ୍ର ଦୃଷ୍ଟିରୁ ତାଙ୍କୁ ଅନ୍ଧକାରରେ ରଖି ତାଙ୍କ ଆପତ୍ତି ଅନ୍ତର୍ଗତ ୨୨.୬.୨୦୧୫ ତାରିଖର ବିବାଦୀୟ ସରକାରୀ ଆଦେଶ ଉପରେ ହସ୍ତକ୍ଷେପ କରିବା ଓ ଅଧ୍ୟକ୍ଷଙ୍କ ଉପରେ ଦୋଷାରୋପ କରିବା ଥିଲା ସମ୍ପୂର୍ଣ ଅସଙ୍ଗତ । ଏହା ଜାଣି ମଧ୍ୟ, ଯେକୌଣସି ପ୍ରକାରେ ହେଉ ବି ଶ୍ରୀମତୀ ଷଡଙ୍ଗୀଙ୍କୁ ଚାକିରି ଦିଆଇବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଚାପ ହେତୁ ଉଚ୍ଚ ଶିକ୍ଷା ବିଭାଗ ମହାପାତ୍ରଙ୍କ ଅଭିସନ୍ଧିମୂଳକ ଅବାସ୍ତବ ଟିପ୍ପଣୀକୁ ଗ୍ରହଣ କରି ‘ଶ୍ରୀମତୀ ଷଡଙ୍ଗୀ ଅନୁପସ୍ଥିତ ନ ଥିଲେ, ତାଙ୍କୁ ଅନୁପସ୍ଥିତ ରଖାଯାଇଥିଲା’ ବୋଲି ଦର୍ଶାଇ ତଦନୁଯାୟୀ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲା । ମାତ୍ର, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତହିଁରେ ପ୍ରଭାବିତ ହେଲେ ନାହିଁ , ଯେହେତୁ ଶ୍ରୀମତୀ ଷଡଙ୍ଗୀଙ୍କ ବୟାନ ଅନୁସାରେ ସେ ପ୍ରଥମେ ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ଥିଲେ ଓ କ୍ରମେ ଅସୁସ୍ଥତା ହେତୁ ଏମୁଣ୍ଡୁସେମୁଣ୍ଡ ଛୁଟିରେ ଥାଇ ଔଷଧ ଖାଉଥିଲେ । ଶ୍ରୀମତୀ ଷଡଙ୍ଗୀଙ୍କ ଅସୁସ୍ଥତା ସମ୍ପର୍କୀୟ ଏହି  ବୟାନ ବି ମିଥ୍ୟା ଥିଲା, କାରଣ ତଦନ୍ତ ବେଳେ ସେ ଅସୁସ୍ଥତା ହେତୁ କାମ କରିବାକୁ ଅକ୍ଷମ ଥିଲେ ବୋଲି କହୁଥିବା ସତ୍ତ୍ବେ ଚିକିତ୍ସାର କୌଣସି ପ୍ରତ୍ୟୟଯୋଗ୍ୟ ପ୍ରମାଣ ଦେଇପାରିନଥିଲେ । ଏହି ସତ୍ୟର ଉଲ୍ଲେଖ କରି ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ନିୟମାନୁମୋଦିତ ଦଣ୍ଡବିଧାନ ପାଇଁ ସୁପାରିଶ କଲେ ନିର୍ଦ୍ଦେଶକ (ପତ୍ରାଙ୍କ ୬୩୫୮ , ତା ୧୪.୨.୨୦୧୯) । ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗ ଦେଖିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଚାପର କୌଣସି ପ୍ରମାଣ ନଥିବା ବେଳେ, ସେମାନେ ନଥିରେ ଗାଲୁକଳ୍ପ ବ୍ୟବହାର କରି ଶ୍ରୀମତୀ ଷଡଙ୍ଗୀଙ୍କ ସପକ୍ଷରେ ସରକାରଙ୍କୁ ବିଭ୍ରାନ୍ତ କରିଥିବା ନିର୍ଦ୍ଦେଶକଙ୍କ ରିପୋର୍ଟରେ ପ୍ରମାଣିତ ହୋଇଯାଇଛି । ସୁତରାଂ ସାନି ତଦନ୍ତ ଦ୍ଵାରା ଏ ରିପୋର୍ଟ ବଦଳାଇବାକୁ ନିର୍ଦ୍ଦେଶକଙ୍କ ଉପରେ ଅସଙ୍ଗତ ଚାପ ପ୍ରୟୋଗ ହେଲା (ପତ୍ରାଙ୍କ ୫୪୭୦ ତା ୧.୩.୨୦୧୯) । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.