ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିଷ୍ପତ୍ତି ବଦଳାଇବାକୁ ସମ୍ପୃକ୍ତ ବିଭାଗର ଅତିରିକ୍ତ ଶାସନ ସଚିବ ୧.୩.୨୦୧୯ରେ ଚାପ ପ୍ରୟୋଗ କରିବା ମୂଳରେ ଅନ୍ୟତମ କାରଣ ଥିଲା ୪.୧୨.୨୦୧୮ରେ ଓଡ଼ିଶା ହାଇ କୋର୍ଟରେ ମାନସୀ ଷଡଙ୍ଗୀ ଦାଖଲ କରିଥିବା ରିଟ୍ ମାମଲା ।

ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗର ସଭ୍ୟମାନେ ଭଲଭାବେ ଜାଣିଥିଲେ ଯେ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଚାପ ନଥିଭୁକ୍ତ ହୋଇନଥିବା ହେତୁ କେବଳ ସେହିମାନଙ୍କ ନଥିଭୁକ୍ତ ଟିପ୍ପଣୀଗୁଡ଼ିକ ହିଁ କୋର୍ଟଙ୍କ ତର୍ଜମା ଭିତରକୁ ଆସିବ ଓ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ସେମାନଙ୍କ ପାଇଁ କାଳ ହେବ । ତେଣୁ ସେମାନେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ସାନି ତଦନ୍ତ କରି ସେହିମାନଙ୍କ କଥା ଅନୁସାରେ ପରିବର୍ତ୍ତିତ ରିପୋର୍ଟ ଦେବାକୁ ବାଧ୍ୟ କରିଥିଲେ ।

ନିର୍ଦ୍ଦେଶକଙ୍କଠାରୁ ଏକ ନୂଆ ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ସେମାନଙ୍କ କବ୍ଜାରେ ଥିବା ଉଚ୍ଚ ଶିକ୍ଷା ବିଭାଗ ହାଇ କୋର୍ଟରେ ପ୍ରତିବାଦୀ ଭୂମିକା ନିର୍ବାହ କରିବାକୁ ସାହସ କରିନଥିଲା, କାରଣ ତଦ୍ଦ୍ଵାରା ସେମାନଙ୍କ ଜାଲିଆତି କୋର୍ଟଙ୍କ ଆଖିରେ ଧରା ପଡ଼ିଯାଇଥାନ୍ତା ।

କୋର୍ଟ ଯେତେବେଳେ ଦେଖିଲେ ଯେ, ମାନସୀଙ୍କ ଦାବି ବିରୁଦ୍ଧରେ ଉଚ୍ଚ ଶିକ୍ଷା ବିଭାଗର କୌଣସି ଆପତ୍ତି ନାହିଁ , ୩.୪.୨୦୧୯ରେ ମାମଲାଟିକୁ ନିର୍ବିବାଦ ଫଇସଲା କରି ଆଦେଶ ଦେଲେ ଯେ, ସରକାର ୩ ମାସ ଭିତରେ ଶ୍ରୀମତୀ ଷଡଙ୍ଗୀଙ୍କ ପ୍ରାର୍ଥନା ଉପରେ ନିଷ୍ପତ୍ତି ନିଅନ୍ତୁ ।

“ମଳୁ ଖୋଜୁଥିଲା କାକର ପାଣି , ବଇଦ କହିଲା ପି ତୋରାଣି” ପରି ଏ ଆଦେଶ ଉପରୋକ୍ତ ଗ୍ୟାଙ୍ଗକୁ ସତେ ଯେମିତି ନୂଆ ଜୀବନ ଦେଇଦେଲା !

“ଶ୍ରୀମତୀ ଷଡଙ୍ଗୀ ସ୍ଵେଚ୍ଛାରେ ଅନୁପସ୍ଥିତ ନଥିଲେ, ତାଙ୍କୁ ଦୁରଭିସନ୍ଧି ହେତୁ ଅନୁପସ୍ଥିତ ରଖା ହୋଇଥିଲା” ବୋଲି ସରକାର ଯେହେତୁ ସିଦ୍ଧାନ୍ତ କରିଛନ୍ତି, ସେହେତୁ ସାନି ତଦନ୍ତ ପାଇଁ ଦିଆଯାଇଥିବା ଆଦେଶ ମାନି ନିର୍ଦ୍ଦେଶକ ତଦନୁରୂପ ନୂଆ ରିପୋର୍ଟ ଦେବେ ବୋଲି ଏହି ଗ୍ୟାଙ୍ଗ ସୁନିଶ୍ଚିତ ଥିଲା ।

ଏହି ଗ୍ୟାଙ୍ଗ ଯେହେତୁ ତାଙ୍କ ସପକ୍ଷରେ, ସେହେତୁ ପ୍ରଦ୍ୟୁମ୍ନ ଶତପଥୀ ଦମ୍ପତ୍ତି ବି ନିଯୁକ୍ତି ନିୟମିତିକରଣ ଓ ପିଛିଲା ବେତନ ବାବଦରେ ଦେଢ଼ କୋଟି ଟଙ୍କା ଉପାର୍ଜନ ନେଇ ସୁନିଶ୍ଚିତ ଥିଲେ । ଉପରୋକ୍ତ ଗ୍ୟାଙ୍ଗ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ନୂଆ ରିପୋର୍ଟକୁ ଅପେକ୍ଷା କରି ଆରାମରେ ବସିଥିବା ବେଳେ, ହାଇ କୋର୍ଟ ଦେଇଥିବା ୩ ମାସ ସମୟ ସରିଯାଇଥିଲେ ବି ମାନସୀ ଷଡଙ୍ଗୀ ସରକାରଙ୍କ ଉପରେ କ୍ଷୁର୍ଣ ନଥିଲେ, କାରଣ ସେ ସୁନିଶ୍ଚିତ ଥିଲେ ଯେ, ପ୍ରଦ୍ୟୁମ୍ନ ଚଳାଇଥିବା ଗୋଟି ବ୍ୟର୍ଥ ହେବ ନାହିଁ ।

ସାଙ୍ଗଙ୍କୁ ନିର୍ଦ୍ଦେଶକ

ତଥାପି , ପ୍ରାୟ ଦେଢ଼କୋଟି ଟଙ୍କା ନଗଦ ପାଇବାର ଲୋଭ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବ୍ୟତିବ୍ୟସ୍ତ କଲା । ଭାଷା ଆନ୍ଦୋଳନକୁ ବନ୍ଦ କରାଇବା ସର୍ତ୍ତରେ ସେ ତାଙ୍କ ସ୍ତ୍ରୀଙ୍କ ଚାକିରି ପୁନର୍ଜୀବିତ କରାଇଥିଲେ ମଧ୍ୟ ଏବଂ ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ବୋଲି ସରକାରଙ୍କୁ ଲେଖିକରି ଜଣାଇଥିଲେ ମଧ୍ୟ, ସୁଭାଷ ଚନ୍ଦ୍ର ପଟ୍ଟନାୟକ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନ ନିୟମିତ ଚାଲିରହିବା ହେତୁ ସେ ନିଜେ ଆଶଙ୍କା କରୁଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମାନସୀଙ୍କ ସପକ୍ଷରେ ଚାପ ପ୍ରୟୋଗ ହୁଏତ ଆଉ ସମ୍ଭବ ହେବ ନାହିଁ । ତା ଛଡ଼ା, ଶ୍ରୀମତୀ ଷଡଙ୍ଗୀ ଚାକିରିରେ ଯୋଗ ଦେଇସାରିଥିବା ହେତୁ ମନ୍ତ୍ରୀଙ୍କ ଭୂମିକା ବି ଶେଷ ହୋଇଯାଇଥିଲା । ସୁତରାଂ ସବୁ ନିର୍ଭର କରୁଥିଲା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ସହଯୋଗ ଉପରେ ।

ଏହି ପରିପ୍ରେକ୍ଷୀରେ ପ୍ରଦ୍ୟୁମ୍ନ ଯାଇଥିଲେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟକୁ । ସେଠାରେ ତଳିଆ ଅମଲାତନ୍ତ୍ରରୁ ସେ ଯାହା ଅବଗତ ହେଲେ ସେଥିରେ ତାଙ୍କ ଅକଲ ଗୁଡୁମ୍ ହୋଇଗଲା ।

ସେ ଜାଣିଲେ ଯେ, ସରକାରଙ୍କ ୧.୩.୨୦୧୯ ତାରିଖର ଆଦେଶ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶକଙ୍କ ସମ୍ମୁଖରେ ନଥି ରଖାହୋଇଥିଲା ୧୪.୩.୨୦୧୯ ତାରିଖରେ । ଆଦେଶର ୨ଟିଯାକ ଭାଗକୁ ଉପନିର୍ଦ୍ଦେଶକ ଉପସ୍ଥାପିତ କରିଥିଲେ । ପ୍ରଥମଟି ହେଲା, ମାନସୀଙ୍କ ଅନୁପସ୍ଥିତି ସମୟ ଉପରେ ନିର୍ଦ୍ଦେଶକ ୧୪.୨.୨୦୧୯ରେ ଦେଇଥିବା ନିର୍ଦ୍ଧାରଣର ପୁନର୍ବିଚାର ଓ ୨ୟଟି ହେଲା, ୧୯.୯.୨୦୧୮ ତାରିଖରୁ ତାଙ୍କୁ ୭ମ ବେତନ ଆୟୋଗଙ୍କ ସୁପରିଶର ସର୍ବନିମ୍ନ ହାରରେ ବେତନ ପ୍ରଦାନ ପାଇଁ ସେ ଯୋଗ ଦେଇଥିବା ଶିଶୁ ଅନନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅଧିକାର ପ୍ରଦାନ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ୧୫.୩.୨୦୧୯ରେ ୨ୟ ଭାଗଟିକୁ ମଞ୍ଜୁର କରିଥିବା ବେଳେ ୧ମ ଭାଗଟିକୁ ଭ୍ରୂକ୍ଷେପ କରିନଥିଲେ ।

ଏଥିରୁ ଶତପଥୀ ନିସନ୍ଦିଗ୍ଧ ହୋଇଗଲେ ଯେ, ତାଙ୍କୁ ସାହାଯ୍ୟ କଲାପରି ବ୍ୟକ୍ତି ନିର୍ଦ୍ଦେଶକ ନ ହେଲେ ମାନସୀ ପିଛିଲା ବେତନ ବାବଦରେ ପ୍ରାୟ ଦେଢ଼କୋଟି ଟଙ୍କା ପାଇବା ସମ୍ଭବ ହେବ ନାହିଁ  ଓ ଚାକିରିଗତ ସଙ୍କଟ ବି ଟଳିବ ନାହିଁ ।

ତାଙ୍କ ସାଙ୍ଗ ନିରଞ୍ଜନ ସାହୁ , ଯେ କି ତାଙ୍କ ସମସ୍ତ ସାମାଜିକ କ୍ରିୟାକର୍ମରେ ତାଙ୍କ ଘନିଷ୍ଠ ସହଯୋଗୀ ଭାବେ ଅଂଶ ଗ୍ରହଣ କରିଥାନ୍ତି , ଥିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ । ସେ ଯଦି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ହୋଇଯାଇପାରନ୍ତି ତେବେ ତ ସମସ୍ୟା ଶେଷ ! ତେଣୁ ସାହୁଙ୍କୁ ନିର୍ଦ୍ଦେଶକ କରିବାକୁ ଗୋଟି ଚାଳନା ଆରମ୍ଭ ହେଲା ।

ମୁଖ୍ୟମନ୍ତ୍ରୀ ନିଜେ ନ ଚାହିଁଲେ ତାଙ୍କ ଅତିରିକ୍ତ ସଚିବଙ୍କୁ କିଏ ବା ସାହସ କରିବ ବଦଳି କରାଇବାକୁ?

ପ୍ରଦ୍ୟୁମ୍ନ ଶତପଥୀ ଭାଷା ଆନ୍ଦୋଳନକୁ ବନ୍ଦ କରାଇ ପାରିନଥିଲେ ମଧ୍ୟ , ନିର୍ବାଚନ ବେଳେ ଭାଷା ଆନ୍ଦୋଳନ କାରଣରୁ ଅଡୁଆରେ ପଡ଼ିବେ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଆଶଙ୍କା କରୁଥିଲେ , ପ୍ରଦ୍ୟୁମ୍ନଙ୍କ ବିଶ୍ଵାସଘାତକତା ହେତୁ ଆନ୍ଦୋଳନ ଜଖମ ହୋଇ, ସେ ସେହି ଆଶଙ୍କାରୁ ଉଧୁରି ଯାଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିବା ‘ବିଶ୍ଵାସଘାତକ ଜାଗିରି’ ଖାତିରରେ , ନିର୍ବାଚନ ପରେ , ନିଜ ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରିଦେଇଥିଲେ (Notifiication No.16976 dated 21st June 2019) ଏବଂ ଏଥିପାଇଁ ଅସୁବିଧା ନ ହେବାକୁ ନିର୍ଦ୍ଦେଶକ ପଦବୀର ବର୍ଗ ବି ବଦଳାଇ ଦେଇଥିଲେ ।


ଆଶ୍ଵସ୍ତ ହୋଇଥିଲେ ଶତପଥୀ ଦମ୍ପତ୍ତି ଓ ଧରିନେଇଥିଲେ ଯେ ନୂଆ ନିର୍ଦ୍ଦେଶକଙ୍କ ନୂଆ ରିପୋର୍ଟ ଆସିଗଲା ପରେ ପ୍ରାୟ ଦେଢ଼କୋଟି ଟଙ୍କାର ପିଛିଲା ବେତନ ସହ ୧୦ ବର୍ଷର ଅନୁପସ୍ଥିତି କାଳ ଚାକିରୀ କାଳରେ ସାମିଲ ହୋଇ ମାନସୀଙ୍କ ଚାକିରି ନିୟମିତ ହୋଇଯିବ । ଓଡ଼ିଆ ଜାତି ପ୍ରତି ବିଶ୍ଵାସଘାତକତା କଲେ ନବୀନ ପଟ୍ଟନାୟକ କେତେ ଯେ କରୁଣା କରିପାରନ୍ତି, ଏହି ଘଟଣାଟି ତହିଁର ଏକ ଦୁଃଖଦାୟକ ଦୃଷ୍ଟାନ୍ତ । (କ୍ରମଶଃ)

Comments

One Comment

Post a comment
  1. Dr. Asoka Misra #
    December 5, 2019

    Incompetent, inherently corrupt, oppressive administration for so many decades has ruined the morale and spirit of the State of Odisha and reduce the people to a spineless condition. Otherwise, THIS SORT OF MANIPULATION AND OFFENSE AS THIS ARTICLE SO SPEAKINGLY EXPOSES would not have happened. …… God Save Odisha-Administration !!! !! !

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.